ଧନୁଯାତ୍ରା ଦେଖି ବରଗଡ଼କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ; ୧୩୬୨ କୋଟିର ୧୨୩ଟି ପ୍ରକଳ୍ପ ଶୁଭାରମ୍ଭ, 'ୟୁନେସ୍କୋ ମାନ୍ୟତା ଆମ ଲକ୍ଷ୍ୟ'
ବରଗଡ଼ ଉନ୍ନତି ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଧନୁଯାତ୍ରା ପାଇଁ ସ୍ୱତନ୍ତ୍ର ରଙ୍ଗମହଲ ମଞ୍ଚ ପାଇଁ ୧୨.୮୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ।

Published : December 31, 2025 at 1:57 PM IST
CM At Dhanu Yatra ବରଗଡ଼: ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଧନୁଯାତ୍ରାରେ ସାମିଲ ହୋଇ ବରଗଡ଼ବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ଉନ୍ନତି ପାଇଁ ୧ ହଜାର ୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ୩୮୦ କୋଟି ଟଙ୍କାର ୪ଟି ନୂଆ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ମଥୁରା ନଗରୀ ମହାରାଜ କଂସଙ୍କ ଦରବାରରେ ରାଜ ଅତିଥି ସାଜିଥିଲେ ମୁଖ୍ୟମନ୍ତୀ ମୋହନ ଚରଣ ମାଝୀ । କଂସ ମହାରାଜ, ଦରବାରରେ ମୁଖ୍ୟମନ୍ତ୍ରୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରିଥିଲେ । ପଚାରିଥିଲେ ମଥୁରା ନଗରୀ (ବରଗଡ଼)ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି । କଂସ ମହାରଜାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, "ମଥୁରା (ବରଗଡ଼)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହା ସହିତ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ଘୋଷଣା କରାଯାଇଛି ।"
ବରଗଡ଼ ଜିଲ୍ଳା ପାଇଁ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟି ଟଙ୍କାର ୪ଟି ନୂଆ ପ୍ରକଳ୍ପ ଘୋଷଣା:-
— CMO Odisha (@CMO_Odisha) December 30, 2025
ଜିରା ନଦୀ ଉପରେ ଏକ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ- ୧୩୨ କୋଟି ଟଙ୍କା , ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍ର ବିକାଶ- ୩୦ କୋଟି ଟଙ୍କା, ବରଗଡ଼ ସଦରରେ ଅଟଳ ବସ୍ଷ୍ଟାଣ୍ଡ - ୬୫ କୋଟି ଟଙ୍କା, ଗ୍ରୀଣ୍ଡୋଲା ଠାରେ ଅନ୍ତନଦୀ… pic.twitter.com/72Uz92A69P
୧ ହଜାର ୩୬୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱର ୧୨୩ଟି ପ୍ରକଳ୍ପ ଶିଳାନ୍ୟାସ ତଥା ଲୋକାର୍ପଣ:-
- ୯୮୦.୫୮ କୋଟି ଟଙ୍କା ବ୍ୟୟରେ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
- ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ପ୍ରକଳ୍ପର ଉଦ୍ଘାଟନ
- ଧନୁଯାତ୍ରା ପାଇଁ ସ୍ୱତନ୍ତ୍ର ରଙ୍ଗମହଲ ମଞ୍ଚ (୧୨.୮୦ କୋଟି ଟଙ୍କା)ର ଶିଳାନ୍ୟାସ
- ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ବକ୍ସ କଣ୍ଡୁଇଟ୍, (ବୟବରାଦ - ୩୦. ୧୭ କୋଟି)
- ଜିରା ନଦୀରେ ଅନ୍ତଃନଦୀ ଜଳାଶୟ (ବୟବରାଦ- ୧୧୪.୮୭ କୋଟି)
ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha
— CMO Odisha (@CMO_Odisha) December 30, 2025
୧ ହଜାର ୩୬୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱର ୧୨୩ ଟି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
୯୮୦.୫୮ କୋଟି ଟଙ୍କା ବ୍ୟୟରେ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ୩୮୨ କୋଟି ୨୬ ଲକ୍ଷ ଟଙ୍କା… pic.twitter.com/aqleixX9jH
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୪-୨୫ ଖରିଫ୍ ଓ ରବି ଋତୁରେ ବରଗଡ଼ର ୨,୪୧,୧୩୫ ଜଣ ଚାଷୀଙ୍କ ଠାରୁ ୧୩,୯୯,୦୦୦ ମେଟ୍ରିକ୍ ଧାନ ସଂଗ୍ରହ କରାଯାଇ ଇନ୍ପୁଟ୍ ସହାୟତା ସହିତ ୪୩୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଭଳି ଆର୍ଥିକ ସହାୟତା ପୂର୍ବରୁ କେବେ ବି ଦିଆଯାଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିରେ ସନ୍ତୋଷପ୍ରକାଶ କରି କଂସ ମହାରାଜ କହିଥିଲେ 'ଆତ୍ମତୃପ୍ତି ଲାଭ କଲା ମହାବୀର କଂସାସୁର' ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଆମେ ଓଡ଼ିଶାର ସାଂସ୍କୃତିକ ଅର୍ଥନୀତିକୁ ଅଧିକ ସୁଦୃଢ଼ କରୁଛୁ। ଧନୁଯାତ୍ରା ହେଉଛି ଆମ ଆଧ୍ୟାତ୍ମିକ ଚେତନା ଓ ସାମାଜିକ ଜୀବନର ଏକ ଅପୂର୍ବ ମିଳନସ୍ଥଳ। କଳା ଓ କଳାକାରଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ; ତେଣୁ ଏହି ଉତ୍ସବର ଅନୁଦାନ ରାଶିକୁ ଦେଢ଼ କୋଟି… pic.twitter.com/WUjsjGzXtT
— Mohan Charan Majhi (@MohanMOdisha) December 30, 2025
ମୁଖ୍ୟମନ୍ତ୍ରୀ ଏହି ଅବସରରେ ବରଗଡ଼ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରି କହିଛନ୍ତି ଯେ, ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ଜିରା ନଦୀ ଉପରେ ଏକ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହା ସହିତ ୩୦ କୋଟି ଟଙ୍କା ବ୍ୟୟରେ ବରଗଡ଼ ମ୍ୟୁନିସିପାଲଟିର ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍ର ବିକାଶ କରାଯିବ । ୬୫ କୋଟି ଟଙ୍କା ବିନିଯୋଗରେ ବରଗଡ଼ ସଦରରେ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ନିର୍ମାଣ କରାଯିବ ଓ ଗ୍ରୀଣ୍ଡୋଲା ଠାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଏକ ଅନ୍ତନଦୀ ଜଳାଶୟ ନିର୍ମାଣ କରାଯିବ । ଏହି ଚାରୋଟି ପ୍ରକଳ୍ପ ପାଇଁ ପ୍ରାୟ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ମହାକୁମ୍ଭ ବରଗଡ଼ ଧନୁଯାତ୍ରାରେ ଯୋଗଦେଲି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କେବଳ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନୁହେଁ, ବରଂ ଏହା ଆମ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ଏକ ଗୌରବମୟ ପ୍ରତୀକ। ଏହି ଭବ୍ୟ ଉତ୍ସବରେ ସାମିଲ ହୋଇ ମୁଁ ଅନୁଭବ କଲି ଯେ, ଆମର କଳା, ପରମ୍ପରା ଏବଂ ଐତିହ୍ୟ ହିଁ ଆମ ଜାତିର ପ୍ରକୃତ… pic.twitter.com/y5n8cIYauA
— Mohan Charan Majhi (@MohanMOdisha) December 30, 2025
୩୮୦ କୋଟି ଟଙ୍କାର ୪ଟି ନୂଆ ପ୍ରକଳ୍ପ ଘୋଷଣା:-
- ଜିରା ନଦୀ ଉପରେ ଏକ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ୧୩୨ କୋଟି ଟଙ୍କା
- ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍ର ବିକାଶ ୩୦ କୋଟି ଟଙ୍କା
- ବରଗଡ଼ ସଦରରେ ଅଟଳ ବସ୍ଷ୍ଟାଣ୍ଡ ୬୫ କୋଟି ଟଙ୍କା
- ଗ୍ରୀଣ୍ଡୋଲା ଠାରେ ଅନ୍ତନଦୀ ଜଳାଶୟ ୧୫୦ କୋଟି ଟଙ୍କା
UNESCO ମାନ୍ୟତା ପାଇଁ ପ୍ରୟାସ:
ଧନୁଯାତ୍ରାକୁ ଭାରତର ସାଂସ୍କୃତିକ ଅର୍ଥନୈତିକ (Cultural Economy) ମଡେଲର ଉଦାହରଣ ବୋଲି କହି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହି ଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଏକ ପ୍ରକୃଷ୍ଟ ନିଦର୍ଶନ । ଏହି ଉତ୍ସବ ପାଇଁ ଅନୁଦାନ ରାଶି ଏକ କୋଟି ଟଙ୍କାରୁ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ୨୦୦ ପ୍ରମୁଖ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଇଛି । ଏକ ବଡ଼ ପ୍ରତିଶୃତି ଥିଲା ଧନୁଯାତ୍ରା ପାଇଁ ରଙ୍ଗମହଲ ନିର୍ମାଣ । ଏହାର ମଧ୍ୟ ଶିଳାନ୍ୟାସ ହେଲା ଆଉ ସେଥିପାଇଁ ପ୍ରାୟ ୧୨ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏବଂ ଏହା ସାରା ବିଶ୍ୱରେ ଶ୍ରେଷ୍ଠ ରଙ୍ଗମହଲ ଭାବେ ପରିଚୟ ସୃଷ୍ଟି କରିବ । ୟୁନେସ୍କୋ (UNESCO) ଦ୍ୱାରା ବିଶ୍ୱ ଦରବାରରେ କିଭଳି ମାନ୍ୟତା ପାଇବ, ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଛୁ ଏବଂ ଏଥିରେ ଆମେ ସଫଳ ହେବୁ ।"
ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ମହାକୁମ୍ଭ ବରଗଡ଼ ଧନୁଯାତ୍ରାରେ ଯୋଗଦେଲି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କେବଳ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନୁହେଁ, ବରଂ ଏହା ଆମ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ଏକ ଗୌରବମୟ ପ୍ରତୀକ। ଏହି ଭବ୍ୟ ଉତ୍ସବରେ ସାମିଲ ହୋଇ ମୁଁ ଅନୁଭବ କଲି ଯେ, ଆମର କଳା, ପରମ୍ପରା ଏବଂ ଐତିହ୍ୟ ହିଁ ଆମ ଜାତିର ପ୍ରକୃତ… pic.twitter.com/y5n8cIYauA
— Mohan Charan Majhi (@MohanMOdisha) December 30, 2025
ଧନୁଯାତ୍ରା ଉପରେ ହେବ ଡକ୍ୟୁମେଣ୍ଟେସନ୍:
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧନୁଯାତ୍ରା, ମହାରାଜ କଂସଙ୍କ ରାଜତ୍ୱର ଅନନ୍ୟ ନାଟ୍ୟ ଚିତ୍ରଣ ସହିତ ସାଂସ୍କୃତିକ ଶୋଭାଯାତ୍ରା, ରଙ୍ଗୋଲି ଓ ଚିତ୍ରକଳା ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଶିବିର, ହସ୍ତତନ୍ତ ମେଳା, ମୀନାବଜାର ଏବଂ ପଲ୍ଲିଶ୍ରୀ ମେଳା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସଂସ୍କୃତି ଏବଂ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିଆସିଛି । ନିଜର ଅନନ୍ୟ ନାଟ୍ୟ ମହିମା ବ୍ୟତୀତ, ଧନୁଯାତ୍ରା ବିଭିନ୍ନ ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ, ବାଣିଜ୍ୟ ଏବଂ ସାମୂହିକ ଅଂଶଗ୍ରହଣକୁ ମଧ୍ୟ ପ୍ରୋତ୍ସାହିତ କରୁଛି । ବରଗଡ଼ ସହରରେ ଅନେକ ମନୋରମ ତୋରଣ ନିର୍ମାଣ ହୋଇଛି । ଏହା ସହରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ଧନୁଯାତ୍ରା ଉପରେ ଅଧ୍ୟୟନ କରିବା ପାଇଁ National School of Dramaରୁ ଡାଇରେକ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରମାନେ ଆସିଛନ୍ତି । ଏହା ଉପରେ ସେମାନେ ଅଧ୍ୟୟନ କରିବେ, ରିପୋର୍ଟ ଦେବେ ଏବଂ ଏହାର ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ କରାଯିବ ।
'ରାଜ୍ୟର ପ୍ରତି ଜିଲ୍ଲା ହେବ ଶିଳ୍ପାୟନ'
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ ଦେଢ ବର୍ଷରେ ଆମ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ରାଜ୍ୟର ପ୍ରତି ବର୍ଗ ଯେପରିକି ମହିଳା, ଗରିବ, ଯୁବା, ଅନ୍ନଦାତା, ଶ୍ରମିକ, ଛୋଟ ବେପାରୀ ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା କରିଛନ୍ତି । ଏହା ସହିତ ରାଜ୍ୟରେ ଭିତ୍ତିଭୂମି ଏବଂ ଉଦ୍ୟୋଗର ବିକାଶ ପାଇଁ ମୁଁ ନିରନ୍ତର ଭାବେ ଚେଷ୍ଟା କରି ଆସୁଅଛି । ଏହି କ୍ରମରେ ଓଡିଶା ଆଗାମୀ ଦିନରେ ଏକ ପ୍ରକାର ଶିଳ୍ପ ବିପ୍ଲବ ଦେଖିବ । ରାଜ୍ୟର ପ୍ରତି ଜିଲ୍ଲା ହେବ ଶିଳ୍ପାୟନ । ଏଥିପାଇଁ ଉଦ୍ୟମ ଜାରି ରହିଛି ।"
ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... ଆଜି ଧନୁଯାତ୍ରାର ସପ୍ତମ ଦିନ; ଯାତ୍ରା ଦେଖିବାକୁ ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି କଂସ ଦ୍ୱାରା ପ୍ରେରିତ ରାକ୍ଷସଙ୍କୁ ବଦ୍ଧ କଲେ କୃଷ୍ଣ-ବଳରାମ, ପଞ୍ଚମ ଦିନରେ ମଞ୍ଚସ୍ଥ ହେବେ ଏସବୁ ଦୃଶ୍ୟ |
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଥୁରାରେ ରାତ୍ରୀ ଯାପନ କରିବା ପରେ ଆଜି (ବୁଧବାର) 'ବିରତା ଦିବସ' ଅବସରରେ ଘେଂସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି l ଘେଂସ ଜମିଦାର ଶହୀଦ ମାଧୋ ସିଂଙ୍କ ପରିବାରର 5 ଜଣ ଦେଶ ଓ ମାଟି ପାଇଁ ଇଂରେଜମାନଙ୍କ ସହିତ ଲଢ଼େଇ କରି ଶହୀଦ ହୋଇଥିଲେ । ଶହୀଦମାନଙ୍କ ବିରତାକୁ ମନେ ରଖିବା ସହିତ ସେମାନଙ୍କୁ ଉଚିତ ସମ୍ମାନ ଜଣାଇବାକୁ 31 ଡିସେମ୍ବରରେ ସେମାନଙ୍କ ଉଦ୍ୟେଶରେ ଶହୀଦ ଦିବସ ପାଳନ କରଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ଏହି ବିରତା ଦିବସରେ ଶହୀଦ ପାରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ମୁଖ୍ୟମନ୍ତ୍ରୀ ଘେଂସ ଯାଉଛନ୍ତି । ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଘେଂସ ଆସି ବିରତା ଦିବସରେ ଶହୀଦ ପାରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଆଜିର ଏହି ବିରତା ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର

