ETV Bharat / state

କେତେ କାମ କରିଛନ୍ତି ମନ୍ତ୍ରୀ ? ଜୁନ ୨ରୁ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀଙ୍କ ବିଭାଗରୁ ହେବ ଆରମ୍ଭ, ୧୬ ପ୍ରସଙ୍ଗରେ ରଖିବେ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦିଷ୍ଟ ଫର୍ମାଟ ଜାରି କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ରିପୋର୍ଟ: ଭବାନୀ ଶଙ୍କର ଦାସ

ODISHA MINISTER REPORT CARD
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (File Pic ETV Bharat)
author img

By ETV Bharat Odisha Team

Published : May 31, 2026 at 10:32 AM IST

3 Min Read
Choose ETV Bharat

ଭୁବନେଶ୍ବର: ଆସନ୍ତା ୨ ତାରିଖରୁ ବିଭାଗର ଦୁଇ ବର୍ଷର ରିପୋର୍ଟ କାର୍ଡର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମଧ୍ୟ ସମୀକ୍ଷା କରିବେ ମୋହନ । ସେଥିପାଇଁ ସମସ୍ତ ବିଭାଗ ନିଜର ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପ୍ରଦାନ କରୁଛନ୍ତି । ସମୀକ୍ଷାର ପ୍ରଥମ ଦିନରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବିଭାଗର ରହିଛି । ବିଭାଗର ପ୍ରଦର୍ଶନ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଅନ୍ୟ ମନ୍ତ୍ରୀଙ୍କ ରିପୋର୍ଟ ୯ ତାରିଖ ସୁଦ୍ଧା ତର୍ଜମା କରିବେ ମୋହନ । ଏଥିପାଇଁ ଫର୍ମାଟ ମଧ୍ୟ ଜାରି ହୋଇଛି ।

ଜୁନ ୨ରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ (ETV Bharat Odisha)

2 ବର୍ଷ ପୂରଣ କରିବେ ମୋହନ ସରକାର:

ଆସନ୍ତା ଜୁନ ୧୨ରେ ମୋହନ ସରକାର ପୂରଣ କରିବେ ୨ ବର୍ଷ । ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ଓ୍ବାରୀ ରିପୋର୍ଟ ପ୍ରଦାନ କରିବାରେ ଲାଗି ପଡ଼ିଛନ୍ତି ବିଭାଗୀୟ ମନ୍ତ୍ରୀ । ଦୁଇ ବର୍ଷର ପ୍ରଦର୍ଶନ ନେଇ ବିଭାଗୀୟ ମନ୍ତ୍ରୀ ମାନେ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପ୍ରଦାନ କରୁଛନ୍ତି । ଆସନ୍ତା ୨ ତାରିଖରୁ ମୁଖ୍ୟମନ୍ତ୍ରୀ ବିଭାଗର ଦୁଇ ବର୍ଷର ରିପୋର୍ଟ କାର୍ଡର ସମୀକ୍ଷା କରିବେ । ବିଗତ ଦୁଇ ବର୍ଷରେ ବିଭାଗ କିଭଳି ପ୍ରଦର୍ଶନ କରିଛନ୍ତି, ନୂଆ ଯୋଜନା କଣ କଣ କରିଛନ୍ତି, ଲୋକଙ୍କ ପାଖରେ ଯୋଜନାର ସୁଫଳତା କେମିତି ପହଁଚିଛି ଓ ଆଗାମୀ ଯୋଜନା କଣ ରହିଛି ସେ ବାବଦରେ ମୁଖ୍ୟମନ୍ତ୍ରୀ ଅବଗତ ହେବେ ।

ଏହି ପ୍ରକ୍ରିୟା ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ବିଭାଗ ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବିଭାଗର ପ୍ରଦର୍ଶନର ସମୀକ୍ଷା କରାଯିବ । ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମୀକ୍ଷା ୯ ତାରିଖ ଯାଏଁ ଚାଲିବ ।

ଫର୍ମାଟ ଜାରି. 16 ପ୍ରସଙ୍ଗରେ ଉତ୍ତର ରଖିବେ :

ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦିଷ୍ଟ ଫର୍ମାଟ ଜାରି କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଯାହା ସମସ୍ତ ମନ୍ତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଫର୍ମାଟ ଆଧାରରେ ରିପୋର୍ଟ ପ୍ରଦାନ କରିଛନ୍ତି ମନ୍ତ୍ରୀ ମଣ୍ଡଳର ସଦସ୍ୟ । ପ୍ରାୟ ୧୬ଟି ପ୍ରସଙ୍ଗର ଉତ୍ତର ରଖିବେ । ବିଭାଗର ଲକ୍ଷ୍ୟ ବା ଟାର୍ଗେଟ କଣ ଥିଲା, ବର୍ତ୍ତମାନ ସୁଦ୍ଧା କଣ ପୂରଣ ହୋଇଛି ଉତ୍ତର ରଖିବେ ।

ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଯୋଜନାର ସ୍ଥିତି, ଦୁଇଟି ଆର୍ଥିକ ବର୍ଷରେ କେତେ ଅର୍ଥ ମଞ୍ଜୁର ହୋଇଥିଲା ଓ ଖର୍ଚ୍ଚ ହୋଇଛି, ବିଭାଗର ଆର୍ଚିଭମେଣ୍ଟ କଣ ସବୁ ରହିଛି, ଏହାର ତଥ୍ୟ ରଖିବେ ବିଭାଗ । ବିଧାନସଭାରେ ମନ୍ତ୍ରୀଙ୍କ ପ୍ରଦର୍ଶନ, ପଚରା ଯାଇଥିବା ପ୍ରଶ୍ନର ଉତ୍ତର, ବିରୋଧୀଙ୍କ ପ୍ରଶ୍ନର ମୁକାବିଲା କରିବାରେ କେତେ ସଫଳ ହୋଇଛନ୍ତି ମନ୍ତ୍ରୀ, ମନ୍ତ୍ରୀଙ୍କ ବିବୃତି ରିପୋର୍ଟରେ ଉଲ୍ଲେଖ ରହିବ ।


ଅଭିଯୋଗ ଶୁଣାଣିକୁ ଗୁରୁତ୍ବ:

ସେହିପରି ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେଇଛନ୍ତି ସରକାର ଓ ମୁଖ୍ୟମନ୍ତ୍ରୀ । ତେଣୁ ଏ ଦିଗରେ ବିଭାଗର ପ୍ରଦର୍ଶନ, ମନ୍ତ୍ରୀ, ସଚିବ ଏବଂ ଅଧିକାରୀ କେତେ ଅଭିଯୋଗ ଶୁଣାଣି କରି ସମାଧାନ କରିଛନ୍ତି, ତାହାର ତଥ୍ୟ ଦେବାକୁ ପଡୁଛି । ବିଭାଗ ବାବଦରେ ବିଭିନ୍ନ ସମୟରେ ଆସୁଥିବା ଅଭିଯୋଗ, ସମାଲୋଚନା ବାବଦରେ ରିପୋର୍ଟ କାର୍ଡରେ ତଥ୍ୟ ପ୍ରଦାନ କରାଯିବ । ସରକାରକୁ ଆସିବା ପୂର୍ବରୁ ଦଳ ପକ୍ଷରୁ ଦିଆ ଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୃକ୍ତ ବିଭାଗ ମାନେ କଣ କାର୍ଯ୍ୟକ୍ରମ କରିଛନ୍ତି, ଏହାର ତଥ୍ୟ ମଧ୍ୟ ଏଥିରେ ପ୍ରଦାନ କରିବେ । ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ ଦିଗରେ ବିଭାଗର ଲକ୍ଷ୍ୟ ବାବଦରେ ସୂଚନା ପ୍ରଦାନ କରିବେ ।

‘ଶିଳ୍ପ ବିଭାଗ ବହୁତ କାମ କରିଛି’

ରିପୋର୍ଟ କାର୍ଡ ସମୀକ୍ଷା ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଛନ୍ତି, ‘୨ ବର୍ଷ ମଧ୍ୟରେ ଆମ ବିଭାଗ ବହୁତ କାମ କରିଛି । ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜି ନିବେଶ ଆସୁଥିବା ବେଳେ ଏବେ ଅକ୍ଷୟ ଶକ୍ତି, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ସେମି କଣ୍ଡକ୍ଟର କ୍ଷେତ୍ରରେ ଅଧିକ ପୁଞ୍ଜି ଆସୁଛି । ପୁଞ୍ଜି ନିବେଶ ଠାରୁ ଗ୍ରାଉଣ୍ଡିଂ ଯାଏଁ ବିଭାଗ ମନିଟରିଂ କରୁଛି । ଅନେକ ସଫଳତା ମିଳୁଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଆ ପିଲାଙ୍କୁ ବିଶ୍ୱ ସ୍ତରରେ ସଫଳତା ମିଳୁଛି । ସମସ୍ତ ଆଇଟିଆଇ କେନ୍ଦ୍ର ଗୁଡିକ ସଶକ୍ତ କରାଯାଇଛି । ୨ ତାରିଖ ଠାରୁ ମୁଖ୍ୟମନ୍ତ୍ରୀ ବିଭାଗ ୱାରୀ ସମୀକ୍ଷା କରିବେ । ଆମେ ଆମର ରିପୋର୍ଟ ପ୍ରସ୍ତୁତ କରୁଛୁ ।’

ଏହା ମଧ୍ୟ ପଢନ୍ତୁ:

VVIP ଗସ୍ତ ସୂଚନା ଲିକ୍ ସତର୍କତା; ସୋସିଆଲ ମିଡିଆରେ ସେୟାର କଲେ କାର୍ଯ୍ୟାନୁଷ୍ଠାନ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ, ରେସରେ ଆଗରେ କେଉଁ ବିଧାୟକ ?

ଛୁଟିରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ; ଆଇନ ଶୃଙ୍ଖଳା ସ୍ଥିତି ଓ ଶିଳ୍ପାୟନ ସମ୍ପର୍କରେ ଆଲୋଚନା

ଜନସାଧାରଣ ମାର୍କ ଦେବେ:

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘୨ ବର୍ଷର ପ୍ରୋଗ୍ରେସ ରିପୋର୍ଟ ଲୋକଙ୍କ ପାଖକୁ ଯିବ । ସରକାର ଓ ବିଭାଗର ରିପୋର୍ଟ କାର୍ଡ ନେଇ ଲୋକଙ୍କ ପାଖକୁ ଯିବୁ । ଜନସାଧାରଣ ଗଣତନ୍ତ୍ରର ମାଲିକ । ସେମାନେ ମାର୍କ ଦେବେ । ରାଜସ୍ୱ ବିଭାଗ ଦୁଇ ବର୍ଷରେ ଅଢେଇ କୋଟିରୁ ଅଧିକ ଲୋକଙ୍କ ପାଖରେ ରାଜସ୍ୱ ସେବା ପହଁଚାଇଛି । ୬୦ ଲକ୍ଷ ଜମି ପଟ୍ଟା ସଂଶୋଧନ ହୋଇ ସାରିଛି । ଅଧାରୁ ଅଧିକ ରାଜସ୍ୱ ମାମଲା ସମାଧାନ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର