ETV Bharat / state

ସମ୍ବଲପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ, ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ 2 ଦିନିଆ ସମ୍ବଲପୁର ଗସ୍ତ । ଦ୍ଵିତୀୟ ଦିନରେ 451.24 କୋଟି ଟଙ୍କା ବ୍ୟୟର ବୃହତ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

CM SAMBALPUR VISIT
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : January 11, 2026 at 4:54 PM IST

2 Min Read
Choose ETV Bharat

ସମ୍ବଲପୁର: ସମ୍ବଲପୁର ସହରବାସୀ ପାଇବେ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ । ରାଜକୋଷରୁ 451.24 କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ । ଆଜି(ରବିବାର) ସମ୍ବଲପୁର ସହର ଉପକଣ୍ଠ ଜମାଦାରପାଲି ସ୍ଥିତ ଟିପୁପଡା ଠାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲଡିଂର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ l

ସମ୍ବଲପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ, ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଭେଟି ଦେଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2 ଦିନିଆ ସମ୍ବଲପୁର ଗସ୍ତରେ ଥିବା ବେଳେ ଆଜି ଦ୍ଵିତୀୟ ଦିନରେ ସମ୍ବଲପୁର ସହରରେ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି । ଜମାଦାରପାଲି ସ୍ଥିତ ଟିପୁପଡା ଠାରେ ଆଜି ଏହି ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଅମୃତ 2.0 ଯୋଜନା ଅଧିନରେ ୱାଟକୋର ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି l

CM Sambalpur Visit
ମୁଖ୍ୟମନ୍ତ୍ରୀଙ୍କ 2 ଦିନିଆ ସମ୍ବଲପୁର ଗସ୍ତ (ETV Bharat Odisha)

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ‘ପ୍ରକଳ୍ପ ବାବଦରେ ରାଜ୍ୟ ସରକାର 451.24 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏଥିରେ ଗୋଟିଏ ଇନଟେକ ଓ୍ବେଲ, 2ଟି ଜଳ ବିଶୋଧନାଗାର ରହିବ l ତାହା ସହ ସମ୍ବଲପୁର ପଟେ 65 MLD, ଵୁର୍ଲାରେ 35 MLD ଜଳ କ୍ଷମତା ସମ୍ପନ୍ନ ରହିବ । ଏହି ପ୍ରକଳ୍ପରେ 338 କିଲୋମିଟର ନୂତନ ପାଇପ ଲାଇନ ବିଛାଯିବ l’

CM Sambalpur Visit
ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ (ETV Bharat Odisha)

4.75 ଲକ୍ଷ ଲୋକ ଉପକୃତ ହେବେ:

ଏହି ପ୍ରକଳ୍ପରେ ସମ୍ପୂର୍ଣ୍ଣ ସହରକୁ 80ଟି DMAରେ ବିଭାଜନ କରାଯିବ, 16ଟି ନୂତନ ଜଳଭଣ୍ଡାର, ପ୍ରତି ଘରର ପାଇପ ଲାଇନ ପରିବର୍ତ୍ତନ ସହ ପାଣି ମିଟର ଲାଗିବ l ତେବେ ଏହି ପ୍ରକଳ୍ପ 2027 ଡିସେମ୍ବର ସୁଦ୍ଧା ଶେଷ ହେବାର ସମୟ ନିର୍ଦ୍ଧାରିତ କରାଯାଇଛି l ଏହି ପ୍ରକଳ୍ପ ଦ୍ୱାରା ମହାନଗର ନିଗମର 4.75 ଲକ୍ଷ ଲୋକ ଉପକୃତ ହେବେ l

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l

CM Sambalpur Visit
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସଜେଇ ହୋଇଛି ସମ୍ବଲପୁର (ETV Bharat Odisha)

ଉପକୃତ ହେବେ ରୋଗୀ:

ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସେଠାରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲଡିଂର ଉଦଘାଟନ କରିଛନ୍ତି l ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଟ୍ରମା କେୟାର ସେଣ୍ଟର ଓ OPD ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ 21 କୋଟି 28 ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ । ଏହା ସହିତ ଆଜି ଡାକ୍ତରଖାନା ପରିସରରେ 2 କୋଟି 53 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ CSSD (Central Sterile Supply Department) ବିଲଡିଂର ମଧ୍ୟ ଉଦ୍‌ଘାଟନ କରାଯାଇଛି ।

CM Sambalpur Visit
ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଭେଟି ଦେଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଇକ୍ୟୁପ୍‌ମେଣ୍ଟକୁ ସଫା ଓ ଷ୍ଟେରିଲାଇଜ୍ କରାଯିବ । ଉଦ୍‌ଘାଟନ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି । ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଏବଂ ସୁନିଶ୍ଚିତ ଚିକିତ୍ସା ଯୋଗାଇଦେବା ଏହାର ମୂଳ ଉଦ୍ଦେଶ୍ୟ ଅଟେ l’

ଏହା ମଧ୍ୟ ପଢନ୍ତୁ:

ସମ୍ବଲପୁରକୁ 947 କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ସହରରେ ଗଡିବ 25ଟି ଇ-ବସ୍

ଦକ୍ଷତାରେ ଉତ୍କର୍ଷତା ହାସଲ ଲକ୍ଷ୍ୟ; '୪୭ ITIରେ ସେଣ୍ଟର ଅଫ୍ ଏକ୍ସେଲେନସ, ୯ ITIରେ ହେବ AI Lab', ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧାରେ ଦ୍ବିତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ , ଓଡ଼ିଶାରେ 7 ଶିଳ୍ପରେ 55,783 କୋଟି ନିବେଶ ପ୍ରସ୍ତାବ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଆରମ୍ଭ ହେବ ପ୍ରାଥମିକ ଶିକ୍ଷାର ଗରିମାମୟ ଅଧ୍ୟାୟ

ରାଜ୍ୟରେ ୮୯ଟି ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଦାୟିତ୍ବ ନେବାର 13 ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ବଡ଼ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମୁଦାୟ ୮୯ଟି ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ସଂଖ୍ୟା କମିବା ସହ ଆହତମାନେ ଠିକ ସମୟରେ ଉତ୍ତମ ଚିକିତ୍ସା ପାଇପାରିବେ । ଏହି ସମସ୍ତ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦ୍ୱାରା ସମ୍ବଲପୁର ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣାତ୍ମକ ଓ ଆଧୁନିକ ସେବା ମିଳିପାରିବ l’

ଇଟିଭି ଭାରତ, ସମ୍ବଲପୁର