କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ କରିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜ୍ଞାନ ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୩୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା ।

Published : December 27, 2025 at 7:16 PM IST
କେନ୍ଦୁଝର: କେନ୍ଦୁଝରରେ ଅନୁଷ୍ଠିତ ହେଲା ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟ ଅତିଥି ଭାବେ ଯୋଗ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ କରିବା ଉଚିତ। ବର୍ତ୍ତମାନର ଛାତ୍ରଛାତ୍ରୀ ଆଗାମୀ ଦିନରେ ବଡ ବୈଜ୍ଞାନିକ ହୋଇ ନୂଆ ନୂଆ ଟେକ୍ନୋଲୋଜିର ଉଦ୍ଭାବନ କରିବା ସହିତ ଦେଶକୁ ଆତ୍ମନିର୍ଭର ହେବାରେ ନିଜର ଯୋଗଦାନ ରଖିଵା ଉଚିତ ।"
'ସାମାଜିକ ଓ ଆର୍ଥିକ ବିକାଶ ପାଇଁ ମୂଳଭିତ୍ତି ହେଉଛି ବିଜ୍ଞାନ'
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ସଭ୍ୟତାର ବିକାଶ ପଛରେ ସବୁଠାରୁ ବଡ ଭୂମିକା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ରହିଛି। କଳା ଓ ସଂସ୍କୃତି ସାମାଜିକ ପରମ୍ପରାରେ ମହକ ସୃଷ୍ଟି କରିଥାଏ। କିନ୍ତୁ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ମୂଳଭିତ୍ତି ହେଉଛି ବିଜ୍ଞାନ। କେଉଁ ପ୍ରାଚୀନ କାଳରୁ ଆମ ଦେଶର ୠଷି, ମୁନୀ ଓ ପଣ୍ଡିତମାନେ ବିଭିନ୍ନ ବୈଜ୍ଞାନିକ ସୂତ୍ରକୁ ସୃଷ୍ଟି କରିଥିଲେ। ଆମର ଚତୁର୍ବେଦର ଅନେକ ଅଂଶରେ ସମ୍ପୂର୍ଣ୍ଣ ବୈଜ୍ଞାନିକ ଚିନ୍ତାଧାରା ପ୍ରତିଫଳିତ ହୋଇଛି। ଆଚାର୍ଯ୍ୟ କଣାଦ ବୈଶେଷିକ ସୂତ୍ରରେ ଅଣୁ ଓ ପରମାଣୁ ସମ୍ପର୍କରେ ବର୍ଣ୍ଣନା ରହିଛି। ଆମ ଓଡି଼ଶାର ମହାନ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତ ମାତ୍ର ଦୁଇ ଖଣ୍ଡ ବାଉଁଶ ନଳୀରୁ ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ଦୂରତାକୁ ସଠିକ୍ ମାପି ପାରିଥିଲେ ବୋଲି ସେ କହିଥିଲେ।
ଆଜି କେନ୍ଦୁଝରର ଡି.ଏନ୍. ହାଇସ୍କୁଲ ପରିସରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗଦେଲି। ଆମର କୋମଳମତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଅଭିନବ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଁ ଆଗାମୀ ଦିନର ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ପ୍ରତିଫଳନ ଦେଖିବାକୁ ପାଇଲି। ସୌର ଜଗତଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା… pic.twitter.com/4cKqEvBoIS
— Mohan Charan Majhi (@MohanMOdisha) December 27, 2025
"ଭାରତରେ ରହିଛି ଜ୍ଞାନର ଏକ ସଂସ୍କୃତି। ସେଥିରେ ଆତ୍ମା ଓ ପରମାତ୍ମା ଭଳି ଦାର୍ଶନିକ ତତ୍ତ୍ବର ଗବେଷଣା ଓ ଚର୍ଚ୍ଚା କରାଯାଉଥିବା ବେଳେ, ସାମାଜିକ ପ୍ରଗତି, ଅର୍ଥନୈତିକ ଉନ୍ନତି ପାଇଁ ପ୍ରୟୋଗ ଭିତ୍ତିକ ବିଜ୍ଞାନ ବା ଟେକ୍ନୋଲୋଜିର ବିକାଶରେ ମଧ୍ୟ ଉଦ୍ୟମ କରାଯାଇଛି। ଆମର ଏହି ଜ୍ଞାନର ସଂସ୍କୃତିକୁ ଜନକଲ୍ୟାଣରେ ଲଗାଇବା ପାଇଁ ତୁମ ଭଳି ମେଧାବୀ ପିଲା ଓ ଯୁବକ ମାନେ ଅଧିକ ଗବେଷଣା କରିବା ଆବଶ୍ୟକ। ଆଜିକାଲି ଛାତ୍ରଅଛାତ୍ରୀଙ୍କ ଶିକ୍ଷା ପାଇଁ ବହୁତ୍ ପ୍ରକାର ସାଧନ ଅଛି। ପାଠ୍ୟପୁସ୍ତକ ବ୍ୟତୀତ ଡିଜିଟାଲ ଲାଇବ୍ରେରୀ ଏବଂ ବିଭିନ୍ନ ଅନ୍ଲାଇନ୍ ମାଧ୍ୟମରେ ଅନେକ ନୂଆ ନୂଆ ତଥ୍ୟ ଓ ଜ୍ଞାନ ଉପଲବ୍ଧ ଅଛି। ଏହାକୁ ଉପଯୋଗ କରି ଛାତ୍ରଛାତ୍ରୀମାନେ ଅଧିକ ଗବେଷଣା କରିବା ଉଚିତ ବୋଲି" ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

'ଆଜିକାର ଛାତ୍ରଛାତ୍ରୀ ପ୍ରତିଭାବାନ୍ ପିଲାମାନେ ଆଗାମୀ ଦିନରେ ବ୍ୟାପକ ଗବେଷଣା କରିବା ଉଚିତ'

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ ପ୍ରତିଜ୍ଞା ନେଇଛନ୍ତି। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିର ଏକ ବଡ ଭୂମିକା ରହିବ। ନୂଆ ନୂଆ ଜ୍ଞାନ ପାଇଁ ଆବଶ୍ୟକ ହେଉଛି ଗବେଷଣା। ତେଣୁ ଆଜିକାର ଛାତ୍ରଛାତ୍ରୀ ପ୍ରତିଭାବାନ୍ ପିଲାମାନେ ଆଗାମୀ ଦିନରେ ବ୍ୟାପକ ଗବେଷଣା କରିବା ଉଚିତ। ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ କରିବା ଉଚିତ। ଆଜିକାର ଛାତ୍ରଛାତ୍ରୀ ଆଗାମୀ ଦିନରେ ବଡ ବୈଜ୍ଞାନିକ ହୋଇ ନୂଆ ନୂଆ ଟେକ୍ନୋଲୋଜିର ଉଦ୍ଭାବନ କରିବା ସହିତ ଦେଶକୁ ଆତ୍ମନିର୍ଭର ହେବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ।

ପ୍ରକଳ୍ପ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ:
"ବର୍ତ୍ତମାନ ଓଡିଶାରେ ଆମ ସରକାର ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରାଯାଇଛି। ଏଥିରେ ବିଶେଷକରି ସ୍କୁଲ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆମର ଲକ୍ଷ୍ୟ ହେଉଛି ଗୁଣାତ୍ମକ ଶିକ୍ଷା। ସେଥିପାଇଁ ପ୍ରାଥମିକ ସ୍ତରରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗଠନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କାରେ ୨୨ ଶହ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ପ୍ରାଥମିକ ସ୍ତରରେ ଭଲ ଶିକ୍ଷାପାଇଲେ ହାଇସ୍କୁଲ ଓ କଲେଜ ସ୍ତରରେ ମଧ୍ୟ ତୁମର ପ୍ରତିଭାର ବିକାଶ ଘଟିବ। ଆଗାମୀ ଦିନରେ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆହୁରି ଅନେକ ପରିବର୍ତ୍ତନ କରାଯିବ। ମୌଳିକ ଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଦକ୍ଷତା ଉପରେ ବ୍ୟାପକ ଗୁରୁତ୍ବ ଦେବା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ।

ଉକ୍ତ ବିଜ୍ଞାନ ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୩୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି ପ୍ରଦର୍ଶନୀରେ ଭାଗ ନେଇ ବୋରୱେଲରେ ପଡ଼ି ଯାଉଥିବା ଶିଶୁଙ୍କୁ କିପରି ରୋବୋଟିକ ସାହାଯ୍ୟରେ ବିନା ଦ୍ଵନ୍ଦରେ ଉଦ୍ଧାର କରିହେବ ସେନେଇ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ସମ୍ବଲପୁରରୁ ଆସିଥିବା ଛାତ୍ର ଦଶମ ଶ୍ରେଣୀ ଛାତ୍ର ଚିରଞ୍ଜିବ ଭୋଇନା । ପ୍ରକଳ୍ପ ଅନୁମୋଦନ ପାଇଲେ ଆହୁରି ଏହାକୁ ବିକାଶ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

ସେହିପରି ପୂର୍ବବର୍ଷ ଜାତୀୟସ୍ତରରେ ବିଜ୍ଞାନ ମେଳାରେ ଡ୍ରୋନ ଦ୍ଵାରା ଭାରତୀୟ ସୁରକ୍ଷା ବଳଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହେଇ ପାରୁଥିବା ପ୍ରୋଜେକ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିବା ଛାତ୍ର ଆଶୁତୋଷ ମେହେର ଯୋଗଦେଇ ଆଗାମୀ ଦିନରେ ଛାତ୍ରଛାତ୍ରୀ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ କଲେ ସଫଳତା ହାସଲ କରିବେ ବୋଲି ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ଏସବୁ କାର୍ଯ୍ୟକ୍ରମରେ ହେବେ ସାମିଲ
ଇଟିଭି ଭାରତ, କେନ୍ଦୁଝର

