ପୁରୀ-କୋଣାର୍କ ବେଳାଭୂମିର ସ୍ବଚ୍ଛତା ପାଇଁ ଆରମ୍ଭ ହେବ 'ସ୍ବଛ ସମୁଦ୍ର କରିଡର ପ୍ରୋଜେକ୍ଟ'
ଏଜେନ୍ସି ମାଧ୍ୟମରେ ସ୍ବଛ ସମୁଦ୍ର କରିଡର ଯୋଜନା ପରିଚାଳନା କରାଯିବା ସହ ଲୋକଙ୍କୁ ନିଯୁକ୍ତି ଦିଆଯାଇ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ।

Published : February 19, 2026 at 4:13 PM IST
ପୁରୀ: ପୁରୀ-କୋଣାର୍କ ୩୦ କିଲୋମିଟର ବେଳାଭୂମିର ସ୍ବଚ୍ଛତା ପାଇଁ ଖୁବଶୀଘ୍ର ଆରମ୍ଭ ହେବ 'ସ୍ବଛ ସମୁଦ୍ର କରିଡର'। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ବନବିଭାଗର ମିଳିତ ସହଯୋଗରେ ଏହି ସ୍ବଛ ସମୁଦ୍ର କରିଡର ଯୋଜନା କାର୍ଯ୍ୟକାରୀ କରାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ବାଲୁଖଣ୍ଡ ଅଭୟାରଣ୍ୟକୁ ଲାଗି ରହିଥିବା ବେଳାଭୂମିକୁ ସ୍ବଛ ରଖିବା । ପ୍ଲାଷ୍ଟିକ ଆବର୍ଜ୍ଜନା ଗୁଡ଼ିକୁ ସଂଗ୍ରହ କରାଯାଇ ବେଳାଭୂମି ସମେତ ବାଲୁଖଣ୍ଡ ଅଭୟାରଣ୍ୟକୁ ପ୍ଲାଷ୍ଟିକ ଆବର୍ଜ୍ଜନା ମୁକ୍ତ କରାଯିବ । ଏଜେନ୍ସି ମାଧ୍ୟମରେ ସ୍ବଛ ସମୁଦ୍ର କରିଡର ଯୋଜନା ପରିଚାଳନା କରାଯିବା ସହ ଲୋକଙ୍କୁ ନିଯୁକ୍ତି ଦିଆଯାଇ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ । ସେପଟେ ଏଭଳି କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ପରିବେଶପ୍ରେମୀ । ତେବେ ଏହି ସ୍ବଛ ସମୁଦ୍ର କରିଡର ଯୋଜନା କେବଳ ଯୋଜନାରେ ନରହି ତାହା କିଭଳି ନିୟମିତ ଭାବେ ଆଗକୁ ଚାଲିପାରିବ, ସେଦିଗରେ ବନବଭାଗ ଅଧିକ ଧ୍ୟାନ ଦେବାକୁ ପରିବେଶପ୍ରେମୀ ମତ ଦେଇଛନ୍ତି ।
ପରିବେଶପ୍ରେମୀ ବଦ୍ରି ମିଶ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, "ଜଙ୍ଗଲ ବିଭାଗର ଏହି ପଦକ୍ଷେପକୁ ମୁଁ ସ୍ବାଗତ କରୁଛି । ପରିବେଶର ସୁରକ୍ଷା ପାଇଁ ବନ ବିଭାଗର ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଯେଉଁମାନେ ପରିବେଶ ପାଇଁ କାମ କରୁଛେ, ବିଭିନ୍ନ ଅନୁଷ୍ଠାନର ସହଯୋଗ ନେଇ ବନ ବିଭାଗ କାର୍ଯ୍ୟକଲେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସଫଳ ହେବ । ତେବେ ଏହି କାର୍ଯ୍ୟକ୍ରମ କେବଳ ଏକ ଏଜେନ୍ସିକୁ ଦେଇଦେଲେ ସଫଳ ହେବ ନାହିଁ । ଯେଉଁମାନେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ସହଯୋଗ ନେଇ ଏହି କାର୍ଯ୍ୟକୁ କରାଯାଉ । ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସଫଳ ହୋଇପାରିବ । ମୋର ସବୁ ଲୋକଙ୍କୁ ଅନୁରୋଧ, ପରିବେଶ ସୁରକ୍ଷା ପାଇଁ ବନ ବିଭାଗ ନେଇଥିବା ପଦକ୍ଷେପକୁ ସବୁ ଲୋକ ସହଯୋଗ କରିବା ଦରକାର ।"

ପରିବେଶପ୍ରେମୀ ସୌମ୍ୟ ରଞ୍ଜନ ପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, "ପୁରୀ କୋଣାର୍କ ବେଳାଭୂମିକୁ ଆବର୍ଜନା ମୁକ୍ତ କରିବାକୁ ବନ ବିଭାଗ ଯେଉଁ ପଦକ୍ଷେପ ନେଇଛି ତାହା ବହୁତ୍ ସ୍ବାଗତଯୋଗ୍ୟ। ଏହା ପରିବେଶ ସୁରକ୍ଷା ଦିଗରେ ବହୁତ୍ ଭଲ କାର୍ଯ୍ୟ ହେବ । ବାଲୁଖଣ୍ଡ ଅଭୟାରଣ୍ୟରେ ଅନେକ ସ୍ଥାନରେ ପର୍ଯ୍ୟଟକମାନେ ଭୋଜି କରିବା ପରେ ସାଙ୍ଗରେ ଆଣିଥିବା ପ୍ଲାଷ୍ଟିକ ଆବର୍ଜନା ସମୁଦ୍ର ବେଳାଭୂମିରେ ଏବଂ ବାଲୁଖଣ୍ଡ ଅଭୟାରଣ୍ୟରେ ପକାଇ ଆସୁଛନ୍ତି । ଏହାର ସଫେଇ ହେଉନି । ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ଫଳରେ ଜଙ୍ଗଲ, ବାୟୁ, ସମୁଦ୍ର ପ୍ରଦୂଷଣ ହେଉଛି । ମାଇକ୍ରୋ ପ୍ଲାଷ୍ଟିକ ଦ୍ଵାରା ସାମୁଦ୍ରିକ ଜଳ ଜୀବ ମୃତ୍ୟୁ ବରଣ କରୁଛନ୍ତି । ଏଣୁ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବାକୁ ହେବ । ଏହାକୁ ରୋକିବାକୁ ଜଙ୍ଗଲ ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ସ୍ବାଗତ ଯୋଗ୍ୟ । ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ହେଲେ ବାଲୁଖଣ୍ଡ ଅଭୟାରଣ୍ୟରେ ପିକନିକ ଉପରେ ଅଙ୍କୁଶ ଲଗାଯାଉ । କିଛି ଫି ଆଦାୟ କରାଯାଉ । ସେହି ଅର୍ଥରେ ବର୍ଜ୍ୟ ବସ୍ତୁ ସଫେଇ ହେଉ । କେବଳ ସେତିକି ନୁହେଁ ପରିବେଶ ସୁରକ୍ଷା ନେଇ ସୋସିଆଲ ମିଡିଆରେ ବ୍ୟାପକ ସଚେତନତା କରାଯାଉ । ତେବେ ପଲିଥିନ ତିଆରି ହେଉଥିବା ଫ୍ୟାକ୍ଟ୍ରି କୁ ବନ୍ଦ କରାଯାଉ । ଏହା ହେଲେ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ରୋକ୍ ଲାଗି ପାରିବ ।"




ଏହା ମଧ୍ୟ ପଢ଼ନ୍ତୁ- ପୁରୀରେ ପୁଣି ସାଇବର ଠକେଇ: ନକଲି ଓ୍ବେବସାଇଟରେ ଭକ୍ତନିବାସ ବୁକିଂ କରି ଭକ୍ତ ହଟହଟା
ଏହା ମଧ୍ୟ ପଢ଼ନ୍ତୁ- ଭୌଗୋଳିକ ସ୍ଥିତିକୁ ବିଚାର ନ କରି ୱାର୍ଡ ସୀମା ନିର୍ଦ୍ଧାରଣ; ପୁରୀ ମହାନଗର ନିଗମ ୱାର୍ଡ ଗଠନକୁ ନେଇ ତେଜିଲା ବିବାଦ
ଇଟିଭି ଭାରତ, ପୁରୀ

