ପ୍ରଶାସନିକ ସଂସ୍କାର ଲାଗି ସିଏସଙ୍କ ଗୁରୁତ୍ୱ; ପ୍ରତି ମାସ ୧୬ରେ ଜିଲ୍ଲାପାଳଙ୍କ ସହ ବୈଠକ ନେବେ ଅନୁ
ଜିଲ୍ଲାସ୍ତରରେ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସରକାରୀ କାମ ବିଷୟରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।


Published : January 10, 2026 at 10:46 PM IST
ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବଡ଼ ପଦକ୍ଷେପ । ଦାୟିତ୍ୱ ଗ୍ରହଣ କରିବା ପରେ ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ । ରାଜ୍ୟ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରି ଲୋକଙ୍କୁ ସଠିକ ସମୟରେ ସେବା ପହଁଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ଅନୁ । ସେଥିପାଇଁ ପ୍ରତି ମାସ ୧୬ରେ ଜିଲ୍ଲାପାଳଙ୍କ ସହ ଭିସିରେ ବୈଠକ କରିବେ ସିଏସ । ବୈଠକରେ ଜିଲ୍ଲା ସ୍ତରରେ ପଡ଼ି ରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର ବିଭିନ୍ନ ଜରୁରୀ ଦିଗକୁ ନେଇ ବିସ୍ତୃତ ସମୀକ୍ଷା ହେବ ।

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଅନୁ ଗର୍ଗ । ପ୍ରତି ମାସ ୧୬ ତାରିଖରେ ସବୁ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନିଂ ଯୋଗେ କଥା ହେବେ ଅନୁ । ଜିଲ୍ଲାସ୍ତରରେ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସରକାରୀ କାମ ବିଷୟରେ ସେ ସମୀକ୍ଷା କରିବେ । ବୈଠକରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର ବିଭିନ୍ନ ଜରୁରୀ ଦିଗକୁ ନେଇ ବିସ୍ତୃତ ସମୀକ୍ଷା ହେବ । ସବୁ ଜିଲ୍ଲାପାଳ ଏଥିରେ ଉପସ୍ଥିତ ରହିବେ । ପ୍ରତି ବିଭାଗ ପାଇଁ ୩୦ ମିନିଟ ସମୟ ରହିବ । ଏହି ସୀମିତ ସମୟ ଭିତରେ ଯେଭଳି ସବୁ ଜରୁରୀ ପ୍ରସଙ୍ଗ ଉପରେ ଆଲୋଚନା ସରିବ, ସେ ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗଗୁଡ଼ିକ ୧୦ ମିନିଟ ଭିତରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ବା ପିପିଟି ଉପସ୍ଥାପନ ସାରିବେ । ପିପିଟିରେ ସର୍ବାଧିକ ୭ଟି ସ୍ଲାଇଡ ରହିବ । ଏହା ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ କୁହାଯାଇଛି । ବୈଠକରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ, ତାହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ଫଳରେ ଜିଲ୍ଲାପାଳମାନେ ପୂର୍ବରୁ ପ୍ରସ୍ତୁତ ହୋଇଥିବେ । ସେହିଭଳି ବିଭାଗ ୱାରି କେଉଁ ଜିଲ୍ଲାରେ କେଉଁ ଜରୁରି ପ୍ରସଙ୍ଗ ବା ସମସ୍ୟା ଅଛି, ଯୋଜନା ଓ ସଂଯୋଜନା ବିଭାଗକୁ ପଠାଇବାକୁ କୁହାଯାଇଛି । ପ୍ରତିମାସ ୮ ତାରିଖ ସୁଦ୍ଧା ଏହା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ମାସର ୧୬ ତାରିଖ ଛୁଟିଦିନ ବା ସୋମବାରରେ ପଡ଼େ ସେ ଦିନ ଭିସି ବୈଠକ ହେବନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏନେଇ ଯୋଜନା ଏବଂ ସଂଯୋଜନା ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖା ଯାଇଛି । ସରକାରଙ୍କ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ଏହି ଚିଠି ଲେଖିଛନ୍ତି ।

ବୈଠକ ପାଇଁ ନିର୍ଦ୍ଦେଶନାମା
୧ - ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୈଠକରେ ଆଲୋଚନା କରାଯିବ । ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।
୨ - ପ୍ରତି ବିଭାଗ ୩୦ ମିନିଟ ପ୍ରେଜେଣ୍ଟସନ ପ୍ରସ୍ତୁତ କରି ବୈଠକକୁ ଆସିବେ ।
୩ - ୭ ଟି ସ୍ଲାଇଡ଼ ବିଶିଷ୍ଟ ଏକ ପିପିଟି ପ୍ରସ୍ତୁତ କରିବେ । ଯାହା ୧୦ ମିନିଟ ଭିତରେ ହେବା ଆବଶ୍ୟକ ।
୪ - ସମସ୍ତ ବିଷୟ ବସ୍ତୁ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ଦରକାର ।
୫ - ବୈଠକର ଏଜେଣ୍ଡା ଗୁଡିକ ପ୍ରତି ମାସ ୮ ତାରିଖରେ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରତି ଜିଲ୍ଲାରୁ ପହଁଚିବା ଦରକାର ।
୬ - ନିର୍ଦ୍ଦିଷ୍ଟ ଫର୍ମାଟ ଜରିଆରେ ପଡ଼ି ରହିଥିବା କିମ୍ବା ସଠିକ ଅଗ୍ରଗତି ହେଉ ନଥିବା ବିଭିନ୍ନ ବିଷୟ ବସ୍ତୁ ୫୦ ୱାର୍ଡ ଭିତରେ ଲେଖିକି ଦେବାକୁ ନିର୍ଦ୍ଦେଶ ।
ଏହା ବି ପଢନ୍ତୁ- ନୀତି ଆୟୋଗ ସିଇଓଙ୍କ ସହିତ ସିଏସଙ୍କ ବୈଠକ; ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ ସହିତ 6 ଦିଗକୁ ଗୁରୁତ୍ୱ
ଇଟିଭି ଭାରତ, ଭୁବନେଶ୍ୱର

