ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ପାଇଁ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ
ଶୃଙ୍ଖଳିତ ନୀତିକାନ୍ତି, ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଘୋଷଯାତ୍ରା ସୁରୁଖୁରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗ ସେବାୟତଙ୍କ ସହଯୋଗ ଲୋଡିଲା ଶ୍ରୀମନ୍ଦିର ପ୍ରଶାସନ । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର

Published : June 1, 2026 at 8:20 AM IST
ପୁରୀ: ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏନେଇ ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ ।
ଛତିଶା ନିଯୋଗ ବୈଠକ:
ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଚଳିତବର୍ଷ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ବ୍ୟବସ୍ଥାକୁ ମଧ୍ୟ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଆସନ୍ତା ଜୁନ୍ ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ।"
ଶୃଙ୍ଖଳିତ ଘୋଷଯାତ୍ରା ଆୟୋଜନ ପାଇଁ ବୈଠକ:
ସ୍ନାନଯାତ୍ରାରେ ପହଣ୍ଡି ବିଜେ, ଜଳ ବିଜେ, ଜଳ ଲାଗି, ଛେରା ପହଁରା, ହାତୀବେଶକୁ ଶୃଙ୍ଖଳିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ । ରଥଯାତ୍ରା ସମୟରେ ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ସହିତ ଶୃଙ୍ଖଳିତ ଦର୍ଶନ ନେଇ ସହଯୋଗ ଲୋଡ଼ା ଯାଇଛି । ଗତବର୍ଷ ଘଟିଥିବା ଅଘଟଣକୁ ସଂଶୋଧନ କରି ଚଳିତବର୍ଷ ସମସ୍ତଙ୍କର ସହଯୋଗରେ କିଭଳି ଶୃଙ୍ଖଳିତ ଘୋଷଯାତ୍ରା ଅନୁଷ୍ଠିତ ହେବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବକ ଛତିଶା ନିଯୋଗ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ।


ରଥଯାତ୍ରା ନୀତି ନିର୍ଘଣ୍ଟ:
ସେହିପରି ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ତଳେ ଦିଆଗଲା...
- ସକାଳ ୬: ମଙ୍ଗଳା ଆଳତି ଓ ଅନ୍ୟାନ୍ୟ ନୀତି କାନ୍ତି
- ସକାଳ ୮ଟାରୁ ୯ ମଧ୍ୟରେ: ଗୋପାଳ ବଲ୍ଳଭ ଓ ସକାଳ ଧୂପ ନୀତି
- ସକାଳ ୯: ରଥ ପ୍ରତିଷ୍ଠା
- ସକାଳ ୯.୧୫: ମଙ୍ଗଳାର୍ପଣ ନୀତି
- ସକାଳ ୯ ଟା ୩୦: ପହଣ୍ଡି ଆରମ୍ଭ
- ମଧ୍ୟାହ୍ନ ୧୨ଟା ୩୦: ପହଣ୍ଡି ଶେଷ
- ୧୨ଟା ୩୦ରୁ ୧: ମଦନମୋହନ ବିଜେ ଓ ଚିତା ଲାଗି ଏବଂ ବେଶ ଶେଷ
- ଅପରାହ୍ଣ ୨ଟାରୁ ୩: ଛେରା ପହଁରା ନୀତି
- ଅପରାହ୍ଣ ୩ଟାରୁ ୪: ଚାର ଫିଟା ଓ ଘୋଡା ସାରଥୀଲାଗି
- ଅପରାହ୍ନ ୪: ରଥ ଟଣା ଆରମ୍ଭ ହେବ ।

ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି । ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଅଧିକାରୀ ଏବଂ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତବର୍ଷ ସ୍ନାନଯାତ୍ରା ଓ ଘୋଷଯାତ୍ରା ଶୃଙ୍ଖଳିତ ଓ ସୁରୁଖୁରୁରେ ଆୟୋଜନ ହେବ ବୋଲି ଆଶା ରଖିଛନ୍ତି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ।
ସେପଟେ ଆସନ୍ତା ଜୁନ୍ ୨୯ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଏବଂ ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ଆଜି ପୁରୀ ପୋଲିସ ସହ ଦଇତାପତି ନିଯୋଗ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଏସପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସହ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବୈଠକରେ ସ୍ନାନ ଯାତ୍ରା ଓ ଘୋଷଯାତ୍ରା ନୀତି କାନ୍ତିକୁ ଶୃଙ୍ଖଳିତ କରିବା, ପହଣ୍ଡି ବିଜେ ନୀତି ନିର୍ଦ୍ଧାରିତ ସମୟରେ ସମାପନ କରିବା ଏବଂ ପ୍ରଶାସନ ସହିତ ସେବାୟତ ମାନେ ସମନ୍ବୟ ରଖି ସମସ୍ତ କାର୍ଯ୍ୟ କରିବାକୁ ବୈଠକରେ ସେବାୟତଙ୍କୁ ଅନୁରୋଧ କରିଥିଲେ ଏସ୍ପି । ଏଥିସହ ଠାକୁରଙ୍କ ପହଣ୍ଡି ନୀତି, ରଥଟଣା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ; ତିନିରଥ ଦଣ୍ଡା ଫ୍ରେମର ନମ୍ବରିଂ କାର୍ଯ୍ୟ ଶେଷ ପୁରୀରେ ବ୍ରିକ୍ସ ସମ୍ମିଳନୀ ପାଇଁ ଜୋରଦାର ପ୍ରସ୍ତୁତି; ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ସହର, ସିସିଟିଭି ରଖିବ ନଜର |
ଇଟିଭି ଭାରତ, ପୁରୀ

