ଓଡ଼ିଶାରୁ 6 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର: ଯୋଗାଣ ମନ୍ତ୍ରୀ
କେନ୍ଦ୍ର ଓଡିଶାରୁ 5 ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଓ 1 ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ଉଠାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ଯ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

Published : January 1, 2026 at 6:50 PM IST
Centre Procures Rice from Odisha ଭୁବନେଶ୍ବର: ଓଡିଶାରୁ 6 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର । ରାଜ୍ୟରେ ମୋଟ 7 ଲକ୍ଷ ମେଟ୍ରିକ ଟନ ଚାଉଳ ଅଛି l 5 ଲକ୍ଷ ମେଟ୍ରିକ ଟନ ଉଷୁନା ଓ 1 ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ କେନ୍ଦ୍ର ଉଠାଇବ l ବାକି 1 ଲକ୍ଷ ମେଟ୍ରିକ ଟନ ଚାଉଳ ନିଲାମ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
6 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର:
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "2025ରେ ରାଜ୍ୟରେ 63 ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ଏଥିରୁ 7 ଲକ୍ଷ ମେଟ୍ରିକ ଟନ୍ ଚାଉଳ ବର୍ତ୍ତମାନ ଆମ ପାଖରେ ଅଛି । 2026 ଏପ୍ରିଲ ମାସ ସୁଦ୍ଧା 5 ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ଓ 1 ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ କେନ୍ଦ୍ର ଉଠାଇବ । ଆଉ ଏକ ଲକ୍ଷ ମେଟ୍ରିକ ଟନ୍ ଚାଉଳ ନିଲାମ କରାଯିବ ବୋଲି ପ୍ରସ୍ତୁତି କରାଯାଉଛି । ନିଲାମ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।"
ଗତବର୍ଷ (2025) ଅଗଷ୍ଟ ୪ ତାରିଖରେ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହା ପରେ ଭାରତୀୟ ଖାଦ୍ୟ ନିଗମ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଚାଉଳ ଓଡ଼ିଶାରୁ କିଣିବାକୁ ନିଷ୍ପତ୍ତି ନେଇଥିଲା । ଓଡ଼ିଶାରୁ ୮ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ କିଣିବାକୁ ଏଫସିଆଇ ନିଷ୍ପତ୍ତି ନେଇଥିଲା । ଏହା ଦ୍ୱାରା ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ୪୦ରୁ ୪୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଥିବାବେଳେ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ୧୦ରୁ ୧୧ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇବ ।
ଏହା ମଧ୍ୟ ପଢ଼ନ୍ତୁ.. ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଉ ଦୁଇ ମାସ ବଢିଲା e-KYC ଅପଡେଟ ଅବଧି ବାଲେଶ୍ୱର ମାଟିରେ ଔଷଧୀୟ ଗଛ 'ନୋନି' ଚାଷ; ଜୁସ ପିଇଲେ ମିଳେ ଅନେକ ରୋଗରୁ ମୁକ୍ତି ! ଫଳ କିଣିବ ଲଣ୍ଡନର କମ୍ପାନୀ |
କେମିତି ଚାଲିଛି ଧାନ କିଣା:
ସେହିପରି ଧାନ କିଣାକୁ ନେଇ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ 10 ଲକ୍ଷ 50 ହଜାର ମେଟ୍ରିକ ଟନ ଧାନ କିଣିଲେଣି ରାଜ୍ୟ ସରକାର l 2 ଲକ୍ଷ 30 ହଜାର ଚାଷୀ ଧାନ ବିକିଛନ୍ତି l 18ଟି ଜିଲ୍ଲାରେ ଚାଲିଛି ଧାନ କିଣା l 2350 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି l 11 ଲକ୍ଷ ଚାଷୀଙ୍କୁ ଟୋକନ ଦିଆସରିଛି l ସରକାର ସମସ୍ତ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କିଣାଯିବ । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ କିଣା ଚାଲିବ l
ରାସନକାର୍ଡ e-KYC ପାଇଁ ପୁଣି 2 ମାସ ଅବଧି ବଢ଼ାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ 13 ଲକ୍ଷରୁ ଅଧିକ ଲୋକ e-KYC କରିନାହାନ୍ତି । ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, "ଲୋକମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉଛି । ଆଉ 2 ମାସ ଅର୍ଥାତ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଲୋକମାନଙ୍କୁ ଅନୁରୋଧ କରୁଛି ଯେ, ଏହି ଅବଧି ମଧ୍ୟରେ e-KYC କରିନିଅନ୍ତୁ ।"
ଇଟିଭି ଭାରତ, ଭୁବନେଶ୍ବର

