ଗଞ୍ଜାମରେ ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍: ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୫୦୦ କୋଟିର କ୍ଷତି
ଜିଲ୍ଲାର ପୁରୁଷୋତ୍ତମପୁର, ହିଞ୍ଜିଳି, ଆସିକା ଓ ଧରାକୋଟର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ କେନ୍ଦ୍ରୀୟ ଟିମ୍ କଲେ ପରିଦର୍ଶନ । ରିପୋର୍ଟ-ସମୀର ଆଚାର୍ଯ୍ୟ

Published : November 4, 2026 at 11:22 PM IST
Central team assesses damage, ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍ । ପ୍ରାଥମିକ ଆକଳନ ଅନୁଯାୟୀ ଗଞ୍ଜାମରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି । ଜିଲ୍ଲାର ପୁରୁଷୋତ୍ତମପୁର, ହିଞ୍ଜିଳି, ଆସିକା ଓ ଧରାକୋଟର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ କେନ୍ଦ୍ରୀୟ ଟିମ୍ କଲେ ପରିଦର୍ଶନ ।
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲାର ପୁରୁଷୋତ୍ତମପୁର, ହିଞ୍ଜିଳି, ଆସିକା ଓ ଧରାକୋଟ ଅଞ୍ଚଳର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ କଲେ ପରିଦର୍ଶନ କରିଥିଲେ । କେନ୍ଦ୍ରୀୟ ଟିମ୍ ର ଏହି ଅନୁଧ୍ୟାନ ସମୟରେ ପ୍ରାଥମିକ ଆକଳନ ଅନୁଯାୟୀ ଗଞ୍ଜାମରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଛି ।

ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କରିବାକୁ ଗଞ୍ଜାମ ଜିଲ୍ଲାକୁ ଆସିଥିବା କେନ୍ଦ୍ରୀୟ ଟିମ୍ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳି ଗୁଡ଼ିକୁ ଯାଇ ଅନୁଧ୍ୟାନ କରିଛି । ଆସିଥିବା ଏହି ଟିମ୍ ର ଆଠ ଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବିସ୍ତୃତ ଆକଳନ କରିଛନ୍ତି ।

କେନ୍ଦ୍ରୀୟ ଟିମ୍ ପୁରୁଷୋତ୍ତମପୁର ବ୍ଲକ୍ର ଆଛୁଲି, ହାଣ୍ଡିଘର ଓ ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ ।
ସେହିପରି ହିଞ୍ଜିଳି ବ୍ଲକ୍ର ଘୋଡ଼ାହାଡ଼ ପୋଲ ଓ ଜୟମଙ୍ଗଳ ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ।
ଆସିକାର ଲକ୍ଷ୍ମୀବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକ୍ର ଜାହାଡ଼ା ଗ୍ରାମ ଓ ଜାନିବିଲି ଆନିକଟ ମଧ୍ୟ ପରିଦର୍ଶନ କରିଥିଲେ ।

ଏହି ଅନୁଧ୍ୟାନ ସମୟରେ ଚାଷ ଜମିରେ ବାଲିଚର ମାଡ଼ିଯିବା, ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର କ୍ଷତି, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଭିତ୍ତିଭୂମି, ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଟିମ୍ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା । ଏଥିସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ । ଚାଷଜମିକୁ ଯାଇ ଫସଲ ନଷ୍ଟର ପରିମାଣ ଅନୁଧ୍ୟାନ କରିବା ସହ ଆବଶ୍ୟକ ନମୁନା ମଧ୍ୟ ସଂଗ୍ରହ କରିଥିଲେ ।

ପୂର୍ବରୁ ଗୋପାଳପୁର ସର୍କିଟ୍ ହାଉସ୍ ଠାରେ ଜିଲ୍ଲା ପ୍ରଶାସନ ସହ କେନ୍ଦ୍ରୀୟ ପ୍ରତିନିଧି ଦଳର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜିଲ୍ଲାର ବିଭିନ୍ନ ବିଭାଗର କ୍ଷୟକ୍ଷତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ । ବିଭାଗୱାରୀ କ୍ଷତିର ବିବରଣୀ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଉପସ୍ଥାପନ କରାଯାଇଥିଲା ।

ପ୍ରାଥମିକ ଆକଳନ ଅନୁଯାୟୀ, ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏହି ଗସ୍ତ ସମୟରେ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ଜନପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ରହି କେନ୍ଦ୍ରୀୟ ଟିମ୍କୁ ସହଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ- 'ଅର୍ଣ୍ଣବ' ମାଡରେ ଜଳସମ୍ପଦ ଭିତ୍ତିଭୂମି ଛାରଖାର; ଗଞ୍ଜାମରେ 170 କେନାଲ, ଆନିକଟ୍ ଓ ନଦୀବନ୍ଧ କ୍ଷତିଗ୍ରସ୍ତ, 3 ମାସରେ ମରାମତି ଟାର୍ଗେଟ୍
ଏହା ମଧ୍ୟ ପଢ଼ନ୍ତୁ- GROUND REPORT: ରାତିରେ ମାଡ଼ି ଆସିଲା ଘୋଡାହାଡ଼ ନଦୀ ବନ୍ୟାଜଳ, 48 ଘଣ୍ଟା ଜଳବନ୍ଦୀ ରହି ଜୀବନ ସହ ସଂଘର୍ଷ କଲେ ଗଞ୍ଜାମର ଅନେକ ପରିବାର
ଇଟିଭି ଭାରତ, ବ୍ରହ୍ମପୁର

