ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର
ଓଡ଼ିଶାର କଳା, ସଂସ୍କୃତି ଓ ଭାଷା ଭାରତର ସବୁଠାରୁ ପ୍ରାଚୀନ କଳା। ଏହା ବିଷୟରେ ଜାଣିବାର ଏବଂ ଦେଖିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

Published : December 27, 2025 at 1:28 PM IST
|Updated : December 27, 2025 at 1:51 PM IST
ପୁରୀ: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର । ସେ ଓ ତାଙ୍କ ପତ୍ନୀ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସାନିଧ୍ୟନାଭ କରିଛନ୍ତି । ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ଜ୍ଞାନେଶ କୁମାର କହିଛନ୍ତି, "ମୁଁ ମୋ ପରିବାର ସହିତ ଆଜି ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଲି। ଜୟଜଗନ୍ନାଥ କହି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ମୁଁ ମନ୍ଦିର ବାହାରକୁ ଆସିଲି। ଓଡ଼ିଶାର କଳା, ସଂସ୍କୃତି ଓ ଭାଷା ଭାରତର ସବୁଠାରୁ ପ୍ରାଚୀନ କଳା। ଏହା ବିଷୟରେ ଜାଣିବାର ଏବଂ ଦେଖିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି ।"
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମୁଖ୍ୟ ନିର୍ବାଚନ କମିଶନ:
ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଅଭିମୁଖେ ବାହାରିଥିଲେ ମୁଖ୍ୟ ନିର୍ବାଚନ କମିଶନ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମୁଖ୍ୟ ନିର୍ବାଚନ କମିଶନ ଓ ତାଙ୍କ ପତ୍ନୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ଙ୍କ ସହିତ ପରିଚାଳନା କମିଟିର ସେବାୟତ ମାନେ ତାଙ୍କୁ ସ୍ବାଗତ କରି ଶ୍ରୀମନ୍ଦିର ମଧ୍ୟକୁ ନେଇଥିଲେ। ଉଭୟ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କଦର୍ଶନ କରି ଭାବ ବିଭୋର ହୋଇପଡିଥିଲେ। ପରେ ମା' ବିମଳା, ଲକ୍ଷ୍ମୀଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ।
ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟାରେ କହିଛନ୍ତି, "ମହାପ୍ରଭୁଙ୍କ ଦର୍ଶନ କରି ମୁଖ୍ୟ ନିର୍ବାଚନ କମିଶନ ବେଶ୍ ଆନନ୍ଦ ଅନୁଭବ କରିଛନ୍ତି। ଭିତର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଶ୍ରୀମନ୍ଦିର ସ୍ଥାପତ୍ୟ ବିଷୟରେ ଅଭିଭୂତ ହେଲେ । ପାର୍ଶ୍ବଦେବାଦେବୀଙ୍କ ବିଷୟରେ ପଚାରିଲେ । ସେବକମାନେ ଏ ବିଷୟରେ ଅବଗତ କରାଇଥିଲେ । "
ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପୁରୀର ରଘୁରାଜପୁର, ଭୁବନେଶ୍ବରର ଧଉଳି ଶାନ୍ତିସ୍ତୂପ ଭ୍ରମଣ କରିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଇସି ଜ୍ଞାନେଶ କୁମାର
ଇଟିଭି ଭାରତ, ପୁରୀ

