ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣା; ୧୬ ଜଣଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା CBI
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ୧୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ । ୯ ଜଣଙ୍କୁ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ ।


Published : December 29, 2025 at 10:32 PM IST
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ । ୧୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ । ୧୬ ଜଣକ ବିରୋଧରେ ତଥ୍ୟ ପ୍ରମାଣ ସହ ଏକ ହଜାର ପୃଷ୍ଠା ସମ୍ବଳିତ ସାର୍ଜସିଟ୍ ଦାଖଲ କଲା ସିବିଆଇ । ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ରିଙ୍କୁ ମହାରଣା, ବିରଞ୍ଚି ନାୟକ ଓ ନୀତିଶ କୁମାର ସମେତ 16 ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ ।
୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୭ ଜଣଙ୍କୁ କେନ୍ଦ୍ରୟ ତନ୍ତକାରୀ ଏଜେନ୍ସି ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲା ଏବେ ଚାଲୁ ରହିଥିବା ବେଳେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛି ସିବିଆଇ ।
ତଦନ୍ତରୁ ଜଣାପଡ଼ିଛି ଯେ ହିଞ୍ଜିଳିର ବାସିନ୍ଦା ଶଙ୍କର ପୃଷ୍ଟିର ବରିଷ୍ଠ ଅଧିକାରୀ, ରାଜନେତା ଏବଂ ପୋଲିସ ଅଧିକାରୀଙ୍କ ସହ ସମ୍ପର୍କ ଥିଲା। ସେ ପରୀକ୍ଷା ପ୍ରକ୍ରିୟାକୁ ହେରଫେର କରିବା ପାଇଁ ତାଙ୍କ କମ୍ପାନୀ, ପାନସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ କେଦାରନାଥ ଟେକ୍ନୋଲୋଜିଜ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଶଙ୍କରଙ୍କ ଜଣେ ଘନିଷ୍ଠ ସହଯୋଗୀ ମୁନା ମହାନ୍ତି ଆନ୍ଧ୍ର ପ୍ରଦେଶରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ତାଲିମ ବ୍ୟବସ୍ଥା କରିବାରେ ସମ୍ପୃକ୍ତ ଥିଲେ ।
ଉଲ୍ଲେଖ କରିବା ପ୍ରାସଙ୍ଗିକ ଯେ ଲିଖିତ ପରୀକ୍ଷା ପାଇଁ ଆନ୍ଧ୍ର ପ୍ରଦେଶ ଯିବାକୁ ଚେଷ୍ଟା କରୁଥିବା ସମୟରେ ବ୍ରହ୍ମପୁର ପୋଲିସ ଦ୍ୱାରା ୧୧୪ ଜଣ ପ୍ରାର୍ଥୀ, ଛଅ ଜଣ ଏଜେଣ୍ଟଙ୍କ ସହିତ ଗିରଫ ହେବା ପରେ ଏହି ଦୁର୍ନୀତି ସାମ୍ନାକୁ ଆସିଥିଲା ।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଛି ଯେ ତଦନ୍ତ ଚାଲିଛି ଏବଂ ପ୍ରମାଣ ଅନୁଯାୟୀ ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥାଇପାରନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର

