ବୌଦ୍ଧ ମହୋତ୍ସବରେ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା; ଆକର୍ଷଣର କେନ୍ଦ୍ରବିନ୍ଦୁ ନବକୋଠୀ ଶାଢ଼ୀ
ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ଥିବା ବାନ୍ଧକଳା ସହିତ ସମ୍ପୂର୍ଣ୍ଣ ପାରମ୍ପରିକ ସାମଗ୍ରୀର ପ୍ରସ୍ତୁତି ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି ।

Published : January 5, 2026 at 2:17 PM IST
Boudh Mahotsav ବୌଦ୍ଧ: ଜିଲ୍ଲା ମହୋତ୍ସବରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା । ମେଳାରେ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ଥିବା ବାନ୍ଧକଳା ସହିତ ସମ୍ପୂର୍ଣ୍ଣ ପାରମ୍ପରିକ ସାମଗ୍ରୀର ପ୍ରସ୍ତୁତି ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ମହୋତ୍ସବରେ ପ୍ରାଚୀନ ତଥା ପାରମ୍ପରିକ ଲୋକକଳା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ବିଶେଷ କରି ବୌଦ୍ଧର ନବକୋଟି ବାନ୍ଧ ଶାଢ଼ୀକୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପିନ୍ଧିବା ପରେ ଏହି ଶାଢ଼ୀ ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି ।
ବୌଦ୍ଧ ମହୋତ୍ସବ:
ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲା 32 ବର୍ଷରେ ପାଦ ଦେଇଛି । ପ୍ରତ୍ୟେକ ବର୍ଷ ଜାନୁଆରୀ 2 ତାରିଖରୁ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ମହା ସମାରୋହରେ ପାଳନ କରାଯାଏ । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ମହୋତ୍ସବ ଜାନୁଆରୀ 6 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମହୋତ୍ସବ ମଞ୍ଚରେ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଲୋକକଳା ବେଶ ଚିତାକର୍ଷକ ଭାବରେ ପ୍ରଦର୍ଶିତ ହେଉଛି । ତେବେ ଏହି ମହୋତ୍ସବରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା । ଯେଉଁଠି ଜିଲ୍ଲାର ବିଭିନ୍ନ ଅଞ୍ଚଳର କଳାକାର ଓ ଉଦ୍ୟୋଗୀମାନେ ସେମାନଙ୍କ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ପ୍ରଦର୍ଶନ କରୁଛନ୍ତି ।

ଚର୍ଚ୍ଚା ନବକୋଠୀ ଶାଢ଼ୀ:
ଶହ ଶହ ବର୍ଷ ଧରି ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖି ଆସିଛି ବୌଦ୍ଧର ବାନ୍ଧକଳା । ଏବେ ଜିଲ୍ଲାର ନବକୋଠୀ ଶାଢ଼ୀ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଜିଲ୍ଲାର ବାଉଁସୁଣୀ ଅଞ୍ଚଳର ବାନ୍ଧଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ନବକୋଠୀ ଶାଢ଼ୀକୁ ରାଜ୍ୟର ବୟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ହୋଇଥିବା ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପିନ୍ଧିବା ସହ ବୌଦ୍ଧ ଜିଲ୍ଲାର ଗୌରବକୁ ବଢ଼ାଇଛନ୍ତି । ମହୋତ୍ସବରେ ବିଭିନ୍ନ ଷ୍ଟଲରେ ତଥା ଏକ ସ୍ୱତନ୍ତ୍ର ମଙ୍ଗାଶାଳ ପ୍ରତିଷ୍ଠା କରାଯାଇ ନବକୋଠୀ ଶାଢ଼ୀ କିଭଳି ବୁଣାଯାଉଛି ତାହା ପ୍ରଦର୍ଶିତ କରାଯିବା ସହ ବିକ୍ରି ମଧ୍ୟ ହେଉଛି । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି ।

ବୌଦ୍ଧ ବାସିନ୍ଦା ରମେଶ ପ୍ରସାଦ ମେହେର "ବୌଦ୍ଧରେ ପ୍ରଥମଥର ପାଇଁ ଏହି ସ୍ବଦେଶୀ ମେଳା ଆୟୋଜନ ହୋଇଛି । ଲୋକମାନଙ୍କ ନିଜସ୍ବ ତିଆରି ସାମଗ୍ରୀ ଏହି ମେଳାରେ ପ୍ରଦର୍ଶିତ କରୁଛନ୍ତି । ଏଥିମଧ୍ୟରୁ ହସ୍ତତନ୍ତ ବୁଣା କାର୍ଯ୍ୟ ଅନ୍ୟତମ । ଏହି ସ୍ବେଦେଶୀକୁ ଆଗକୁ ପ୍ରଚାରପ୍ରସାର କରିବା ପାଇଁ ଏହି ମେଳା ଏକ ସୁଯୋଗ ପ୍ରଦାନ କରିଛି । ବୌଦ୍ଧରେ ପ୍ରସ୍ତୁତ ଶାଢୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପିନ୍ଧିବା ପରେ ଦେଶ ବିଦେଶରେ ବୌଦ୍ଧର ଗୌରବ ବଢ଼ିଛି ।"
ବାନ୍ଧକଳାକୁ ପ୍ରଶଂସା:
ବୌଦ୍ଧ ମହୋତ୍ସବକୁ ଅତିଥି ହୋଇ ଆସିଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବୟନ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ବୌଦ୍ଧ ଜିଲ୍ଲାର ବାନ୍ଧକଳାକୁ ନେଇ ମହୋତ୍ସବରେ ଖୁବ ପ୍ରଶଂସା କରିଛନ୍ତି । ସେହିପରି ମହୋତ୍ସବ ପରିସରରେ ଉପାନ୍ତ ଅଞ୍ଚଳର କଳାକାର ଓ ଉଦ୍ୟୋଗୀମାନେ ସେମାନଙ୍କ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ସହ ପ୍ରଦର୍ଶନ କରିଛନ୍ତି ।

ବଢ଼ୁଛି ଦେଶୀ ସାମଗ୍ରୀ ଚାହିଦା:
ବୌଦ୍ଧ ଜିଲ୍ଲାର ଉପାନ୍ତ ଆଢ଼େନିଗଡ ଅଞ୍ଚଳର ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ କାଠ ଘଣାରେ ପେଡା ତେଲ ଓ ଜଙ୍ଗଲୀ ହଳଦୀ ଗୁଣ୍ଡର ଚାହିଦା ଦେଖିବାକୁ ମିଳୁଛି । ଏହାସହ ଜିଲ୍ଲାର କୁମ୍ଭକାର ଓ ବୁଣାକାରଙ୍କ ପ୍ରସ୍ତୁତ ବାଉଁଶ ସାମଗ୍ରୀ ପାଇଁ ମଧ୍ୟ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ବୌଦ୍ଧ ଜିଲ୍ଲାର ପାରମ୍ପରିକ ଲୋକକଳା ସହ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଥିବା ନବକୋଠୀ ଶାଢ଼ୀ, ଘଣା ପେଡା ତେଲ, ଜଙ୍ଗଲୀ ହଳଦୀକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ମହୋତ୍ସବରେ ଆୟୋଜିତ ହୋଇଛି ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା । ଆଉ ମେଳାରେ ଜିଲ୍ଲାର ବାନ୍ଧକଳା ସହ ଉପାନ୍ତ ଅଞ୍ଚଳର ଉଦ୍ୟୋଗୀଙ୍କ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବେଶ ଆକର୍ଷଣୀୟ ହୋଇ ପାରିଛି ।

ଏହା ମଧ୍ୟ ପଢ଼ନ୍ତୁ... Foundation Day: 32 ବର୍ଷରେ ପାଦ ଦେଲା ବୌଦ୍ଧ, ଆଜି ବି ବାଟ ପାଉନି ବିକାଶ ! ଝାରସୁଗୁଡାରେ 'ଦୁଲଦୁଲି ୨୦୨୬' ଉଦଘାଟିତ, ୫୯୬ ସୋଲାର ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ ଲୋକାର୍ପଣ |
ବୌଦ୍ଧ ବାସିନ୍ଦା ମଞ୍ଜୁଲତା ଦାସ କହିଛନ୍ତି, "ବୌଦ୍ଧରେ 30 ବର୍ଷ ଧରି ପଲିଶ୍ରୀ ମେଳା ଅନୁଷ୍ଠିତ ହେଉଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏଠାରେ ମାଆମାନେ ନିଜର କଳା ପ୍ରଦର୍ଶନ କରିପାରୁଛନ୍ତି । ଏହି ସ୍ବଦେଶୀ ମେଳାର ଲକ୍ଷ୍ୟ ହେଉଛି ନିଜ ନିଜର କଳା ପ୍ରଦର୍ଶନ କରିବା ସହ ଆଗକୁ ବଢ଼ିବା ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା । ଏଭଳି ମେଳା ଯଦି ପ୍ରତିବର୍ଷ ଆୟୋଜିତ କରାଯିବ, ତେବେ ବହୁତ ମହିଳା ଉପକୃତ ହୋଇପାରିବେ ।"

ଇଟିଭି ଭାରତ, ବୌଦ୍ଧ

