ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଯାଞ୍ଚ କଡାକଡି କଲା ପୋଲିସ
ସମ୍ବଲପୁରକୋର୍ଟରେ ପୁଣି ବୋମା ଧମକ । ଗତକାଲି(ରବିବାର) ରାତିରେ ଆସିଛି ଧମକପୂର୍ଣ୍ଣ ମେଲ୍ । ଆଜି କଡାକଡି ଯାଞ୍ଚ କରିଛି ପୋଲିସ ।

Published : March 2, 2026 at 5:59 PM IST
ରିପୋର୍ଟ: ବାଦଶାହ ଜୁସ୍ମନ ରାଣା
Bomb Threat Sambalpur Court ସମ୍ବଲପୁର: ସିଭିଲ କୋର୍ଟକୁ ପୁଣି ବୋମା ଧମକ । ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ସମ୍ବଲପୁର ପୋଲିସ । ଆଜି(ସୋମବାର) ସକାଳୁ ସମ୍ବଲପୁର ଜିଲ୍ଲା ସିଭିଲ କୋର୍ଟ, SDJM କୋର୍ଟ, ଏସ.ପି ଅଫିସ, ପାର୍କିଂ ଅଞ୍ଚଳକୁ ସ୍ୱତନ୍ତ୍ର ପୋଲିସ ଟିମ ଦ୍ୱାରା ଯାଞ୍ଚ କରାଯାଇଛି । ପୂର୍ବରୁ ବି ଆସିଥିଲା ଧମକ ।
ଯାଞ୍ଚ କରୁଛି ସ୍କ୍ବାଡ:
ବମ ସ୍କ୍ବାଡ, ଡଗ ସ୍କ୍ବାଡ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରିଛନ୍ତି । କୋର୍ଟର ଉଭୟ ଗେଟରେ ପୋଲିସ ଯାଞ୍ଚ କରିଥିବା ବେଳେ କଚେରି ଛକରେ ପୋଲିସ ବେରିକେଡ ବ୍ୟବସ୍ଥା କରିବା ସହ କୋର୍ଟ ଅଞ୍ଚଳକୁ ଯାଉଥିବା ଲୋକଙ୍କୁ ପରିଚୟ ପତ୍ର ଯାଞ୍ଚ କରୁଛି ପୋଲିସ l

ରବିବାର ରାତିରେ ଆସିଥିଲା ମେଲ୍:
ଏହି ଘଟଣା ନେଇ ସମ୍ବଲପୁର ଅତିରିକ୍ତ ଏସପି ସୀମନ୍ତ ବାରିକ କହିଛନ୍ତି, ‘ଗତକାଲି ରାତିଠୁ ପୋଲିସ ସୁରକ୍ଷା ବଢାଇଛି । କିଏ ଓ କାହିଁକି ମେଲ କରିଛି ତାର ତଦନ୍ତ ଚାଲିଛି l ଗତ ରବିବାର ରାତିରେ ଧମକପୂର୍ଣ୍ଣ ମେଲ୍ କୋର୍ଟ ରେଜିଷ୍ଟରଙ୍କ ମେଲ ଆସିଥିବାର ସୂଚନା ଦିଆଯାଇଛି l’

ଚେକିଂ ଚାଲିଛି:
ଅତିରିକ୍ତ ଏସପି ସୀମନ୍ତ ବାରିକ ଆହୁରି କହିଛନ୍ତି, ‘ଗତ ଗୋଟିଏ ମାସ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ କୋର୍ଟକୁ ଏହିଭଳି ଧମକପୂର୍ଣ୍ଣ ମେଲ ଆସୁଛି । କେଵଳ ସମ୍ବଲପୁରରେ ଏହି ଘଟଣା ଘଟିନାହିଁ l ତେବେ ଆମେ ବିଗତ କିଛି ଦିନ ହେଲା ରୁଟିନ ଚେକିଂ କରି ଆସୁଛୁ, ବିଗତ ଦିନରେ ସରପ୍ରାଇଜ ଚେକିଂ ମଧ୍ୟ କରିଛୁ l ମୁଖ୍ୟତଃ ସୋମବାରକୁ ସୋମବାର ପ୍ରତ୍ୟେକ ସପ୍ତାହରେ ରୁଟିନ ଚେକିଂ କରାଯାଉଛି । ସେହି ପରିପ୍ରେକ୍ଷୀରେ ଆଜି ଚେକିଂ ହୋଇଛି l କୋର୍ଟର ପ୍ରତ୍ୟେକ ପ୍ରସ୍ଥାନ ରୁଟ୍ ଗୁଡ଼ିକରେ ପୋଲିସ ମୁତୟନ କରାଯାଇ ଚେକିଂ କରାଯାଉଛି l ଏହା ସହ ଆଖପାଖ ରାସ୍ତା ଓ ବିକଳ୍ପ ରାସ୍ତା ଗୁଡିକରେ ମଧ୍ୟ ପୋଲିସ ପକ୍ଷରୁ ଚେକିଂ କରାଯାଉଛି l ତେବେ ଏହୁଭଳି ପରିସ୍ଥିତିରେ ଜନତାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।
ତଦନ୍ତ ଜାରି:
ସୂଚନାଯୋଗ୍ୟ, ଗତ ଜାନୁଆରୀ 8ରେ ସମ୍ବଲପୁର କୋର୍ଟକୁ ଧମକପୂର୍ଣ୍ଣ ମେଲ ଆସିଥିବା ବେଳେ ଗତକାଲି(ରବିବାର) ରାତିରେ ମଧ୍ୟ ଏହିଭଳି ଏକ ମେଲ ଆସିଥିଲା l ତେବେ ଏହି ଘଟଣା ନେଇ ପୋଲିସର ସାଇବର ଟିମ ତଦନ୍ତ ଜାରି ରଖିଛି l ତେବେ ସବୁ ଧମକପୂର୍ଣ୍ଣ ମେଲ ସମାନ ପ୍ରକାରର ରହୁଛି ବୋଲି କହିଛନ୍ତି ଅତିରିକ୍ତ ଏସପି ସୀମନ୍ତ ବାରିକ l
ଇଟିଭି ଭାରତ, ସମ୍ବଲପୁର

