ଅରିଜିତ ସିଂଙ୍କୁ ଓଡ଼ିଶା ଟାଣି ଆଣିଲା ସୋସିଆଲ ମିଡିଆ: ରାଜବାଟୀ ବୁଲିଲେ, ପ୍ରଶଂସା କଲେ
ଯାଜପୁରର ଗଡ଼ମଧୁପୁର ରାଜବାଟୀ ବୁଲିଲେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ । ଦୁଇ ଘଣ୍ଟା ବୁଲିବା ସହ ରାଜବାଟୀର ଭୂରି ଭୂରି ପ୍ରଶଂସା କଲେ । ଗାୟକଙ୍କୁ ପାଖରେ ପାଇ ଉତ୍ସାହିତ ଫ୍ୟାନ୍ସ

Published : December 30, 2025 at 5:27 PM IST
Arijit Singh Visits Jajpur: ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ପ୍ରେମରେ ବଲିଉଡ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ୍ ସିଂ । ଗତକାଲି(ସୋମବାର) ଅପରାହ୍ଣରେ ଯାଜପୁରରେ ଥିବା ଗଡ଼ମଧୁପୁର ରାଜବାଟି ବୁଲି ଦେଖିଛନ୍ତି ଅରିଜିତ୍ । ପରିବାର ସହ ରାଜବାଟୀ ଆସି ଦୁଇ ଘଣ୍ଟା ସମୟ ବିତାଇବା ସହ ରାଜବାଟୀର ଭୂରି ଭୂରି ପ୍ରଶଂସା କରିଛନ୍ତି । ସେପଟେ ପ୍ରିୟ କଣ୍ଠଶିଳ୍ପୀଙ୍କୁ ପାଖରେ ପାଇ ଉତ୍ସାହିତ ଥିଲେ ଫ୍ୟାନ୍ସ । କିଏ ସେଲ୍ଫି ନେଉଥିଲା, କିଏ ଟିକେ ଝଲକ ପାଇଁ ବ୍ୟାକୁଳ ହେଉଥିଲା । ତେବେ ସୋସିଆଲ ମିଡିଆ ଅରିଜିତଙ୍କୁ ରାଜବାଟୀ ଟାଣି ଆଣିଥିଲା ।
କିପରି ଥିଲା ଅରିଜିତଙ୍କ ରାଜବାଟୀ ଏହି ଯାତ୍ରା...ରାଜବାଟୀର ରାଣୀ ଅପର୍ଣ୍ଣା ଧୀର ସିଂ ଇଟିଭି ଭାରତକୁ କହିଛନ୍ତି ।

ଗଡ଼ମଧୁପୁର ରାଜବାଟୀରେ ଅରିଜିତ:
ଗତକାଲି(ସୋମବାର) ଅପରାହ୍ନ ସମୟରେ ହଠାତ୍ ଅରିଜିତ ସିଂ ଗଡ଼ମଧୁପୁର ରାଜବାଟିରେ ପହଞ୍ଚିଥିଲେ । ସେଠାରେ ଗଡ଼ମଧୁପୁର ରାଣୀ ଅପର୍ଣ୍ଣା ଧୀର ସିଂ ତାଙ୍କୁ ସ୍ୱାଗତ କରିବା ସହ ରାଜବାଟିକୁ ପାଛୋଟି ନେଇଥିଲେ । ଅରିଜିତ ରାଜବାଟି ଭିତରେ ଦୁଇ ଘଣ୍ଟା ସମୟ ଅତିବାହିତ କରିଥିଲେ ।ତେବେ ରାଜବାଟିରୁ ଅରିଜିତ ବାହାରିବା ପରେ ଲୋକେ ତାଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ଜାଣି ସେ ନିକଟରେ ଥିବା ପଡିଆକୁ ଆସି ସମସ୍ତଙ୍କ ସହ ଫଟୋ ଉଠାଇଥିଲେ । ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଅରିଜିତଙ୍କୁ ଏତେ ପାଖରେ ପାଇ ସେଲ୍ଫି ନେବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା ।

ଟାଣି ଆଣିଲା ସୋସିଆଲ ମିଡିଆ:
ସାମାଜିକ ଗଣମାଧ୍ୟମରୁ ଗଡମଧୁପୁର ରାଜବାଟି ସମ୍ପର୍କରେ ଜାଣି ଏ ସ୍ଥାନ ଦେଖିବାକୁ ଇଚ୍ଛା କରିଥିଲେ ଅରିଜିତ୍ । ଏଥିପାଇଁ ସପରିବାର ସହ ଓଡ଼ିଶା ଦେଇ ଦକ୍ଷିଣ ଭାରତ ରାଜ୍ୟକୁ ଯାଉଥିବା ବେଳେ ଗଡମଧୁପୁର ରାଜବାଟି ଚାଲି ଆସିଥିଲେ । ରାଜବାଟିର କଳାକୃତି ଓ ନିର୍ମାଣ ଶୈଳୀକୁ ଦେଖି ବିମୋହିତ ହୋଇଥିଲେ ଅରିଜିତ । ଇଟିଭି ଭାରତ ସହ ଆଲୋଚନା ବେଳେ ଏହା କହିଛନ୍ତି ରାଜବାଟିର ରାଣୀ ଅପର୍ଣ୍ଣା ଧୀର ସିଂ ।

ସ୍କୁଟରରେ ଜଗନ୍ନାଥ ମନ୍ଦିର ବୁଲିଲେ:
ରାଜବାଟୀ ବୁଲିବା ପରେ ସେଠାରୁ ଏକ ସ୍କୁଟର ସାହାଯ୍ୟରେ ପୁରୀ ଜଗନ୍ନାଥ ମନ୍ଦିର ସହିତ ସାମଞ୍ଜସ୍ୟ ରଖିଥିବା ବହୁ ପୁରାତନ ଗଡ଼ ମଧୁପୁର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଦର୍ଶନ କରିଥିଲେ । ଏଥିସହ ଜଗନ୍ନାଥ ମନ୍ଦିର ଭୂରି ଭୂରି ପ୍ରଶଂସା କରିଥିଲେ । ଏହା ଅତ୍ୟନ୍ତ ସୁନ୍ଦର ଓ ମନମୁଗ୍ଧକର ବୋଲି କହିଥିଲେ ଅରିଜିତ ।

ପରିବାର ସହ ଆସିଥିଲେ ଅରିଜିତ:
ତେବେ ପତ୍ନୀ ଓ ପୁଅ, କ୍ରୁ ମେମ୍ବରଙ୍କ ସହ ରାଜବାଟୀ ବୁଲିବାକୁ ଆସିଥିଲେ ଅରିଜିତ । ଅଧଘଣ୍ଟା ରହିବାର ଥିଲା । ହେଲେ ଏ ସ୍ଥାନ ତାଙ୍କୁ ବିମୋହିତ କରିଥିବାରୁ ଦୁଇ ଘଣ୍ଟା ସମୟ ଅତିବାହିତ କରିଥିବା ରାଜବାଟୀ ରାଣୀଙ୍କୁ କହିଥିଲେ ଅରିଜିତ୍ । ସେପଟେ ଆଗକୁ ପୁଣି ଥରେ ଏ ସ୍ଥାନକୁ ଆସିବେ ବୋଲି କହିଛନ୍ତି ସେ ।

କେମିତି ଆସିବେ ଗଡ଼ମଧୁପୁର ?
ଗଡ଼ମଧୁପୁର ହେଉଛି ଯାଜପୁର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ l ଯାଜପୁର ଜିଲ୍ଲାରେ ରହିଛି ଗଡ଼ମଧୁପୁର ରାଜବାଟୀ । ଭୁବନେଶ୍ବର ପଟରୁ ଯଦି କେହି ଏହି ସ୍ଥାନକୁ ଆସିବାକୁ ଚାହିଁବେ । ପ୍ରଥମେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକକୁ ଆସିବା ପରେ ଚଡେ଼ଇଧାରା ଦେଇ ବରଡା ଛକରେ ପହଁଚିବେ l ସେଠାରୁ ଦୁଇ କିଲୋମିଟର ଆସିବା ପରେ ପଡିବ ଗଡ଼ମଧୁପୁର ଗାଁ ।

ଏହା ମଧ୍ୟ ପଢନ୍ତୁ: 'ତେରେ ଇସ୍କ ମେଁ'ର ଟାଇଟଲ୍ ଗୀତ ରିଲିଜ, ମନ ଜିତିଲା ଅରିଜିତ ସିଂଙ୍କ ଭଏସ୍ ସିନ୍ଧୁଆରେ ଜମୁଛି ବଣଭୋଜିର ଆସର, ମୌଳିକ ସୁବିଧା ନଥିବାରୁ ପର୍ଯ୍ୟଟକ ନିରାଶ |
ଗଡ଼ମଧୁପୁର ସମ୍ପର୍କରେ...
ଗଡ଼ମଧୁପୁର ଗଡ଼ର ପ୍ରଥମ ରାଜା ନାରାୟଣ ଚନ୍ଦ୍ରଧୀର ନରେନ୍ଦ୍ରଙ୍କ ଏହି ପ୍ରାସାଦ ଅଟେ । ଯାହାର ଇତିହାସ ଶହେ ବର୍ଷରୁ ଅଧିକ । ଏଠାରେ ରାଜ ପ୍ରସାଦ ଦେଖିବା ସହିତ ଐତିହାସିକ ଜଗନ୍ନାଥ ମନ୍ଦିର ଠାରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ମନ୍ଦିରର ଦର୍ଶନ କରିପାରିବେ l

ଇଟିଭି ଭାରତ, ଯାଜପୁର

