ETV Bharat / state

ବିଏମସି ଆଦାୟ କରିବ ୟୁଜର ଫି, ଅଳିଆ ଉଠାଇବା ପାଇଁ ଟଙ୍କା ଦେବେ ଭୁବନେଶ୍ବରିଆ

ଏସମ୍ପର୍କିତ ତଥ୍ୟ ସଫା ଆପ (Safa App)ରେ ଉପଲବ୍ଧ ରହିବ। ୟୁଜର ଫି ମାଧ୍ୟମରେ ବର୍ଷକୁ ୧୦ କୋଟି ଆଦାୟର ଲକ୍ଷ୍ୟ ରଖିଛି ବିଏମସି ।

bmc to collect user fee from bhubaneswar residents for garbage collection
bmc to collect user fee from bhubaneswar residents for garbage collection (ETV BHARAT ODISHA)
author img

By ETV Bharat Odisha Team

Published : January 6, 2026 at 9:01 AM IST

2 Min Read
Choose ETV Bharat

ଭୁବନେଶ୍ବର: ବିଏମସିକୁ ଘାରିଛି ଆର୍ଥିକ ଚିନ୍ତା। ଏଣିକି ଭୁବନେଶ୍ୱରିଆଙ୍କ ଠୁ ବିଏମସି ଆଦାୟ କରିବ ୟୁଜର ଫି ବା ଉପଭୋକ୍ତା ଦେୟ। ଭୁବନେଶ୍ୱରବାସୀଙ୍କ ପାଖରେ ସବୁ ସେବା ପହଞ୍ଚାଇବା ପାଇଁ ଅଳିଆ ସଂଗ୍ରହ ବାବଦରେ ୟୁଜର ଫି ଲାଗୁ କରିବ ବିଏମସି । ଏସମ୍ପର୍କିତ ତଥ୍ୟ ସଫା ଆପ (Safa App)ରେ ଉପଲବ୍ଧ ରହିବ। ନଚେତ ଭୁବନେଶ୍ବରବାସୀ ବିଏମସିର ସ୍ୱତନ୍ତ୍ର ହ୍ୱାଟସ୍‌ଆପ୍ ନମ୍ବର ୭୬୫୩୦୧୧୮୩୨ ମାଧ୍ୟମରେ ଅଧିକ ସୂଚନା ପାଇପାରିବେ ବୋଲି କହିଛନ୍ତି ଭୁବନେଶ୍ୱର ମେୟର। ବିଭିନ୍ନ ବର୍ଗ ଯଥା- ଆବାସିକ ଘର, ଦୋକାନ, ହୋଟେଲ ଏବଂ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ୟୁଜର ଫି ଧାର୍ଯ୍ୟ କରାଯାଇଛି।

ୟୁଜର ଫି ମାଧ୍ୟମରେ ବର୍ଷକୁ ୧୦ କୋଟି ଆଦାୟ ଲକ୍ଷ୍ୟ:

ଭୁବନେଶ୍ବର ମେୟର ସୁଲୋଚନା ଦାସ (ETV BHARAT ODISHA)

ୟୁଜର ଫି ମାଧ୍ୟମରେ ବର୍ଷକୁ ୧୦ କୋଟି ଆଦାୟର ଲକ୍ଷ୍ୟ ରଖିଛି ବିଏମସି । ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଭାଗିଦାରୀତା ହେବା ସହ ୟୁଜର ଫି ଦେଇ ନିଜ ସମ୍ପତ୍ତିକୁ ନିଜେ ସୁରକ୍ଷିତ ଓ ସ୍ଵଚ୍ଛ ରଖନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରର ସ୍ଵଚ୍ଛତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ନୂତନ ଅଭିଯାନ ଆରମ୍ଭ କରାଯାଇଛି। ଗ୍ରନ୍ଥ ସର୍ବେକ୍ଷଣ ୨୦୨୫-୨୬ରେ ଭୁବନେଶ୍ବରକୁ ଦେଶର ଶ୍ରେଷ୍ଠ ସହର ଭାବେ ଗଢ଼ିତୋଳିବା ପାଇଁ ବିଏମସି ପକ୍ଷରୁ ଲୋକମାନଙ୍କ ସହଯୋଗ ଚାହୁଁଛୁ, ଆଶା କରୁଛୁ ସହରବାସୀ ଏଥିରେ ନିଜର ସହଭାଗିତା ରଖନ୍ତୁ। ସ୍ୱଚ୍ଛସାଥୀମାନେ ନିଜ ନିଜ ଓ୍ୱାର୍ଡରୁ ଏହି ଫି ଆଦାୟ କରିବେ।

ଏହି ଠାରୁ ଆଦାୟ ହେବ ୟୁଜର୍ସ ଫି:

2018 ମସିହାରେ ବିଏମସି ଦ୍ୱାରା ଧାର୍ଯ୍ୟ ୟୁଜର ଫି ଆଦାୟ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସ୍ଥାୟୀ ବାସିନ୍ଦା, ସମସ୍ତ ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବିଭିନ୍ନ ପ୍ରତିଷ୍ଠାନ, ଉଦ୍ୟୋଗ ୟୁଜର୍ସ ଫି ଦେବେ। ଘର ଠାରୁ ଆରମ୍ଭ କରି ହୋଟେଲ, ସପିଂ ମଲ,କ୍ୟାଫେ,ହାଟ, ଶିକ୍ଷାନୁଷ୍ଠାନ,ମଦ ଦୋକାନ, ଢ଼ାବା,କ୍ଲାଉଡ଼ କିଚେନ,ଗୋଦାମ, ରୋଡ଼ ସାଇଟ ଭେଣ୍ଡର,ଗେଷ୍ଟ ହାଉସ,ହଷ୍ଟେଲରୁ ଆଦାୟ ହେବ ୟୁଜର ଫୀ। ବିଏମସି ତାର ସେବା ପହଞ୍ଚାଇବା ପାଇଁ ଏହି ସବୁ କ୍ଷେତ୍ରରୁ ମାସିକ ୫୦ ଟଙ୍କାରୁ ୧୦୦୦ ଟଙ୍କା ଯାଏ ଦେୟ ଧାର୍ଯ୍ୟ କରିଛି।

'ଭୁବନେଶ୍ୱରକୁ ଏକ ନମ୍ବର କରିବା ପାଇଁ ଭୁବନେଶ୍ୱରବାସୀ ଆଗେଇ ଆସନ୍ତୁ'

ମେୟର ଆହୁରି କହିଛନ୍ତି କହିଛନ୍ତି ଯେ ଆମ ପରିବେଶ ସ୍ୱଚ୍ଛ ସହ ସ୍ୱଚ୍ଛ ବାୟୁ ଆମପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି । ପରିବେଶ ଓ ବାୟୁ ସ୍ୱଚ୍ଛ ରହିଲେ ଆମେ ସୁସ୍ଥ ରହିବା । ସେଥିପାଇଁ ବିଏମସି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି)ର ନିୟମ ଅନୁଯାୟୀ ବିଭିନ୍ନ ପଦକ୍ଷେପ ନେଉଛି । ତେଣୁ ସହରକୁ ସ୍ୱଚ୍ଛ, ସବୁଜ ସୁନ୍ଦର କରିବା ପାଇଁ ଏହାର ଆବଶ୍ୟକ ରହିଛି। ଚଳିତ ବର୍ଷ ଭୁବନେଶ୍ୱରକୁ ଏକ ନମ୍ବର କରିବା ପାଇଁ ଭୁବନେଶ୍ୱରବାସୀ ସ୍ୱତଃପ୍ରବୃତ ଭାବେ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି । ଘରକୁ ଘର ଅଳିଆ ସଂଗ୍ରହ, ଉତ୍ସରୁ ପୃଥକୀକରଣ ଏବଂ ପରିବହନ ଆଦି କାର୍ଯ୍ୟ କରିବା ଦ୍ୱାରା ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ସ୍ଥାୟୀ ଓ ସୁଦୃଢ଼ ହୋଇପାରିବ । ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ପକ୍ଷରୁ ଜନସାଧାରଣଙ୍କୁ ନିମ୍ନଲିଖିତ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରାଯାଇଛି ।

୧. ଅଳିଆ ହସ୍ତାନ୍ତର: କେବଳ ବିଏମସି ଗାଡ଼ିକୁ ହିଁ ଅଳିଆ ହସ୍ତାନ୍ତର କରନ୍ତୁ

୨. ପୃଥକୀକରଣ: ଓଦା, ଶୁଚ୍ଛା ଏବଂ ବିପଜନକ ଅଳିଆକୁ ଅଲଗା ଅଲଗା ରଖନ୍ତୁ।

୩. ସ୍ବଚ୍ଛତା: ଏଣେତେଣେ ଅଳିଆ ଆବର୍ଜନା ଫିଙ୍ଗନ୍ତୁ ନାହିଁ।

୪. ବାୟୁ ପ୍ରଦୂଷଣ ରୋକନ୍ତୁ: ଅଳିଆ ଆବର୍ଜନା ପୋଡ଼ନ୍ତୁ ନାହିଁ ।

ରାଜ୍ୟରେ ଅସମ୍ଭାଳ ଶୀତ: ରାତି ତାପମାତ୍ରା 2ରୁ 4ଡିଗ୍ରୀ କମିଲା, ଆହୁରି ୨ ଦିନ ପ୍ରବଳ କୁହୁଡ଼ି

ବାଲେଶ୍ୱରରେ ପ୍ରଦୂଷଣ ଟେନସନ; 7 ଦିନ ପାଇଁ କଟକଣା ଜାରି


ଇଟିଭି ଭାରତ, ଭୁବନେଶ୍ବର