ଆକ୍ସନ ମୋଡରେ BMC ଖାଦ୍ୟ ସୁରକ୍ଷା ବିଭାଗ, ରାଜଧାନୀ ଲୋକପ୍ରିୟ ରେସ୍ତୋରାଁରେ ଅଚାନକ ରେଡ୍
ନିମ୍ନ ମାନର ଖାଦ୍ୟ ବିକ୍ରି ନେଇ କରୁଥିବା ବ୍ୟବସାୟୀଙ୍କୁ ଧରିବା ପାଇଁ BMC ଖାଦ୍ୟ ସୁରକ୍ଷା ବିଭାଗର ବଡ଼ ଅପରେସନ୍ । ୬୦ କେଜିରୁ ଊର୍ଦ୍ଧ୍ଵ ଖାଦ୍ୟ ନଷ୍ଟ । ରିପୋର୍ଟ: ଦେବସ୍ମିତା ରାଉତ

Published : September 2, 2026 at 11:51 AM IST
ଭୁବନେଶ୍ବର: ରାଜଧାନୀରେ ନିମ୍ନମାନର ଖାଦ୍ୟ ବିକ୍ରି ନେଇ କରୁଥିବା ବ୍ୟବସାୟୀଙ୍କୁ ଧରିବା ପାଇଁ ଏବେ ଆକ୍ସନ ମୋଡରେ BMC ଖାଦ୍ୟ ସୁରକ୍ଷା ବିଭାଗ । ଭୁବନେଶ୍ବରର ବିଭିନ୍ନ ସପିଂ ମଲ୍ ଗୁଡିକରେ ଥିବା ବଡ଼ ବଡ଼ ଫୁଡ୍ ଚେନ୍ ଓ ରେସ୍ତୋରାଁ ଗୁଡିକରେ BMC ଖାଦ୍ୟ ସୁରକ୍ଷା ବିଭାଗ ରେଡ୍ କରିଛି । ଗତକାଲି (ମଙ୍ଗଳବାର) ଅତର୍କିତ ଭାବେ ଚଢାଉ କରାଯାଇ ଗ୍ରାହକଙ୍କୁ ପରଷା ଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ । ବିଭିନ୍ନ ସ୍ଥାନରୁ ଖାଦ୍ୟର ନମୁନା ସଂଗ୍ରହ ସହିତ ପ୍ରାୟ ୬୦ କେଜିରୁ ଊର୍ଦ୍ଧ୍ଵ ଅସ୍ବାସ୍ଥ୍ୟକର ଖାଦ୍ୟ ଜବତ କରି ନଷ୍ଟ କରାଯାଇଛି । ଅପମିଶ୍ରଣ କରୁଥିବା ପ୍ରମାଣ ହେଲେ ରେସ୍ତୋରାଁ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ଆର୍ଥିକ ଜୋରିମାନା ଦେବାକୁ ପଡିପାରେ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ।
ଖାଦ୍ୟର ମାନ ଯାଞ୍ଚ:
ନିମ୍ନ ମାନ୍ୟର ଖାଦ୍ୟ ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛି ବିଏମ୍ସି । ଖାଦ୍ୟର ମାନ ଯାଞ୍ଚକୁ ନେଇ ରାଜଧାନୀରେ ବିଏମସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବଡ଼ ଧରଣର ଚଢ଼ାଉ ଜାରି ରହିଛି । ପନିର ଓ ଅନ୍ୟ ସାମଗ୍ରୀରେ ନିର୍ମିତ ଖାଦ୍ୟ ଗୁଡିକୁ ଖାଦ୍ୟ ସୁରକ୍ଷା ବିଭାଗର ଦଳ ଯାଞ୍ଚ କରିଥିଲା । ରେସ୍ତୋରାଁ ଗୁଡ଼ିକରେ ଫ୍ରୋଜେନ ଫୁଡ, କଞ୍ଚାମାଲ, ଏକ୍ସାପାଏରୀ ତାରିଖ ରହିଛି କିମ୍ବା ନାହିଁ, ବାସି ଖାଦ୍ୟ ପଦାର୍ଥ ବ୍ୟବହାର, ଫ୍ରିଜରେ ରହିଥିବା ଜିନିଷର ମାନ ଯାଞ୍ଚ କରାଯାଇଛି ।
ସଂକ୍ରମିତ ସନ୍ଦେହରେ ଜବତ:
ଖାଦ୍ୟ ପ୍ରସ୍ତୁତ ସମୟରେ ହାଇଜେନିକ ବଜାୟ ରଖୁଛନ୍ତି କି ନାହିଁ ଏନେଇ ଜୋର୍ଦାର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଖାଦ୍ୟ ସୁରକ୍ଷା ବିଭାଗର ଯାଞ୍ଚକାରୀ ଦଳ, ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ ପଟେଲଙ୍କ ନେତୃତ୍ବରେ ଏହି ଅଭିଯାନ ଚଳାଇଛି । ପାଲ୍ ହାଇଟ୍ସ ମଲରେ ଚଢାଉ ବେଳେ ଏକ ଲୋକପ୍ରିୟ ଫୁଡ୍ ଆଉଟଲେଟ୍ରୁ ପାଞ୍ଚ କେଜିରୁ ଊର୍ଦ୍ଧ୍ବ ଲୁଜ ପ୍ୟାକେଟ ପ୍ରୋସେଡ୍ ଚିକେନ୍ ଜବତ କରାଯାଇଛି । ସଂକ୍ରମିତ ଥିବା ସନ୍ଦେହ କରି ଫୁଡ ସେଫଟି ଟିମ୍ ଏହାକୁ ଜବତ କରିଛି ଓ ନୋଟିସ ଜାରି କରାଯାଇଛି । ସେହିପରି ସହରର ଏପରି ତିନୋଟି ଜୋନରେ ଚଢାଉ କରାଯାଇ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଅସ୍ବାସ୍ଥ୍ୟକର ଖାଦ୍ୟ ନଷ୍ଟ:
ସେହିପରି ବିଏମସିର ନର୍ଥ ଓ ସାଉଥ-ୱେଷ୍ଟ ଜୋନ୍ର ବିଭିନ୍ନ ଅଞ୍ଚଳରେ ଗତକାଲି ଅତର୍କିତ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଥିଲା । ଜୟଦେବ ବିହାରସ୍ଥିତ ପାର୍ଲ ହାଇଟ୍ସରେ ଥିବା ବିଭିନ୍ନ ଲୋକପ୍ରିୟ ଖାଦ୍ୟ ଆଉଟଲେଟ ଗୁଡ଼ିକରେ କଡ଼ା ଚେକିଂ କରାଯାଇଥିଲା । ଏହା ପରେ ଟିମ୍ ଜାଗମରା, ଇନ୍ଫୋସିଟି ଏବଂ କଳ୍ପନା ଅଞ୍ଚଳରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ପହଞ୍ଚି ୬୦ କେଜିରୁ ଊର୍ଦ୍ଧ୍ଵ ଅସ୍ବାସ୍ଥ୍ୟକର ଖାଦ୍ୟ ଜବତ କରି ନଷ୍ଟ କରିଛନ୍ତି । ମୋଟ ୨୦ଟି ଫୁଡ଼ ଷ୍ଟଲରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଥିମଧ୍ୟରୁ ଅଧିକାଂଶ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବ୍ରାଣ୍ଡ ରହିଛନ୍ତି ।
'ନିୟମିତ ଚଢ଼ାଉ ଅଭିଯାନ ଜାରି ରହିବ'
ଖାଦ୍ୟ ସୁରକ୍ଷା ବିଭାଗର ୩ଟି ଟିମ୍ରେ ୧୪ ଜଣରୁ ଊର୍ଦ୍ଧ୍ଵ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । "ବିଭିନ୍ନ ଆଉଟଲେଟରୁ ବିଭିନ୍ନ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଲ୍ୟାବ୍ ଟେଷ୍ଟ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଅପମିଶ୍ରଣ ପ୍ରମାଣିତ ହେଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଅସ୍ବଚ୍ଛ ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ବିକ୍ରି କରୁଥିବା ୧୨ଟି ସଂସ୍ଥାକୁ ନୋଟିସ ଜାରି କରାଯାଇଛି । ନିୟମ ଅନୁପାଳନ ନକଲେ ଏହି ଫୁଡ଼ ଷ୍ଟଲ ଗୁଡ଼ିକୁ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଗକୁ ମଧ୍ୟ ଏହି ଚଢ଼ାଉ ଅଭିଯାନ ନିୟମିତ ଜାରି ରହିବ । ବିଶେଷ କରି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ତେଲ, ଅପମିଶ୍ରିଣ, ହାନିକରିକ ରଙ୍ଗ ଉପରେ କଡ଼ା ନଜର ରଖାଯିବ," ବୋଲି ସୂଚନା ଦେଇଛନ୍ତି ଫୁଡ଼ ସେଫ୍ଟି ଅଫିସର ପ୍ରତୀକ୍ଷା ଦାସ ।
ଇଟିଭି ଭାରତ, ଭୁବନେଶ୍ବର

