ETV Bharat / state

ରାଜନଗର BDOଙ୍କୁ ଆକ୍ରମଣ ଉଦ୍ୟମ କଲେ ବିଜେପି ନେତା, ସିସିଟିଭିରେ ଭିଡିଓ କଏଦ

ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ରାଜନଗର ଥାନା ଅଧିକାରୀ ନରେଶ ସାହୁ ସୂଚନା ଦେଇଛନ୍ତି ।

BJP leader Lalit Behera attempts to attack Rajnagar bdo
ରାଜନଗର ବିଡ଼ିଓଙ୍କୁ ଆକ୍ରମଣ ଉଦ୍ୟମ କଲେ ବିଜେପି ନେତା, ସିସିଟିଭିରେ ଭିଡିଓ କଏଦ (ETV BHARAT ODISHA)
author img

By ETV Bharat Odisha Team

Published : January 3, 2026 at 2:48 PM IST

1 Min Read
Choose ETV Bharat

କେନ୍ଦ୍ରାପଡା: ମହିଳା ବିଡ଼ିଓଙ୍କୁ ଆକ୍ରମଣ ଉଦ୍ୟମ । ଲ୍ୟାପଟପ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ କଲେ ରାଜନଗର ବିଜେପି ନେତା ଲଳିତ ବେହେରା । ଏକ ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ଚାଲିଥିବା ବେଳେ ଉତକ୍ଷିପ୍ତ ହୋଇ ଲଳିତ ରାଜନଗର ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ରାଜନଗର ଥାନା ଅଧିକାରୀ ନରେଶ ସାହୁ ସୂଚନା ଦେଇଛନ୍ତି ।

ରାଜନଗର ବିଡ଼ିଓଙ୍କୁ ଆକ୍ରମଣ ଉଦ୍ୟମ କଲେ ବିଜେପି ନେତା, ସିସିଟିଭିରେ ଭିଡିଓ କଏଦ (ETV BHARAT ODISHA)

ଘଟଣା ସମ୍ପର୍କରେ ସୂଚନା ଦେଇ ଲଳିତ ବେହେରା କହିଛନ୍ତି,"ସାଧାରଣ ଲୋକଙ୍କ କାମ ଥିଲା, ଏଥିସହ ଆମେ ସରପଞ୍ଚ ମାନଙ୍କ ସହ ନୂତନ ବର୍ଷର ଶୁଭେଚ୍ଛା ଜଣାଇବାକୁ ବିଡିଓଙ୍କ ପାଖକୁ ଯାଇଥିଲୁ । ମାସେ ହେଲାଣି ସେ କାର୍ଯ୍ୟରେ ଯୋଗ ଦେଲେଣି, କାହାରିକୁ ଦେଖା କରିବା କିମ୍ବା ଫୋନର ମଧ୍ୟ ଉତ୍ତର ଦେଉନାହାନ୍ତି । ଯିଏ ତାଙ୍କୁ ଦେଖା କରିବାକୁ ଯାଉଛନ୍ତି ତାଙ୍କୁ ବ୍ୟବହାର ଖରାପ କରୁଛନ୍ତି । ବିକଶିତ ଗାଁ ବିକଶିତ ଓଡି଼ଶା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ଚାଲୁଥିବା ବେଳେ ସେ ଆମକୁ MLA ଯାହା ନାଁ ରେକମେଣ୍ଡ କରିଛନ୍ତି ତାଙ୍କୁ ହିଁ କାମ ଦିଆଯିବ ବୋଲି କହିଥିଲେ। ଏନେଇ ଯୁକ୍ତିତର୍କ ବଢିଥିଲା । ମୁଁ ମାରିବା ପାଇଁ ଉଦ୍ୟମ କରିବା କଥା ଠିକ ନୁହେଁ। ମୋ ସହ ଯାଇଥିବା ସାଧାରଣ ଲୋକଙ୍କୁ ବ୍ୟବହାର ଖରାପ କରିଥିଲେ । ଏଥିରେ ମୁଁ ଉତକ୍ଷିପ୍ତ ହୋଇଥିଲି ଓ ଆମ କଥା ଶୁଣିବା ବଦଳରେ ସେ ଯେହେତୁ ଲ୍ୟାପଟପ ଚଲାଉଥିଲେ ତେଣୁ ମୁଁ ତାକୁ ଉଠାଇ ଦେଇଥିଲି । "

କ୍ୟାମେରାରେ କଏଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ବିଡିଓଙ୍କୁ କିଛି ଲୋକ ଘେରିକି ରହିଛନ୍ତି । କିଛି ସମୟ ପରେ କେହି ଜଣେ ଟେବୁଲ ଉପରେ ଥିବା ଲାପଟପ୍‌କୁ ହଠାତ ଉଠାଇ ଦେଉଛନ୍ତି, ପାଖରେ ଥିବା କିଛି ଲୋକ ତାଙ୍କୁ ଅଟକାଇ ଦେଉଛନ୍ତି । ଏନେଇ ରାଜନଗର ଥାନାରେ ଅଦ୍ୟାବଧି କୌଣସି ଏତଲା ହୋଇନଥିବା ସୂଚନା ଦେଇଛନ୍ତି ରାଜନଗର ଥାନା ଅଧିକାରୀ ନରେଶ ସାହୁ। ଅନ୍ୟପଟେ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡା