ବିଧାନସଭାରେ ରାଜନଗର ଚାଷୀ ତ୍ରିଲୋଚନଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇବ ବିଜେଡି: ବିଧାୟକ ଧ୍ରୁବ ଚରଣ
ବିଧାନସଭାରେ ରାଜନଗର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇବ ବିଜେଡି । ସିଏସଓ କହିଲେ ଚାଷୀଙ୍କ ଅନ୍ୟ କାରଣ ପାଇଁ ହୋଇଛି ମୃତ୍ୟୁ ।

Published : February 28, 2026 at 11:26 AM IST
ରିପୋର୍ଟ: ରାଧାକାନ୍ତ ମହାନ୍ତି
କେନ୍ଦ୍ରାପଡ଼ା: ବିଧାନସଭାରେ ରାଜନଗର ଡାଙ୍ଗମାଳ ସମବାୟ ସମିତି ଅଧିନ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇବ ବିଜେଡି । ମୃତକଙ୍କ ପରିବାରକୁ ଭେଟିବା ସହ ଚାଷୀ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ରାଜନଗର ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ । ସେପଟେ ମଣ୍ଡି ସମସ୍ୟା ପାଇଁ ଚାଷୀଙ୍କ ମୃତ୍ୟୁ ହୋଇନାହିଁ, ବରଂ ଅନ୍ୟ କୌଣସି କାରଣ ଥାଇପାରେ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।
ବିଧାୟକଙ୍କ ଅଭିଯୋଗ:
ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ କହିଛନ୍ତି ଯେ, ଚାଷୀ ସମସ୍ୟା ନେଇ ବିରୋଧି ଦଳ ବିଧାନସଭାକୁ ଆଠ ଦିନ ଅଚଳ କରି ରଖିଥିଲେ । କିନ୍ତୁ ମଣ୍ଡି ବ୍ୟବସ୍ଥିତ ଅଛି ଓ ଚାଷୀମାନଙ୍କ ଠାରୁ ଖୁସିରେ ଧାନ କିଣାଯାଉଛି ବୋଲି ସରକାର କହିଥିଲେ । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲେ ଯେମିତି ସବୁ ଜାଣିହୁଏ ଠିକ ସେହିଭଳି ଆଜି ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ସରକାରଙ୍କ ଧାନ କିଣା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । ମଣ୍ଡିର ଅବ୍ୟବସ୍ଥା, ଚାଷୀମାନେ କେମିତି ଶୋଷଣ ହେଉଛନ୍ତି ଏବଂ ଚାଷୀ ଧାନର ଉପଯୁକ୍ତ ମୂଲ୍ୟ ପାଉନାହିଁ, କଟନୀଛଟନୀର ଶିକାର ହେଉଛି, ମିଲରମାନଙ୍କ ନାଲି ଆଖିର ଶିକାର ହେଉଛି ତାର ଅବ୍ୟବସ୍ଥା ସାମ୍ନାକୁ ଆସିଛି ।
'ଧାନ କିଣାକୁ ନେଇ ବ୍ୟାକଫୁଟରେ ସରକାର':
ସେ ଆହୁରି କହିଛନ୍ତି ଯେ, ଧାନ କିଣାକୁ ନେଇ ସରକାର ବ୍ୟାକଫୁଟରେ ଅଛନ୍ତି । ସରକାର ୮୦୦ ଟଙ୍କା ବୋନସ ଦେବା ପାଇଁ କହିଥିଲେ । କେରଳ ସରକାରଙ୍କ ସମେତ ସବୁ ସରକାରଙ୍କୁ ଇନପୁଟ ବୋନସ ଦେଇପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଚିଠି ଛାଟ ବାଜିଲାଣି । ୮୦୦ ଟଙ୍କା ଲୋଭରେ ଏଥର ଚାଷୀମାନେ କେବଳ ଖରିଫ ଧାନ ଚାଷ କଲେ । ଅଲଗା ଚାଷ ନକରିବା ଦ୍ୱାରା ଫସଲ ପରିବର୍ତ୍ତନ ବା କ୍ରପ ଡାଏଭର୍ଶନ ବାଧାପ୍ରାପ୍ତ ହେଲା । ଯେଉଁ ଚାଷୀମାନେ ଧାନ କରିଛନ୍ତି ତାକୁ ନେବାକୁ ସରକାର ପଛଘୁଞ୍ଚା ଦେଲେଣି । ଗତବର୍ଷ ସରକାର ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଥିବା ବେଳେ ଏଥର ୨ ଟନ କମାଇ ୯୨ ଲକ୍ଷ ଧାନ କିଣିବେ ବୋଲି କହିଛନ୍ତି । ଖରିଫ ଧାନ ୭୪ ଲକ୍ଷ ମେଟ୍ରିକ ଟନ କିଣିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାର ମାତ୍ର ୫୬ ଟନ ଧାନ କିଣିଛନ୍ତି । ଆହୁରି ୨୦ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇନାହିଁ । ଲୋକମାନେ ଟୋକନ ଧରି ବସିଛନ୍ତି । କେଉଁଠି ଟୋକନ ଅବଧି ସରିବାକୁ ଗଲାଣି ତ ଆଉ କାହାରିକୁ ଧାନ କିଣିବା ପାଇଁ ମେସେଜ ଆସିନାହିଁ କି ଟୋକନ ମିଳିନାହିଁ ।
ବିଧାୟକ ଧ୍ରୁବ ଚରଣ ସାହୁ କହିଛନ୍ତି, "ଯୋଗାଣ ମନ୍ତ୍ରୀ ବୁଲିବୁଲି ଜିଲ୍ଲାର ମିଲରମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଛନ୍ତି । ଚାଷୀଟି ଶୋଷଣର ଶିକାର ହେଉଛି । ଏହାର ଶିକାର ହୋଇ ତ୍ରିଲୋଚନ ନାୟକ ଭଳି ଚାଷୀ ଆଖି ବୁଜିଛନ୍ତି । ଆଗାମୀ ଦିନରେ ଚାଷୀ ମୃତ୍ୟୁ ଘଟଣା ଏବଂ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଆନ୍ଦୋଳନକୁ ବ୍ୟାପକ କରିବୁ ଓ ସରକାରକୁ ଅଚଳ କରିଦେବୁ । ଚାଷୀମାନଙ୍କୁ ଅପମାନିତ କରାୟାଉଛି । ଚାଷୀଙ୍କ ପାଖରେ କ୍ଷମା ପ୍ରାର୍ଥନା ନକରିବା ପର୍ଯ୍ୟନ୍ତ, ସମସ୍ତ ଧାନ ନ ଉଠିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଛାଡ଼ିବୁ ନାହିଁ ଯେକୌଣସି ସ୍ତରକୁ ଆମେ ଯିବୁ । ବିଧାନସଭାରେ ରାଜନଗରର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପ୍ରସଙ୍ଗ ନିଶ୍ଚିତ ଉଠିବ ।"
'ମୃତ୍ୟୁ ମିଲ ବା ମଣ୍ଡି ଜନିତ ନୁହେଁ'
ଅନ୍ୟପଟେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ କହିଛନ୍ତି, "ରାଜନଗର ଚାଷୀ ମୃତ୍ୟୁ ପ୍ରସଙ୍ଗରେ DRCS ଓ ARCS ଯାଇ ତଦନ୍ତ କରିଛନ୍ତି । ଏହି ମୃତ୍ୟୁ ମିଲ ବା ମଣ୍ଡି ଜନିତ ନୁହେଁ । କାରଣ ଚାଷୀ ତ୍ରିଲୋଚନ ସଠିକ ସମୟରେ ଆଣି ଧାନ ଦେଇ ବ୍ୟବସ୍ଥା ମୁତାବକ ଆକାଉଣ୍ଟରେ ଟଙ୍କା ପାଇଛନ୍ତି । ମୃତ୍ୟୁ ଅନ୍ୟ କୌଣସି କାରଣ ପାଇଁ ହୋଇଥାଇପାରେ ।"
ସମବାୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା:
ଧାନ ଉଠିବା ସମସ୍ୟାକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କୁହନ୍ତି, "ଧାନ ଉଠିବାରେ କୌଣସି ସମସ୍ୟା ନାହିଁ । ସବୁ ଠିକଠାକ ଚାଲିଛି । ମିଲରମାନଙ୍କ ସମସ୍ୟାର ସମାଧାନ ହୋଇଛି । ସେମାନେ ଗାଡି ପଠାଇ ଧାନ ଉଠାଉଛନ୍ତି । ରାଜନଗରର ଯେଉଁ ଚାଷୀ ମୃତ୍ୟୁ କଥା ଆସୁଛି ତାହା ସମ୍ପୂର୍ଣ୍ଣ ଭୁଲ । ଜଣେ ଅପେକ୍ଷା କରି ଜୀବନ ଚାଲିଯିବ ତାହା ସତ ନୁହେଁ । ଏସମ୍ପର୍କରେ ବିଭାଗୀୟ ଅଧିକାରୀ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।"
ଏହା ମଧ୍ୟ ପଢ଼ନ୍ତୁ... ରାଜନଗର ଚାଷୀ ମୃତ୍ୟୁ ନେଇ ମୋହନ ସରକାରଙ୍କୁ ଘେରିଲା ବିଜେଡି, ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି ମଣ୍ଡି ନିର୍ଯାତନା କାରଣରୁ ଚାଷୀ ମୃତ୍ୟୁ ଅଭିଯୋଗ: କେନ୍ଦ୍ରାପଡ଼ା ଜିଲ୍ଳାପାଳ କହିଲେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ |
ଇଟିଭି ଭାରତ, କେନ୍ଦ୍ରାପଡା

