ରାଜନଗର ଚାଷୀ ମୃତ୍ୟୁ ନେଇ ମୋହନ ସରକାରଙ୍କୁ ଘେରିଲା ବିଜେଡି, ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି
ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ଭୁଶୁଡ଼ି ପଡିଥିବା ଅଭିଯୋଗ ଆଣିଲା ବିଜେଡି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କରିବା ସହ ମୋହନ ସରକାରଙ୍କ ଉପରେ ବର୍ଷିଲା ଦଳ ।

Published : February 26, 2026 at 8:10 PM IST
ରିପୋର୍ଟ- ଭବାନୀ ଶଙ୍କର ଦାସ
ଭୁବନେଶ୍ବର: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲା ବିଜେଡି । ଧାନ ସଂଗ୍ରହ ବ୍ୟବସ୍ଥା ରାଜ୍ୟରେ ଭୁଶୁଡ଼ି ପଡିଥିବା ବେଳେ ଆଜି ରାଜନଗର ଅଞ୍ଚଳରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ଅଭିଯୋଗ ଆଣିଛି ଦଳ । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ସମୟରେ ମିଥ୍ୟା ତଥ୍ୟ ଦେଉଥିବାରୁ ଚାଷୀଙ୍କ ମୃତ୍ୟୁ ପାଇଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେଡି ଦାବି କରିଛି । ଏନେଇ ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼. ଲେନିନ ମହାନ୍ତି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଛନ୍ତି ।

ରାଜନଗରରେ ଚାଷୀ ମୃତ୍ୟୁ :
ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ରାଜ୍ୟ ବିଜେପି ସରକାରଙ୍କର ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଛି । ବିଜେପି ସରକାର କେବଳ ନିଜ ପିଠି ନିଜେ ଥାପୁଡ଼େଉବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଧାନ ସଂଗ୍ରହ ବ୍ୟବସ୍ଥା ବିଫଳତା କାରଣରୁ ଆଜି ରାଜ୍ୟର ଜଣେ ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ହୋଇଛି । ଜାନୁଆରି ୧୬ ତାରିଖରେ ସେ ଟୋକନ ପାଇଥିଲେ । କଟନୀ ଛଟନୀରେ ତାର ପ୍ରତି କୁଇଣ୍ଟାଲ ୬ କିଗ୍ରା କଟା ଯାଇଛି । ଏହା ଛଡା ଧାନ ବିକ୍ରି କରିବା ପାଇଁ ମୃତ ତ୍ରିଲୋଚନ ନାୟକ ପ୍ରତ୍ୟେକ ସ୍ତରରେ ହତାଶ ହେବାକୁ ପଡିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କୁ ରାମଚଣ୍ଡୀ ମିଲରେ ଧାନ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଧାନ ହସ୍ତାନ୍ତର ପାଇଁ ତିନି ଦିନ କାଳ ତାଙ୍କୁ ସେଠାରେ ଜଗି ରହିବାକୁ ପଡିଥିଲା । "
ଡାହା ମିଛ କହୁଛନ୍ତି ମନ୍ତ୍ରୀ: ଦେବୀ
ସେ ଆହୁରି ମଧ୍ୟ କହିଛନ୍ତି,"ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏକ ଭିଡିଓ ବାର୍ତ୍ତାରେ ଧାନ କିଣା ରାଜ୍ୟରେ ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି, ଯାହା ଡାହା ମିଛ । ରାଜନଗର ଅଞ୍ଚଳର ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଏହି ମିଛ ଧରା ପକାଇ ଦେଇଛି । ଏହା ଛଡା ବିଧାନସଭାରେ ଗତ ମଙ୍ଗଳବାର ମନ୍ତ୍ରୀ ରାଜ୍ୟରେ ଏବେ ସୁଦ୍ଧା ୬୪. ୧୦ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଥିଲେ । କିନ୍ତୁ ତାପରେ ଏକ ଭିଡିଓ ବାର୍ତ୍ତାରେ ୬୩. ୬୫ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି ବୋଲି କହିଛନ୍ତି । ଦୁଇ ଦିନରେ ଦୁଇଟି ଅଲଗା ତଥ୍ୟ ଦେଇଥିବାରୁ ମନ୍ତ୍ରୀ କେବଳ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହେଉଛି ।"
ସେ ଏହା ମଧ୍ୟ କହିଛନ୍ତି,"ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୧୯୩ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହୋଇଛି । ରାଜ୍ୟ ବିଜେପି ସରକାର ସମସ୍ତ ଧାନ କିଣିବ ବୋଲି କହିଥିବା ବେଳେ ଏବେ ସୁଦ୍ଧା ମାତ୍ର ୬୩ ଲକ୍ଷ ମେଟ୍ରିକ ଟନ କିଣା ଯାଇଛି । ଯାହା ସମୁଦାୟ ଧାନ ଉତ୍ପାଦନର ମାତ୍ର ୩୩ ପ୍ରତିଶତ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣା ଚାଲିବ ବୋଲି କୁହାଯାଇଥିବାରୁ ଆଉ ମାତ୍ର ଗୋଟିଏ ମାସରେ ସରକାର ବଳକା ଧାନ କିଣିବାରେ ସକ୍ଷମ ହେବେ ବୋଲି ବିଶ୍ୱାସଯୋଗ୍ୟ ନୁହେଁ ।"
କୁଇଣ୍ଟାଲ ପିଛା ୭ କେଜିରୁ ୧୦ କେଜି କଟନୀ ଛଟନୀ:
ସେହିପରି ବିଜେଡି ମୁଖପାତ୍ର ଡ଼. ଲେନିନ ମହାନ୍ତି କହିଛନ୍ତି,"ବିଜେପି ସରକାର ଯାହା କୁହନ୍ତି, ତାହା କେବେ ହେଲେ କରନ୍ତି ନାହିଁ । କଟନୀ ଛଟନି ବିନା ଧାନ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତି କୁଇଣ୍ଟାଲ ପିଛା ୭ କେଜିରୁ ୧୦ କେଜି କଟାଯାଉଛି । ୪୮ ଘଣ୍ଟା ଭିତରେ ଧାନର ମୂଲ୍ୟ ଡିବିଟି ମାଧ୍ୟମରେ କୃଷକ ମାନଙ୍କୁ ପ୍ରଦାନ କରାଯିବ ବୋଲି କୁହା ଯାଇଥିଲେ । ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ମୂଲ୍ୟ ମିଳିପାରୁନାହିଁ । ପଞ୍ଜିକରଣ, ଟୋକନ ବିତରଣ ଓ ମଣ୍ଡିରେ ଅବ୍ୟବସ୍ଥା କୃଷକଙ୍କୁ ନାହିଁ ନଥିବା ସମସ୍ୟାରେ ପକାଇଛି । ଯୋଗାଣ ମନ୍ତ୍ରୀ ଡାହା ମିଛ କହୁଛନ୍ତି ବୋଲି ପ୍ରମାଣିତ ହୋଇ ସାରିଲାଣି । ଆଜି ଚାଷୀର ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାୟୀ । ନୈତିକତା ଦୃଷ୍ଟିରୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।"
ଏପରି କହିଥିଲେ ଯୋଗାଣ ମନ୍ତ୍ରୀ...
ସେପଟେ ଗତକାଲି (ବୁଧବାର) ଏକ ଭିଡ଼ିଓ ଜାରି କରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ,"ଚାଷୀ ବିନା ଅସୁବିଧାରେ ଧାନ ବିକ୍ରୟ କରିପାରିବେ । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏହି ଦାୟିତ୍ୱ ନେବେ । ବିଳମ୍ବ କିମ୍ବା ସମସ୍ୟା ଯୋଗୁଁ ଆମ ରାଜ୍ୟର ଚାଷୀକୁ ବାଦ ଦିଆଯିବ ନାହିଁ । ଟୋକନ୍ ସମୟ ସମାପ୍ତ ହୋଇଗଲେ ମଧ୍ୟ ଏହା ଆହୁରି ୧୫ ଦିନ ବୃଦ୍ଧି ହେବ । "
ଇଟିଭି ଭାରତ, ଭୁବନେଶ୍ବର

