ଟେଟ୍ରା ପ୍ୟାକରେ ମଦ ବିକ୍ରି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ସରକାର, ନହେଲେ ଆନ୍ଦୋଳନ: ବିରୋଧୀ ଦଳ ନେତା
କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଏଣିକି ମଦ ମିଳିବ ବୋଲି କିଛି ଦନ ତଳେ ବିଧାନସଭାରେ ଅବକାରୀ ମନ୍ତ୍ରୀ ସୂଚନା ଦେଇଥିଲେ ।


Published : February 24, 2026 at 6:15 PM IST
ଭୁବନେଶ୍ୱର: ଅବକାରୀ ନୀତି ଅନୁସାରେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ ବ୍ୟବହାରକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତିଙ୍କୁ କାଚ ବୋତଲ ପୁନଃବ୍ୟବହାର ପାଇଁ ଅବକାରୀ ବିଭାଗ ପରାମର୍ଶ ଦେଇଛି । ଏହାକୁ ନେଇ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ଏହି ନିଷ୍ପତ୍ତିକୁ କଠୋର ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି, "ଟେଟ୍ରା ପ୍ୟାକରେ ମଦ ବିକ୍ରି କରି ବିଜେପି ସରକାର 'ମଦମୁକ୍ତ ଓଡ଼ିଶା' ନା 'ମଦଯୁକ୍ତ ଓଡ଼ିଶା' ଗଠନ କରୁଛି ? ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ନବୀନ ଚେତାବନୀ ଦେଇଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା । ହେଲେ କ୍ଷମତାକୁ ଆସିବା ପରେ ମଦର ପ୍ରସାର ଓ ସହଜ ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା, କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ବିଜେପି ସରକାର ଓଡ଼ିଶାବାସୀଙ୍କୁ ହତାଶ ଓ ନିରାଶ କରିଛି । ଓଡ଼ିଶାରେ ମହିଳା, ଶିଶୁଙ୍କ ସୁରକ୍ଷା ତଥା ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରଙ୍କ ଏପରି ପଦକ୍ଷେପ ପରିସ୍ଥିତିକୁ ଆହୁରି ଅଧିକ ସଂକଟଜନକ କରି ଦେବ । ଏହା ଓଡ଼ିଶାର ମା'ଭଉଣୀଙ୍କ ସୁରକ୍ଷାକୁ ଆହୁରି ବିପନ୍ନ କରିବା ସହ ଯୁବସମାଜ ଓ କୋମଳମତି ଛାତ୍ରଙ୍କ ମନକୁ ବିକୃତ କରିବ । ବିଜେପି ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରୁ । ନଚେତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଜୋରଦାର କରିବ ।"
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ନିର୍ବାଚନ ସମୟରେ ବିଜେପି ଓଡ଼ିଶାକୁ ମଦମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏବେ ଟେଟ୍ରା ପ୍ୟାକ ପ୍ୟାକେଜିଂ ପ୍ରଚଳନ କରି ଓଡ଼ିଶାକୁ ମଦଯୁକ୍ତ ରାଜ୍ୟରେ ପରିଣତ କରିବାକୁ ଯାଉଛନ୍ତି । ମଦ ବିରୋଧରେ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ଏବେ ମଦକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି । ପ୍ରଥମଥର ପାଇଁ ମଦରୁ ରାଜସ୍ୱ ଆୟ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ପୂର୍ବ ସରକାରଙ୍କ ଦ୍ୱାରା ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ପୁନର୍ବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଲୋକଙ୍କ କଲ୍ୟାଣ ଅପେକ୍ଷା ରାଜସ୍ୱ ଉପରେ ପ୍ରାଥମିକତା ଦେଉଛନ୍ତି । ମହୁଲିରୁ ମଦ, ମାଣ୍ଡିଆରୁ ମଦ ଓ ଗନ୍ଧହୀନ ମଦ, ନୂତନ ପ୍ରକାରର ମଦ ପ୍ରଚଳନ ପାଇଁ ସରକାର ଉଦ୍ୟମ କରୁଛନ୍ତି । ଏହି ନିଷ୍ପତ୍ତି ଛାତ୍ର ଓ ଯୁବକ ଯୁବତୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ ।"
ବିଜୁ ମହିଳା ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ସୁମିତ୍ରା ଜେନା କହିଛନ୍ତି, "ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି ଛାତ୍ରମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କୌଣସି ଦାୟିତ୍ୱ ସମ୍ପନ୍ନ ସରକାର ଏହିଭଳି ନୀତିକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ନିନ୍ଦନୀୟ । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଭଳି ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି । ଗୁଟୁଖା ନିଷେଧ ଉପରେ ବିଜେପିର ୟୁ-ଟର୍ଣ୍ଣ ସେମାନଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଶିତ କରୁଛି । ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।
ଏହା ବି ପଢନ୍ତୁ-କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ମିଳିବ ମଦ: ଅବକାରୀ ମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ୱର

