ETV Bharat / state

ବରଗଡ ଧନୁଯାତ୍ରା ଗେଟ୍ ଭାଙ୍ଗିବା ଘଟଣାରେ ଥାନା ଘେରିଲା ବିଜେଡି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ନବ ନିର୍ମିତ ବିରାଟ ତୋରଣ ଭାଙ୍ଗିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ରିପୋର୍ଟ- ରାଜେଶ ସରାପ

Baragarh dhanuyatra gate
ବରଗଡ ଧନୁଯାତ୍ରା ଗେଟ (ETV Bharat Odisha)
author img

By ETV Bharat Odisha Team

Published : May 29, 2026 at 12:01 PM IST

2 Min Read
Choose ETV Bharat

BARGARH DHANUJATRA GATE DEMOLITION , ବରଗଡ଼: ଥାନା ଛକଠାରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ନବ ନିର୍ମିତ ତୋରଣ ଝଡ଼ ତୋଫାନରେ ଭାଙ୍ଗି ପଡ଼ିବା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଚଳିତବର୍ଷ ଧନୁଯାତ୍ରାକୁ ଭଲ ଭାବେ ଆୟୋଜନ କରିବା ଲକ୍ଷ୍ୟରେ, ସହରର ବିଭିନ୍ନ ସ୍ଥାନରେ ତୋରଣ ତିଆରି କରି ଚର୍ଚ୍ଚାରେ ରହିଥିଲେ । ମାତ୍ର ଝଡ଼ ବର୍ଷାରେ ଏହି ତୋରଣ ଭାଙ୍ଗିଯିବା ପରେ ବିରୋଧୀଙ୍କୁ ପ୍ରତିବାଦର ଖୋରାକ ଯୋଗାଇଛି ।

ଥାନା ଘେରିଲା ବିଜେଡି

ବିଜେଡି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଏହି ଘଟଣାକୁ ନେଇ ଥାନାରେ ପହଞ୍ଚିଛନ୍ତି । ଏକ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ତୋରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି, ଜିଲ୍ଲପାଳ, ଭିଜିଲାନ୍ସ ଏବଂ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବରଗଡ଼ ଟାଉନ ଥାନା FIR ପଞ୍ଜିକୃତ କରୁନଥିବା ଅଭିଯୋଗ କରି, ବିଜେଡିର ଶତାଧିକ କର୍ମକର୍ତ୍ତା ଥାନା ଘେରାଉ ସହ ଆନ୍ଦୋଳନ କରିଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେଶ ଆଚାର୍ଯ୍ୟ କହିଛନ୍ତି ଯେ ‘‘ ଗତ ମେ 25ରେ ବରଗଡ଼ ମ୍ୟୁନିସିପାଲିଟି ଚେୟାରମ୍ୟାନ ଏନେଇ ଥାନାରେ ଅଭିଯୋଗ କରିଥିଲେ । ମ୍ୟୁନିସିପାଲିଟିର ବିନା ଅନୁମତିରେ ଗେଟ୍ ନିର୍ମାଣ ହୋଇଥିବାରୁ ସେ ପିଡବ୍ଲୁଡି ଅଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ କେବଳ ତଦନ୍ତ କରୁଥିବା କହି FIR ପଞ୍ଜୀକୃତ କରୁନାହିଁ । କେବଳ ଷ୍ଟେସନ ଡାଏରୀ ନାଁରେ ଏକ ସାଦା କାଗଜରେ ଅଭିଯୋଗ ଗ୍ରହଣ କରୁଛି ।’’

BJD protest
ବରଗଡ଼ ଧନୁଯାତ୍ରା ଗେଟ୍ ଭଙ୍ଗା ଘଟଣାରେ ଥାନା ଘେରିଲେ ବିଜେଡି କର୍ମୀ ଓ ସମର୍ଥକ (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ଗତ ଧନୁଯାତ୍ରା ମହୋତ୍ସବ ସମୟରେ ଥାନା ଛକଠାରେ PWD ଦ୍ୱାରା ନିର୍ମିତ ଧନୁଯାତ୍ରା ଗେଟ୍ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି । ଗେଟ୍ ଭାଙ୍ଗିବା ଯୋଗୁଁ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନୂଆ ନିର୍ମାଣ ହୋଇଥିବା ଗେଟ୍ ଏଭଳି ଭାଙ୍ଗିଯିବା ସରକାରୀ ପାଣ୍ଠିର ଅପବ୍ୟବହାର, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ଚରମ ଅବହେଳାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ।

ସାଂସଦ ପ୍ରଦୀପ ପୁରୋହିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ " ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ହୋଇଥିବା ବେଳେ, ଏଭଳି ଘଟଣା ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇବା ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛି । ବର୍ତ୍ତମାନର ବିଜେପି ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ପ୍ରତିଶ୍ରୁତିବଦ୍ଧ। ତେବେ ଧନୁଯାତ୍ରା ଗେଟ ପଡିଯିବା ଘଟଣା ଭିଡ଼ କମ୍ ଥିବା ସମୟରେ ଘଟିଥିବାରୁ ବଡ଼ ବିପଦ ଏଡ଼ିଯାଇଛି । ନଚେତ୍ ଅନେକ ଜୀବନ ଯାଇଥାନ୍ତା । " ପୂର୍ତ୍ତ ବିଭାଗର ଅଫ୍‌ଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ସାଂସଦ ଅଭିଯୋଗ କରିବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହିତ ଘଟଣାରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ।

ଏହା ମଧ୍ୟ ପଢ଼ନ୍ତୁ ବରଗଡରେ ପ୍ରବଳ ଝଡ଼ ତୋଫାନ: ଭାଙ୍ଗିଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ତୋରଣ, 2 ଆହତ

ଏହା ମଧ୍ୟ ପଢ଼ନ୍ତୁ ଶ୍ରୀକ୍ଷେତ୍ରରେ କଂସ ମହାରାଜା; ମହୋଦଧିରେ ପାପ ଧୋଇଲେ, ମହାପ୍ରଭୁଙ୍କୁ କଲେ କ୍ଷମା ପ୍ରାର୍ଥନା

ଇଟିଭି ଭାରତ, ବରଗଡ