Bihar Election Results 2025

ETV Bharat / state

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି

ନବୀନ ନିବାସରେ ସ୍ନେହାଙ୍ଗିନୀଙ୍କ ନାଁ ଘୋଷଣା କଲେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନୂଆପଡ଼ା ପ୍ରଚାରରେ ଯିବେ ନବୀନ।

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି
ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି (ETV BHARAT ODISHA)
author img

By ETV Bharat Odisha Team

Published : October 15, 2025 at 7:30 PM IST

|

Updated : October 15, 2025 at 7:54 PM IST

3 Min Read
Choose ETV Bharat

ଭୁବନେଶ୍ବର: ପୁନର୍ବାର ଚକମା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନୂଆପଡ଼ା ଉପନିର୍ବାଚନରେ ନବୀନ ଖେଳିଛନ୍ତି ସରପ୍ରାଇଜ କାର୍ଡ। ବିଜେଡିର ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ହେଉଛନ୍ତି ସ୍ନେହାଙ୍ଗିନୀ। ସେହିପରି ସ୍ନେହାଙ୍ଗିନୀ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ନବୀନ ନିବାସରେ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ଘୋଷଣା କଲେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। (ETV BHARAT ODISHA)

ରାଜନୀତିରେ ବିରୋଧୀ, ଦଳୀୟ ନେତା ଏବଂ କର୍ମୀ ଓ ଗଣମାଧ୍ୟମକୁ ଚକମା ଦେବାରେ ବେଶ ସିଦ୍ଧହସ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଭାବେ ନବୀନଙ୍କ ଅନେକ ନିଷ୍ପତ୍ତି ଅତୀତରେ ସମସ୍ତଙ୍କୁ ତାଟକା କରିଛି। ଆଜି ପୁନର୍ବାର ସେଭଳି କିଛି ଚିତ୍ର ଓ ପ୍ରମାଣ ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ନୂଆପଡ଼ା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ଘୋଷଣାରୁ ପ୍ରମାଣିତ ହୋଇଛି। ନବୀନ ଯେ, କେବଳ ଜଣେ ଚତୁର ରାଜନେତା ତାହା ନୁହେଁ, ଏମିତି କିଛି ନିଷ୍ପତ୍ତି ନିଅନ୍ତି ତାହା ଜନସାଧାରଣଙ୍କୁ ପ୍ରଭାବିତ କରେ। ଯାହା କେହି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଆକଳନ କରିନଥିଲେ, ସେଭଳି କିଛି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ନବୀନ। ବିଜେଡିର ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ହୋଇଛନ୍ତି, ପୂର୍ବତନ ଅତାବିରା ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ।

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, "ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରି ମୁଁ ଖୁସି ଅନୁଭବ କରୁଛି। ସ୍ନେହାଙ୍ଗିନୀ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀ ଭାବେ ପରିଚିତ। ମୋ ସରକାରରେ ସ୍ନେହାଙ୍ଗିନୀ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସ୍ନେହାଙ୍ଗିନୀ ସରକାର ଓ ଦଳର ବିଭିନ୍ନ ପଦପଦବୀରେ ସଫଳତା ସହ କାର୍ଯ୍ୟ କରିଛନ୍ତି। ସ୍ନେହାଙ୍ଗିନୀ ଗରିବ ଓ ପଛୁଆ ବର୍ଗ, ବିଶେଷ କରି ମହିଳାଙ୍କ ଲାଗି କାର୍ଯ୍ୟ କରିଛନ୍ତି। ବିଜୁ ଜନତା ଦଳର ସେ ଜଣେ ବଡ଼ ପୁଞ୍ଜି। ସେଥିପାଇଁ ଆମେ ଦଳ ତରଫରୁ ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛୁ। ଅତୀତରେ ରାଜ୍ୟର ବିକାଶ ଲାଗି ସେ କରିଥିବା ଭଲ କାମ ପାଇଁ ଶୁଭେଚ୍ଛା ଜଣାଉଛି। ଆମେ ସମସ୍ତେ ସ୍ନେହାଙ୍ଗିନୀଙ୍କୁ ସମର୍ଥନ କରୁଛୁ। ମୁଁ ମଧ୍ୟ ନୂଆପଡ଼ା ପ୍ରଚାରରେ ଯିବି। ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଜନସାଧାରଣଙ୍କ ସେବା କରେ। ଆଗାମୀ ଦିନରେ ମଧ୍ୟ ଜାରି ରଖିବ।"

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି
ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି (ETV BHARAT ODISHA)

ଟିକେଟ ଘୋଷଣା ପରେ ସ୍ନେହାଙ୍ଗିନୀ କହିଛନ୍ତି, "ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସଭାପତି ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୋ ଉପରେ ବିଶ୍ୱାସ ଓ ଭରସା କରିଥିବାରୁ କୋଟି କୋଟି ପ୍ରଣାମ ଜଣାଉଛି। ରାଜ୍ୟ ପାଇଁ କାମ କରିଛି। ୪ ବର୍ଷ ନୂଆପଡ଼ାର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛି। ସେ ଦୃଷ୍ଟିରୁ ଦଳ ମୋତେ ନୂଆପଡ଼ାରେ ପ୍ରାର୍ଥୀ କରିଛି। ଦଳର ନୂଆପଡ଼ା ନେତୃତ୍ୱ ଏଠାରେ ଉପସ୍ଥିତ ଅଛନ୍ତି। ନୂଆପଡ଼ାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ନୂଆପଡ଼ାର ଆଶୀର୍ବାଦ ମୋ ଉପରେ ରହିବ। ବିପୁଳ ପରିମାଣରେ ଭୋଟ୍ ଦେଇ ସେମାନେ ଦଳକୁ ବିଜୟ କରାଇବେ। ନୂଆପଡ଼ାବାସୀ ମୋ ପରିବାର ସଦସ୍ୟ। ନୂଆପଡ଼ା ବାସୀଙ୍କ ବିକାଶ ଲାଗି କାର୍ଯ୍ୟ କରିବି ବୋଲି ସଂକଳ୍ପ ନେଉଛି। ସେମାନଙ୍କର ସମସ୍ତ ସୁବିଧା ଅସୁବିଧାରେ ମୁଁ ଛିଡ଼ା ହେବି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉକ୍ତ ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ମୋ ନେତା ମୋତେ ସମର୍ପି ଦେଇଛନ୍ତି। ନୂଆପଡ଼ାରେ ନୀତି, ଆଦର୍ଶ, ବିଚାରଧାରା, ନ୍ୟାୟର ଲଢେଇ ହେବ। ଏହି ନିର୍ବାଚନରେ ଧର୍ମ ଓ ନ୍ୟାୟର ସଂସ୍ଥାପନ ହେବ।

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି
ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି (ETV BHARAT ODISHA)


ସ୍ନେହାଙ୍ଗିନୀଙ୍କ ରାଜନୈତିକ ଯାତ୍ରା
୧୯୬୮ ମସିହା ୯ ଡିସେମ୍ବର ୧୯୬୮ରେ ଜନ୍ମିତ ସ୍ନେହାଙ୍ଗିନୀ, କଳାରେ ସ୍ନାକତୋତ୍ତର କରିବା ପରେ ଓକିଲାତି ପଢ଼ିଥିଲେ। ପରବର୍ତ୍ତୀ ସମୟରେ ଜଣେ ସମାଜସେବୀ ଭାବେ କାର୍ଯ୍ୟ କରୁଥିଲେ। ଏହାସହ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ରାଜନୀତିରେ ସକ୍ରିୟ ଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଅତାବିରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୩୬,୦୬୭ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ। କଂଗ୍ରେସର ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ଠାରୁ ସେ ହାରିଥିଲେ। ହେଲେ ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭା ଆସିଥିଲେ। ସ୍ନେହାଙ୍ଗିନୀ ହୋଇଥିଲେ ନବୀନ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ। ୨୦୧୪ରୁ ୨୦୧୭ ଯାଏଁ ସେ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ସେହିପରି ସେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ରେ ମଧ୍ୟ ସେ ବିଜୟୀ ହୋଇଥିବା ବେଳେ ୨୦୨୪ରେ ସେ ପରାଜୟର ସମ୍ମୁଖୀନ ହୋଇଥିଲେ।

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି
ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀକଲା ବିଜେଡି (ETV BHARAT ODISHA)

ଏଥିସହ ନୂଆପଡ଼ା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ତାଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

  • ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ
  • ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଜୟ ଢୋଲକିଆ
  • କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଘାସିରାମ ମାଝୀ

ଆସନ୍ତା ୨୦ ତାରିଖ ନାମାଙ୍କନ ଭରିବା ଶେଷ ତାରିଖ ରହିଥିବା ବେଳେ ଆଜି ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି।

ଆସନ୍ତାକାଲି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ:

ନୂଆପଡ଼ା ଉପନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ଭରିବା ଶେଷ ତାରିଖ ରହିଥିବା ବେଳେ ଆସନ୍ତାକାଲି ନିମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଏହି ଅବସରରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ତିତ ରହିବେ।

18ରେ ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ଘାସିରାମ

ସେପଟେ ଆସନ୍ତା 18 ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମାନାଙ୍କନ ଦାଖଲ କରିବେ ବୋଲି କହିଛନ୍ତି, ପିସିସି ସଭାପତି ଭକ୍ତ ଚରଣ ଦାସ। ତେବେ ଆଜି ଶୁଭଲଗ୍ନ ଥିବା ଯୋଗୁଁ ନାମାଙ୍କନ ପତ୍ରରେ ହସ୍ତାକ୍ଷର କରାଯାଇଥିବା କହିଛନ୍ତି, ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ।

ନୂଆପଡ଼ା ଉପନିର୍ବାଚନର କିଛି ପ୍ରମୁଖ ତାରିଖ

  • ଅକ୍ଟୋବର 20 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ
  • ଅକ୍ଟୋବର 22 ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା
  • ଅକ୍ଟୋବର 24 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ
  • ନଭେମ୍ବର 11ରେ ଭୋଟ ଗ୍ରହଣ
  • ନଭେମ୍ବର 14ରେ ହେବ ଫଳାଫଳ

ଏହା ମଧ୍ୟ ପଢ଼ନ୍ତୁ- ନୂଆପଡ଼ା ଉପନିର୍ବାଚନ; ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଏହା ମଧ୍ୟ ପଢ଼ନ୍ତୁ- 16ରେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପାୱାର ଶୋ', ସେହିଦିନ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ

Last Updated : October 15, 2025 at 7:54 PM IST