ETV Bharat / state

ମହାନଦୀ ଜଳ ବିବାଦ ପ୍ରସଙ୍ଗ; ବିଜେଡିର ଅଭିଯୋଗ ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର, ଜବାବ ଦେଲେ ଏଜି

ମହାନଦୀ ଜଳ ବିବାଦକୁ ନେଇ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦେଇଥିବା ରିପୋର୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଥିବା ବିଜେଡି ଅଭିଯୋଗ କରିଛି । ରିପୋର୍ଟ- ଭବାନୀ ଶଙ୍କର ଦାସ

MAHANADI WATER DISPUTE
ମହାନଦୀ ଜଳ ବିବାଦ (ETV Bharat Odisha)
author img

By ETV Bharat Odisha Team

Published : June 28, 2026 at 8:07 AM IST

3 Min Read
Choose ETV Bharat

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୋହନ ସରକାରଙ୍କୁ ଘେରିଛି ବିଜେଡି । ଯୁଗ୍ମ ବୈଷୟିକ କମିଟି ଦେଇଥିବା ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଛତିଶଗଡ ଓ କର୍ପୋରେଟ ସଂସ୍ଥାଙ୍କ ସ୍ୱାର୍ଥରେ ଓଡ଼ିଶା ବିଜେପି ସରକାର କାମ କରୁଛି ବୋଲି ଦଳ ଅଭିଯୋଗ ଆଣିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦେଇଥିବା ରିପୋର୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଛି ବୋଲି ବିଜେଡି ଅଭିଯୋଗ କରିଛି ।

ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,"ଛତିଶଗଡ ଏବଂ କର୍ପୋରେଟ୍ ସଂସ୍ଥାମାନଙ୍କୁ ସୁହାଇଲା ଭଳି ଭୂମିକା ଓଡ଼ିଶା ସରକାର ନେବା ଦୁର୍ଭାଗ୍ୟଜନକ । ଟ୍ରିବ୍ୟୁନାଲ ନିକଟରେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦାଖଲ କରିଛି । ରିପୋର୍ଟ ଅନୁଯାୟୀ, ମହାନଦୀର ଅବବାହିକାରେ ୬୨.୩୬ ନିୟୁତ ଏକର ଫୁଟ ପାଣି ଉପଲବ୍ଧ ଅଛି । ଛତିଶଗଡ ଓ ଓଡ଼ିଶା ସୀମାନ୍ତରେ ୨୮.୪୮, ହୀରାକୁଦ ନିକଟରେ ୩୨.୮୩ ଓ ନରାଜ ନିକଟରେ ୫୬.୨୯ ନିୟୁତ ଏକର ଫୁଟ ପାଣି ଉପଲବ୍ଧ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଓଡିଶାରେ ମହାନଦୀରେ ପ୍ରଚୁର ପାଣି ରହିଛି । ଛତିଶଗଡ଼ ସହିତ ବିବାଦର କୌଣସି ଯର୍ଥାଥତା ନାହିଁ । ଏହି ରିପୋର୍ଟକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅପରପକ୍ଷରେ ୨୦୨୫ ଅଗଷ୍ଟ ୨୫ ତାରିଖରେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବନ୍ଧ ବାନ୍ଧିବା କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ଜଳ ପ୍ରବାହ ହ୍ରାସ ପାଇଛି । ସରକାରକୁ ଆସିଲା ପରେ ତୁରନ୍ତ ମହାନଦୀ ଜଳ ବଣ୍ଟନ ସମସ୍ୟା ସମାଧାନ କରିଦେବୁ ବୋଲି ବାହାସ୍ପୋଟ ମାରୁଥିବା ବିଜେପି ସରକାର ଆଜି ଛତିଶଗଡ ନିକଟରେ ମୁଣ୍ଡ ବିକିଦେଇଛି । ତୁରନ୍ତ ରାଜ୍ୟ ସରକାର ଏ ସଂପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।"

ସେହିପରି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି," ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଲକ୍ଷାଧିକ ସ୍ଥାନୀୟ ବାସିନ୍ଦା ବିସ୍ଥାପିତ ହୋଇଛନ୍ତି । ଆଜି ସୁଦ୍ଧା ସେମାନଙ୍କ ସମସ୍ୟାର ସମାଧାନ ହୋଇନାହିଁ । ରାଜ୍ୟ ବିଜେପି ସରକାର, ଟ୍ରିବ୍ୟୁନାଲ ନିକଟରେ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି । ଚୁଟକିରେ ସମାଧାନ ହେଇଯିବ ବୋଲି କହୁଥିଲା ରାଜ୍ୟ ବିଜେପି ସରକାର । କିନ୍ତୁ ଆଜି ଓଡ଼ିଶାର ସ୍ୱାର୍ଥ ଟ୍ରିବ୍ୟୁନାଲ ନିକଟରେ ସଠିକ ଢଙ୍ଗରେ ଉପସ୍ଥାପନ କରିବା ପରିବର୍ତ୍ତେ ଛତିଶଗଡ ଦେଇଥିବା ତଥ୍ୟକୁ ସ୍ୱୀକାର କରିନେଇଛି । ୨୦୧୮ ମସିହାରେ ତତ୍କାଳୀନ ବିଜେଡି ସରକାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଛତିଶଗଡ ମହାନଦୀରେ ପାଣି ଅଟକାଇବା ନେଇ ଦୃଢ ଦାବି ଉପସ୍ଥାପନ କରିଥିଲା । ବର୍ତ୍ତମାନର ବିଜେପି ସରକାର ଛତିଶଗଡ ଦେଇଥିବା ତଥ୍ୟକୁ ଯୁଗ୍ମ ବୈଷୟିକ କମିଟି ନିକଟରେ ଅନୁମୋଦନ କରି ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି । ମହାନଦୀ ଶୁଖିଲା ପଡିଥିଲା ବେଳେ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ଅଛି ବୋଲି ଟ୍ରିବ୍ୟୁନାଲ ନିକଟରେ ସହମତି ପ୍ରକାଶ କରିବା, ଡବଲ ଇଞ୍ଜିନ ସରକାରର ରାଜ୍ୟବାସୀଙ୍କ ପ୍ରତି ଚରମ ଉପହାସ ।"


ସେହିପରି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି," ମହାନଦୀ ଟ୍ରିବ୍ୟୁନାଲର ଶୁଣାଣୀ ଆଜି ଶେଷ ହୋଇଛି । ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମରେ ବିବୃତି ରଖିଛନ୍ତି । ବିବୃତିରେ ସେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଉଭୟ ରାଜ୍ୟର ମହାନଦୀ ଜଳ ଉପରେ ଚାହିଦା କେତେ ଅଛି, ଆଜି ଶୁଣାଣୀରେ ଆଲୋଚନା ହୋଇଛି । ୨୭ ମିଲିୟନ ଏକ ଫୁଟ ଜଳ ଆବଶ୍ୟକ ଅଛି ବୋଲି ପୂର୍ବରୁ ଛତିଶଗଡ଼ କହିଥିଲା । ଓଡ଼ିଶା ପକ୍ଷରୁ କୁହାଯାଇଥିଲା ଛତିଶଗଡ଼ ପାଖ ଉପରମୁଣ୍ଡ ମହାନଦୀ ବେସିନରେ ସେତିକି ପାଣି ଉପଲବ୍ଧ ନାହିଁ । ଛତିଶଗଡ଼ ପାଖ ୨୪ ମିଲିୟନ ଏକ ଫୁଟ ଜଳ ଉପଲବ୍ଧ । ତାହାଲେ ଏତେ ପାଣି ଛତିଶଗଡ଼ କେମିତି ଦାବି କରୁଛି ବୋଲି ଆମେ ପ୍ରଶ୍ନ କରିଥିଲୁ । ଏ ଦାବି ଯୁକ୍ତି ସଂଗତ ନଥିଲା । ଏହି ଦାବି ହାସଲ ପାଇଁ ଛତିଶଗଡ଼ ଉପରମୁଣ୍ଡରେ ଅନେକ ବ୍ୟାରେଜ, ବନ୍ଦ ବାନ୍ଧିଛି । ଯାହା ବେଆଇନ । ସେ ଦୃଷ୍ଟିରୁ ଆମର ଆଡ଼ଭୋକେଟ ଜେନେରାଲଙ୍କ ନିକଟରେ ପ୍ରଶ୍ନ ଆମେ ଛତିଶଗଡ଼ ପାଖରେ ସମର୍ପଣ କରି ଦେଇନାହୁଁ ତ ? ଛତିଶଗଡ଼ର ଦାବି ଆମେ ଗ୍ରହଣ କରିଛୁ ନା ନାହିଁ ? ଯଦି ତାହା ଗ୍ରହଣ କରିଛୁ ତେବେ ଏହା ଓଡ଼ିଶା ବିରୋଧୀ । ଆମର ଦାବି ଓଡ଼ିଶା ବିରୋଧୀ କଥାକୁ ପ୍ରସୟ ଦିଆନଯାଉ । "

ଆଡ଼ଭୋକେଡ଼ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି," ଦୀର୍ଘଦିନ ଧରି ମହାନଦୀ ପାଣିକୁ ନେଇ ଓଡ଼ିଶା ଓ ଛଡିଶଗଡ ମଧ୍ୟରେ ଚାଲିଥିବା କନ୍ଦଳର ଅନ୍ତ ଘଟିବ । ଖୁବଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ । ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଟିମ୍ । ଆସନ୍ତା ଜୁଲାଇ ୧୧ରେ ମହାନଦୀ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ । ଜଳବଣ୍ଟନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ଜଳନୀତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଆଗାମୀ ଦିନରେ ଦୁଇ ରାଜ୍ୟ ଭିତରେ ସଚିବସ୍ତରୀୟ ବୈଠକ ଓ ଉଚ୍ଚସ୍ତରୀୟ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ଏହା ମଧ୍ୟ ପଢନ୍ତୁ...ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତରେ ବ୍ୟାପକ ଅନିୟମିତତା: ଖର୍ଚ୍ଚର ସିଏଜି ଅଡିଟ୍ ଦାବିକଲା ମହାନଦୀ ବଞ୍ଚାଓ ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ... ମହାନଦୀ ଜଳ ବିବାଦ; ଉଚ୍ଚସ୍ତରୀୟ କମିଟି ସଦସ୍ୟଙ୍କୁ ଭେଟିଲେ ମହାନଦୀ ବଞ୍ଚାଓ ଆନ୍ଦୋଳନ କର୍ମକର୍ତ୍ତା, ତଥ୍ୟରେ ବଡ ଜାଲିଆତି ଅଭିଯୋଗ

ଇଟିଭି ଭାରତ, ଭୁବନେଶ୍ବର