ଚିଲିକାରେ 11,32,200 ପକ୍ଷୀ: ବଢ଼ିଲେ ବିଦେଶୀ ପକ୍ଷୀ, କମିଲେ ପ୍ରଜାତି
ଚିଲିକାରେ ଶେଷ ହୋଇଛି 2026 ପକ୍ଷୀ ଗଣନା । 2025 ତୁଳନାରେ ଏବର୍ଷ ବଢ଼ିଛନ୍ତି ବିଦେଶୀ ପକ୍ଷୀ ସଂଖ୍ୟା । ତେବେ 2025 ତୁଳନାରେ 2026ରେ ହ୍ରାସ ପାଇଛନ୍ତି ଦେଶୀୟ ପକ୍ଷୀ ସଂଖ୍ୟା ।

Published : January 18, 2026 at 1:12 PM IST
|Updated : January 19, 2026 at 10:55 AM IST
CHILIKA BIRD CENSUS, ଭୁବନେଶ୍ବର: ଶେଷ ହୋଇଛିି ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା । ଏଥର ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିଥିବା ବେଳେ ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ 23 ହଜାରରୁ ଅଧିକ ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଏବର୍ଷ ଚିଲିକାରେ ମୋଟ ପକ୍ଷୀ ସଂଖ୍ୟା 11,32,200 ରେକର୍ଡ କରାଯାଇଛି ।
ବଢ଼ିଲେ ବିଦେଶୀ ପକ୍ଷୀ, କମିଲେ ପ୍ରଜାତି:
2026ରେ ବିଦେଶୀ ପକ୍ଷୀଙ୍କ ପ୍ରଜାତି 106 ଚିହ୍ନଟ କରାଯାଇଥିବା ବେଳେ, ମୋଟ ସଂଖ୍ୟା 11 ଲକ୍ଷ 10 ହଜାର 257 ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ 2025ରେ ବିଦେଶୀ ପକ୍ଷୀ ପ୍ରଜାତି 109 ଥିଲା ଏବଂ 2025ରେ ମୋଟ ବିଦେଶୀ ପକ୍ଷୀ ସଂଖ୍ୟା 10 ଲକ୍ଷ 87 ହଜାର 226 ଥିଲା । ତଥ୍ୟ ଅନୁସାରେ 2025 ତୁଳନାରେ 2025ରେ ଚିଲିକାରେ ବିଦେଶୀ ପକ୍ଷୀ ସଂଖ୍ୟା 23,031କୁ ବୃଦ୍ଧି ପାଇଛି । ମାତ୍ର ଗତବର୍ଷ ତୁଳନାରେ ଚଳିତବର୍ଷ ବିଦେଶୀ ପକ୍ଷୀଙ୍କ ପ୍ରଜାତି ହ୍ରାସ ପାଇଛି। 2025ରେ ଚିଲିକାରୁ 109 ପ୍ରଜାତି ବିଦେଶୀ ପକ୍ଷୀ ଆସିଥିବା ବେଳେ, 2026ରେ ଏହି ସଂଖ୍ୟା 106କୁ ହ୍ରାସ ପାଇଛି । ଚିଲିକା ଡିଏଫଓ ଅମ୍ଳାନ ନାୟକ ଏହି ସୂଚନା ଦେଇଛନ୍ତି।
2025
- ବିଦେଶୀ ପକ୍ଷୀ ପ୍ରଜାତି 109
- ବିଦେଶୀ ପକ୍ଷୀ ସଂଖ୍ୟା 10, 87,226
2026
- ବିଦେଶୀ ପକ୍ଷୀଙ୍କ ପ୍ରଜାତି 106
- ବିଦେଶୀ ପକ୍ଷୀ ସଂଖ୍ୟା 11,10, 257

ଚିଲିକାରେ କମିଲା ସ୍ଥାନୀୟ ପକ୍ଷୀ ସଂଖ୍ୟା:
ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିଥିବା ବେଳେ, ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଚିଲିକା ଡିଏଫଓ ଅମ୍ଳାନ ନାୟକଙ୍କ ସୂଚନାରୁ ଜଣାପଡ଼ିଛି । 2026 ମସିହାରେ ପକ୍ଷୀ ଗଣନା ସମୟରେ ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା 21, 943 ରେକର୍ଡ କରାଯାଇଛି। ଯେଉଁଥିରେ ଦେଶୀୟ ପକ୍ଷୀଙ୍କ ପ୍ରଜାତି ସଂଖ୍ୟା 90 ରହିଛି । ଗତବର୍ଷ ଅର୍ଥାତ 2025ରେ ରେ ସ୍ଥାନୀୟ ପକ୍ଷୀ ସଂଖ୍ୟା 40,002 ଥିବା ବେଳେ, 87 ପ୍ରଜାତି ସ୍ଥାନୀୟ ପକ୍ଷୀ ଚିହ୍ନଟ କରାଯାଇଥିଲା । 2025 ତୁଳନାରେ ଚଳିତବର୍ଷ ଚିଲିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ, ପ୍ରଜାତି ସଂଖ୍ୟା ବଢ଼ିଛି ।
2025
- ସ୍ଥାନୀୟ ପକ୍ଷୀ ସଂଖ୍ୟା 40,002
- ସ୍ଥାନୀୟ ପକ୍ଷୀ ପ୍ରଜାତି 87
2026
- ସ୍ଥାନୀୟ ପକ୍ଷୀ ସଂଖ୍ୟା 21, 943
- ସ୍ଥାନୀୟ ପକ୍ଷୀ ପ୍ରଜାତି 90

ଚିଲିକା ପକ୍ଷୀ ଗଣନା:
ଜାନୁଆରୀ 18ରେ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା କରାଯାଇଥିଲା । ଏଥିରେ ମୋଟ 22ଟି ଟିମ୍ ସାମିଲ ହୋଇଥିବା ବେଳେ, ପ୍ରତି ଟିମ୍ରେ 5 ରୁ 7 ଜଣ ସଦସ୍ୟ ଥିଲେ । ବାଲୁଗାଁ, ରମ୍ଭା, ସାତପଡ଼ା, ଟାଙ୍ଗୀ, ଚିଲିକା ରେଞ୍ଜରେ ଗତକାଲି (ରବିବାର) ସକାଳ 6 ଟାରୁ ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା କରାଯାଇଥିଲା। ଚିଲିକା ସମେତ ସାରା ଓଡିଶାରେ ବିଭିନ୍ନ ସ୍ଥାନରେ ଗୋଟିଏ ଦିନରେ ପକ୍ଷୀ ଗଣନା କରାଯାଇଥିଲା।
ଚଳିତ ବର୍ଷ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ତତ୍ତ୍ବାବଧାରକଙ୍କ ନିର୍ଦ୍ଦେଶରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଦେଶାଗତ ପକ୍ଷୀ ଏବଂ ଦେଶୀୟ ପକ୍ଷୀ ଗଣନା ହୋଇଥିଲା । ଏଥିରେ ଅବସର ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଡବ୍ଲୁଆଇଆଇ, ବିଏନଏଚଏସ, OUAT ଅଧାପକ/ ପ୍ରଫେସର ଏବଂ ଛାତ୍ରଛାତ୍ରୀ, କାର୍ଯ୍ୟରତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଶିକ୍ଷାବିତ, ଛାତ୍ରଛାତ୍ରୀ ଓ ଅଣ ସରକାରୀ ସଂସ୍ଥା ଏବଂ NGO ସାମିଲ ହୋଇଥିଲେ ।

21 ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର:
ଚିଲିକାକୁ 22 ଟି ଭାଗରେ ବିଭକ୍ତ କରାଯାଇ 22 ଟିମ ଗଠନ କରାଯାଇଥିଲା । ପ୍ରତି ଦଳରେ ଜଣେ ପକ୍ଷୀ ବିଶାରଦ ରହିଥିଲେ । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଚଳିତ ବର୍ଷ ଏହି ବନଖଣ୍ଡ ତରଫରୁ 21 ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରାଯାଇଥିବା ବେଳେ 48 ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏହା ବ୍ୟତୀତ ପ୍ରତି ଶିବିରରେ ଜଣେ ବନପାଳ / ଜଣେ ବନରଖିଙ୍କୁ ଏହାର ସୁପରିଚାଳନା ନିମନ୍ତେ ନିୟୋଜିତ ହୋଇଥିଲେ।
ଜାନୁଆରୀ 20ରେ ଡଲଫିନ ଗଣନା:
ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଆସନ୍ତା 20 ତାରିଖରେ ଡ଼ଲଫିନ ଗଣନା କରାଯିବ । ଏନେଇ (ସୋମବାର, ଜାନୁଆରୀ 19) ବାଲୁଗାଁ ସମେତ ସାତପଡାରେ ଏକ ଶିବିର ଅନୁଷ୍ଠିତ ହେବ । ଏଥିରେ ପ୍ରାୟ 145 ଜଣ କର୍ମଚାରୀ 18 ଟି ଟିମରେ ସାମିଲ ହେବେ । ଚିଲିକାରେ ଦୃଶ୍ୟମାନ ହେଉଥିବା ଇରାଓ୍ବାଡ଼ି ଡ଼ଲଫିନଙ୍କ ଗଣନା କରାଯିବ । ଏଥିରେ ସହଯୋଗ କରିବା ନିମନ୍ତେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଡ଼ଙ୍ଗାଚାଳକ ସଂଘଙ୍କୁ ମଧ୍ୟ ଡ଼ଙ୍ଗା ଚାଳନା ନକରିବାକୁ ଅନୁରୋଧ କରାଯାଇଅଛି, ବୋଲି ଚିଲିକା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି ।
ଦୁଇ ବର୍ଷ ମଧ୍ୟରେ କରାଯାଇଥିବା ବିଦେଶୀ ପକ୍ଷୀ ଗଣନା:
2024 ମସିହାରେ ଚିଲିକାରେ 108 ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଥିବା ବେଳେ 10,98,813 ଟି ପକ୍ଷୀଙ୍କୁ ଗଣନା କରାଯାଇଥିଲା । ଏହା ସହିତ ସ୍ଥାନୀୟ ପକ୍ଷୀ 79 ପ୍ରଜାତିର 38,946 ଟି ପକ୍ଷୀ ଚିହ୍ନଟ କରାଯାଇଥିଲା ।
2024
- ବିଦେଶୀ ପକ୍ଷୀ ପ୍ରଜାତି 108
- ବିଦେଶୀ ପକ୍ଷୀ ସଂଖ୍ୟା 10,98,813
- ସ୍ଥାନୀୟ ପକ୍ଷୀ ପ୍ରଜାତି 79
- ସ୍ଥାନୀୟ ପକ୍ଷୀ ସଂଖ୍ୟା 38,946
ଶେଷ ହେଲା ପକ୍ଷୀ ଗଣନା, ରାଇରଙ୍ଗପୁର ବନଖଣ୍ଡରେ ୮୦ ଭାଗ ବିଦେଶୀ ପକ୍ଷୀ
ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ: ନିୟୋଜିତ 38 ଟିମ୍, ଡେବ୍ରିଗଡ଼ରେ ବଢିଲା ଗୟଳଙ୍କ ସଂଖ୍ୟା
ଭିତରକନିକାରେ କୁମ୍ଭୀର ଗଣନା, ଜାଣନ୍ତୁ ପର୍ଯ୍ୟଟକଙ୍କ ପାଇଁ କେତେ ଦିନ ଲଗାଯାଇଛି କଟକଣା
ଇଟିଭି ଭାରତ, ଭୁବନେଶ୍ବର

