ଗଜପତି ପୋଲିସକୁ ବଡ଼ ସଫଳତା; ୧୦ ତୁଳା ସୁନା ଓ ୯କିଲୋ ରୂପା ସମେତ ଦୁଇ ଜଣିଆ ଚୋର ଗ୍ୟାଙ୍ଗ ଗିରଫ୍
ଦୁଇ ଚୋର ହେଲେ କଣ୍ଡରା ସାହିର ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳ । ୧୦ ତୁଳା ସୁନା ଓ ୯ କିଲୋ ରୂପା ସମେତ ହାର୍ଲେ ଡେଭିଡସନ ବାଇକ ଜବତ ।

Published : January 4, 2026 at 10:50 PM IST
ଗଜପତି: ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା । ଗତ କିଛି ମାସ ଧରି ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦୁଇ ଜଣିଆ ଚୋର ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଗିରଫ୍ ଦୁଇ ଚୋର ହେଲେ ପାରଳାଖେମୁଣ୍ଡି କଣ୍ଡରା ସାହିର ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳ । ସେମାନଙ୍କ ନିକଟରୁ ୧୦ ତୁଳା ସୁନା ଓ ୯ କିଲୋ ରୂପା ସମେତ ଏକ ହାର୍ଲେ ଡେଭିଡସନ ବାଇକ ଓ ଏକ ସ୍କୁଟି ଜବତ ହୋଇଛି । ଏହାବାଦ୍ ଚୋରିରେ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦୁର୍ଗା ଟିପିଏସଓଡିଏଲର ମିଟର ରିଡର୍ ଭାବେ କାର୍ଯ୍ୟ କରୁଥିବା ବେଳେ ଦେବ ତାର ସହଯୋଗୀ ଭାବେ କାମ କରୁଥିଲା ବୋଲି ପୋଲିସ କହିଛି ।
ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ପ୍ରାୟ ଦୁଇ ବର୍ଷ ଧରି ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦୁଇ ଜଣ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଯତୀନ୍ଦ୍ର ନାଥ ପଣ୍ଡା କହିଛନ୍ତି ଯେ, "ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଟିପିଏସଓଡିଏଲର ମିଟର ରିଡର୍ ଭାବେ କାର୍ଯ୍ୟ କରୁଥିବା ଦୁର୍ଗା ପ୍ରସାଦ ବେଣିଆ ଗତ କିଛି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଥିଲା । ସେ ଅଳ୍ପ କିଛି ଦରମା ପାଉଥିଲେ ମଧ୍ୟ ତାଙ୍କ ଚାଲିଚଳଣି କିନ୍ତୁ ଖୁବ୍ ରାଜକୀୟ ରହିଥିଲା । ସେ ହାର୍ଲେ ଡେଭିଡସନ ଭଳି ବାଇକ୍ ବ୍ୟବହାର କରୁଥିବା ବେଳେ ବିଭିନ୍ନ ସ୍ଥାନ ବୁଲି ଷ୍ଟାର ହୋଟେଲରେ ରହି ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିଲା । ସେ ମିଟର ରିଡିଂ ପାଇଁ ଗଲାବେଳେ ଯେଉଁ ଘରେ ତାଲା ପଡୁଥିବା ଦେଖୁଥିଲା ତାର ସହଯୋଗୀ ଦେବ ସହ ମିଶି ସେହି ଘରେ ପଶି ଚୋରି କରୁଥିଲା । ତେବେ ଗତ ଡିସେମ୍ବର ମାସ ୧୨ ତାରିଖରେ ବରିଷ୍ଠ ସାମ୍ବାଦିକ ଦ୍ବିଜେନ୍ଦ୍ରନାଥ ପାଢ଼ୀଙ୍କ ଘରେ କେହି ନଥିବା ବେଳେ ତାଙ୍କ ଘରେ ପଶି ଚୋରି କରିଥିଲା । ସେହିପରି ଗତ ୨୭ ତାରିଖରେ କୁମୁଟି ସାହିର ଏକ ଘରୁ ମଧ୍ୟ ସେମାନେ ଚୋରି କରିଥିଲେ । ଏହି ସମୟରେ ସେମାନେ ଦ୍ବିଜେନ୍ଦ୍ରନାଥଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲେ । ଯାହାକୁ ଆଧାର କରି ପୋଲିସ ଏମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ତୁଳା ସୁନା ଓ ୯ କିଲୋ ରୂପା ଜବତ କରାଯାଇଛି । ସେମାନେ ବ୍ୟବହାର କରୁଥିବା ହାର୍ଲେ ଡେଭିଡସନ ବାଇକ ଏବଂ ଗୋଟିଏ ସ୍କୁଟିକୁ ମଧ୍ୟ ଜବତ କରିଛି ପୋଲିସ । ଟିପିଏସଓଡିଏଲର କର୍ମଚାରୀ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ତାଙ୍କୁ ଏସଂପର୍କରେ ଚିଠି କରାଯିବ ଏବଂ ଚୋରି ଜିନିଷ ବନ୍ଧକ ରଖୁଥିବା ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ," ବୋଲି ଗଜପତି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଦ୍ବିଜେନ୍ଦ୍ରନାଥ ପାଢ଼ୀ କହିଛନ୍ତି ଯେ, ଗତ କିଛି ହେଲା ଚୋରିକୁ ନେଇ ଆତଙ୍କିତ ହୋଇ ପଡିଥିବା ସାଧାରଣ ଲୋକେ ପୋଲିସର ଏଭଳି ସଫଳତା ପରେ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଚୋରିର ଶିକାର ହୋଇଥିବା ବରିଷ୍ଠ ସାମ୍ବାଦିକ କହିଛନ୍ତି ଯେ, ଅତି କମ୍ ସମୟ ମଧ୍ୟରେ ପୋଲିସ ଚୋରକୁ ଠାବ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଥିବାରୁ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ସେ ପୋଲିସକୁ ସାଧୁବାଦ ଜଣାଇଛନ୍ତି।

ଜିଲ୍ଲାର ବରିଷ୍ଠ ଆଇନଜୀବୀ ଏମ. ପୃଥ୍ବୀରାଜ କହିଛନ୍ତ ଯେ, "ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ଢିଲା ପୋଲିସ ପେଟ୍ରୋଲିଂ ଦାୟୀ ।" ଟିପିଏସଓଡିଏଲର ମିଟର ରିଡର୍ ମାନଙ୍କୁ ଉଚିତ୍ ତାଲିମ ଦେବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । ସହରରେ ବିଭିନ୍ନ ସ୍ଥାନରେ ସିସିଟିଭିରେ ମଧ୍ୟ ବ୍ୟବସ୍ଥା ରହିବା ଆବଶ୍ୟକ ଥିବା ବେଳେ ପୋଲିସ ସଠିକ୍ ଭାବେ ପେଟ୍ରୋଲିଂକୁ ମଧ୍ୟ ଗୁରୁତ୍ଵ ଦେଉ। ତା ସଙ୍ଗେ ସାଧାରଣ ଜନତା ମଧ୍ୟ ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ବିଭିନ୍ନ ଆଳରେ ଘରକୁ ଆସିଥାନ୍ତି, ଏବଂ ସେମାନଙ୍କ ପ୍ରତି ସଚେତନ ରହିବା ଆବଶ୍ୟକ ରହିଛି ।

ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଚୋରି ଗ୍ୟାଙ୍ଗ ଧରାପଡ଼ିବା ପରେ ଲୋକେ ସାମାନ୍ୟ ଆଶ୍ବସ୍ତ ହୋଇଥିଲେ ମଧ୍ୟ ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ- ଗଜପତିରେ ସାମୁଦ୍ରିକ ଝଡ 'ଦ୍ୱିତା'ର ପ୍ରଭାବ; ବର୍ଷା ଧୋଇନେଲା ଅମଳ ଧାନ
ଏହା ମଧ୍ୟ ପଢ଼ନ୍ତୁ- ଗଜପତିରେ ବିତିଲାଣି 60 ବର୍ଷ, ଏବେବି ଜନ୍ମମାଟି ଫେରିବାକୁ ଆଶାବାଦୀ 2500 ତିବ୍ଦତୀୟ ଶରଣାର୍ଥୀ
ଇଟିଭି ଭାରତ, ଗଜପତି

