ଜଙ୍ଗଲରୁ ମୃତଦେହ ମିଳିବା ଘଟଣାରୁ ଉଠିଲା ପରଦା: ଦୁର୍ଘଟଣା ଲୁଚାଇବାକୁ ପିତାପଲ୍ଲୀରେ ଫିଙ୍ଗିଥିଲେ, ଚାଳକ ଗିରଫ
ଅଜଣା ମୃତଦେହର ମିଳିଲା ପରିଚୟ । ଦୁର୍ଘଟଣା ପରେ ପିତାପଲ୍ଲିରେ ଫିଙ୍ଗିଥିଲେ ଗୋବର୍ଦ୍ଧନଙ୍କ ମୃତଦେହ । ରିପୋର୍ଟ: ସତ୍ୟଜିତ୍ ରାଉତ

Published : May 27, 2026 at 8:40 PM IST
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପିତାପଲ୍ଲୀ ମୋରମ୍ ଖଣି ନିକଟରେ ଥିବା ରତନପୁର କାଜୁ ଜଙ୍ଗଲରେ ଜଣଙ୍କ ମୃତଦେହ ଉଦ୍ଧାର ଘଟଣାରେ ଆଜି ରହସ୍ୟ ଉନ୍ମୋଚନ କରିଛି ପୋଲିସ । ପୋଲିସ ମୃତ ବ୍ୟକ୍ତିଙ୍କ ପରିଚୟ ପାଇଥିବା ବେଳେ ଘଟଣା ପଛର କାରଣ ପଦାକୁ ଆସିଛି । ମୃତକ ହେଲେ ଛତିଶଗଡ ବିଳାସପୁର ଜିଲା ଚମ୍ପା ଥାନା ଅଞ୍ଚଳର ଗୋବର୍ଦ୍ଧନ ଯାଦବ (୪୭)। ସେ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଏକ ଆପାର୍ଟମେଣ୍ଟର କେୟାର ଟେକର ଭାବେ କାମ କରୁଥିଲେ । ତେବେ ଦୁର୍ଘଟଣା ଘଟଣା ଚପାଇବା ପାଇଁ ମୃତଦେହକୁ ଲୁଚାଇ କାଜୁ ଜଙ୍ଗଲରେ ଫିଙ୍ଗିଥିଲେ ଅଭିଯୁକ୍ତ ।
ଦୁର୍ଘଟଣା ଘଟଣା ଚପାଇବାକୁ ମୃତଦେହ ଫିଙ୍ଗିଥିଲେ:
ତେବେ ଦୁର୍ଘଟଣା ଘଟାଇ ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ କରି ଚାଳକ ରାମଚନ୍ଦ୍ର ଲେଙ୍କା, ହାଇୱା ମାଲିକ ଡମ୍ବୁରଧର ସୁନ୍ଦରାୟଙ୍କ ପୁଅ ସୋନୁ ସୁନ୍ଦରାୟ ଓ ମ୍ୟାନେଜର ରାଜା ସ୍ବାଇଁ ମୃତଦେହକୁ ସୁନ୍ଦରପଦାରୁ ଆଣି ପିତାପଲ୍ଲି କାଜୁ ଜଙ୍ଗଲରେ ଫିଙ୍ଗିଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଇନଫୋଭ୍ୟାଲି ପୋଲିସ ହାଇୱାକୁ ଜବତ କରିବା ସହ ଅଭିଯୁକ୍ତ ଚାଳକକୁ ପୋଲିସ ଗିରଫ କରିଛି । ଗାଡି ଚାଳକ ହେଲା ନୟାଗଡ଼ ଜିଲା ଫତେଗଡ ଥାନା ପାଠାଘାଇର ରାମଚନ୍ଦ୍ର ଲେଙ୍କା। ତେବେ ମାଲିକ, ତାଙ୍କ ପୁଅ ଓ ମ୍ୟାନେଜର ଫେରାର ଅଛନ୍ତି । ଆଜି ଏହି ଘଟଣାରେ ପୋଲିସ କମିଶନର ଏସ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାର ରହସ୍ୟ ଉନ୍ମୋଚନ କରିଥିଲେ ।

ପୋଲିସ ସୂଚନା ଅନୁଯାୟୀ, ଦିଲ୍ଲୀପ୍ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସୁନ୍ଦରପଦା ଠାରେ ନିଜ ଘର ନିର୍ମାଣ ଚାଲିଛି । ନିର୍ମାଣ କାମରେ ଦେଖାଶୁଣା ପାଇଁ ସେ ଗୋବର୍ଦ୍ଧନ ଯାଦବଙ୍କୁ ନିୟୋଜିତ କରିଥିଲେ । ଏହି ନିର୍ମାଣ କାମକୁ ଠିକାଦାର ବଟକୃଷ୍ଣ ଜେନା କରୁଥିଲେ । ଉକ୍ତ ନିର୍ମାଣ କାମରେ ବାଲି ପକାଇବା ପାଇଁ ଆଇଗିଣିଆ ଡମ୍ବୁରଧର ସୁନ୍ଦରାୟଙ୍କ ହାଇୱାକୁ ନିୟୋଜିତ କରିଥିଲେ । ଗତ ସୋମବାର ରାତିରେ ହାଇୱା ଚାଳକ ରାମଚନ୍ଦ୍ର ଲେଙ୍କା ବାଲି ନେଇ ଆସିଥିଲେ । କିନ୍ତୁ ପ୍ରବଳ ଗରମ ଯୋଗୁଁ ଗୋବର୍ଦ୍ଧନ ବାହାରେ ଶୋଇଥିଲେ । ବାଲି ଖାଲି କରିବା ପାଇଁ ହାଇୱା ଚାଳକ ରାମଚନ୍ଦ୍ର ପଛକୁ ଗାଡି ଆଣିଥିଲେ ।ବେପରୁଆ ଓ ଦ୍ରୁତ ଗତିରେ ଗାଡି ପଛକୁ ଆଣୁଥିବା ବେଳେ ହାଇୱାଟି ଗୋବର୍ଦ୍ଧନଙ୍କ ଉପରେ ଚଢି ଯାଇଥିଲା । ଫଳରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ଘଟିଥିଲା।

ଗାଡି ମାଲିକ, ପୁଅ ଓ ମ୍ୟାନେଜର ଫେରାର
ଏନେଇ ଚାଳକ ରାମଚନ୍ଦ୍ର ମାଲିକ ଡମ୍ବରୁଧରଙ୍କୁ ଜଣାଇଥିଲେ । ଡମ୍ବରୁଧର ତାଙ୍କ ପୁଅ ସୋନୁ ଓ ମ୍ୟାନେଜର ରାଜାଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଘଟଣାକୁ ଚପାଇ ଦେବା ପାଇଁ ଚାଳକ ରାମଚନ୍ଦ୍ର, ସୋନୁ ଓ ମ୍ୟାନେଜର ରାଜା ଯୋଜନା କରିଥିଲେ । ଗୋବର୍ଦ୍ଧନଙ୍କ ମୃତଦେହକୁ ଅଭିଯୁକ୍ତମାନେ ହାଇୱାରେ ସେଠାରୁ ଆଣି ପିତାପଲ୍ଲି କାଜୁ ଜଙ୍ଗଲରେ ଫିଙ୍ଗିଦେଇଥିଲେ ବୋଲି ପୋଲିସ କହିଛି ।

ଏମ୍ସ ନିକଟରୁ ଧରାପଡ଼ିଲା ହାଇୱା:


