ନୂଆବର୍ଷରେ ଝୁମିବ ସ୍ମାର୍ଟସିଟି; ୪ ଜାନୁଆରୀରୁ ପଥ ଉତ୍ସବ
ଭୁବନେଶ୍ୱର ଆରମ୍ଭ ହେବ ପଥ ଉତ୍ସବ । ଶୀତୁଆ ସକାଳରେ ନାଚି ଗାଇ ଝୁମିବେ ରାଜଧାନୀବାସୀ । ଜନପଥ, ଜାଗମରା ଓ ଇନଫୋସିଟିରେ ହେବ 3ଟି ଏଡିସନ ।

Published : December 31, 2025 at 1:29 PM IST
Patha Utsav ଭୁବନେଶ୍ୱର: ନୂଆ ବର୍ଷର ଶୀତୁଆ ସକାଳରେ ପୁଣି ନାଚି ଗାଇ ସଙ୍ଗୀତର ତାଳେ ତାଳେ ଝୁମିବ ରାଜଧାନୀ । ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପଥ ଉତ୍ସବ 2025-26। ରାଜଧାନୀର ରାଜରାସ୍ତାରେ ଶୀତୁଆ ସକାଳରେ ଓଡ଼ିଆ କଳା ସଂସ୍କୃତିକୁ ବହନ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜଧାନୀବାସୀ । ବ୍ୟସ୍ତ ବହୁଳ ରାଜଧାନୀବାସୀଙ୍କ ଜୀବନରେ ମନୋରଞ୍ଜନ ଭରିବ ପଥୋତ୍ସବ । ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିବ ବିଭିନ୍ନ ପ୍ରତିଭାର ଝଲକ ଆଉ ପଦର୍ଶିତ ହେବ ସହରରୁ ବସ୍ତିର ପ୍ରତିଭା । ଶରୀରକୁ ଟିକିଏ ଫୁର୍ତ୍ତି ରଖିବା ସହ ମନଖୋଲି ମନୋରଞ୍ଜନ ପାଇଁ ଶିଶୁଠୁ ବୟସ୍କ ପର୍ଯ୍ୟନ୍ତ ଏକାଠି ହେବେ ।
ପଥ ଉତ୍ସବ:
ନୂଆବର୍ଷ ଅର୍ଥାତ ଆସନ୍ତା ୪ ଜାନୁଆରୀ ୨୦୨୬ରୁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆୟୋଜିତ କରାଯିବ ପଥଉତ୍ସବ ବା ରାହାଗିରି । ପ୍ରଥମେ ୪ ତାରିଖ ଦିନ ଜନପଥରେ ବା ରାମ ମନ୍ଦିର ଠାରୁ ମାଷ୍ଟରକ୍ୟାଣ୍ଟିନ ଯାଏଁ ପଥୋତ୍ସବ ହେବାକୁ ଥିବା ବେଳେ ୧୮ ଜାନୁୟାରୀରେ ଜାଗମରା, ୧ ଫେବୃଆରୀରେ ଇନଫୋସିଟି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ତେବେ ପଥୋତ୍ସବ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଆଜି ଏକ ପ୍ରଚାର ଗାଡି ବାହାରିଛି । ଏହି ଗାଡିକୁ ଭୁବନେଶ୍ଵର ମେୟର ଉଦ୍ଘାଟନ କରିଥିବା ବେଳେ ସହର ସାରା ଗାଡି ବୁଲି ପଥୋତ୍ସବ ପାଇଁ ଲୋକଙ୍କୁ ଜଣାଇବା ସହ ବିଭିନ୍ନ ସହର ପ୍ରତିଭାର ଅନ୍ଵେଷଣ କରିବ ।
ମେୟର ସୁଲୋଚନା ଦାସ କହିଛନ୍ତି, "ଆସନ୍ତା ଜାନୁଆରୀ 4 ତାରିଖରେ ପଥ ଉତ୍ସବର ପ୍ରଥମ ଏଡିସମନ ହେବ । ପରେ ଜାନୁଆରୀ 14 ତାରିଖ ଓ ଫେବୃଆରୀ 1 ତାରିଖରେ ଦ୍ବିତୀୟ ଓ ତୃତୀୟ ଏଡିସନ ହେବ । ଭୁବନେଶ୍ବରରେ 3ଟି ଜୋନରେ ପଥ ଉତ୍ସବ ହେବ ।"
ସାଧାରଣ ଲୋକଙ୍କ ପ୍ରତିଭା ପଦର୍ଶନ:
ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ପ୍ରତିଭା ପଦର୍ଶନ ସହ ୩ଟି ଜୋନ୍ରେ ହେଉଥିବା କାର୍ଯ୍ୟକ୍ରମରେ ଓଲିଉଡ କଣ୍ଠଶିଳ୍ପୀ, ଅଭିନେତା ଓ ଅଭିନେତ୍ରୀମାନେ ଆସି ଲୋକଙ୍କୁ ମନୋରଞ୍ଜନ କରିବେ । ଲୋକଙ୍କ ପସନ୍ଦ ଅନୁସାରେ କଳାକାର ମଧ୍ଯ ଆସିବେ । କଣ୍ଠଶିଳ୍ପୀ ଅନ୍ତର ଚକ୍ରବର୍ତ୍ତୀ, ଋକଶୁନା, ସତ୍ୟଜିତ, ଅଭିନେତା ପପୁ ପମ ପମ ଆସି ପାଥୋତ୍ସବରେ ଲୋକଙ୍କ ମନୋରଞ୍ଜନ କରିବେ । କାର୍ଯ୍ୟକ୍ରମକୁ ନେଇ BMC କମିଶନର ଚଞ୍ଚଲ ରାଣା କହିଛନ୍ତି, "ପ୍ରତିଟି କୋଣରେ ନୂଆ ନୂଆ ପ୍ରତିଭାର ପଦର୍ଶିତା ହେବ । ଯେଉଁ ଜାଗାରେ ଏହା କରାଯିବ ସେହି ସ୍ଥାନର ଥିମକୁ ପଦର୍ଶିତ କରାଯିବ । ଯାହା ଭୁବନେଶ୍ୱରକୁ ଏକ ନୂଆ ପ୍ରତିଭା ଦେବ ।"
ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ:
ତେବେ ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରା ଢଙ୍ଗରେ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି BMC । ଶୀତୁଆ ସକାଳର ମଜ୍ଜା ନେବା ପାଇଁ ଭୁବନେଶ୍ୱରବାସୀଙ୍କ ପାଇଁ ପଥ ଉତ୍ସବ ମାଧ୍ୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କ ମନୋରଞ୍ଜନ ପାଇଁ ଫେରୁଥିବା ବେଳେ ଜାନୁଆରୀ 4 ତାରିଖ ସକାଳ ସାଢେ 6 ଟାରୁ ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ ୨୦୧୫-୨୬ର ଏହି ଉତ୍ସବ ଅନୁଷ୍ଠିତ ହେବ । ସବୁ ବର୍ଗର ମହିଳା ଓ ପୁରୁଷ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜ୍ଜା ନେଇପାରିବେ । କର୍ମକ୍ଲାନ୍ତ ଜୀବନରୁ ଟିକିଏ ସମୟ ବାହାର କରି ଏପରି ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେଲେ, ତାହା ଆଗାମୀ ଦିନରେ କିଛି ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମେୟର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଅରିଜିତ ସିଂଙ୍କୁ ଓଡ଼ିଶା ଟାଣି ଆଣିଲା ସୋସିଆଲ ମିଡିଆ: ରାଜବାଟୀ ବୁଲିଲେ, ପ୍ରଶଂସା କଲେ |

ନାଚ ଗୀତ ସାଙ୍ଗକୁ ଯୋଗ, ଜୁମ୍ବା, ରଙ୍ଗୋଲୀ, କିଡ୍ସ କିଙ୍ଗଡମ୍, କ୍ସେଟିଂ, ଚିତ୍ରାଙ୍କନ, ପାରମ୍ପାରିକ ନୃତ୍ୟ ଗୀତରେ ଝୁମିବେ ଦର୍ଶକ । ଖାଲି ସେତିକି ନୁହେଁ, ଦର୍ଶକଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ପାଇଁ ଖୋଲା ରହିବ ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ ମଞ୍ଚ । ଏଥିରେ ନୃତ୍ୟ, ଗୀତ, ଏକକ ଅଭିନୟ, ମିମିକ୍ରି ଆଦି ପ୍ରଦର୍ଶନ କରାଯିବ । ଶୀତୁଆ ସକାଳର ମଜ୍ଜା ନେବା ପାଇଁ ମଧ୍ୟ ଖାଦ୍ୟ ବଜାର ରହିଛି । ଏବର୍ଷ କିଛି ନୂଆ ଆଇଟମ ମଧ୍ୟ ସାମିଲ କରାଯାଇଛି । ରବିବାର ଶୀତୁଆ ସକାଳରେ ଏଥର ହଜାର ହଜାର ଦର୍ଶକ ସାମିଲ ହେବେ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମ ସକାଳ ସାଢେ 6ଟାରୁ ଆରମ୍ଭ ହୋଇ ସାଢେ 9 ଟା ପର୍ଯ୍ୟନ୍ତ ଚାଲିବ ।
ଇଟିଭି ଭାରତ, ଭୁବନେଶ୍ବର

