ETV Bharat / state

ହୋଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ

ଭୁବନେଶ୍ୱରରେ ହୋଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । କଡା ଚେତାବନୀ ଦେଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

Holi Security Arrangement
ଭୁବନେଶ୍ୱରରେ ହୋଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା (ETV Bharat Odisha)
author img

By ETV Bharat Odisha Team

Published : March 3, 2026 at 4:49 PM IST

2 Min Read
Choose ETV Bharat

ରିପୋର୍ଟ: ସତ୍ୟଜିତ୍‌ ରାଉତ

Holi Security Arrangement ଭୁବନେଶ୍ବର: ରାତି ପାହିଲେ ହୋଲି । ରଙ୍ଗର ଖେଳରେ ମସଗୁଲ ହେବେ ସଭିଏଁ । ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ଢଙ୍ଗରେ ପାଳିବାକୁ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଇନ ଶୃଙ୍ଖଳା ଦିଗକୁ ନେଇ ମଧ୍ୟ କମିଶନରେଟ୍ ପୋଲିସ ସଜାଗ ହୋଇଛି । ଏଥର ହୋଲିରେ ସହରରେ ଯେଭଳି ବଡ଼ ଅପରାଧିକ କାଣ୍ଡ ନ ଘଟିବ ସେଥିପ୍ରତି ପୋଲିସ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି ।

ଗତବର୍ଷ ହୋଲିରେ ରାଜଧାନୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା । ତେଣୁ ଏଥର ସେଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପୋଲିସ ସତର୍କ ହୋଇଛି । ବିଭିନ୍ନ ସ୍ଥାନରେ କଡାକଡି ଚେକିଂ ସହ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ଫୋର୍ସ ମୁତୟନ ହେବା ପାଇଁ ବ୍ୟବସ୍ଥା କରାଯାଇଛି ।

ହୋଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ (ETV Bharat Odisha)
ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବ୍ୟବସ୍ଥା: ସିପି
ଏନେଇ ଆଜି (ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ‘ସମସ୍ତେ ଯେମିତି ହୋଲି ପର୍ବ ସୁରୁଖୁରୁରେ ପାଳିପାରିବେ ସନେଇ କମିଶନରେଟ୍ ପୋଲିସ ଅଣ୍ଟା ଭିଡ଼ିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବ୍ୟବସ୍ଥା କରାଯାଇଛି । ୧୭ଟି ମୋବାଇଲ ପାଟ୍ରୋଲିଂ ଟିମ୍ ବିଭିନ୍ନ ସ୍ଥାନରେ ସ୍ଥିତି ଉପରେ ନଜର ରଖିବ । ୩୦ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ।’

ପିଲାଙ୍କ ଉପରେ ନଜର ରଖିବାକୁ ସିପିଙ୍କ ପରାମର୍ଶ:

କିଛି ଯୁବକମାନେ ନିଶାସକ୍ତ ଅବସ୍ଥାରେ ଗାଧୋଇବା ପାଇଁ ଯାଆନ୍ତି । ଏଥିପାଇଁ ଅଭିଭାବକମାନେ ନଜର ଦେବାକୁ ସିପି ଅନୁରୋଧ କରିଛନ୍ତି । ପିଲାମାନେ ମିଳିମିଶି ଅନ୍ୟ ଜାଗାକୁ ନ ଯାଇ ନିଜ ଘରେ ଗାଧାନ୍ତୁ । ଆମେ ୧୦ଟି ନଦୀ ଘାଟରେ ବ୍ରେଥ ଆନାଲାଇଜର ରଖିବୁ । ନିଶାସକ୍ତ ଥିଲେ ଗାଧୋଇବାକୁ ବାରଣ କରାଯିବ । ଏଭଳି କୌଣସି ପଦକ୍ଷେପ ନେବେ ନାହିଁ, ଯାହା ଦ୍ୱାରା ଥାନା କିମ୍ବା ଜେଲରେ କଟିବାକୁ ପଡ଼ିବ । ଏଥିପାଇଁ ଆମ ପକ୍ଷରୁ ଚେତାବନୀ ଦିଆଯାଉଛି ବୋଲି ସିପି କହିଛନ୍ତି ।

ଦାୟିତ୍ୱରେ ୪ ଅତିରିକ୍ତ ଡିସିପି ଓ ଅନ୍ୟ ଅଧିକାରୀ:

ଡିସିପି ଅଫିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସୁରକ୍ଷା ଦାୟିତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୧୪୫ ଜଣ ଏସଆଇ ଓ ଏଏସଆଇ ରହିବେ । ସେହିଭଳି ପାଟ୍ରୋଲିଂ ଭ୍ୟାନ୍‍ ରାଜଧାନୀର ଗଳିକନ୍ଦିରେ ବୁଲିବ । ରାଜଧାନୀର ସବୁ ଥାନା ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ରାଜଧାନୀର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସ୍ୱତନ୍ତ୍ର ନଜର ରଖାଯିବ । ମଦ୍ୟପଙ୍କୁ ନିୟନ୍ତ୍ରଣ କରିବା ପାଇଁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ସହ ପୋଲିସ ପାଟ୍ରୋଲିଂକୁ ଜୋରଦାର କରିବ । ୧୭ଟି ଟିମ୍ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯିବ । ବେପରୁଆ ଗାଡି ଚାଳନା ଓ ମଦ୍ୟପଙ୍କୁ ଯାଞ୍ଚ କରିବାକୁ ରାଜଧାନୀର ୮୫ଟି ସ୍ଥାନରେ ପୋଲିସ ଚେକିଂ କରିବ । ୧୦ଟି ନଦୀ ଘାଟରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମକୁ ମୁତୟନ କରାଯିବ ।



ଗତବର୍ଷ ହୋଲିରେ ଗଡିଥିଲା ମୁଣ୍ଡ:

ଗତବର୍ଷ ସହିଦନଗର ଥାନା ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଭିନ୍ନ ଭିନ୍ନ ଘଟଣାରେ ଦୁଇ ହତ୍ୟାକାଣ୍ଡ ଘଟିଥିଲା । ଗୋପୀ ଗୁନୀ (୨୫)ଙ୍କୁ ସ୍ତ୍ରୀ ଓ ଭାଇମାନଙ୍କ ସାମ୍ନାରେ ହତ୍ୟା କରାଯାଇଥିଲା । ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ମାର୍ଚ୍ଚ ୧୫ ହୋଲି ଉତ୍ସବ ଚାଲୁଥିବା ବେଳେ ଗଣ୍ଡଗୋଳ ହୋଇଥିଲା । ବସ୍ତିର ବାନା ଗୁଣି, ପିଙ୍କୁ ଗୁଣି ଓ ଜଣେ ନାବାଳକଙ୍କ ସହ ରଙ୍ଗ ଖେଳକୁ ନେଇ ବଚସା ହୋଇଥିଲା । ପରେ ସ୍ଥିତି ଭୟଙ୍କର ହୋଇପଡିଥିଲା । ଅଭିଯୁକ୍ତମାନେ ଗୋପୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିଲା । ସେହିପରି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ସିମେଇଗାଡ଼ିଆ ଗାଁର ଆୟୁଷ୍ମାନ ପତିଙ୍କୁ ମିଲୁ ନାମକ ଯୁବକ ଛୁରି ଭୁସି ହତ୍ୟା କରିଥିଲା । ଏହି ଘଟଣାରେ ପୋଲିସ ମିଲୁଙ୍କ ସମେତ ତାଙ୍କୁ ଫେରାର କରାଇବା ଅଭିଯୋଗରେ ଦୁଇ ଭାଇ ଓ ଅନ୍ୟ ଜଣେ ଡ୍ରାଇଭରଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ:

ୟୁଟ୍ୟୁବର ରାହୁଲ ହତ୍ୟା ଘଟଣାରେ ଆର୍ମି ଯବାନଙ୍କ ସମେତ ୩ ଗିରଫ; ଏସିପି ଖୋଲିଲେ ହତ୍ୟାର ରହସ୍ୟ

ରାଜଧାନୀରେ ଚାଞ୍ଚଲ୍ୟ: ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ହତ୍ୟା, ୩ ମାସ ତଳେ ହୋଇଥିଲା ବାହାଘର

ହର୍ବାଲ ହୋଲିକୁ ମହିଳାଙ୍କ ଗୁରୁତ୍ବ, ଫଳ-ଫୁଲ-ପତ୍ରରୁ ପ୍ରସ୍ତୁତ କରୁଛନ୍ତି ପ୍ରାକୃତିକ ରଙ୍ଗ

କେମିକାଲ୍‌ ନୁହେଁ ହର୍ବାଲ ହୋଲି: ପନିପରିବାରୁ ଫଗୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ SHG ମହିଳା

ଇଟିଭି ଭାରତ, ଭୁବନେଶ୍ବର