ETV Bharat / state

ପାଠ ପଢ଼ା ସହ ସ୍କେଟିଂରେ କରୁଛନ୍ତି କମାଲ, ହେଲେ କୁନି ଆଥଲେଟ୍ ବିଦୁଷୀଙ୍କ ପାଇଁ ଅର୍ଥ ସାଜୁଛି ବାଧକ

ଭୁବନେଶ୍ବରର 10 ବର୍ଷୀୟା ବାଳିକା ସ୍କେଟିଂ ଷ୍ଟାର ବିଦୁଷୀ ମହାରଣା । ମାଆଙ୍କ ସୀମିତ ସମ୍ବଳରେ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।

Skate Player Bidushi Maharana
Skate Player Bidushi Maharana (ETV Bharat GFX)
author img

By ETV Bharat Odisha Team

Published : November 7, 2025 at 3:00 PM IST

3 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

ଭୁବନେଶ୍ୱର: କୁନି ପାଦରେ ଚକ ଲଗାଇ ଦୂରତାକୁ ଚୁକଟିରେ ଅତିକ୍ରମ କରୁଛନ୍ତି ଭୁବନେଶ୍ୱରର 10 ବର୍ଷିୟା ବିଦୁଷୀ ମହାରଣା । ସ୍କେଟିଂ ହେଉଛି ତାଙ୍କ ସାହାସ ଓ ସ୍ୱପ୍ନ । ଜାତୀୟ ସ୍ତରରେ ଅନେକ ମେଡାଲର ଅଧିକାରୀ ବିଦୁଷୀଙ୍କ ସ୍ୱପ୍ନ ସ୍କେଟିଂ ଖେଳି ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ନାଁ କରିବା । ହେଲେ ସ୍ୱପ୍ନ ପୂରଣରେ ବାଧା ସାଜିଛି ଅର୍ଥ । ଛୋଟ ବୟସରୁ ବାପାଙ୍କୁ ହରାଇଥିବା ବିଦୁଷୀଙ୍କ ପରିବାର କହିଲେ କେବଳ ମାଆ । ଆଉ ମାଆଙ୍କର ରୋଜଗାରର ଏକମାତ୍ର ମାଧ୍ୟମ ସିଲେଇ ମେସିନ । ସିଲେଇ କରି ଝିଅର ସ୍ୱପ୍ନ ପୂରଣ କରିବା ମାଆ ପକ୍ଷେ ଏବେ ଅସମ୍ଭବ ହୋଇପଡୁଛି । ବଣ ମଲ୍ଲୀ ବଣରେ ଫୁଟି ନ ମଉଳି ଯାଉ ସେଥିପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ବିଦୁଷୀଙ୍କ ମାଆ ।

ବହୁମୁଖୀ ପ୍ରତିଭାର ଅଧିକାରୀ ବିଦୁଷୀ:

ପାଠଠୁ ନେଇ ଖେଳ ସବୁଥିରେ ଆଗରେ ବିଦୁଷୀ । ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବିଦୁଷୀ ପ୍ରତିଦିନ ଖେଳ ପାଇଁ 3 ଘଣ୍ଟା ଏବଂ ପାଠ ପାଇଁ 6 ଘଣ୍ଟା ସମୟ ଦେଇଥାନ୍ତି । ସ୍କେଟିଂ ଖେଳି ଜାତୀୟ ସ୍ତରରେ ଜୁନିଅର ବର୍ଗରେ ଅନେକ ସମ୍ମାନର ଅଧିକାରୀ ହେବାସହ ଅନେକ ମେଡାଲ ମଧ୍ୟ ଜିତିଛନ୍ତିି ।

Skate Player Bidushi Maharana (ETV Bharat Odisha)

ବିଦୁଷୀ ମହାରଣା କୁହନ୍ତି, "ଆଗକୁ ଜାତୀୟ ସ୍ତରୀୟ ସ୍କେଟିଂ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରୁଛି । ସେଥିରେ ଖେଳିବାକୁ ଆହୁରି ଭଲ ସ୍କେଟ ଓ ବେରିଂ ଦରକାର । ମୋର ଲକ୍ଷ୍ୟ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ଜିତି ଦେଶ ପାଇଁ ଗୌରବ ହାସଲ କରିବି l ଗୋଆ, କୋଲକାତା, ରାୟପୁର ଯାଇ ଜାତୀୟ ମ୍ୟାଚ ଖେଳିଛି । ରାଜ୍ୟ ସ୍ତରରେ ପୁରୀ, କଟକ, ବ୍ରହ୍ମପୁରରେ ଖେଳିଛି ଓ ସବୁଥିରେ ଗୋଲ୍ଡ ମେଡାଲ ପାଇଛି । "

Bidushi Maharana skate certificate
Bidushi Maharana skate certificate (ETV Bharat Odisha)

ସିଲେଇ କରି ଝିଅର ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା :

ରାଜଧାନୀ ଭୁବନେଶ୍ୱରରେ ଭଡ଼ା ଘରେ ରହୁଥିବା ବ୍ରହ୍ମପୁରର ଗୀତା ମହାରଣାଙ୍କ ଏକମାତ୍ର ଝିଅ ହେଉଛି ବିଦୁଷୀ । କ୍ୟାନସରରେ ସ୍ୱାମୀଙ୍କ ଦେହାନ୍ତ ପରେ ଝିଅକୁ ମଣିଷ କରି ଗଢି ତୋଳିବା ପାଇଁ ସଂଘର୍ଷ କରୁଛନ୍ତି ଗୀତା । ସିଲେଇ ମେସିନକୁ ରୋଜଗାରର ମାଧ୍ୟମ କରି ଝିଅର ସ୍ୱପ୍ନ ପୂରଣ କରିବାକୁ ଲାଗି ପଡିଛନ୍ତି ଗୀତା । ହେଲେ ସେତିକି ସମ୍ବଳ ଝିଅର ସ୍ୱପ୍ନ ପୂରଣ କରିବାକୁ ଅସମର୍ଥ । ଝିଅର ସ୍କେଟିଂରେ ଆବଶ୍ୟକ ଉପକରଣ କିଣିବା ପାଇଁ ତାଙ୍କ ପାଖରେ ଟଙ୍କାର ଅଭାବ କାରଣରୁ ନିଜର ସୁନା କାନଫୁଲ ବିକ୍ରି କରିଥିବା କହିଛନ୍ତି ଗୀତା ମହାରଣା

Bidushi Maharana skate certificate
Bidushi Maharana skate certificate (ETV Bharat Odisha)

ଅର୍ଥ ଅଭାବ, ସରକାରୀ ସହାୟତା ନିବେଦନ:

ବିଦୁଷୀଙ୍କ ମାଆ ଗୀତା ମହାରଣା କହିଛନ୍ତି, "ଝିଅ ଭଲ ଖେଳୁଥିବାରୁ ତାକୁ ନେଇ ଭବିଷ୍ୟତରେ ଅନେକ ଲକ୍ଷ୍ୟ ଅଛି । ତା ପାଇଁ ବହୁତ କିଛି କରିବାକୁ ଇଚ୍ଛା ଅଛି । ହେଲେ ଅର୍ଥ ଅଭାବ ହେତୁ ତାକୁ ମୁଁ ସବୁ ଖେଳ ଉପକରଣ ଯୋଗାଇ ପାରୁନି । ତା ଜୋତା ଓ ଖେଳ ଉପକରଣ ବହୁତ ଦାମୀ । ଯାହା କିଣିବା ପାଇଁ ମୋ ପକ୍ଷେ ସମ୍ଭବ ନୁହେଁ । ସ୍କେଟିଂରେ ସେ ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରରେ ସବୁଠି ଖେଳିଛି । ସରକାର ଯଦି ଝିଅକୁ ସାହାଯ୍ୟ କରନ୍ତେ ତେବେ ସେ ରାଜ୍ୟର ନାଁ ଆହୁରି ଆଗକୁ ନେବ ।"

Skate player Bidushi Maharana
Skate player Bidushi Maharana (ETV Bharat Odisha)

ସେ ଆଉ ମଧ୍ୟ କହିଛନ୍ତି," ବିଦୁଷୀଙ୍କ କୋଚ ମଧ୍ୟ ବହୁତ ସାହାଯ୍ୟ କରନ୍ତି । ସ୍କେଟିଂ ପାଇଁ ଗ୍ରାଉଣ୍ଡ ଦରକାର । ଯେଉଁ ଗ୍ରାଉଣ୍ଡରେ ସ୍କେଟିଂ ଅଭ୍ୟାସ କରାଯାଉଛି ସେହି ଗ୍ରାଉଣ୍ଡରେ ସ୍କେଟିଂ ପାଇଁ ସୁବିଧା ନାହିଁ । କିନ୍ତୁ 70ରୁ 80 ପିଲା ସେହିଠାରେ ଅଭ୍ୟାସ କରୁଛନ୍ତି । "

ମାଗଣାରେ କୋଚିଂ ଦେଉଛନ୍ତି କୋଚ୍:

ଏକାମ୍ର ସ୍କେଟିଂ ଏକାଡେମୀରେ 3ବର୍ଷ ହେଲା ସ୍କେଟିଂ ପ୍ରଶିକ୍ଷଣ ନେଉଛନ୍ତି ବିଦୁଷୀ । ରାଜ୍ୟରେ ସ୍କେଟିଂର ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ଓ ଅର୍ଥାଭାବ କାରଣରୁ ଲିଙ୍ଗରାଜ ମନ୍ଦିର ସାମ୍ନାରେ ତାଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି କୋଚ୍ ବିଶ୍ଵଜିତ ସ୍ୱାଇଁ

Bidushi Maharana with her Mother Gita Maharana
Bidushi Maharana with her Mother Gita Maharana (ETV Bharat Odisha)

ସ୍କେଟିଂ ଭିତ୍ତିଭୂମିର ଅଭାବ:

କୋଚ୍ ବିଶ୍ୱଜିତ ସ୍ୱାଇଁ କହିଛନ୍ତି,"ବିଦୁଷୀ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ସ୍କେଟିଂ ଖେଳି ଅନେକ ମେଡାଲ ଆଣିଛନ୍ତି । ବିଦୁଷୀଙ୍କ ଭଳି ଅନେକ ପ୍ରତିଭାଶାଳୀ ପିଲାମାନେ ଆମ ଏକାଡେମୀରେ ଓ ଆମ ରାଜ୍ୟରେ ଅଛନ୍ତି । ଅନେକ ପିଲା ଅର୍ଥାଭାବରୁ ଆଗକୁ ଖେଳିପାରୁ ନାହାନ୍ତି । ମୁଁ (କୋଚ) ଯେମିତି ଅର୍ଥ ଅଭାବରୁ ଆଗକୁ ଖେଳିପାରିନଥିଲି, ମୁଁ ଚାହେଁ ନାହିଁ ମୋ ପରି ଆଉ କେହି ଏସବୁର ସମ୍ମୁଖୀନ ହୁଅନ୍ତୁ । ସେଥିପାଇଁ ଏମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଏ । ଯାହା ଦ୍ୱାରା ସେମାନେ ଆଗକୁ ଯାଇ ଏକାଡେମୀ ଏବଂ ରାଜ୍ୟର ନାଁ ରଖିବେ ।

Skate player Bidushi Maharana
Skate player Bidushi Maharana (ETV Bharat Odisha)

ଦକ୍ଷତାକୁ କେହି ବାନ୍ଧି ପାରିବେନି:

ଅନ୍ୟ ରାଜ୍ୟଗୁଡ଼ିକରେ ସ୍କେଟିଂର ଭିତ୍ତିଭୂମି ଭଲ ଅଛି । କିନ୍ତୁ ଆମ ରାଜ୍ୟରେ ସ୍କେଟିଂର ଭିତ୍ତିଭୂମି କିଛି ନାହିଁ । ଯେଉଁଥିପାଇଁ ସେଠିକାର ପିଲାମାନେ ଆମ ପିଲାମାନଙ୍କଠାରୁ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । କୋଚ୍ ବିଶ୍ୱଜିତଙ୍କ କହିବା ହେଲା " ଲିଙ୍ଗରାଜ ମନ୍ଦିର ଆଗରେ ପିଲାମାନଙ୍କୁ ସ୍କେଟିଂ ଶିଖାଉଛି । ସେଇଟା ସ୍କେଟିିଂ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ। ଆମ ପିଲା ଯେଉଁଠି ବି ପ୍ରାକ୍ଟିସ କରନ୍ତୁ, ରାଜ୍ୟ ଓ ଜାତୀୟ ସ୍ତରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ସରକାର ଯଦି ଗୋଟିଏ ସ୍କେଟିଂ ଗ୍ରାଉଣ୍ଡ ନିର୍ମାଣ କରନ୍ତେ, ପିଲାମାନେ ଆହୁରି ଆଗକୁ ଯାଇ ପାରନ୍ତେ ।"

Skate player Bidushi Maharana with her team
Skate player Bidushi Maharana with her team (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ଅର୍ଥାଭାବ ସାଜିଥିଲା ବାଧକ, ମୋବାଇଲରୁ ଶିଖି ଏବେ ଆଙ୍କୁଛନ୍ତି ମନଲୋଭା ଚିତ୍ର

ବହୁମୁଖୀ ପ୍ରତିଭାର ରାଣୀ ଓମରାନ୍ନି; ନୃତ୍ୟ ଏବଂ କ୍ରୀଡ଼ା କ୍ଷେତ୍ରରେ ସାଉଁଟୁଛନ୍ତି ସଫଳତା

ମୋବାଇଲ ପାଇଁ ଖାଁ ଖାଁ ଖେଳ ପଡ଼ିଆ ! ଅନଲାଇନରେ ଖେଳୁଛନ୍ତି କିନ୍ତୁ ପଡ଼ିଆରେ ନୁହେଁ

ରାଜ୍ୟରେ ସ୍କେଟିଂର ଚାହିଦା ବଢୁଥିବା ବେଳେ ଭିତ୍ତିଭୂମିର ଅଭାବ ଖେଳାଳିମାନଙ୍କୁ ନିରାଶ କରୁଛି । ଯଦିଓ କଳିଙ୍ଗ ଷ୍ଟାଡିୟମରେ ସ୍କେଟିଂ ପାଇଁ କିଛି ମାତ୍ରାରେ ସୁବିଧା ଅଛି । କିନ୍ତୁ ଏହାକୁ ପ୍ରାଧାନ୍ୟ ଦିଆଯାଉ ନାହିଁ l ତେଣୁ ଏହାକୁ ନେଇ କ୍ୟାରିୟର କରିବାକୁ ପିଲାମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି l ସରକାର ଯଦି ସ୍କେଟିଂ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଅନ୍ତି ତେବେ ଯେଉଁମାନେ ସ୍କେଟିଂ ଖେଳିବା ପାଇଁ ସ୍ୱପ୍ନ ଦେଖିଛନ୍ତି ସେମାନେ ଆଗକୁ ଯାଇ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିବେ l

Skate player Bidushi Maharana with medals
Skate player Bidushi Maharana with medals (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର