ରାଜ୍ୟରେ ପ୍ରଥମ, ଗୃହପାଳିତ ପଶୁଙ୍କ ପାଇଁ ଶବଦାହ ଗୃହ
ଏଥର ଗୃହପାଳିତ ପ୍ରାଣୀଙ୍କ ମୃତ ଶରୀର ବାହାରେ ଫୋପାଡ଼ିବାକୁ ପଡ଼ିବନି । ରାଜଧାନୀ ଭୁବନେଶ୍ବରରେ ଗୃହପାଳିତ ପଶୁଙ୍କ ପାଇଁ ଶବଦାହ ଗୃହ ଉଦଘାଟିତ ହୋଇଛି । ରିପୋର୍ଟ- ଦେବସ୍ମିତା ରାଉତ

Published : September 1, 2026 at 5:08 PM IST
ଭୁବନେଶ୍ବର: ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ପରେ ଆଉ ବାହାରେ ଫୋପାଡ଼ିବାକୁ ପଡ଼ିବ ନାହିଁ । ରାଜଧାନୀରେ ପ୍ରଥମ ଥର ବିଏମସି ପକ୍ଷରୁ ଉଦଘାଟିତ ହେଲା ଗୃହପାଳିତ ପଶୁଙ୍କ ପାଇଁ ଶବଦାହ ଗୃହ । ଗତକାଲି (ସୋମବାର) ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ କର୍ପୋରେସନର ଶେଷ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଏମସି ପକ୍ଷରୁ 23ଟି ନୂଆ ପ୍ରକଳ୍ପ ରାଜଧାନୀବାସୀଙ୍କୁ ଭେଟି ଦେବା ସହ 8ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା । ସେପଟେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଏମସିର 15ଟି ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମେୟର ସୁଲୋଚନା ଦାସଙ୍କ କାର୍ଯ୍ୟକାଳରେ ଭୁବନେଶ୍ୱର ମହାନଗର ନିଗମରେ ନୂଆ ନୂଆ ଯୋଜନା ଓ ଅନେକ ପ୍ରତିଶ୍ରୁତି ନେଇ କର୍ପୋରେସନ ଆରମ୍ଭ ହୋଇଥିଲା । ସେଥିରୁ କିଛି ପୂରଣ ହୋଇଛି ସତ, କିନ୍ତୁ ବାକି ରହିଯାଇଛି ଅନେକ କିଛି । ସେହି ପ୍ରତିଶ୍ରୁତିକୁ ପାଳନ କରିବାକୁ ଯାଇ ଏବଂ ସହରବାସୀଙ୍କ ବିକାଶକୁ ନଜରରେ ରଖି ସ୍ୱାୟତ୍ତ ଶାସନ ଦିବସ ଅବସରରେ ନୂଆ ପ୍ରକଳ୍ପ ଭେଟି ଦିଆଯାଇଥିବା କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ ।

ଗୃହପାଳିତ ପଶୁଙ୍କ ପାଇଁ ଶବ ଦାହ ଗୃହ ଲୋକାର୍ପିତ:
ମେୟର କହିଥିଲେ,"ଲୋକଙ୍କୁ ସହଜ ଓ ସୁବିଧା ସେବା ଯୋଗାଇ ଦେବା ସହ ସେମାନଙ୍କର ସହଯୋଗ ଓ ସମର୍ଥନକୁ ନେଇ ସହରର ବିକାଶକୁ ଆଗକୁ ଆଗେଇ ନେବାର ସଂକଳ୍ପ ଆମେ ନେଇଛୁ । ସହରକୁ ସ୍ଵଚ୍ଛ ସୁନ୍ଦର ରଖିବା ସହ ସାହାରୀବାସୀଙ୍କ ଜୀବନକୁ ସୁଗମ କରିବା ପାଇଁ 23ଟି ନୂଆ ପ୍ରକଳ୍ପ ଭେଟି ଦେଇଛୁ । ବିଏମସି ପକ୍ଷରୁ ପ୍ରଥମ ଥର ପାଇଁ ଗୃହପାଳିତ ପଶୁଙ୍କ ପାଇଁ ଶବଦାହ ଗୃହ ଲୋକାର୍ପିତ ହୋଇଛି ।"

ଡ୍ରେନେଜ ସମସ୍ୟା ସମାଧାନ ପାଇଁ ମାଷ୍ଟର ପ୍ଲାନ:
ବିଏମସି କମିଶନର ଚଞ୍ଚଳ ରାଣା କହିଛନ୍ତି,"ସହରର ମୁଖ୍ୟ ସମସ୍ୟା ହେଉଛି ଡ୍ରେନେଜ । ବିଶେଷ କରି ଏହାର ସ୍ଥାୟୀ ସମାଧାନ ପାଇଁ ଏକ ବଡ଼ ମାଷ୍ଟର ପ୍ଲାନ ଯୋଜନା ରହିଛି । ଆଇଆଇଟି ରୁରକି ସହାୟତାରେ ସହରର ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଇସ୍କନ, ବମିଖାଲ, ରୁଦ୍ରପୁର କେନାଲ, ନହରକଣ୍ଟା ଅଞ୍ଚଳରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରହିଛି । ଏନେଇ ଡିପିଆର୍ ପ୍ରସ୍ତୁତ ହୋଇଛି । ଇସ୍କନ ଡ୍ରେନେଜ ପାଇଁ ଟେଣ୍ଡର୍ ମଧ୍ୟ ହୋଇସାରିଛି । ସେହିପରି CBG ବା (Compressed Biogas) ପ୍ଲାଣ୍ଟକୁ ଚଳିତ ବର୍ଷ ଶେଷ କରିବାକୁ ଯୋଜନା ରହିଛି । ଯାହାଫଳରେ ଏମସିସି ଉପରେ ଚାପ କମ କରାଯାଇପାରିବ । ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପାଇଁ ମଧ୍ୟ ଚୁକ୍ତି ନାମା କରାଯିବ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଏହାକୁ କାଯ୍ୟକାରୀ କରାଯିବ । ଅନ୍ୟପଟେ ବସ୍ତି ମୁକ୍ତ ସହର କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ବସ୍ତି ବାସିନ୍ଦା କିଭଳି ପକ୍କା ଘର ପାଇବେ ସେନେଇ ପ୍ରୟାସ ଜାରି ରହିଛି । "
ସେହିପରି ସହରରେ ବଡ଼ ମାର୍କେଟ ଉପରେ ବିଏମସିର ଫୋକସ ରହିଛି । ଭଗବାନପୁର, ବରଗଡ଼, ୟୁନିଟ୍ ୪ ମାର୍କେଟ, ତାରିଣୀ ମାର୍କେଟ ଗୁଡିକର ଉନ୍ନତିକାରଣ କାର୍ଯ୍ୟ ମଧ୍ୟ ବିଏମସି ହାତକୁ ନେଉଛି । ଏହାସହ ପାହାଳରେ ଷ୍ଟିଡ଼ ଫୁଡ୍ ହବ ନିର୍ମାଣ କାଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । ଦାରୁଠେଙ୍ଗ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନେଇଛି ବିଏମସି । ରୋଡ଼, ପାର୍କ, କଲ୍ୟାଣମଣ୍ଡପ, ଡ୍ରେନ ଭଳି ଆଧୁନିକ ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭୁବନେଶ୍ୱରର 30ଟି ପବ୍ଲିକ ଶୌଚାଳୟରେ ଏସଟିପି ( Sewage Treatment Plant ) କରାଯିବ । ଫଳରେ ଶୌଚାଳୟରେ ବ୍ୟବହାର ହେଉଥିବା ପାଣି ସଫା ହୋଇ ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କମିଶନର କହିଛନ୍ତି ।
| ଏହା ମଧ୍ୟ ପଢନ୍ତୁ... ସ୍ୱାୟତ୍ତ ଶାସନ ଦିବସ; ନବ ଗଠିତ ୨୮ଟି NAC ପାଇଁ ୫୬୦ କୋଟି ଟଙ୍କା ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା |
ଇଟିଭି ଭାରତ, ଭୁବନେଶ୍ବର

