ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ; ପ୍ରତ୍ୟେକ ଦିନ ବିମାନ ବାତିଲ, ଗତିପଥ ପରିବର୍ତ୍ତନ
ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏପଟେ ଆଗାମୀ ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ରହିଛି ।

Published : January 3, 2026 at 7:36 PM IST
ଭୁବନେଶ୍ବର: ଆଜି ବି ଘନ କୁହୁଡ଼ି । ସାରା ରାଜ୍ୟକୁ ସକାଳୁ ସକାଳୁ କୁହୁଡ଼ିର ଚାଦର ଘୋଡ଼େଇ ରଖିଛି । ଅତି ଘନ କୁହୁଡ଼ି ପାଇଁ ଆଜି ସକାଳୁ ରାଜଧାନୀର ଦୃଶ୍ୟମାନ ଦୂରତା ଶୂନ ମିଟରକୁ ଛୁଇଁଛି । ଏଥିପାଇଁ ଅସ୍ତବ୍ୟସ୍ତ ଜନଜୀବନ, ରାସ୍ତାରେ ଯାତାୟାତ ମୁସ୍କିଲ୍ ହୋଇପଡ଼ିଛି । ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ ୯ଟା ମଧ୍ୟରେ ଗୋଟିଏ ବି ବିମାନ ଉଡାଣ ଭାରିନଥିଲା। ଏପଟେ ଆଗାମୀ ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା କରାଯାଇଛି । ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ କୁହୁଡ଼ିର ପ୍ରଭାବ ଆହୁରି ୪ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜଧାନୀ ସମେତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରୁ ଆସୁଛି ଘନ କୁହୁଡ଼ିର ଦୃଶ୍ୟ ।
ଘନ କୁହୁଡି ପାଇଁ ଭୁବନେଶ୍ୱର ବିମାନବନ୍ଦର ସେବା ବାଧାପ୍ରାପ୍ତ ହୋଇଛି । ସକାଳ ୯ ଟା ମଧ୍ୟରେ ଗୋଟିଏ ବି ବିମାନ ଉଡାଣ ଭରିନଥିଲା । ସକାଳ ସମୟରେ ଭୁବନେଶ୍ୱରକୁ ଆସୁଥିବା ୩ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ସେହି ବିମାନ ଗୁଡ଼ିକ ହେଉଛି ରାଞ୍ଚି, କୋଲକାତା ଓ ଚେନ୍ନାଇକୁ ବିମାନ । ଗତ ୩ ଦିନ ହେଲା ଘନ କୁହୁଡ଼ି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହେଉଥିବା ସୂଚନା ଦେଇଛନ୍ତି, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ।

ଗତକାଲି ମଧ୍ୟ ବିମାନ ବନ୍ଦର ପରିସରରେ ଘନ କୁହୁଡ଼ି ରହିଥିଲା । ସକାଳ ସମୟରେ ରନୱେ ଦୃଶ୍ୟମାନ କମ ରହିଥିଲା । ଗତକାଲି ଭଳି ଆଜି (ଶନିବାର) ମଧ୍ୟ କିଛି ବିମାନ ବାତିଲ କରାଯାଇଛି, କିଛି ବିମାନ ଉଡ଼ାଣ ବିଳମ୍ବ ହେଇଛି ।
ଅତି କମରେ ଦୃଶ୍ୟମାନ ୫୫୦ ମିଟର ରହିଲେ ବିମାନ ଉଡାଣ ଓ ଅବତରଣ ହୋଇଥାଏ । କାଲିର ଘନ କୁହୁଡି ପାଇଁ ଆଜି ସକାଳେ ଥିବା ବିମାନକୁ ଏୟାର ଲାଇନ୍ସ ପୁନଃନିର୍ଦ୍ଧାରଣ (Rescheduled) କରିଥିଲେ । କିଛି ବିମାନ ଉଡାଣ ସମୟ ପରିବର୍ତ୍ତନ କରାଯାଇଛି । ଏୟାର ଇଣ୍ଡିଆର ସକାଳ ଦିଲ୍ଲୀ ବିମାନ ବାତିଲ କରାଯାଇଛି । ଘନ କୁହୁଡି ପାଇଁ କେବଳ ଭୁବନେଶ୍ବର ନୁହେଁ ଉତ୍ତର ଭାରତରେ ମଧ୍ୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ କେତେବେଳେ ଅଛି, ସମୟ କେତେବେଳେ ପରିବର୍ତ୍ତନ ହୋଇଛି, ଏସବୁ ଯାଞ୍ଚ କରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।
ଏହା ମଧ୍ୟ ପଢ଼ନ୍ତୁ- ଭୁବନେଶ୍ବରରୁ ଆବୁଧାବିକୁ ଫ୍ଲାଇଟ୍ ଚଳାଚଳ ବନ୍ଦ, ବିମାନ ସେବାରେ ବାଧା ସାଜୁଛି ଘନ କୁହୁଡି
ଏହା ମଧ୍ୟ ପଢ଼ନ୍ତୁ- ଘନ କୁହୁଡି ପାଇଁ 5 ବିମାନର ଗତିପଥ ପରିବର୍ତ୍ତନ, ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ
ଇଟିଭି ଭାରତ, ଭୁବନେଶ୍ବର

