ଆତଙ୍କ ଖେଳାଇ ହାଣିଥିଲେ; ଷଡଯନ୍ତ୍ର ଅଭିଯୋଗରେ କର୍ପୋରେଟର ଗିରଫ, 5ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା
ରାଜଧାନୀ ଭୁବନେଶ୍ବରରେ ଆତଙ୍କ ଖେଳାଇବା ପଡ଼ିଲା ମହଙ୍ଗା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣାରେ କର୍ପୋରେଟରଙ୍କ ସମେତ 5 ଅଭିଯୁକ୍ତକୁ ବାନ୍ଧିଲା କମିଶନରେଟ୍ ପୋଲିସ ।

Published : February 19, 2026 at 3:43 PM IST
|Updated : February 20, 2026 at 9:47 PM IST
ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣାରେ ବନ୍ଧା ହେଲେ କର୍ପୋରେଟର । ଗତ ୧୬ ତାରିଖ ରାତିରେ ଭୁବନେଶ୍ବରର ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁର ସ୍ଥିତ ଏକ କାଫେ୍ ସମ୍ମୁଖରେ ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଗତ ବୁଧବାର କମିଶନରେଟ୍ ପୋଲିସ ପକ୍ଷରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି (ଗୁରୁବାର) ଆଉ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ସ୍ଥାନୀୟ କର୍ପୋରେଟରଙ୍କ ହାତ ଥିବା ପୋଲିସ ପ୍ରମାଣ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମର ୬୫ ନଂ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ଓରଫ ଶମ୍ଭୁଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
ଡିସିପି ଜଗମୋହନ ମୀନା କହିଛନ୍ତି," ଅଭିଯୋଗକାରୀ କବିରାଜ ଲେଙ୍କାଙ୍କ ଭଗବାନପୁରରେ ଏକ ଫାଷ୍ଟଫୁଡ୍ ଓ କାଫେ ଦୋକାନ ରହିଛି । ଗତ ୧୬ ରାତିରେ କବିରାଜଙ୍କ ପୁଅ ହିମାଂଶୁ ଓ ତାଙ୍କର କିଛି ସାଙ୍ଗ ଦୋକାନ ଆଗରେ ଠିଆ ହୋଇଥିଲେ । ରାତି ପ୍ରାୟ ୧୨ଟା ବେଳେ ଅଭିଯୁକ୍ତମାନେ ୩ଟି ବାଇକରେ ଆସି ହଠାତ୍ ଦୋକାନରେ ପହଞ୍ଚିଥିଲେ । ଏହାଦେଖି ହିମାଂଶୁ ଘର ଭିତରେ ପଶି କବାଟ ବନ୍ଦ କରି ଦେଇଥିବା ବେଳେ ସେଠାରେ ଠିଆ ହୋଇଥିବା ଗୋପୀନାଥ ଭୁଜବଳ ଓ ସନାତନ ବାରିକଙ୍କୁ ଆକ୍ରମଣ କରିଥିଲେ ସେମାନେ । ଏପରି କି ଅଭିଯୁକ୍ତମାନେ ୩ଟି କାରକୁ ମଧ୍ଯ ଭାଙ୍ଗି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ଆହତ ଅବସ୍ଥାରେ ଗୋପୀନାଥ ଏବଂ ସନାତନ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।"

"ଏହି ଘଟଣାକୁ ନେଇ କବିରାଜ ତମାଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ ୪୮/୨୦୨୬) ରୁଜୁ କରି 5 ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ଅଞ୍ଚଳର ଶୁଭମ ବେହେରା ଓରଫ ଶୁଭ (୨୦), ସୌମ୍ୟ ରଞ୍ଜନ ବେହେରା ଓରଫ୍ କାଳିଆ (୨୩), ପ୍ରିୟବ୍ରତ ନାୟକ ଓରଫ ପ୍ରିନ୍ସ ରାଜ (୨୩) ଏବଂ ବିଏମସିର ୬୫ ନଂ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ଓରଫ ଶମ୍ଭୁଙ୍କୁ ଗିରଫ କରାଯାଇଛି । "

ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର:
ସେ ଆହୁରି ମଧ୍ୟ କହିଛନ୍ତି,"ସେମାନଙ୍କ ଠାରୁ ଦୁଇ ଖଣ୍ଡା, ଦୁଇଟି ବାଇକ, ଓ ୬ଟି ମୋବାଇଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେହିପରି ଅଟକ ନାବାଳକକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ସୌମ୍ୟ ନାଁରେ ପୂର୍ବରୁ ଖଣ୍ଡଗିରି ଥାନାରେ ୨ଟି ଓ ଖୋର୍ଦ୍ଧା ଥାନାରେ ୨ଟି ମାମଲା ରହିଛି । ପ୍ରିୟବ୍ରତ ନାଁରେ ଖଣ୍ଡଗିରି ଥାନାରେ ଗୋଟିଏ ମାମଲା ରହିଛି । ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର

