ଭଦ୍ରକରେ ଚାଞ୍ଚଲ୍ୟ: 10 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଣେ ଗିରଫ
ଭଦ୍ରକ ଚାନ୍ଦବାଲିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ । ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ ପୀଡ଼ିତା । ଏକ ବଣ ନିକଟରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ ।

Published : December 24, 2025 at 12:40 PM IST
|Updated : December 24, 2025 at 2:39 PM IST
Bhadrak Minor Rape And murder Case ଭଦ୍ରକ: ଭଦ୍ରକରେ ଲଜ୍ଜା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏକ ବୁଦା ନିକଟରୁ ମିଳିଲା ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମୃତ ନାବଳିକାଙ୍କ ବୟସ 10 ବର୍ଷ । ଭଦ୍ରକ ଜିଲ୍ଲା ବାଲିଗାଁ ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଟିମ, ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି, "ଅଭିଯୁକ୍ତକୁ ଜଗତସିଂହପୁର ଜିଲ୍ଲାରୁ ଗିରଫ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି ।"
ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଘଟିଯାଇଥିବା ଅଭାବନୀୟ ଘଟଣା ବିଷୟରେ ଅବଗତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମାନ୍ୟବର…
— CMO Odisha (@CMO_Odisha) December 24, 2025
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା:
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଗତକାଲି (ମଙ୍ଗଳବାର) ଭଦ୍ରକ ଚାନ୍ଦବାଲି ଅଞ୍ଚଳର ନାବାଳିକ ଜଣଙ୍କ ସ୍କୁଲକୁ ଯାଇ ଆଉ ଘରକୁ ଫେରି ନଥିଲେ । ସନ୍ଧ୍ୟା ପାଖାପାଖି 7ଟା ବେଳକୁ ଚାନ୍ଦବାଲି ଥାନା ବାଲିଗାଁର ଏକ ବୁଦା (ବଣ) ନିକଟରେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ନାବାଳିକାଙ୍କୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।

ଏହି ଜଘନ୍ୟ ଅପରାଧରେ ଜଡ଼ିତ ଆସାମୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଗତକାଲି (ମଙ୍ଗଳବାର) ରାତିରେ ବାଲିଗାଁରେ ରାସ୍ତା ଅବରୋଧ କରିଥିଲେ । ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ତିନୋଟି ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ନ୍ୟାୟ ଦାବି କରିଥିବା ବେଳେ, ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ପୋଲିସର ତଦନ୍ତ:
ପୋଲିସର ସୂଚନା ଅନୁସାରେ, "ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲା । ଅପରାଧରେ ସମ୍ପୃକ୍ତ ଲୋକମାନେ ଝିଅକୁ ହତ୍ୟା କରି ମୃତଦେହକୁ ବୁଦା ନିକଟରେ ଫିଙ୍ଗି ଦେଇଥିଲେ ।" ପରିବାରର ଅଭିଯୋଗ ପରେ, ପୋଲିସ ସାଇନ୍ତିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଏହା ଯୌନ ନିର୍ଯାତନା ଓ ହତ୍ୟା ମାମଲା ମନେ ହେଉଥିବା" ପୋଲିସ ପକ୍ଷରୁ କୁହାଯାଇଛି ।

ଭଦ୍ରକ ଏସପିଙ୍କ କହିବା ଅନୁଯାୟୀ, ବିସ୍ତୃତ ତଦନ୍ତ ପାଇଁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ରହିଛନ୍ତି । ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନ୍ୟାୟ ଦାବି କରିବାରୁ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ଯୋଗୁଁ ଏପରି ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସେମାନେ ମଦ ଦୋକାନ ବନ୍ଦ କରିବାକୁ ଦାବି କରିଛନ୍ତି । ଏପରି ସ୍ଥଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ନେଇଯାଉଥିବା ଗାଡ଼ିକୁ ଅଟକାଇ ଥିଲେ ସ୍ଥାନୀୟ ଲୋକେ । ପୋଲିସ ଏବଂ ତହସିଲଦାର ବୁଝାସୁଝା କରିବା ପରେ ଗାଡ଼ିକୁ ଛାଡିଥିଲେ । ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି । ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଇଛି ।

"ଘଟଣାସ୍ଥଳରେ ସଶସ୍ତ୍ର ପୋଲିସ ବାହିନୀର ଗୋଟିଏ ପ୍ଲାଟୁନ ମୁତୟନ କରାଯାଇଥିବା" ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।
ଏସଡିପିଓ ତ୍ରିଲୋଚନ ସେଠୀ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ଏବଂ ଚାନ୍ଦବାଲି ପୋଲିସ ଷ୍ଟେସନର ଭାରପ୍ରାପ୍ତ ଇନ୍ସପେକ୍ଟର ପରେଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏସଡିପିଓ ତ୍ରିଲୋଚନ ସେଠୀ କହିଛନ୍ତି,"ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ... ଧଉଳି ପରେ ସହିଦନଗରରେ ଲଜ୍ଜା, ଚାକିରି ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ ଧଉଳିରେ ଗୋପାଳପୁର ଘଟଣା ରିପିଟ୍: ନାବାଳିକାଙ୍କୁ ଗଣଦୁଷ୍କର୍ମ, ସରକାରଙ୍କୁ ନବୀନଙ୍କ କଡା ସମାଲୋଚନା |
ଇଟିଭି ଭାରତ, ଭଦ୍ରକ

