ETV Bharat / state

ଶବ ସତ୍କାର ପାଇଁ ଆସିଥିଲେ ସ୍ବର୍ଗଦ୍ବାର, ନିଜେ ହୋଇଗଲେ ଶବ

ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ! ସ୍ୱର୍ଗଦ୍ୱାର, ବେଳାଭୂମି ଏବଂ ବଡ଼ଦାଣ୍ଡରେ ବ୍ଯାପକ ପୋଲିସ ମୁତୟନ ସହିତ କଡ଼ା ପାଟ୍ରୋଲିଂ ପାଇଁ ଦାବି କରାଯାଇଛି ।

Bhadrak Youth killed at swargadwar puri murder raises security concerns
ମୃତଦେହ ଦାହ ପାଇଁ ଆସିଥିଲେ ଯୁବକ, ବଚସାରୁ ତଣ୍ଟି କାଟିଦେଲା ଅଭିଯୁକ୍ତ (ETV Bharat Odisha)
author img

By ETV Bharat Odisha Team

Published : January 10, 2026 at 10:34 AM IST

1 Min Read
Choose ETV Bharat

Puri Swargadwar Murder Case ପୁରୀ: ପୁରୀ ସ୍ବର୍ଗଦ୍ବାର ନିକଟରେ ଅଭାବନୀୟ ଅଘଟଣ । ସ୍ୱର୍ଗଦ୍ୱାରକୁ ମୃତଦେହ ଦାହ ପାଇଁ ଭଦ୍ରକରୁ ଆସିଥିବା ଜଣେ ଯୁବକକୁ ତଣ୍ଟି କାଟି ହତ୍ୟା କରାଯାଇଛି । ସ୍ବର୍ଗଦ୍ବାର ନିକଟସ୍ଥ ଚୈତନ୍ୟ ଛକରେ ଏହି ହତ୍ୟାକାଣ୍ଡ ଘଟିଛି । ସମୁଦ୍ରକୂଳ ଥାନା ପୋଲିସ ଅଭିଯୁକ୍ତ ତନ୍ମୟ ମହାପାତ୍ରକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତର ଘର ପୁରୀ ବାଲିସାହି।

ବଚସାରୁ ହତ୍ୟାକାଣ୍ଡ:
ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଭଦ୍ରକ ବନ୍ତ ଥାନା ଅଞ୍ଚଳର ରଞ୍ଜନ କୁମାର ଦାସ । ରଞ୍ଜନ ତାଙ୍କ ସମ୍ପର୍କୀୟଙ୍କ ସହିତ ଜଣେ ମୃତ ସମ୍ପର୍କୀୟଙ୍କ ଶବଦାହ ପାଇଁ ସ୍ବର୍ଗଦ୍ବାର ଆସିଥିଲେ । ସଂସ୍କାର ପାଇଁ ଆବଶ୍ୟକ ଥିବା ଏକ ପଇଡ଼ କିଣିବା ପାଇଁ ରଞ୍ଜନ ସ୍ବର୍ଗଦ୍ବାର ନିକଟସ୍ଥ ଚୈତନ୍ୟ ଛକକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ତନ୍ମୟ ମହାପାତ୍ର ସହିତ ରଞ୍ଜନଙ୍କ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଦୁର୍ବୁତ୍ତ ଜଣକ ଉତକ୍ଷିପ୍ତ ହୋଇ ରଞ୍ଜନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ରଞ୍ଜନଙ୍କ ସହିତ ଥିବା ମାନସ ରଞ୍ଜନ ନାୟକ ମଧ୍ୟ ଦୁର୍ବୁତ୍ତର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।

ମୃତଦେହ ଦାହ ପାଇଁ ଆସିଥିଲେ ଯୁବକ, ବଚସାରୁ ତଣ୍ଟି କାଟିଦେଲା ଦୁର୍ବୁତ୍ତ (ETV Bharat Odisha)

ସ୍ବର୍ଗଦ୍ବାର ଅଞ୍ଚଳରେ ପୋଲିସ ମୁତୟନ:

ହତ୍ୟାକାଣ୍ଡ ନେଇ ଅଭିଯୋଗ ଆସିବା ପରେ ଏକ ମାମଲା ରୁଜୁ କରି ସମୁଦ୍ରକୂଳ ଥାନା ପୋଲିସ ତନାଘନା ଆରମ୍ଭ କରିଛି । ଘଟଣାସ୍ଥଳର ସିସିଟିଭି ଫୁଟେଜକୁ ଯାଞ୍ଚ କରି ପଚରାଉଚରା କରାଯାଉଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି । ରାତିରେ ପୋଲିସ ପକ୍ଷରୁ ବଡ଼ଦାଣ୍ଡ, ପୁରୀ ବେଳାଭୂମି, ସ୍ବର୍ଗଦ୍ବାର ଅଞ୍ଚଳରେ ଅଧିକ ପୋଲିସ ମୁତୟନ କରାଯିବା ସହିତ କଡ଼ା ପାଟ୍ରୋଲିଂ କରାଯିବାକୁ ଦାବି ହୋଇଛି ।

ମୃତକଙ୍କ ସମ୍ପର୍କୀୟ ମାନସ ନାୟକ ସ୍ୱର୍ଗଦ୍ଵାର ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ନିନ୍ଦା କରିବା ସହିତ, ଭୟଭୀତ ଅବସ୍ଥାରେ ଅଛନ୍ତି । 'ଆଗାମୀ ଦିନରେ ଏଠାକୁ ଆସିବାକୁ ଆଉ ସାହସ ହେବନି' ବୋଲି ସେ କହିଛନ୍ତି ।

ଅଭିଯୁକ୍ତକୁ କଠୋର ଦଣ୍ଡ ଓ ପରିବାରକୁ ସହାୟତା ଦାବି:

ମୃତକ ରଞ୍ଜନ କୁମାର ଦାସ ବିବାହିତ ଥିଲେ । ଘରେ ବାପା, ସ୍ତ୍ରୀ ଓ 2 ସନ୍ତାନ ଅଛନ୍ତି । ସେ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ସମ୍ପର୍କୀୟ ମାନସ ନାୟକ ।

ଅଭିଯୁକ୍ତ ଗିରଫ:

ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, " ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିି ସାରିଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା; ବୋଲେରୋ ଧକ୍କାରେ ନାବାଳକ ମୃତ, ୨ ଆହତ


ଇଟିଭି ଭାରତ, ପୁରୀ