ଭଦ୍ରକରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ: ଗାଁରେ ପହଞ୍ଚିଲେ ପରିବାର, ୨୦ ଘଣ୍ଟା ଧରି ଘରେ ପଡ଼ିଛି ମୃତଦେହ
ସାନୁ ବିବିଙ୍କ ପରିବାର ଲୋକେ ଲକ୍ଷ୍ନୌରୁ ଆସି ପହଞ୍ଚିଛନ୍ତି । ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ପରେ ସଂସ୍କାର ହେବ । ରିପୋର୍ଟ: ଦେବାଶିଷ ମହାପାତ୍ର

Published : August 28, 2026 at 12:16 PM IST
Couple Death ଭଦ୍ରକ: ଗତକାଲି (ଗୁରୁବାର) ପୁରୁଣା ବଜାର ଥାନା ଅନ୍ତର୍ଗତ ନଂଘାମହଲା ଅଞ୍ଚଳରେ ଜଣେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଜାରି ରହିଛି । ଘର ଭିତରୁ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ଘଟଣାକୁ ପ୍ରାୟ ୨୦ ଘଣ୍ଟା ବିତିଥିଲେ ମଧ୍ୟ ମୃତଦେହ ଘରେ ପଡି ରହିଛି । ତେବେ ଆଜି (ଶୁକ୍ରବାର) ମୃତକଙ୍କ ପରିବାର ସଦସ୍ୟ ନଂଘାମହଲାରେ ପହଞ୍ଚିଛନ୍ତି । ପୋଲିସ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ମାମଲା ରୁଜୁ ହୋଇନାହିଁ ।
ମୃତକମାନେ ହେଲେ ନଂଘାମହଲା ଅଞ୍ଚଳର ୩୪ ବର୍ଷୀୟ ମୁସ୍ତାଫ ରାଜା ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଅଞ୍ଚଳର ୩୩ ବର୍ଷୀୟା ସାନୁ ବିବି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ମୁସ୍ତାଫ ଲକ୍ଷ୍ନୌରେ ଚାକିରି କରୁଥିବା ସମୟରେ ସାନୁଙ୍କ ସହ ପରିଚିତ ହୋଇଥିଲେ । ପରେ ଉଭୟ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ରହିଛନ୍ତି ।

ମହମ୍ମଦଙ୍କ ଜୟନ୍ତୀ ପାଳିବାକୁ ଭଦ୍ରକ ଆସିଥିଲେ:
ତେବେ ଉଭୟେ ଗତ ବୁଧବାର (26 ଅଗଷ୍ଟ) ପ୍ରଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ମୁସ୍ତାଫ ଓ ସାନୁ ଦୁଇ ଝିଅଙ୍କ ସହ ନଂଘାମହଲାକୁ ଆସିଥିଲେ । କିନ୍ତୁ ଗତକାଲି ଉଭୟଙ୍କ ମୃତଦେହ ମିଳିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସାନୁଙ୍କ ପରିବାରଲୋକେ ପହଞ୍ଚିଲେ:
ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ପୁରୁଣା ବଜାର ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୁରୁଣା ବଜାର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ସାନୁ ବିବିଙ୍କ ପରିବାର ଲୋକେ ଲକ୍ଷ୍ନୌରୁ ଭଦ୍ରକ ଆସିନଥିବାରୁ ଉଭୟଙ୍କ ମୃତଦେହ ପୋଲିସ ଜବତ କରିପାରିନଥିଲା । ତେବେ ସାନୁଙ୍କ ପରିବାର ଲୋକେ ଆଜି(ଶୁକ୍ରବାର) ସକାଳୁ ଆସି ପହଞ୍ଚିଛନ୍ତି ।
‘ମୃତଦେହ ଦେଖି ପୋଲିସକୁ ଖବର ଦେଲୁ’
ଏନେଇ ସ୍ଥାନୀୟ ଅଞ୍ଚଳର ହସନ ଖାଁ କହିଛନ୍ତି, ‘ବାହାରେ ହୋହଲ୍ଲା ହେଉଥିବାରୁ ଆସିକି ଦେଖିବାକୁ ପାଇଲୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ପଡିଥିଲା । କେଉଁ କାରଣରୁ ଉଭୟଙ୍କ ମୃତ୍ୟୁ ହେଲା ସେ ସମ୍ପର୍କରେ ଜାଣିନାହୁଁ । ଉଭୟେ ବାହାରେ ରହୁଥିଲେ । ଉଭୟେ ପର୍ବ ପାଳନ କରିବାକୁ ଆସିଥିଲେ ।’

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମୃତ ସାନୁ ବିବିଙ୍କ ପରିବାର ସଦସ୍ୟମାନେ ଭଦ୍ରକରେ ପହଞ୍ଚି ଔପଚାରିକ ଅଭିଯୋଗ ଦାଖଲ କରିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ । ଆଉ କିଛି ସମୟ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଭୟ ମୃତଦେହକୁ ଜବତ କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ସେପର୍ଯ୍ୟନ୍ତ ପୋଲିସ ସୁରକ୍ଷା ବଳୟରେ ମୃତଦେହ ରହିଛି ।
ପ୍ରାଥମିକ ସୂଚନା ଅନୁଯାୟୀ, କୌଣସି ପାରିବାରିକ କଳହକୁ କେନ୍ଦ୍ର କରି ପ୍ରଥମେ ମୁସ୍ତାଫ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।
ଇଟିଭି ଭାରତ, ଭଦ୍ରକ

