ETV Bharat / state

ହଜି ଯାଉଛି ବ୍ରହ୍ମପୁର ପାଟର ଚମକ; ଆଧୁନିକତାର ଛାପ ଦେଇ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଆଗେଇଲେ ଯୁବପୀଢି

ପ୍ରଚାର ପ୍ରସାର ବିନା ବ୍ରହ୍ମପୁର ପାଟ ଧୀରେ ଧୀରେ ତାର ପରିଚୟ ହରାଇବାକୁ ଯାଉଛି । ଏହାର ଗୌରବମୟ ପରମ୍ପରାକୁ ସ୍ବୀକୃତି ଦେବା ପାଇଁ ପ୍ରଥମ ପ୍ରୟାସ କରିଛି 'ଲାବଣ୍ୟ' ।

'Labonya' a traditional Indian textile exhibition held in Silk City
ରେଶମ ସହରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ର ପ୍ରଦର୍ଶନୀ'ଲାବଣ୍ୟ' (Etv Bharat)
author img

By ETV Bharat Odisha Team

Published : February 6, 2026 at 1:25 PM IST

|

Updated : February 6, 2026 at 4:41 PM IST

4 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ -ସମୀର ଆଚାର୍ଯ୍ୟ

ବ୍ରହ୍ମପୁର: ବାହାବ୍ରତ ପରି ଶୁଭ କାମ ହେଉ କିମ୍ବା ହେଉ ପୂଜା, ହୋମଯ଼ଜ୍ଞ ପରି ଧାର୍ମିକ କାମ । ଓଡିଆ ଘରେ ଖୋଜା ପଡେ ବ୍ରହ୍ମପୁର ପାଟ । ବ୍ରହ୍ମପୁର ପାଟ ବିନା ଯମିତି ଏସବୁ ଅଧୁରା ଲାଗେ । ଏ ଶାଢୀରେ ପାରମ୍ପରିକ ମହକ ରହିଛି, ଷ୍ଟାଇଲିଷ୍ଟ ଚମକ ବି ଅଛି । ହେଲେ ପ୍ରଚାର ପ୍ରସାର ବିନା ବ୍ରହ୍ମପୁର ପାଟ ଧୀରେ ଧୀରେ ତାର ପରିଚୟ ହରାଇବାକୁ ଯାଉଛି । ଆଧୁନିକତାର ସ୍ପର୍ଶରେ ପୂର୍ବ ଗୌରବର ଆକର୍ଷଣ ମଳିନ ପଡି ଯାଉଛି । ହେଲେ ସେଇ ମହକ, ସେଇ ଚମକ ଫେରାଇ ଆଣିବାର ଏବେ ସମୟ ଆସିଛି । ବ୍ରହ୍ମପୁରୀ ପାଟ ସିଲ୍କର ଗୌରବମୟ ପରମ୍ପରାକୁ ସ୍ବୀକୃତି ଦେବା ପାଇଁ ପ୍ରଥମ ପ୍ରୟାସ କରିଛି 'ଲାବଣ୍ୟ' । ବୈଷୟିକ ଶିକ୍ଷାନୁଷ୍ଠାନର ଯୁବପିଢୀଙ୍କ ମଧ୍ୟରେ ଆଧୁନିକ ଶିକ୍ଷା ମଧ୍ୟରେ ପାଟବସ୍ତ୍ରର ଚିନ୍ତା ଚେତନା ଉଦ୍ରେକ କରିବା ପାଇ ଉଦ୍ୟମ କରିଛି ।

ହଜି ଯାଉଛି ବ୍ରହ୍ମପୁର ପାଟର ଚମକ; ଆଧୁନିକତାର ଛାପ ଦେଇ ବଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଆଗେଇଲେ ଯୁବପୀଢି (Etv Bharat)

ବଲିଉଡରେ ବରହମପୁରୀ ପାଟ

ବ୍ରହ୍ମପୁର ପାଟର ଧାର୍ମିକ ଗୁରୁତ୍ୱ ଯେତିକି ରହିଛି ଆଧୁନିକ ପୀଢି ପାଖରେ ଆଦର ବି ସେତିକି ରହିଛି । ସଂସ୍କୃତି ଗବେଷକ ତଥା ‘ଆମେସବୁ’ ଅନୁଷ୍ଠାନର ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, ‘ବ୍ରହ୍ମପୁର ପାଟ ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଲାଗିଥାଏ । ଏଥିସହିତ ରେଙ୍ଗୁନରେ ମଧ୍ୟ ବ୍ରହ୍ମପୁର ପାଟର ଅବସ୍ଥିତି ରହିଥିଲା । ଫ୍ୟାଶନ କଥା କହିଲେ, 'ଭିଗି ପଲକେଁ' ଚଳଚ୍ଚିତ୍ରରେ ସ୍ମିତା ପାଟିଲ ବ୍ରହ୍ମପୁର ପାଟ ପରିଧାନ କରିଥିଲେ । ଯେତେବେଳେ ଭରତରେ ଦୂରଦର୍ଶନ ଆରମ୍ଭ ହୋଇଥିଲା, ସେହି ସମୟରେ ସମ୍ୱାଦପାଠିକା ମାନେ ବ୍ରହ୍ମପୁର ପାଟକୁ ପରିଧାନ କରିଥିଲେ ।’

'Labonya' a traditional Indian textile exhibition held in Silk City
ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ରର ପ୍ରଦର୍ଶନୀ 'ଲାବଣ୍ୟ' (Etv Bharat)



500 ତନ୍ତ ଏବେ 50ରେ ପହଞ୍ଚିଲାଣି

ବ୍ରହ୍ମପୁର ପାଟର ଡିଜାଇନ ଯେତିକି ସୁନ୍ଦର ପିନ୍ଧିବାକୁ ସେତିକି ସୁନ୍ଦର । ସବୁଠାରୁ ବଡ କଥା ହେଲା ଦୁର୍ଘ ବର୍ଷ ଯାଏ ଏହା ରହେ। ଅନେକ ଓଡିଆ ଘରେ ଏବେ ବି କେଉଁଠି ନା କେଉଁଠି ପୁରୁଣା ବ୍ରହ୍ମପୁରୀ ଶାଢୀ ପରମ୍ପରାପ ପ୍ରତୀକ ଭାବେ ସାଇତା ହେଇ ରହିଥିବ । ହେଲେ ସାମ୍ପ୍ରତ୍ତିକ ସ୍ଥିତିରେ ବ୍ରହ୍ମପୁର ପାଟର ଅସ୍ତିତ୍ବ ହଜି ଯିବାକୁ ବସିଛି । ଦିନେ ଏଠାରେ 500 ତନ୍ତ ଲାଗିଥିଲା ଏହି ପାଟଶାଢୀ ତିଆରି କରିବା ପାଇଁ । ହେଲେ ଏବେ ଏହି ତନ୍ତ ଲୋପ ପାଇ 50ରେ ପହଞ୍ଚିଲାଣି । ଏପରି ସ୍ଥିତିରେ ବ୍ରହ୍ମପୁର ପାଟର ପାରମ୍ପରିକ ମହକ ଫେରାଇ ଆଣିବା ପାଇଁ 'ଲାବଣ୍ୟ' ବୁଣାକାରଙ୍କ ମନରେ ଅନେକ ଆଶା ସଞ୍ଚାର କରିଛି । ଯେଉଁମାନେ ବୈଷୟିକ ଅନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ସେମାନେ ଯଦି ପାଟବସ୍ତ୍ର ପରିଧାନ କରିବେ ତେବେ ତାର ପ୍ରଭାବ ସମାଜ ଉପରେ ସକରାତ୍ମକ ରହିବ । ଏହାକୁ ଲକ୍ଷ୍ୟରେ ରଖି ଲାବଣ୍ୟ ପକ୍ଷରୁ ଆରମ୍ଭ ଏପରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବ୍ରହ୍ମପୁରୀ ପାଟ କେବଳ ଏକ ପୋଷାକ ନୁହେଁ ବରଂ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ସିଲ୍କ ବୁଣକାର ସମୁଦାୟଙ୍କର ପରିଚୟ..ଏମିତି ଏକ ଧାରଣାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଥମଥର ପାଇଁ ରେଶମ ସହରରେ ଆୟୋଜିତ ହୋଇଥିଲା ପାରମ୍ପରିକ ଭାରତୀୟ ବସ୍ତ୍ରର ପ୍ରଦର୍ଶନୀ 'ଲାବଣ୍ୟ' ।

'Labonya' a traditional Indian textile exhibition held in Silk City
ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ରର ପ୍ରଦର୍ଶନୀ 'ଲାବଣ୍ୟ' (Etv Bharat)

ରାମ୍ପ ସୋରେ ପାଟବସ୍ତ୍ର

ସହର ଉପକଣ୍ଠ ଗୋଳନ୍ଥରା ସ୍ଥିତ ରୋଲାଣ୍ଡ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (RIT) ପରିସରରେ ସହରର 'ଆମେସବୁ' ଅନୁଷ୍ଠାନର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସହରର ପାଟ ବୁଣାକାର ସମୁଦାୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ସୋରେ ସହରର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନର ଯୁବପିଢୀ ସାମିଲ ହୋଇଥିଲେ । ଯେଉଁଥିରେ ଯୁବବର୍ଗ ଚମକଦାର ରଙ୍ଗ, ସୂକ୍ଷ୍ମ କାରୁକାର୍ଯ୍ୟ ଓ ପାରମ୍ପରିକ ଶୈଳୀରେ କାମ ହୋଇଥିବା ବ୍ରହ୍ମପୁରୀ ପାଟ ପରିଧାନ କରି ରାମ୍ପକୁ ଆସିଥିଲେ । ଶାଢୀର ଚମକ ଦର୍ଶକମାନଙ୍କୁ କରିଥିଲା ମନମୁଗ୍ଧ । ଶେଷରେ ବିଜେତାମାନଙ୍କୁ ପାଟବସ୍ତ୍ର ପ୍ରଦାନ କରାଯାଇଥିଲା । ସେମାନେ ଏହି ଶାଢୀରେ ନିଜ ନିଜର ଡିଜାଇନରେ ପୋଷାକ ପ୍ରସ୍ତୁତ କରି ଆଗାମୀ ମଞ୍ଚରେ ପରିବେଷଣ କରିବେ ବୋଲି କୁହାଯାଇଥିଲା ।

'Labonya' a traditional Indian textile exhibition held in Silk City
ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ରର ପ୍ରଦର୍ଶନୀ 'ଲାବଣ୍ୟ' (Etv Bharat)



ବରହମପୁରୀ ପାଟ ପ୍ରତି ଯୁବପୀଢ଼ିଙ୍କୁ ଆକୃଷ୍ଟ କରିବା ଲାବଣ୍ୟର ଲକ୍ଷ୍ୟ

କହିବାକୁ ଗଲେ ଏପରି ସୋ ଆୟୋଜନ ପଛରେ ଲାବଣ୍ୟ ଲକ୍ଷ୍ୟ ଥିଲା ଭିନ୍ନ। ପ୍ରଥମ ଲକ୍ଷ୍ୟ ଥିଲା ଯୁବପିଢୀଙ୍କ ମଧ୍ୟରେ ଆଧୁନିକ ଶିକ୍ଷା ଭିତରେ କିପରି ପାଟବସ୍ତ୍ର ସମ୍ପର୍କିତ ଚିନ୍ତା ଚେତନା ଉଦ୍ରେକ କରିବା ସହିତ ଯୁବ ପିଢ଼ିଙ୍କୁ ପାରମ୍ପରିକ ପୋଷାକ ପ୍ରତି ଆକୃଷ୍ଟ କରିବା । ଏଥିସହିତ ବୈଷୟିକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଏଆଇ ଯୁଗରେ ଯୁଗୋପଯୋଗୀ ନୂତନ ଡିଜାଇନ୍ ପ୍ରସ୍ତୁତ କରିବା ଏବଂ ଏହାକୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ମଧ୍ୟ ରଖିଥିଲା ଲାବଣ୍ୟ । ଏସବୁ ବ୍ୟତୀତ ଆଗାମୀ ଦିନରେ ବିଦ୍ୟାର୍ଥୀଙ୍କ ପ୍ରସ୍ତୁତ ବ୍ରହ୍ମପୁର ପାଟବସ୍ତ୍ରର ଡିଜାଇନକୁ ଚୟନ କରି ତାହାକୁ ବିଭିନ୍ନ ମଞ୍ଚରେ ବ୍ୟାପକ ଭାବେ ପ୍ରଦର୍ଶନ କରିବା ଲକ୍ଷ୍ୟ ମଧ୍ୟ ରଖିଛି ।

'Labonya' a traditional Indian textile exhibition held in Silk City
ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ରର ପ୍ରଦର୍ଶନୀ 'ଲାବଣ୍ୟ' (Etv Bharat)


ସଂସ୍କୃତି ଗବେଷକ ହୃଷିକେଶ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, ଆମ ରାଜ୍ୟରେ ରହିଥିବା ଅନେକ ପାଟବସ୍ତ୍ର ରହିଛି ଯାହା ଅତ୍ୟନ୍ତ ପ୍ରାଚୀନ। ଏସବୁ ପାଟଶାଢୀର ସ୍ୱତନ୍ତ୍ର ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଛି । ପୂର୍ବରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଉଥିଲା । ହେଲେ ବର୍ତ୍ତମାନ ସୁପ୍ତ ହେବାକୁ ଯାଉଥିବା ଅନେକ ପାଟଶାଢୀ ମଧ୍ୟରୁ ବ୍ରହ୍ମପୁର ପାଟ ଗୋଟିଏ । ଏପରି ସ୍ଥିତିରେ ଲାବଣ୍ୟର ଉଦ୍ୟମ ପ୍ରଶଂସନୀୟ । ଏହି ପାରମ୍ପାରିକ ଭାରତୀୟ ବସ୍ତ୍ର ପ୍ରଦର୍ଶନୀରେ ବିଜେତାମାନଙ୍କୁ ପାଟବସ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ସେମାନେ ଏହାକୁ ପରିଧାନ କରିବା ସହିତ ନିଜ ନିଜର ଡିଜାଇନରେ ପୋଷାକ ପ୍ରସ୍ତୁତ କରି ଆଗାମୀ ମଞ୍ଚରେ ପରିବେଷଣ କରିବେ ବୋଲି କୁହାଯାଇଥିଲା ।

'Labonya' a traditional Indian textile exhibition held in Silk City
ରେଶମ ସହରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ର ପ୍ରଦର୍ଶନୀ'ଲାବଣ୍ୟ' (Etv Bharat)

ବ୍ରହ୍ମପୁର ପାଟର ପୂର୍ବ ଗୌରବ ଫେରାଇ ଆଣିବା ସମସ୍ତଙ୍କର ଦାୟିତ୍ୱ

ସେହିପରି ରୋଲାଣ୍ଡ ଇନଷ୍ଟୁଟ୍ ଅଫ୍ ଟେକ୍ନୋଲୋଜିର ପରିଚାଳନା ଚେୟାରମ୍ୟାନ ଜେ.ଜୟଲକ୍ଷ୍ମୀଙ୍କ କହିବା ଅନୁଯାୟୀ, ‘ଆମ ଅନୁଷ୍ଠାନରେ ଲାବଣ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହାକୁ ନେଇ ମୁଁ ବହୁତ ଖୁସି । ବ୍ରହ୍ମପୁର ପାଟ ଆଦର ଓ ଚାହିଦା ଦିନକୁ ଦିନ ଖସିବାରେ ଲାଗିଥିଲା । ପୁଣି ଏହାକୁ କିପରି ତାର ପୂର୍ବ ସ୍ଥିତିକୁ ଫେରାଇ ଅଣଯିବ ସେଥିପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି’ ବୋଲି ସେ କହିଛନ୍ତି ।

'Labonya' a traditional Indian textile exhibition held in Silk City
ରେଶମ ସହରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ର ପ୍ରଦର୍ଶନୀ'ଲାବଣ୍ୟ' (Etv Bharat)



ସେପଟେ ଏଭଳି କାର୍ଯ୍ୟକ୍ରମକୁ ପରିକଳ୍ପନା କରିଥିବା ସୁଦୀପ୍ତା ପାଣିଗ୍ରାହୀ କହିଛନ୍ତି, ବ୍ରହ୍ମପୁର ପାଟର ଅଧିକ ପ୍ରଚାରପ୍ରସାର କରିବା ଏଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ । ମୁଖ୍ୟତଃ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ବ୍ରହ୍ମପୁର ପାଟକୁ ନେଇ ସକରାତ୍ମକ ଭାବନା ଉଦ୍ରେକ କରିବା ସହିତ ବ୍ରହ୍ମପୁର ପାଟର ରହିଥିବା ସ୍ୱତନ୍ତ୍ର ଚାହିଦା ଏବଂ ସୌନ୍ଦର୍ଯ୍ୟ ଯେପରି ଅଧିକରୁ ଅଧିକ ଜନପ୍ରିୟ ହୋଇପାରିବ ସେ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ କରାଯାଇଛି ।’

'Labonya' a traditional Indian textile exhibition held in Silk City
ରେଶମ ସହରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ର ପ୍ରଦର୍ଶନୀ'ଲାବଣ୍ୟ' (Etv Bharat)



ଆଧୁନିକତାର ଛାପ ଦେଇ ଆଦୃତି ବଢାଇବି -ଏମବିଏ ଛାତ୍ରୀ

ସେପଟେ ବ୍ରହ୍ମପୁର ସହର ଉପକଣ୍ଠ ନିଷ୍ଟ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଏମ୍.ବି.ଏ ବିଭାଗର ଛାତ୍ରୀ ଲକ୍ଷ୍ମୀ ବେହେରା କହିଛନ୍ତି, ଏଭଳି କାର୍ଯ୍ୟକ୍ରମରେ ଆମ ପାଇଁ ଏକ ସୁଯୋଗ ରହିଥିଲା । ମୁଖ୍ୟତଃ ଆମଭଳି ଏମ୍.ବି.ଏ ଭଳି ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀମାନେ ଲାପଟପ୍ ଧରି ଅନେକ ସମୟରେ ବିଭିନ୍ନ ବ୍ୟାବସାୟିକ ପ୍ରସଙ୍ଗ ବିଷୟରେ ଉପସ୍ଥାପନା କରିଥାଉ । ହେଲେ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ନୂତନ ସୁଯୋଗ ମିଳିପାରିଲା ଯେଉଁଥିରେ କି ବ୍ରହ୍ମପୁର ପାଟର ପ୍ରଚାର ପ୍ରସାର କରିପାରିବୁ । ବର୍ତ୍ତମାନର ଏଆଇ ଯୁଗରେ ଦେଶବିଦେଶରେ ବ୍ରହ୍ମପୁର ପାଟର ସୌନ୍ଦର୍ଯ୍ୟ ପହଞ୍ଚାଇବା ତଥା ଏହାର କାରୁକାର୍ଯ୍ୟରେ ଆଧୁନିକତାର ଛାପ ଦେଇ ଏହାର ଆଦୃତି ବଢାଇବା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

'Labonya', a traditional Indian textile exhibition held in Silk City
ରେଶମ ସହରରେ ଆୟୋଜିତ ପାରମ୍ପରିକ ଭାରତୀୟ ବସ୍ତ୍ର ପ୍ରଦର୍ଶନୀ'ଲାବଣ୍ୟ' (Etv Bharat)


ଇଟିଭି ଭାରତ, ବ୍ରହ୍ମପୁର

ଏହା ମଧ୍ୟ ପଢନ୍ତୁ ନାରୀଶକ୍ତିର ନୂଆ ଚେହେରା ପଙ୍କଜିନୀ: ଶାଢ଼ୀରେ ପଟ୍ଟଚିତ୍ର କରି ଓଡ଼ିଆ କଳାକୁ ଦେଇଛନ୍ତି ନୂଆ ପରିଚୟ

ଏହା ମଧ୍ୟ ପଢନ୍ତୁ କେନ୍ଦ୍ରୀୟ ବଜେଟ ନେଇ ସମ୍ବଲପୁରୀ ବୁଣାକାର ନିରାଶ; କହିଲେ, ଜିଏସଟି ଛା଼ଡ ନ କଲେ ବୃତ୍ତି ବଞ୍ଚିବନି



Last Updated : February 6, 2026 at 4:41 PM IST