କୁନି ପିଲାଙ୍କ ହର୍ବାଲ ହୋଲି: ପରସ୍ପରକୁ ଲଗାଇଲେ ରଙ୍ଗ, ରାଧା-କୃଷ୍ଣ ବେଶରେ ମନାଇଲେ ପର୍ବ
ବ୍ରହ୍ମପୁରର ଏକ ସ୍କୁଲରେ ନିଆରା ହୋଲି ପାଳନ କରାଯାଇଛି । କୁନି ପିଲା ପାଇଁ ପ୍ରାକୃତିକ ରଙ୍ଗରେ ହୋଲି ଖେଳିଛନ୍ତି । ଏଥିସହ ଅଭିଭାବକଙ୍କୁ ସଚେତନ କରାଯାଇଛି ।

Published : March 3, 2026 at 8:44 PM IST
ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ
Herbal Holi ବ୍ରହ୍ମପୁର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ଉଡିବ ଫଗୁ, ଅବିର ରଙ୍ଗରେ ରଙ୍ଗୀନ ହେବେ ପିଲାଠୁ ବୃଦ୍ଧ । ହୋଲିକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । ବ୍ରହ୍ମପୁରର କୁନି କୁନି ପିଲାମାନେ ଖେଳିଛନ୍ତି ହର୍ବାଲ ହୋଲି । କେମିକାଲ ନୁହେଁ ପନିପରିବା ପତ୍ରରୁ ପ୍ରସ୍ତୁତ ରଙ୍ଗରୁ ହୋଲି ଖେଳିଛନ୍ତି । ଏଥିସହ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଫୁଲରେ ହୋଲି ଖେଳିଥିଲେ । ଏପରି ଆୟୋଜନକୁ ନେଇ ଛାତ୍ରଛାତ୍ରୀଠୁ ନେଇ ଅଭିଭାବକ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।
ହୋଲିକୁ ନେଇ ଉତ୍ସାହ:
ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ବର୍ଷ ତମାମ ସାରା ଦେଶବାସୀଙ୍କ ଅପେକ୍ଷା ରହିଥାଏ ହୋଲି ଅବସରରେ ସାତ ରଙ୍ଗରେ ରଙ୍ଗାୟିତ ହୋଇ ପରସ୍ପର ମଧ୍ୟରେ ଭାଇଚାରାରେ ନିଜ ନିଜକୁ ସାମିଲ କରିବା ସହିତ ପରସ୍ପର ମଧ୍ୟରେ ରହିଥିବା ରାଗ ଅଭିମାନକୁ ଏହାର ମଧ୍ୟରେ ଭୁଲିଯିବା ପାଇଁ । ଯାହାକି ପରସ୍ପର ମଧ୍ୟରେ ଅନେକ ଫଗୁ, ଅବିର ଲଗାଇ ହୋଲିର ଶୁଭେଚ୍ଛା ଜଣାଉଥିବା ବେଳେ ଏହି ପର୍ବରେ ପରସ୍ପର ମଧ୍ୟରେ ନାଚଗୀତ ମାଧ୍ୟମରେ ଧୁମଧାମ ସହକାରେ ପାଳନ କରାଯାଇଥାଏ ।

ହର୍ବାଲ ରଙ୍ଗରେ ହୋଲି...
ହୋଲି ସମୟରେ ବଜାରରେ ଅନେକ ରସାୟନିକ ରଙ୍ଗ ବିକ୍ରି ହେଉଥିବା ବେଳେ ଏହାର କୁ-ପ୍ରଭାବ ମୁଖ୍ୟତଃ ଶରୀର ଉପରେ ପଡିଥାଏ । ଯାହାକୁ ନେଇ ଅନେକ ବ୍ୟକ୍ତିବିଶେଷ ହୋଲି ଅବସରରେ ଏହି ରଙ୍ଗ ଲଗାଇବାକୁ ନାପସନ୍ଦ କରିଥାନ୍ତି । ଏପରିକି ଏହି କ୍ଷେତ୍ରରେ ଶିଶୁ ମାନଙ୍କୁ ଅତ୍ୟନ୍ତ ସତର୍କତାର ସହିତ ପରିବାର ବର୍ଗ ରାସାୟନିକ ରଙ୍ଗ ଠାରୁ ଦୂରେଇ ରଖାଯାଇଥାଏ । ହେଲେ ବ୍ରହ୍ମପୁର ସହରରେ ହୋଲି ଅବସରରେ ଛୋଟ ଛୋଟ ଶିଶୁଙ୍କ ପାଇଁ ହର୍ବାଲ ରଙ୍ଗ ପ୍ରସ୍ତୁତ କରି ବିଦ୍ୟାର୍ଥୀ ଖେଳିଛନ୍ତି ହୋଲି ।

ପିଲାଙ୍କ ପାଇଁ ହର୍ବାଲ ରଙ୍ଗ:
ହୋଲି ଅବସରରେ ରେଶମ ସହର ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହର୍ବାଲ ରଙ୍ଗ ଯେପରି ବିଶେଷ କରି ଶିଶୁ ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ଏହାକୁ ଏଡାଇବା ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିଲା ହର୍ବାଲ୍ ରଙ୍ଗ । ଶିଶୁଙ୍କ ପାଇଁ ବଜାରରେ ମିଳୁଥିବା ରାସାୟନିକ ରଙ୍ଗ ନୁହେଁ ବରଂ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇଥିବା ରଙ୍ଗକୁ ପରସ୍ପର ମଧ୍ୟରେ ବୋଳି ହୋଲି ଖେଳିଥିଲେ । ବ୍ରହ୍ମପୁରରେ ଏଭଳି ନିଆରା ହର୍ବାଲ ରଙ୍ଗ ପ୍ରସ୍ତୁତ କରିବା ପାଇଁ ଭଳିକି ଭଳି ପନିପରିବା, ନିମ୍ୱ ପତ୍ର, ଗହମ, ହଳଦି ଭଳି ସାମଗ୍ରୀ ବ୍ୟବହାର କରି ପ୍ରାକୃତିକ ଉପାୟରେ ରଙ୍ଗ ପ୍ରସ୍ତୁତ କରିବା ସହିତ ହର୍ବାଲ ରଙ୍ଗ କଣ ତାହାକୁ ଛୋଟ ଛୋଟ ଶିଶୁ ମାନଙ୍କୁ ସଚେତନ କରାଯାଇଥିଲା ।

କାହିଁକି ଶିଶୁଙ୍କ ପାଇଁ ଏପରି ଆୟୋଜନ କଲେ ?
ହୋଲି ଅବସରରେ ଛୋଟ ଛୋଟ ଶିଶୁ ମାନଙ୍କ ପାଇଁ ନିଆରା ହୋଲି ଉତ୍ସବ ପାଳନ କରି ଆସୁଥିବା ବ୍ରହ୍ମପୁର ସହରର ଲୋଚାପଡା ବ୍ରଜନଗର ଠାରେ ରହିଥିବା ଏକ ଘରୋଇ ସ୍କୁଲର ନିର୍ଦ୍ଦେଶକ ହରିଶ୍ଚର୍ଯ୍ୟ ନାୟକ କୁହନ୍ତି, ‘ବଜାରରେ ଉପଲ୍ଲବ୍ଧ ରହିଥିବା କେମିକାଲ ଯୁକ୍ତ ରଙ୍ଗ ବ୍ୟବହାର କରିବା ଯୋଗୁଁ ଚର୍ମ ରୋଗ ସହିତ ଆଖି ଉପରେ ଏହାର ପ୍ରଭାବ ପଡିଥାଏ । ତେଣୁ ବିଭିନ୍ନ ପନିପରିବା ବ୍ୟବହାର କରି ରଙ୍ଗ ପ୍ରସ୍ତୁତ କରିଥାଉ । ଏଥିରେ ଫୁଲ ମଧ୍ୟ ବ୍ୟବହାର କରାଯାଏ । ମୁଖ୍ୟତଃ ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରମ୍ପରା ଓ ଭାଇଚାରାକୁ ବଜାୟ ରଖିବା ।

ରଙ୍ଗ ଖେଳିଲେ, ନାଚଗୀତରେ ଝୁମିଲେ:
ରେଶମ ସହରରେ କୁନି କୁନି ବିଦ୍ୟାର୍ଥୀଙ୍କ ପାଇଁ ଆୟୋଜିତ ହୋଇଥିବା ହର୍ବାଲ ରଙ୍ଗ ଖେଳ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ସେମାନେ । ଛୋଟ ଶିଶୁ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ପାରମ୍ପାରିକ ରୀତିନୀତିରେ ଦହିହାଣ୍ଡି ଭାଙ୍ଗିବା ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗୀତର ତାଳେ ତାଳେ ନୃତ୍ୟ କରିବା ଭଳି କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ରହିଥିଲା ।
ଜଣେ ଛାତ୍ରୀ କହିଛନ୍ତି, ‘ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ହୋଲି ଖେଳିଲୁ । ଗାଜର ବିଟ୍ରୁ ପ୍ରସ୍ତୁତ ହୋଇଥିବା ରଙ୍ଗରେ ହୋଲି ଖେଳିଛୁ ।’
ଘରେ ଏଭଳି ପ୍ରସ୍ତୁତ କରିପାରିବେ ହର୍ବାଲ ରଙ୍ଗ:
କୁହାଯାଏ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଏଣୁ ଶିଶୁ ମାନଙ୍କୁ ସେମାନଙ୍କ ପରିବାରରେ ଅଭିଭାବକ ମାନେ କିପରି ହର୍ବାଲ ହୋଲି ପ୍ରସ୍ତୁତ କରାଯାଇପାରିବ ସେ ନେଇ ଅଭିଭାବକ ମାନଙ୍କୁ ହୋଲିରେ କିପରି ଘରେ ପ୍ରସ୍ତୁତ କରିପାରିବେ ସେ ନେଇ ସେମାନଙ୍କ ଅଭିଭାବକ ମାନେ ସଚେତନତା କରାଯାଇଛି । ଏଭଳି ସ୍ଥିତିରେ ଘରେ ରହିଥିବା ପନିପରିବା ,ପତ୍ର, ଫୁଲ ଓ ଫଳକୁ ବ୍ୟବହାର କରି ପ୍ରାକୃତିକ ଉପାୟରେ ରଙ୍ଗ ପ୍ରସ୍ତୁତ କରାଯାଇପାରିବ ।

- ବିଟ୍କୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟିବା ପରେ ଏହାକୁ ଖରାରେ ଶୁଖାଇବା ପରେ ପାଉଡର ଭଳି ଗୁଣ୍ଡ କରି ପ୍ରାକୃତିକ ଗାଢ ଖଇରିଆ ରଙ୍ଗ ପ୍ରସ୍ତୁତ କରାଯାଇପାରିବ ।
- ଘରେ ରହିଥିବା ହଳଦି ବ୍ୟବହାର କରି ହଳଦିଆ ରଙ୍ଗ ପ୍ରସ୍ତୁତ କରାଯାଇପାରିବ ।
- ଏଥିପାଇଁ କଞ୍ଚା ହଳଦୀକୁ ଖରାରେ ଭଲ ଭାବରେ ଶୁଖାଇବା ପରେ ଏହାକୁ ଗୁଣ୍ଡ କରି ହଳଦିଆ ରଙ୍ଗ ତିଆରି କରାଯାଇପାରିବ ।
- ଧଳା ରଙ୍ଗ ପ୍ରସ୍ତୁତ କରିବା ପାଇଁ ଗହମ କିମ୍ବା ଚାଉଳକୁ ଗୁଣ୍ଡ କରି ସେଥିରୁ ଧଳା ରଙ୍ଗ ପ୍ରସ୍ତୁତ କରାଯାଇପାରିବା ସହିତ ଗୋଲାପ ଫୁଲରୁ ଗୋଲାପୀ ରଙ୍ଗ ଘରେ ପସ୍ତୁତ କରାଯାଇପାରିବ ।
- ସେହିପରି ନିମ୍ୱ ପତ୍ର ତଥା ପାଳଙ୍ଗ ଶାଗକୁ ବ୍ୟବହାର କରି ସବୁଜ ରଙ୍ଗ ପ୍ରସ୍ତୁତ କରାଯାଇପାରିବ ।
- ଏଥିପାଇଁ ସର୍ବପ୍ରଥମେ ପାଳଙ୍ଗ ପତ୍ର କିମ୍ବା ନିମ ପତ୍ରକୁ ଭଲ ଭାବରେ ସଫା କରି ଧୋଇବା ପରେ ଏହାକୁ ଭଲ ଭାବରେ ଶୁଖାଇବା ପରେ ପାଉଡର କିମ୍ୱା ନିମ୍ୱ ପତ୍ରକୁ ବାଟି ସବୁଜ ରଙ୍ଗ ପ୍ରସ୍ତୁତ କରାଯାଇପାରିବ ।
- ଗାଢ ଲାଲ ରଙ୍ଗ ପାଇଁ ବିଟ୍ରୁଟ୍ର ବ୍ୟବହାର କରାଯାଇ ବିଟ୍କୁ ଧୋଇ ଛୋଟ ଛୋଟ କାଟି ନେବା ସହିତ ଏହାର ରସ ବାହାର କରି ଏକ ସୂତା କପଡାରେ ବାନ୍ଧି ଖରାରେ ଶୁଖାଇ ନିଅନ୍ତୁ ।
- ଏହା ଶୁଖାଯିବା ପରେ ଗ୍ରାଇଣ୍ଡରରେ ପାଉଡର ଭଳି ଗୁଣ୍ଡ କରିନିଅନ୍ତୁ ।
- ଯାହାକି ପ୍ରାକୃତିକ ଲାଲ ରଙ୍ଗ ଭଳି ବ୍ୟବହାର କରିହେବ ।
- ସେହିପରି ଗାଜରରୁ କମଳା ରଙ୍ଗ ତିଆରି କରିବା ଅତି ସହଜ ।
- ଏଥିପାଇଁ ଗାଜରକୁ ଭଲ ଭାବରେ ଧୋଇ ଦେବା ପରେ ତାହାକୁ କାଟି ଖରାରେ ଶୁଖାଇବା ପରେ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରି ପାଉଡର ପ୍ରସ୍ତୁତ କରାଯାଇପାରିବ ।
ବ୍ରହ୍ମପୁର ସହରରେ ଏଭଳି ହୋଲି ପର୍ବରେ ସାମିଲ ହୋଇ ଶିଶୁ ଏବଂ ସେମାନଙ୍କ ଅଭିଭାବକ ମାନେ ମଧ୍ୟ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି ।
ଅଭିଭାବକ ସୁପ୍ରିୟା ଦାଶ କହିଛନ୍ତି, ‘ଏଠାକୁ ଆସିକି ବହୁତ ଭଲ ଲାଗିଲା । ହର୍ବାଲ ରଙ୍ଗରେ ପିଲାମାନେ ହୋଲି ଖେଳିଲେ । ଏମିତି ଖେଳିଲେ ତ୍ବଚା ଖରାପ ହେବ ନାହିଁ ।’
ଇଟିଭି ଭାରତ ବ୍ରହ୍ମପୁର

