ବାଇକ ଯାତ୍ରାରେ ସଡ଼କ ସୁରକ୍ଷା ବାର୍ତ୍ତା, 2 ବର୍ଷରେ 2 ଲକ୍ଷ କିଲୋମିଟର ପରିଭ୍ରମଣ ଲକ୍ଷ୍ଯ
ସଡ଼କ ସୁରକ୍ଷା ସଚେତନତା ଲକ୍ଷ୍ୟରେ ଭାରତ ଭ୍ରମଣରେ କର୍ଣ୍ଣାଟକର ଯୁବକ ଦିବାକର ରେଡ୍ଡି । 19 ରାଜ୍ୟ ବୁଲିବା ପରେ ଏବେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି ।

Published : January 6, 2026 at 1:20 PM IST
|Updated : January 6, 2026 at 2:54 PM IST
Dibakar Reddy Road Safety ଜଗତସିଂହପୁର: ସଡ଼କ ସୁରକ୍ଷା, ଜୀବନ ରକ୍ଷା, ସଡ଼କ ସୁରକ୍ଷା ସଚେତନତା ପାଇଁ ବୁଲିଲେଣି 19 ରାଜ୍ୟ । ଏବେ ଓଡ଼ିଶାର ଅଧିକାଂଶ ଜିଲ୍ଲା ବୁଲି ସାରିଥିବା ବେଳେ, ପରେ ପଶ୍ଚିମବଙ୍ଗ ଦେଇ ଉତ୍ତରପୂର୍ବ ରାଜ୍ୟ ସମୂହ ଯାତ୍ରା କରିବେ। ଆମେ କହୁଛୁ କର୍ଣ୍ଣାଟକ କୋଲାର ଜିଲ୍ଲାର ଦିବାକର ରେଡ୍ଡିଙ୍କ କଥା । ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ମୋଟର ସାଇକେଲରେ ବାହାରିଥିବା ଦିବାକରଙ୍କୁ ଜଗତସିଂହପୁରରେ ଭବ୍ୟ ସ୍ବାଗତ କରାଯାଇଥିଲା ।
ସଡ଼କ ସୁରକ୍ଷା ସଚେତନତା ଅଭିଯାନ:
ଦିବାକର ଗତକାଲି (ସୋମାବର) ସନ୍ଧ୍ୟାରେ ଜଗତସିଂହପୁର ସହରରେ ପହଞ୍ଚିଥିଲେ । ତାଙ୍କୁ ଜିଲ୍ଲା ପ୍ରଶାସନ ଏବଂ ନାଗରିକ ମଞ୍ଚ ପକ୍ଷରୁ ସ୍ବାଗତ କରାଯାଇଥିଲା । ସେ ସମଗ୍ର ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣାକୁ କିଭଳି ରୋକାଯାଇ ପାରିବ ତାକୁ ନେଇ ଜନସାଧାରଣଙ୍କୁ ସଚେତନ କରାଉଥିବା କହିଛନ୍ତି ।

28 ରାଜ୍ୟ, 806 ଜିଲ୍ଲା ପରିଭ୍ରମଣ:
ଦିବାକର ଗତବର୍ଷ ଆରମ୍ଭ କରିଥିଲେ ବାଇକ ଯାତ୍ରା । ସେ ସାରା ଦେଶର 28ଟି ରାଜ୍ୟର 806 ଜିଲ୍ଲା ଭ୍ରମଣ ଲକ୍ଷ୍ୟ ରଖିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସମେତ 19ଟି ରାଜ୍ୟ ଭ୍ରମଣ କରିସାରିଲେଣି । ଦିବାକର କହିଛନ୍ତି " ଦୁଇ ବର୍ଷ ମଧ୍ୟରେ 2 ଲକ୍ଷ କିଲୋମିଟର ଭ୍ରମଣ କରି 28ଟି ରାଜ୍ୟର 806 ଜିଲ୍ଲାରେ ସଚେତନତା ସୃଷ୍ଟି ଲକ୍ଷ୍ୟ ରଖିଛି । ଓଡ଼ିଶା ପରେ ପଶ୍ଚିମବଙ୍ଗ ଏବଂ ଉତ୍ତରପୂର୍ବ ରାଜ୍ୟ ଯାତ୍ରା କରିବି ।"

ଜଗତସିଂହପୁର ନାଗରିକ ମଞ୍ଚ ପକ୍ଷରୁ ଦିବାକରଙ୍କ ସଡ଼କ ସୁରକ୍ଷା ଅଭିଯାନକୁ ପ୍ରଶଂସା କରାଯାଇଛି । ବୁଦ୍ଧିଜୀବୀ ରଶ୍ମି ରଞ୍ଜନ ସ୍ୱାଇଁ କହିଛନ୍ତି " ସଡ଼କ ଦୁର୍ଘଟଣାକୁ ରୋକିବା ନେଇ ଦିବାକର ରେଡ୍ଡି ଯେଉଁ ସଚେତନତା ସୃଷ୍ଟି କରୁଛନ୍ତି, ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ । ଏ ଦିଗରେ ଦେଶବାସୀ ସଚେତନ ହେଲେ ସଡ଼କ ଦୁର୍ଘଟଣା ନିଶ୍ଚିତ ଭାବେ ହ୍ରାସ ପାଇବ ଏବଂ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇବ । "

ଓଡ଼ିଶାରେ ସଡ଼କ ସୁରକ୍ଷା:
ଓଡ଼ିଶାରେ ସଡ଼କ ସୁରକ୍ଷା ମାସ (ଜାନୁଆରୀ 1ରୁ ଜାନୁଆରୀ 30) ଚାଲିଥିବା ବେଳେ, କର୍ଣ୍ଣାଟକର ଯୁବକ ଦିବାକର ରେଡ୍ଡିଙ୍କ ସଡ଼କ ସୁରକ୍ଷା ବାଇକ ଯାତ୍ରା ଏ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ସକରାତ୍ମକ ପ୍ରଭାବ ପକାଇବ।

ଏହା ମଧ୍ୟ ପଢ଼ନ୍ତୁ- ଦୁର୍ଘଟଣାର ଦିନ: ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଚାଲିଗଲା 10 ନିରୀହ ଜୀବନ
ଏହା ମଧ୍ୟ ପଢ଼ନ୍ତୁ- 'ଆମ ବସ୍' ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ, ଦୁଃଖପ୍ରକାଶ କରି ସହାୟତା ଘୋଷଣା କଲେ ସିଏମ୍

