ETV Bharat / state

୭ ବର୍ଷ ଧରି ଶଯ୍ୟାଶାୟୀ ପଦ୍ମାବତୀ; ମିଳୁନି ଭିନ୍ନକ୍ଷମ ପ୍ରମାଣପତ୍ର, ଭତ୍ତା ପାଇଁ ସରକାରଙ୍କୁ ଆକୁଳ ନିବେଦନ

ପୁରୀ ଜିଲ୍ଲା ପିପିଲି ଗୋବିନ୍ଦପୁର ପଞ୍ଚାୟତ ଭାଲିଆବିଲ ଗ୍ରାମର ପଦ୍ମାବତୀ ପରିଡ଼ାଙ୍କ ପାଇଁ ସରକାରୀ ଭତ୍ତା ପାଇବାରେ ବାଧକ ସାଜିଛି ଭିନ୍ନକ୍ଷମତାର ପ୍ରତିଶତ । ରିପୋର୍ଟ: ବିରଞ୍ଜନ ମଲ୍ଲିକ

Bedridden Puri woman PadmaBati Parida struggles for disability certificate pension benefits
ଗୋବିନ୍ଦପୁର ପଞ୍ଚାୟତ ଭାଲିଆବିଲ ଗ୍ରାମର ପଦ୍ମାବତୀ ପରିଡ଼ା (ETV Bharat)
author img

By ETV Bharat Odisha Team

Published : June 3, 2026 at 5:53 PM IST

3 Min Read
Choose ETV Bharat

ନିମାପଡ଼ା (ପୁରୀ): ଦେହ ଖରାପ ହୋଇଗଲା..ଗୋଡ ଅଚଳ ହୋଇଗଲା... କିଛି କରିପାରୁନି.. ହ୍ବିଲ୍‌ ଚେୟାର ହିଁ ମୋର ସାହାରା...ଏଭଳି ଅବସ୍ଥାରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଅନେକ ସ୍ଥାନକୁ ଗଲିଣି.. ହେଲେ ପ୍ରମାଣ ପତ୍ର ହୋଇପାରୁନି.. ମୁଁ ଚାହୁଁଛି ମୋର ଭିନ୍ନକ୍ଷମ ପ୍ରମାଣପତ୍ର ହୋଇଯାଉ ଆଉ ମୋତେ କିଛି ଭତ୍ତା ମିଳୁ.. ଦୁଃଖଭରା ସ୍ବରରେ ଏଭଳି କିଛି କହି ଭତ୍ତା ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ପଦ୍ମାବତୀ ପରିଡ଼ା (୫୦) ।

ପଦ୍ମାବତୀ ପରିଡ଼ା (ETV Bharat)

୭ ବର୍ଷ ଧରି ଶଯ୍ୟାଶାୟୀ ପଦ୍ମାବତୀ:

ପୁରୀ ଜିଲ୍ଲା ପିପିଲି ଗୋବିନ୍ଦପୁର ପଞ୍ଚାୟତ ଭାଲିଆବିଲ ଗ୍ରାମର ପଦ୍ମାବତୀ ପରିଡ଼ା । ପରିବାର କହିଲେ ସ୍ୱାମୀ ବ୍ରଜ ପରିଡ଼ା, ପୁଅ, ଝିଅ ଓ ଶ୍ବଶୁର । ଗତ ୭ ବର୍ଷ ତଳେ ପଦ୍ମାବତୀଙ୍କ ଜୀବନରେ ମାଡି଼ ଆସିଥିଲା ଅନ୍ଧାର । ହଠାତ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଏପଟେ ସ୍ବାମୀ ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ଥିଲେ ମଧ୍ୟ ପଦ୍ମାବତୀଙ୍କୁ ନେଇ ମେଡିକାଲରେ ଚିକିତ୍ସା କରାଯାଇଥିଲେ । ମାତ୍ର, ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ପଦ୍ମାବତୀ ଗୋଡ଼ ଅଚଳ ହୋଇଯାଇଥିଲା । ଭଲରେ କଥା ମଧ୍ୟ କହିପାରୁ ନାହାନ୍ତି । ଚାଲିବା ତ ଦୂରର କଥା, ନିଜ କାମ ନିଜେ କରିବା ପାଇଁ ସେ ସକ୍ଷମ ନୁହନ୍ତି । ଦୈନନ୍ଦିନ କାର୍ଯ୍ୟ ପାଇଁ ଏବେ ସେ ପରିବାର ସଦସ୍ୟଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ । ଦୀର୍ଘ ୭ ବର୍ଷ ଧରି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ପଡିଛନ୍ତି ପଦ୍ମାବତୀ ।

Padmabati Parida
ପଦ୍ମାବତୀ ପରିଡ଼ା (ETV Bharat)

ହୋଇପାରୁନାହିଁ ଭିନ୍ନକ୍ଷମ ପ୍ରମାଣପତ୍ର:

ଏଭଳି ସ୍ଥଳରେ ସରକାରୀ ସହାୟତା ଭାବରେ ପଦ୍ମାବତୀଙ୍କୁ କେବଳ ହ୍ବିଲ ଚେୟାର ଯୋଗାଇ ଦିଆଯାଇଛି । ପଦ୍ମାବତୀ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି । ୭ ବର୍ଷ ମଧ୍ୟରେ ଅନେକ ଥର ମେଡିକାଲ ଟେଷ୍ଟ କରାଯାଇଛି । ଶଯ୍ୟାଶାୟୀ ପଦ୍ମାବତୀଙ୍କୁ ୪୦ ପ୍ରତିଶତ ପରିବର୍ତ୍ତେ, ୩୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଛି । ଫଳରେ ସେ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ପରିବାରର ଅଭିଯୋଗ, ମେଡିକାଲ ବୋର୍ଡ ପକ୍ଷରୁ ୩୦ ପ୍ରତିଶତ ଭିନ୍ନକ୍ଷମତା ଦର୍ଶାଯାଇଛି । ଏପରିକି ପୁନଃ ମୂଲ୍ୟାଙ୍କନ ପାଇଁ ଦାବି କରାଯାଇଥିଲେ ମଧ୍ୟ ପ୍ରତିଶତରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପଟେ ସରକାରୀ ଭତ୍ତା ପାଇଁ ୪୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ଭିନ୍ନକ୍ଷମତା ଆବଶ୍ୟକ ଥିବାରୁ, ତାଙ୍କୁ ଯୋଜନାର ସୁବିଧା ମିଳୁନାହିଁ ।

Padmabati Parida
ପଦ୍ମାବତୀ ପରିଡ଼ା (ETV Bharat)

ପଦ୍ମାବତୀ ପରିଡ଼ା କହିଛନ୍ତି, "ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ନିମାପଡ଼ା, ପିପିଲି, ପୁରୀ ଯାଇଛି, ହେଲେ ହେଇପାରୁନାହିଁ । ମୁଁ ଚାହୁଁଛି ମୋର କେମିତି ଭତ୍ତା ହୋଇଯାଉ ।"

ନାହିଁ ରାସନ କାର୍ଡ:

ସେପଟେ ଆର୍ଥିକ ଅନଟନ ମଧ୍ୟରେ ଚିକିତ୍ସା ଓ ଦୈନନ୍ଦିନ ଖର୍ଚ୍ଚ ବହନ କରିବା ପରିବାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । କେବଳ ଏତିକି ନୁହେଁ, ଏହି ପରିବାର ସାଧାରଣ ଖାଉଟି କାର୍ଡ (ରାସନ କାର୍ଡ)ରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ପଦ୍ମାବତୀଙ୍କ ଶ୍ବଶୁର ବଳରାମ ପରିଡ଼ାଙ୍କୁ ୮୪ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ୩୫୦୦ ଟଙ୍କା ପରିବର୍ତ୍ତେ ତାଙ୍କୁ ଏକ ହଜାର ଟଙ୍କା ଭତ୍ତା ମିଳୁଛି । ସେପଟେ ଏଭଳି ମାମଲାରେ ମାନବିକ ଦୃଷ୍ଟିକୋଣରୁ ପୁନଃବିଚାର କରି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି ।

Padmabati Parida
ପଦ୍ମାବତୀ ପରିଡ଼ା (ETV Bharat)

ସରକାରଙ୍କୁ ଅନୁରୋଧ...

ପଦ୍ମାବତୀଙ୍କ ପୁଅ ସତ୍ୟଜିତ ପରିଡ଼ା କହିଛନ୍ତି, "ମାଆକୁ ନେଇ ଅନେକ ଥର ଭିନ୍ନକ୍ଷମ ଶିବିରକୁ ଯାଇଛୁ, କିନ୍ତୁ ଭିନ୍ନକ୍ଷମ ପ୍ରମାଣପତ୍ର ହୋଇପାରୁନାହିଁ । ସରକାରଙ୍କୁ ଅନୁରୋଧ କରୁଛୁ ମାଆ ପାଇଁ ଭତ୍ତାର ବ୍ୟବସ୍ଥା କରିଦିଅନ୍ତୁ । ଏହାସହ ଜେଜେବାପାଙ୍କୁ ୮୪ ବର୍ଷ ହେଲାଣି, ମାତ୍ର ତାଙ୍କୁ ଏକ ହଜାର ଟଙ୍କା ଭତ୍ତା ମିଳୁଛି । ବାପା ଦିନ ମଜୁରିଆ ଭାବରେ କାମ କରନ୍ତି । ଚାଉଳ କିଣାଠାରୁ ଆରମ୍ଭ କରି ଔଷଧ ଖର୍ଚ୍ଚ ସବୁ ବାପାଙ୍କ ସ୍ବଳ୍ପ ରୋଜଗାରରେ ହେଉଛି । ଆମର ରାସନ କାର୍ଡ ମଧ୍ୟ ନାହିଁ । ସରକାରଙ୍କୁ ଅନୁରୋଧ କରୁଛୁ, ମାଆ ପାଇଁ ଭତ୍ତାର ବ୍ୟବସ୍ଥା ଓ ରାସନ୍ କାର୍ଡ କରିଦିଅନ୍ତୁ ।"

Satyajit, son of Padmabati Parida
ପଦ୍ମାବତୀ ପରିଡ଼ାଙ୍କ ପୁଅ ସତ୍ୟାଜିତ (ETV Bharat)

ସେପଟେ ପଦ୍ମାବତୀଙ୍କ ପଡ଼ୋଶୀ ଦୀନବନ୍ଧୁ ପ୍ରଧାନ କହିଛନ୍ତି, "ପଦ୍ମାବତୀଙ୍କ ଭତ୍ତା ଖଣ୍ଡେ ହୋଇପାରୁନି । ତାଙ୍କର ରାସନ୍ କାର୍ଡ ବି ନାହିଁ । କାର୍ଡ ଥିଲେ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ହୋଇପାରିଥାନ୍ତେ । ସେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି । ତାଙ୍କ ପରିବାର ବହୁତ କଷ୍ଟରେ ଚଳୁଛନ୍ତି । ସରକାରୀ ବ୍ୟବସ୍ଥାରେ ତ୍ରୁଟି ରହୁଛି । ତାଙ୍କର ଭତ୍ତା ଓ ରାସନ୍ କାର୍ଡ ହେଲେ ସେମାନେ ଉପକୃତ ହେବେ ।"

Son Satyajit Parida serving mother Padmabati Parida
ପୁଅ ସତ୍ୟଜିତ ପରିଡ଼ା ମାଆ ପଦ୍ମାବତୀ ପରିଡ଼ାଙ୍କ ସେବା କରୁଛନ୍ତି (ETV Bharat)

ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ବିଡିଓ:

ସେପଟେ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ପିପିଲି ବ୍ଲକ ବିଡିଓ ସରୋଜ କୁମାର ରାଉତ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘଟଣାର ଅନୁଧ୍ୟାନ କରି ପରିବାରକୁ ତୁରନ୍ତ ରାସନ୍‌ କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପଦ୍ମାବତୀଙ୍କର କିଭଳି ଭିନ୍ନକ୍ଷମ ପ୍ରମାଣପତ୍ର କରାଯାଇ ତାଙ୍କୁ ଭତ୍ତା ମିଳିପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Son Satyajit Parida scratching the head of mother Padmavati Parida
ପୁଅ ସତ୍ୟଜିତ ପରିଡ଼ା ମାଆ ପଦ୍ମାବତୀ ପରିଡ଼ାଙ୍କ ମୁଣ୍ଡ କୁଣ୍ଡାଇ ଦେଉଛନ୍ତି (ETV Bharat)

ପିପିଲି ବିଡିଓ ସରୋଜ କୁମାର ରାଉତ କହିଛନ୍ତି, "ଯେଉଁ ସମସ୍ୟା ଆମ ନଜରକୁ ଆସୁଛି, ଆମେ ତୁରନ୍ତ ପଦକ୍ଷେପ ନେଉଛୁ । ଯଥାଶୀଘ୍ର ଘଟଣାର ତଦନ୍ତ କରିବାକୁ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ କହିଛୁ । ସେହପିର ଯଦି ୮୦ ବର୍ଷରୁ ଅଧିକ ବୟସ ହୋଇଥିବ ତେବେ ଅଧିକ ଭତ୍ତା ଟଙ୍କା ମଞ୍ଜୁରୀ ପାଇଁ ପଠାଯିବ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଭତ୍ତା ଦିଆଯାଇପାରିବ । ରାସନ୍ କାର୍ଡ ବିଷୟରେ ଆମେ ତଦନ୍ତ କରୁଛୁ, ଯାହା ଆମ କର୍ତ୍ତବ୍ୟ ତାହା ଆମେ ନିଶ୍ଚୟ କରିବୁ । ଯଦି କେହି ହିତାଧିକାରୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବାର ଖବର ଆସୁଛି ତେବେ ନିୟମିତ ତଦାରଖ କରିବା ପାଇଁ ପଞ୍ଚାୟତ ସ୍ତରରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛୁ । ସରକାରଙ୍କ ଯାହା ଯୋଜନା ଅଛି ତାହା କିପରି ସଠିକ ହିତାଧିକାରୀମାନେ ପାଇପାରିବେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ ।"

Father-in-law Of Padmabati Parida
ପଦ୍ମାବତୀ ପରିଡ଼ାଙ୍କ ଶ୍ବଶୁର ବଳରାମ ପରିଡ଼ା (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ବଞ୍ଚି ଥାଉଥାଉ ମାରିଦେଲେ ! ମିଳୁନି ଭତ୍ତା କି ରାସନ, ଅସହାୟ ଅବସ୍ଥାରେ ବାବାଜୀ

ମୌଳିକ ସୁବିଧାରୁ ବଞ୍ଚିତ ବେଙ୍ଗାସାହି ବାସିନ୍ଦା, ଭୋଟ୍ ବର୍ଜନ ପାଇଁ ଦେଲେ ଚେତାବନୀ

ଇଟିଭି ଭାରତ, ନିମାପଡ଼ା