ମଧ୍ୟବିତ୍ତଙ୍କ ଶସ୍ତାରେ ପ୍ରିମିୟମ୍ ଫ୍ଲାଟ ସ୍ୱପ୍ନ ହେବ ସାକାର, BDA ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ ହେଲା 'ଏକାମ୍ର ରେସିଡେନ୍ସି'
ଏକାମ୍ର ରେସିଡେନ୍ସିର ଶୁଭାରମ୍ଭ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ରିପୋର୍ଟ- ଦେବସ୍ମିତା ରାଉତ


Published : September 1, 2026 at 11:03 PM IST
ଭୁବନେଶ୍ୱର: ସ୍ମାର୍ଟସିଟିରେ ଏଣିକି ପୁରଣ ହେବ ନିଜସ୍ୱ ଘର କରିବାର ସପ୍ନ । ରାଜଧାନୀରେ ଥିବା ମଧ୍ୟବିତ୍ତ ପରିବାରର ନିଜସ୍ୱ ଘରର ସ୍ୱପ୍ନ ପୁରଣ କରିବ ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ବା ବିଡିଏ । ଏହି ଘର କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ୪୪ତମ ପ୍ରତିଷ୍ଠା ଦିବସ ଅବସରରେ ଶୁଭାରମ୍ଭ କରିଛି ସବୁଠାରୁ ବଡ଼ ଆବାସିକ ଯୋଜନା 'ଏକାମ୍ର ରେସିଡେନ୍ସି'।
ଏକାମ୍ର ରେସିଡେନ୍ସିର ଶୁଭାରମ୍ଭ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ଏହାର ଶୁଭାରମ୍ଭ ପରେ ମଧ୍ୟବିତ୍ତଙ୍କ ପାଇଁ ଶସ୍ତାରେ ପ୍ରିମିୟମ୍ ଫ୍ଲାଟ ସ୍ୱପ୍ନ ହେବ ସାକାର । ସୁବୁଦ୍ଧିପୁରର ୭.୩୬ ଏକର ପରିମିତ ବିଶାଳ ସ୍ଥାନରେ ତିଆରି ହୋଇଛି ୩ଟି ଅତ୍ୟାଧୁନିକ ୧୨ ମହଲା ବିଶିଷ୍ଟ ମେଗା ଟାୱାର। ଏହି ପ୍ରୋଜେକ୍ଟରେ ମୋଟ ୭୦୪ଟି ପ୍ରିମିୟମ୍ ଫ୍ଲାଟ୍ ରହିଛି ଯାହା ମଧ୍ୟରେ ୪୧୬ଟି 2BHK ଏବଂ ୨୮୮ଟି 3BHK ଫ୍ଲାଟ୍ ସାମିଲ । ସବୁଠାରୁ ବଡ଼ କଥା ହେଉଛି, ଏହା ସମ୍ପୂର୍ଣ୍ଣ 'ରେଡି ଟୁ ମୁଭ୍' ଏବଂ ଶତକଡ଼ା ୧୦୦ ଭୂମିକମ୍ପ ନିରୋଧୀ ସଂରଚନାରେ ନିର୍ମିତ । ଏଥିସହ ପ୍ରୋଜେକ୍ଟକୁ BDA ପକ୍ଷରୁ 'ଅକୁପାନ୍ସି ସାର୍ଟିଫିକେଟ୍' ମଧ୍ୟ ମିଳିସାରିଛି। ସ୍ୱିମିଂ ପୁଲ୍, ଅତ୍ୟାଧୁନିକ ଜିମ୍, କମ୍ୟୁନିଟି ହଲ୍, ଜଗିଂ ଟ୍ରାକ୍, ବିଶାଳ ବେସମେଣ୍ଟ ପାର୍କିଂ, ଏବଂ ୨୪ x ୭ CCTV ସୁରକ୍ଷା ପରି ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ରହିଛି।
ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ୪୪ ବର୍ଷ ଧରି ନିରନ୍ତନ ରାଜଧାନୀବାସୀଏଙ୍କୁ ସେବା ଯୋଗାଇ ଆସୁଛି ଆଉ ବର୍ତ୍ତମାନର ଚାହିଦା ଓ ଆବଶ୍ୟକତାକୁ ନେଇ ଲୋକଙ୍କ ସହ ବର୍ତ୍ତମାନ ସମୟରେ ମଧ୍ୟ ରହିଛି । ଏହି ପ୍ରକଳ୍ପ ସମସ୍ତ ସୁବିଧା ସହିତ ଏକ ଆଧୁନିକ ଓ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବ ବୋଲି ସେ କହିଥିଲେ ।
ଓଡ଼ିଶାକୁ ଶ୍ରେଷ୍ଠ କରିବାକୁ ହେଲେ ପ୍ରଥମେ ଭୁବନେଶ୍ୱରକୁ ବିକଶିତ କରିବାକୁ ହେବ ବୋଲି ମଧ୍ୟ ସେ କହିଥିଲେ । ବିଡିଏ କେବଳ ଘର ତିଆରି କରୁନାହିଁ ଲୋକଙ୍କ ଆବଶ୍ୟକତା ଦେଖି କାମ କରୁଛି । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ସହରର ଅଭିବୃଦ୍ଧି, ଲୋକଙ୍କ ସ୍ୱପ୍ନର ଘର ଓ ସବୁଜିମା ସଂରକ୍ଷଣ ସହିତ ସିୱେରେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରଶାସନ ଓ ସାଧାରଣ ଲୋକଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ ।
ଟି.ପି (Town Planning ) ସ୍କିମ୍କୁ ସେ ଲୋକଙ୍କ ଆଶାର ମେରୁଦଣ୍ଡ ବୋଲି କହିଛନ୍ତି । ଏଥିରେ ସାଧାରଣ ଲୋକଙ୍କୁ ସବୁ ସୁବିଧା ମିଳିବ । ଜମିର ମୂଲ୍ୟ ବଢ଼ିବ ଓ ଲୋକେ ଲାଭ ପାଇବେ । ସ୍ୱଚ୍ଛତା ରଖି ବସ୍ତିବାସୀଙ୍କୁ ସୁବିଧାଯୁକ୍ତ ଘର ଦିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
କେବଳ 'ଏକାମ୍ର ରେସିଡେନ୍ସି' ନୁହେଁ, ୪୪ ବର୍ଷରେ ପାଦ ଥାପିଥିବା BDA ଆଜି ରାଜଧାନୀର ଆଗାମୀ ଭବିଷ୍ୟତ ପାଇଁ ଆଙ୍କିଛି ଏକ ବିଶାଳ ରୋଡ୍ମ୍ୟାପ୍। BDA ଏବେ କେବଳ ଫାଇଲ୍ ସାଇନ୍ କରିବାରେ ସୀମିତ ନାହିଁ, ବରଂ ଏକ ସୁନ୍ଦର, ସଶକ୍ତ ଓ ଯୋଜନାବଦ୍ଧ ଭୁବନେଶ୍ୱର ଗଢ଼ିବାକୁ ସଙ୍କଳ୍ପ ନେଇଛି ।
ବର୍ତ୍ତମାନ ବିଡ଼ିଏ ଅଧୀନରେ ୫୬୮ଟି ରାଜସ୍ୱ ଗ୍ରାମ ରହିଛି । 'ନୂଆ ଭୁବନେଶ୍ୱର'ର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଦୁଇଟି ମେଗା ସ୍କିମ୍ ଆସୁଛି 'ନ୍ୟୁ ସିଟି' ଏବଂ 'ବିଟିସି'। ୭୮୮ ଏକର ଜମିରେ ମୁଣ୍ଡ ଟେକିବ ଆଧୁନିକ 'ନ୍ୟୁ ସିଟି'। ଏହା ବ୍ୟତୀତ ୧୫୯୧ ଏକର ଜମିରେ ୪୫ଟି 'TP ସ୍କିମ୍' କାର୍ଯ୍ୟକାରୀ ହେଉଛି।
ସେହିପରି ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ ବା PP ମୋଡ୍ରେ 'Housing for All' ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ସବୁଠାରୁ ବଡ଼ ପଦକ୍ଷେପ ହେଉଛି ବିଡ଼ିଏ ପକ୍ଷରୁ ସମସ୍ତ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରାଯିବ । ସାଧାରଣ ଲୋକଙ୍କୁ ଆଉ ଅଫିସକୁ ଦୌଡ଼ିବାକୁ ପଡ଼ିବନି। କୌଣସି ବି ଷ୍ଟେକ୍ହୋଲ୍ଡର ଅଫିସ ନ ଆସି ଘରେ ବସି ସମସ୍ତ ସେବା ଅନଲାଇନ୍ରେ ପାଇପାରିବେ। ଏପରିକି ମାତ୍ର ୪୫ ଦିନ ମଧ୍ୟରେ ଘର ନକ୍ସା ବା ପ୍ଲାନ୍ ଆପ୍ରୁଭାଲ୍ ଯୋଗାଇ ଦେବାକୁ ସର୍ବାଧିକ ଗୁରୁତ୍ୱ ଡିସଜିବ ବୋଲି କହିଛନ୍ତି ବିଡିଏ ଭିସି ଚଂଚଳ ରଣା ।
ଭୁବନେଶ୍ୱର ଆଉ କେବଳ ଏକ ଐତିହାସିକ 'ମନ୍ଦିର ମାଳିନୀ ସହର'ରେ ସୀମିତ ହୋଇ ରହିବ ନାହିଁ। ଏହା ହେବାକୁ ଯାଉଛି ଦେଶର ସବୁଠାରୁ ଆଧୁନିକ, ଯୋଜନାବଦ୍ଧ ଏବଂ ସୁନ୍ଦର ସ୍ମାର୍ଟ ସିଟି । ଏନେଇ ଚଞ୍ଚଳ ରଣା କହିଛନ୍ତି ଏହି ରେସିଡେନ୍ସି ରେ ବିଶ୍ୱସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ଓ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ।
ଯେଉଁଥିରେ ଭୂମିକମ୍ପ-ପ୍ରତିରୋଧୀ ବ୍ୟବସ୍ଥା, କମ୍ୟୁନିଟି ହଲ୍, ସୁଇମିଂ ପୁଲ୍, ୱାକିଂ ଟ୍ରାକ୍, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟ୍ନେସ୍ ସେଣ୍ଟର, ସିୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୱାଟର ରିଚାର୍ଜ ବ୍ୟବସ୍ଥା, ପାୱାର ବ୍ୟାକ୍ଅପ୍, ସିସିଟିଭି ନିରୀକ୍ଷଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ସହାୟକ ଭିତ୍ତିଭୂମିର ବ୍ୟବସ୍ଥା ରହିଛି ବୋଲି ବିଡିଏ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱର କେବଳ ରାଜଧାନୀ ନୁହେଁ, ଏହା ରାଜ୍ୟର ମୁଖ ଓ ଭବିଷ୍ୟତ। ଆଗାମୀ ଦିନରେ ଯେଉଁ ୨୦ ବର୍ଷିଆ ବିକାଶ ନକ୍ସା ପ୍ରସ୍ତୁତ ହେଉଛି, ତାହା ଯୋଜନାବଦ୍ଧ ସହରୀକରଣ, ସଡ଼କ, ନିଷ୍କାସନ, ସୁଲଭ ଆବାସ, ପାର୍କ, ଖେଳପଡ଼ିଆ ଓ ସାମାଜିକ ଭିତ୍ତିଭୂମିକୁ ଏକ ସୂତ୍ରରେ ବାନ୍ଧିବ ବୋଲି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଥିଲେ । ସେ କହିଛନ୍ତି, ‘‘୪୪ ବର୍ଷର ଅଭିଜ୍ଞତା ଆମକୁ ଶିଖାଇଛି ଯେ କେବଳ ଯୋଜନା ଯଥେଷ୍ଟ ନୁହେଁ । ସଠିକ୍ କାର୍ଯ୍ୟାନୁଷ୍ଠାନ, ଉତ୍ତରଦାୟୀ ଓ ନାଗରିକଙ୍କ ସହଯୋଗ ହିଁ ରାଜଧାନୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିପାରିବ। ଆଗାମୀ ୨୦ ବର୍ଷର ନକ୍ସା ସେହି ଲକ୍ଷ୍ୟକୁ ଆଧାର କରି ପ୍ରସ୍ତୁତ ହେଉଛି।’’
ସେହିପରି ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟ ପ୍ରକଳ୍ପକୁ ପ୍ରାଥମିକତା ଦେବାକୁ କହିଥିଲେ। ରାଜ୍ୟର ବିକାଶରେ ବିଡିଏ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ହେବ ବୋଲି ସେ କହିଥିଲେ। ସେହିଭଳି ଦୟା କେନାଲ ଓ ଗଙ୍ଗୁଆ ନାଳ ପୁନରୁଦ୍ଧାର ପାଇଁ ଗୁରୁତ୍ୱାରୋପ କରିବା ବେଳେ ଜଟଣୀ ମ୍ୟୁନିସିପାଲିଟି ଚେୟାରମ୍ୟାନ ଅନନ୍ତ ବେହେରା ଜଟଣୀରେ ବାଚ୍ଛରା ହିଲଟପ ପାର୍କ ବିକାଶରେ ବିଡିଏର ଭୂମିକା ଉପରେ କହିଥିଲେ ଏବଂ ଆଲୋକିକରଣ ଓ ଖେଳପଡ଼ିଆ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହା ବି ପଢନ୍ତୁ- ଦେଶର ପ୍ରଥମ ପ୍ଲାଟିନମ୍ ରେଟିଂ ପାଇଥିବା ସବୁଜ କ୍ୟାମ୍ପସ ହେଲା ଓଡ଼ିଶା ଲୋକଭବନ
ଇଟିଭି ଭାରତ, ଭୁବନେଶ୍ୱର

