RDC ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି; ଭୂଦାନ ଜମିର ବଣ୍ଟନ ଓ ମ୍ୟୁଟେସନ ଉପରେ ସ୍ଥଗିତାଦେଶ
ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ ସମ୍ପନ୍ନ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ । ରିପୋର୍ଟ-ଭବାନୀ ଶଙ୍କର ଦାସ


Published : July 5, 2026 at 4:26 PM IST
ଭୁବନେଶ୍ୱର: ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ହେଉଛି ଉଲଂଘନ । ଜମି ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀଙ୍କୁ କରାଯାଉଛି ବଣ୍ଟନ । ମ୍ୟୁଟେସନ ଓ ଜମିପଟ୍ଟାରେ ଅନ୍ତର୍ଭୁକ୍ତି ସମୟରେ ସୃଷ୍ଟି ହୋଇପାରେ ବିଭିନ୍ନ ଆଇନଗତ ଜଟିଳତା । ତେଣୁ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରୀ କରିଛି ରାଜସ୍ୱ ବିଭାଗ । ଏନେଇ ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ।
ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ, ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ସମ୍ପୂର୍ଣ୍ଣ ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କ ସପକ୍ଷରେ ବଣ୍ଟନ କରାଯାଉଛି । ଏହା ଫଳରେ ପରବର୍ତ୍ତୀ ସମୟରେ ମ୍ୟୁଟେସନ ଏବଂ ଜମିପଟ୍ଟାରେ ଅନ୍ତର୍ଭୁକ୍ତି ସମୟରେ ବିଭିନ୍ନ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୂଦାନ ଜମିର ବଣ୍ଟନ ଏବଂ ହିତାଧିକାରୀଙ୍କ ସପକ୍ଷରେ ମ୍ଯୁଟେସନ ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଆରଡିସି, ପଞ୍ଜୀକରଣ ମହାନିରୀକ୍ଷକ ବା ଆଇଜିଆର, ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ ସମ୍ପନ୍ନ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯଜ୍ଞ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ କରାଯାଇଥିବା ଜମି, ହାଲ ଜମିପଟ୍ଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସରକାରୀ ନିଷ୍ପତ୍ତିକୁ ଗମ୍ଭୀରତାର ସହ ପାଳନ କରିବା ପାଇଁ ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ତଥା କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିବାକୁ ଆରଡିସି, ଜିଲ୍ଲାପାଳ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ SIR ୨୦୨୬: ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହ CEOଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଏହା ମଧ୍ୟ ପଢନ୍ତୁ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଓ ରେକର୍ଡ ସଂରକ୍ଷଣ ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର: ACS

