ETV Bharat / state

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ: ୧୦ରେ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳ, ଆଗକୁ ଗତିପଥ ଅସ୍ପଷ୍ଟ

GFS ଅନୁଯାୟୀ ୧୦ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ନେଇ ଆକଳନ ତ ECMWF ଅନୁଯାୟୀ ଶ୍ରୀଲଙ୍କା, ତାମିଲନାଡୁ ଉପକୂଳରେ ସୃଷ୍ଟି ହେବ ଲଘୁଚାପ । ରିପୋର୍ଟ- ଦେବସ୍ମିତା ରାଉତ

Low pressure area to form in Bay of Bengal: Sri Lanka and Tamil Nadu coasts on 10th, future path unclear
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ: ୧୦ରେ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳ, ଆଗକୁ ଗତିପଥ ଅସ୍ପଷ୍ଟ (ETV BHARAT ODISHA)
author img

By ETV Bharat Odisha Team

Published : May 6, 2026 at 10:14 PM IST

2 Min Read
Choose ETV Bharat

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଥିବାବେଳେ ଲଘୁଚାପ ସୃଷ୍ଟି ନେଇ ମିଳିଛି ସଙ୍କେତ । ପୂର୍ବରୁ GFS ଅନୁଯାୟୀ ଆସନ୍ତା ୧୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆକଳନ କରାଯାଇଥିବା ବେଳେ ଏବେ ECMWF ମଡେଲ ଅନୁଯାୟୀ ୧୦ ତାରିଖରେ ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ହେଲେ ଏହା କେତେ ତୀବ୍ର ହେବ ଓ ଆଗକୁ କେଉଁଆଡକୁ ଗତି କରିବ, ତାହା ଏବେ ବି ଅସ୍ପଷ୍ଟ ରହିଛି ।

ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରାପ୍ ଲାଇନ୍ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ମାତ୍ର ୧୧ ତାରିଖ ବେଳକୁ ଏହି ଟ୍ରାପ୍ ଲାଇନ୍ ଦୁର୍ବଳ ହେଲା ପରେ ଲଘୁଚାପ କ୍ଷେତ୍ରଟି କେଉଁ ଦିଗକୁ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ।

ସେପଟେ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିଛି । ଫଳରେ ସାରା ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ଵର୍ଷା ସମ୍ଭାବନା ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ଵର୍ଷା ନେଇ ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଗାମୀ 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ପବନ ଘଣ୍ଟା ପ୍ରତି ବେଗ 40ରୁ 50 କିଲୋମିଟର ଏବଂ ଆଉ କିଛି ସ୍ଥାନରେ 30ରୁ 40 କିମି ରହିପାରେ । ଓଡ଼ିଶାର ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଆସନ୍ତାକାଲି ପାଇଁ ସତର୍କତା:

ଆସନ୍ତାକାଲି (ମେ' 7) 16ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ 30ରୁ 40 କିମି ବେଗରେ ପବନ ବହିବା ସହ ବର୍ଷା ହେବ । ସେହିପରି ପ୍ରଚଣ୍ଡ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 8 ତାରିଖରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ଥିବାବେଳେ ହାଲୁକା ବର୍ଷା ସହ ଝଡ଼ ପବନ ଓ ବଜ୍ରପାତ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିପରି 9 ତାରିଖରୁ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

12 ତାରିଖ ପର୍ଯ୍ୟନ୍ତ ବର୍ଷା:

ରାଜ୍ୟରେ ଆଗାମୀ 7 ଦିନ ଯାଏଁ ଅର୍ଥାତ 12 ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସହ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 6ରୁ 7 ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ତାପମାତ୍ରା 40 ଡିଗ୍ରୀ ଭିତରେ ରହିବ ବୋଲି ଆକଳନ କରିଛି ଆଇଏମଡି ।

ଏହା ମଧ୍ୟ ପଢ଼ନ୍ତୁ- ସାରା ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ, ସବୁ ଜିଲ୍ଲାକୁ ସତର୍କତା ଜାରି

ଏହା ମଧ୍ୟ ପଢ଼ନ୍ତୁ- ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା, 10 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଇଟିଭି ଭାରତ, ଭୁବନେଶ୍ବର