ବର୍ଷାରେ ଦୁର୍ଘଟଣା ରୋକିବାକୁ ବଡ ଡ୍ରେନ୍ କଡରେ ହେବ ବ୍ୟାରିକେଡ୍; ଭୁବନେଶ୍ୱର-କଟକ-ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ
ସହରାଞ୍ଚଳ ଜଳବନ୍ଦୀ ସ୍ଥିତି ପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି । 1929 ନମ୍ବରରେ ସମସ୍ୟାର ସମାଧାନ ହେଉଛି । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ


Published : July 7, 2026 at 7:28 PM IST
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି । ଯାହା ବର୍ତ୍ତମାନ ସମୟରେ ସରକାରଙ୍କ ସବୁଠୁ ବଡ ଟେନସନ ସାଜିଛି । ତେବେ ଏହାର ମୁକାବିଲା ପାଇଁ ଆକ୍ସନ୍ ମୋଡ୍କୁ ଆସିଛି ନଗର ଉନ୍ନୟନ ବିଭାଗ । ବର୍ଷା ସମୟରେ ସହରାଞ୍ଚଳ ବନ୍ୟାରେ ଲୋକଙ୍କ ସୁରକ୍ଷା ସହ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭାଗ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି ।
ଟ୍ୱିନ ସିଟି ସମେତ ପୁରୀ ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛି ବିଭାଗ । ବର୍ଷାରେ ଦୁର୍ଘଟଣା ରୋକିବାକୁ ବଡ଼ ଡ୍ରେନ୍ କଡ଼ରେ ହେବ ବ୍ୟାରିକେଡ୍ । ଏହି ସୂଚନା ଦେଇଛନ୍ତି ଖୋଦ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ଟ୍ୱିନ ସିଟିରେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, "ବିଭିନ୍ନ ସ୍ଥାନରେ ଯେଉଁ ମୁକୁଳା ଡ୍ରେନ ଥିଲା, ତାହା ମରାମତି କରାଯାଉଛି l ବହୁତ ଡ୍ରେନ ବ୍ୟାରିକେଡିଂ କରାଯାଇଛି l ପଙ୍କ ଓ ଦଳ ସଫା ହେଉଛି । ଜଳ ନିଷ୍କାସନ ପାଇଁ ନଗର ଉନ୍ନୟନ ଓ ଅଗ୍ନିଶମ ସହ ମିଶି ବ୍ୟବସ୍ଥା ହୋଇଛି l ମୁଖ୍ୟତଃ ବର୍ଷା ଦିନରେ କଟକ, ଭୁବନେଶ୍ୱର ଓ ପୁରୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୁଏ l ସେଥିପାଇଁ ଟିମ ଗଠନ ହୋଇଛି । ପମ୍ପ ସେଟ୍ ରଖାଯାଇଛି ଏବଂ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି । 1929 ନମ୍ବରରେ ସମସ୍ୟାର ସମାଧାନ ହେଉଛି l"
ସେହିପରି ଭୁବନେଶ୍ୱରରେ ଯେଉଁ ଲୋକ ଡ୍ରେନରେ ଭାସି ଯାଇଥିବା ଖବର ଆସିଛି । ତାହାର ତଥ୍ୟ ମିଳି ନାହିଁ । ସତ୍ୟାସତ୍ୟ ତଥ୍ୟ ଆସିବା ପରେ ଜଣା ପଡିବ ବୋଲି କହିଛନ୍ତି ମନ୍ତ୍ରୀ l
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପୁଣି କହିଛନ୍ତି ଯେ, ବର୍ଷା ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ବଡ଼ ବଡ଼ ଡ୍ରେନ୍ କଡ଼ରେ ସୁରକ୍ଷା ବ୍ୟାରିକେଡ୍ ଲଗାଯିବ। ଏହାସହ ସହରାଞ୍ଚଳର ବିଭିନ୍ନ ନାଳର ମରାମତି, ପଙ୍କ ଉଦ୍ଧାର ଓ ସଫେଇ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ଷା ଜଳ ନିଷ୍କାସନରେ ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ବିଶେଷକରି ଟ୍ୱିନସିଟି ଭୁବନେଶ୍ୱର-କଟକ ଏବଂ ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଛି । ଯେଉଁ ସ୍ଥାନରେ ବର୍ଷା ପାଣି ଜମିବାର ସମ୍ଭାବନା ରହିଛି, ସେଠାରେ ନଗର ଉନ୍ନୟନ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗର ଟିମ୍ ମିଳିତ ଭାବେ ଜଳ ନିଷ୍କାସନ କାର୍ଯ୍ୟ କରିବେ । ଏହା ଫଳରେ ଜଳବନ୍ଦୀ ସମସ୍ୟାର ଶୀଘ୍ର ସମାଧାନ ହେବା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେବ ନାହିଁ ବୋଲି ବିଭାଗ ଆଶା ପ୍ରକଟ କରିଛି ।
ଅନ୍ୟପକ୍ଷରେ, ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସ୍ଥିତି ଉପରେ କ୍ରମାଗତ ନଜର ରଖାଯିବ ଏବଂ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର ଓ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ଏହା ବି ପଢନ୍ତୁ- ଭୁବନେଶ୍ୱରରେ ନାଳରେ ଭାସିଯାଇ ଯୁବକ ନିଖୋଜ: 6 ଘଣ୍ଟାର ସର୍ଚ୍ଚ ଅପରେସନ ସରିଲା, କାଲି ପୁଣି ଉଦ୍ଧାର କାର୍ଯ୍ୟ
ଇଟିଭି ଭାରତ, ଭୁବନେଶ୍ୱର

