ଶ୍ରୀକ୍ଷେତ୍ରରେ କଂସ ମହାରାଜା; ମହୋଦଧିରେ ପାପ ଧୋଇଲେ, ମହାପ୍ରଭୁଙ୍କୁ କଲେ କ୍ଷମା ପ୍ରାର୍ଥନା
ବରଗଡ ଧନୁଯାତ୍ରା ଶେଷ ପରେ ପୁରୀରେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର । ମହୋଦଧିରେ ବୁଡ ପକାଇ ପାପ କ୍ଷୟ କରିଛନ୍ତି ।


Published : January 4, 2026 at 8:19 PM IST
|Updated : January 4, 2026 at 9:47 PM IST
ପୁରୀ: କଂସ ବଦ୍ଧ ସହ ଶଷ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ତେବେ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ ଧନୁଯାତ୍ରାର ପରମ୍ପରା ସରି ନାହିଁ । କାରଣ କଂସ ମହାରାଜା ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଆସିଛନ୍ତି ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର । ଯାତ୍ରା ସମୟରେ ପ୍ରଭୃ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ଏବେ କ୍ଷମା ପ୍ରାର୍ଥନା ମାଗିଛନ୍ତି ମହାପ୍ରଭୁଙ୍କ ନିକଟରେ । ଏଥିପାଇଁ କଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର ପ୍ରଥମେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ । ସେଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି କ୍ଷମା ପ୍ରାର୍ଥନା କରିଥିଲେ । ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତଙ୍କର ଭକ୍ତି ଏବଂ ଭଲପାଇବା ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ଶଙ୍କରାଚାର୍ଯ୍ୟ । ପରେ ମହୋଦଧିରେ ସ୍ନାନ କରି ସୂର୍ଯ୍ୟପୂଜା କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦେଶ୍ୟରେ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ ସୁଶିଲ ମେହେର ।
ବିଶ୍ୱାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସବୁ ପାପରୁ ମୋକ୍ଷ ମିଳିଥାଏ । ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣଙ୍କର ଅବତାର ହୋଇଥିବାରୁ କଂସ ମହାରାଜ ପ୍ରତିବର୍ଷ ପୁରୀକୁ ଆସି ପ୍ରାୟଶ୍ଚିତ କରିବାର ପରଂପରା ରହିଛି । ଏଣୁ କଂସ ମହାରାଜ ପୁରୀ ଆସି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ ।

ଶ୍ରୀଜୀଉଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ତେବେ ଯୁବ ସମାଜ ନିଜ ପିତା ମାତାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି । ବୃଦ୍ଧ କାଳରେ ପିତାମାତାଙ୍କ ସେବା କରିବା ସହ ସେମାନଙ୍କୁ କୌଣସି ବୃଦ୍ଧାଶ୍ରମକୁ ଛାଡ଼ନ୍ତୁ ନାହିଁ ବୋଲି କଂସ ମହାରାଜା ବାର୍ତ୍ତା ଦେଇଛନ୍ତି ।

ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ କଂସ ମହାରାଜାଙ୍କ ଶ୍ରୀଜିଉଙ୍କ ଦର୍ଶନ ହେଉଛି ଧନୁଯାତ୍ରାର ଅନ୍ତିମ ପର୍ବ । ସବୁଠାରୁ ଶକ୍ତିଶାଳୀ କଂସ ମହାରାଜାଙ୍କ ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହୋଇ ପ୍ରାୟଶ୍ଚିତ କରିବା ଧନୁଯାତ୍ରାର ଏକ ଅଭିନବ ପରପଂରା ।

"ବରଗଡ ଧନୁଯାତ୍ରା କଂସ ଭୂମିକା ଚୟନରେ ଭାଗ ନେଇ ମୁଁ ଉତୀର୍ଣ୍ଣ ହୋଇଥିଲି । 11 ଦିନ ଧରି ଚାଲିଲା ଧନୁଯାତ୍ରା । ଆମେ ସମସ୍ତ କଳାକାର ସ୍ୱଚାରୁରୂପେ ଅଭିନୟ କରିଛୁ । ଆଜି ମୁଁ ଆସିଛି ମହୋଦଧିରେ ବୁଡ ପକାଇ ପାପ କ୍ଷୟ କରିବି । ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି କଠୋର ବାକ୍ୟ ପ୍ରୟୋଗ ପାଇଁ ମୁଁ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବି," କହିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା କଳାକାର ସୁଶିଲ ମେହେର ।


ଇଟିଭି ଭାରତ, ପୁରୀ

