ETV Bharat / state

ମହାରାଜ କଂସଙ୍କୁ ବଧ କଲେ ଶ୍ରୀକୃଷ୍ଣ; ସରିଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଅଧର୍ମକୁ ପଛରେ ପକାଇ ସତ୍ୟ ଓ ଧର୍ମର ଜୟ ହୋଇଛି । ବଧ ହୋଇଛି ମଥୁରା ନରେଶ ମହାରାଜ କଂସ ।କଂସକୁ ମାରି ମଥୁରାବାସୀଙ୍କୁ ଉଦ୍ଧାର କରିଛନ୍ତି ଶ୍ରୀକୃଷ୍ଣ ।

Bargarh Dhanu Yatra Concludes
ସରିଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା (ETV Bharat)
author img

By ETV Bharat Odisha Team

Published : January 4, 2026 at 3:49 PM IST

3 Min Read
Choose ETV Bharat

Dhanu Yatra Concludes ବରଗଡ଼: କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି ଓ ବିରହ ସହ ଅନ୍ୟାୟ, ଅନୀତି, ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା, ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟ ହୋଇଛି । ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।

ସରିଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା (ETV Bharat)

ଧନୁଯାତ୍ରାର ଅନ୍ତିମ ଦିନ

ଗତ ଡିସେମ୍ବର 24 ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଶନିବାର (ଜାନୁଆରୀ 3 ତାରିଖ) ପୌଷ ପୂର୍ଣ୍ଣିମା ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକ ମଥୁରା ଭ୍ରମଣ କରିଥିଲେ । ଗୋବିନ୍ଦପାଲି ଵିବେକାନନ୍ଦ ଛକ ଠାରେ କୃଷ୍ଣ ବଳାରାମଙ୍କୁ ଭକ୍ତମାନେ ଦର୍ଶନ କରିବା ସହିତ ସ୍ୱାଗତ କରି ପୂଜାର୍ଚ୍ଚନା କରିଥିଲେ । ମଥୁରାରେ କୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା l ମଥୁରା ଭ୍ରମଣ ସମୟରେ କୃଷ୍ଣ ବଳରାମ କୁବଳୟା ବଧ କରିଥିଲେ । ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲଙ୍କୁ ମଧ୍ୟ ବଧ କରିଥିଲେ । ପରେ ଶିବଧନୁ ଭଙ୍ଗ କରିଛନ୍ତି କୃଷ୍ଣ ବଳରାମ ଦୁଇ ବେନି ଭାଇ ।

Bargarh Dhanu Yatra Concludes
ସରିଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା (ETV Bharat)

ଭଗବାନ ଶିବଙ୍କୁ କଠୋର ତପସ୍ୟା କରିବା ପରେ ମହାରାଜ କଂସଙ୍କୁ ପ୍ରାପ୍ତ ହୋଇଥିବା ‘ଶିବଧନୁ’କୁ ଭାଙ୍ଗି ଦେଇଥିଲେ ଭଗବାନ କୃଷ୍ଣ l ଏହି ଖବର ପାଇବା ପରେ ଭୟରେ ଥରି ଉଠିଛନ୍ତି ମହାରାଜ କଂସ । ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ହାଟପଦାସ୍ଥିତ ମଞ୍ଚରେ ଶ୍ରୀକୃଷ୍ଣଙ୍କ ହାତରେ ‘ଶିବଧନୁ’ ଭଗ୍ନ ଦୃଶ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା ।

କଂସ ଅତ୍ୟାଚାରରୁ ମୁକ୍ତ ହେଲେ ମଥୁରାବାସୀ:

ମଥୁରା ନରେଶଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଛଳନାର ଯାତ୍ରା ଧନୁଯାତ୍ରାରେ ମହାରାଜ କଂସଙ୍କ ଆଦେଶ ଅନୁଯାୟୀ, ରାଜଦରବାରର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ପ୍ରଥମ ଦ୍ୱାରରେ ଥିଲା କୁବଳୟା ହସ୍ତି । ପ୍ରଥମେ କୁବଳୟା ହସ୍ତିକୁ ମାରିବା ପରେ କୃଷ୍ଣ-ବଳରାମ ଶିବଧନୁ ପାଖରେ ପହଞ୍ଚିଥିଲେ । ଭଗବାନ କୃଷ୍ଣ ଶିବଧନୁକୁ ଭଗ୍ନ କରିବା ପରେ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସକୁ ବଧ କରିଥିଲେ । ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତ କରିଥିଲେ ଶ୍ରୀକୃଷ୍ଣ । ତେବେ ଧନୁଯାତ୍ରା ଶେଷ ଦିନରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ । ଯାହା ଦର୍ଶକଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ କଂସ ବି କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା ।

Bargarh Dhanu Yatra
ବରଗଡ଼ର ଧନୁଯାତ୍ରା (ETV Bharat)

କଂସ ମହାଜ୍ଞାନୀ ଓ ବୁଦ୍ଧିମାନ ହୋଇଥିବା ବେଳେ କୃଷ୍ଣଙ୍କ ହାତରେ ମୁକ୍ତି ପାଇବାକୁ ଦଶମ ଭକ୍ତି ବା ବୈରୀ ଭକ୍ତିର ବାଟ ଆପଣାଇଥିଲା । କଂସ ଶୀଘ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇବାକୁ ମନସ୍ତ କରିଥିବା କୃଷ୍ଣଙ୍କ ଆଗରେ ଜଣାଇଥିଲେ l କୃଷ୍ଣ ଓ କଂସଙ୍କ ମଧ୍ୟରେ ବାର୍ତ୍ତାଳାପର ଏହି ଦୃଶ୍ୟ ଲୋକଙ୍କୁ କଂସର କୃଷ୍ଣ ଭକ୍ତିକୁ ପ୍ରମାଣିତ କରିବା ସହିତ ସବୁବେଳେ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ତାହା ପ୍ରମାଣିତ କରିଥିଲା ।

କାରାଗାରରୁ ମୁକ୍ତ ହେଲେ ଦେବକୀ ଓ ବାସୁଦେବ:

ଭଗବାନଙ୍କ ହାତରେ କଂସ ବଧ ହେବାପରେ ମଥୁରାରେ ଦେଖାଯାଇଥିଲା ଉତ୍ସବର ମାହୋଲ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଓ ବାସୁଦେବଙ୍କୁ ମୁକ୍ତ କରିଥିବା ବେଳେ ମହାରାଜା ଉଗ୍ରସେନଙ୍କ ରାଜ୍ୟାଭିଷେକ କରାଇଛନ୍ତି । ଅନ୍ତିମ ଦିବସରେ କୃଷ୍ଣ, କଂସଙ୍କୁ ବଧ କଲା ପରେ ବରଗଡ଼ବାସୀ ହୃଦବୋଧ କରିଥିଲେ ଯେ, ସତେ ଯେପରି ସ୍ୱୟଂ ଭଗବାନ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଏବଂ ଅତ୍ୟାଚାରୀ କଂସକୁ ମାରି ମଥୁରାବାସୀଙ୍କୁ ଉଦ୍ଧାର କରିଛନ୍ତି ।

ବରଗଡ଼ରେ ଜିଲ୍ଲା ପ୍ରଶାସନ ବଦଳରେ କଂସ ମହାରାଜଙ୍କଙ୍କ ଶାସନ ଚାଲିଥିଲା । ଆଜି ଧନୁଯାତ୍ରା ଶେଷ ହେବାପରେ ପୁଣି ପୂର୍ବପରି ଅବସ୍ଥାକୁ ଫେରି ଆସିଛି ମଥୁରା ପାଲଟିଥିବା ବରଗଡ଼ ସହର ଏବଂ ଗୋପପୁର ପାଲଟିଥିବା ଅମ୍ବାପାଲି । ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ଜନସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଇଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ ତାହା ପ୍ରମାଣିତ କରିଛି । ତେବେ ଧନୁଯାତ୍ରାର ସମାପ୍ତି ପରେ ଅପେକ୍ଷା ପୁଣି ଆର ବର୍ଷକୁ ।

Bargarh Dhanu Yatra Concludes
ସରିଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା (ETV Bharat)

ଏହା ମଧ୍ୟ ପଢ଼ନ୍ତୁ..

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିବସ: କଂସ ମହାରାଜଙ୍କ ବଧ ସହିତ ମଥୁରାକୁ ଫେରିବ ଶାନ୍ତି

ଧନୁଯାତ୍ରା ଦେଖି ବରଗଡ଼କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ; ୧୩୬୨ କୋଟିର ୧୨୩ଟି ପ୍ରକଳ୍ପ ଶୁଭାରମ୍ଭ, 'ୟୁନେସ୍କୋ ମାନ୍ୟତା ଆମ ଲକ୍ଷ୍ୟ'

ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ କହିଛନ୍ତି, "11 ଦିନ ଚାଲିଥିବା ବିଶ୍ବ ପ୍ରସିଦ୍ଧ 78ତମ ଧନୁଯାତ୍ରା, ଅତି ସୁରୁଖୁରରେ ଭବ୍ୟ ଓ ଦିବ୍ୟ ହୋଇ ସମାପନ ହୋଇଛି । ଏଥିପାଇଁ ବରଗଡ଼ର ଜନସାଧାରଣ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଧନ୍ୟବାଦର ପାତ୍ର । ସମସ୍ତଙ୍କ ସହଯୋଗରେ ଏ ଯାତ୍ରା ସଫଳ ହୋଇଛି । ଏବର୍ଷ ଯେତିକି ସୁନ୍ଦର ହୋଇଥିଲା, ଆସନ୍ତା ବର୍ଷକୁ ଏହାଠାରୁ ଅଧିକ ସୁନ୍ଦର ଭାବରେ ଆୟୋଜନ କରାଯିବ ।"

ଜଣେ ଦର୍ଶକ ଆକାଂକ୍ଷା ଅନ୍ନପୂର୍ଣ୍ଣା ସାହୁ କହିଛନ୍ତି, "11 ଦିନ ଧରି ଧନୁଯାତ୍ରାକୁ ଉପଭୋଗ କରୁଥିଲୁ । ଶେଷ ଦିନରେ ମହାରାଜ କଂସଙ୍କ ରାଜ୍‌ ସରିଛି ।"

ଇଟିଭି ଭାରତ, ବରଗଡ଼