ପିଲାବେଳେ ଚାଲିଗଲେ ବାପା, ଯୁବାବସ୍ଥାରେ କଟିଲା ଦୁଇ ହାତ, ଦୁଃଖ ଦରିଆରେ ଭାସୁଛନ୍ତି ମା' ପୁଅ
ମା'ର ଦୁଃଖ ଦୂର କରିବା ପାଇଁ ଚେନ୍ନାଇରେ ଖଟୁଥିଲେ । ହେଲେ ଆଜି ସେହି ମା' ଉପରେ ବୋଝ ହୋଇପଡିଛନ୍ତି । ଜୀବନ ତ ବଞ୍ଚିଯାଇଛି ହେଲେ ଅନ୍ୟ ଉପରେ ସେ ନିର୍ଭରଶୀଳ ।


Published : March 3, 2026 at 3:54 PM IST
|Updated : March 3, 2026 at 4:08 PM IST
ସ୍ୱତନ୍ତ୍ର ରିପୋର୍ଟ- ଜୀବନଜ୍ୟୋତି ନାୟକ
ବାଲେଶ୍ୱର: "ମୋ ବାପା କେମିତିକା ତାଙ୍କ ମୁହଁ ଦେଖିନାହିଁ । ବାପା ପିଲାବେଳେ ଚାଲି ଯାଇଥିଲେ । ମୁଁ ସେତେବେଳେ ପ୍ରଥମ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିଲି । ମା' କଷ୍ଟ କରି ମୋତେ ଯୁକ୍ତ ଦୁଇ ଯାଏଁ ପାଠ ପଢ଼ାଇଥିଲେ । ଅଭାବ ଯୋଗୁଁ ବାହାର ରାଜ୍ୟକୁ ପଳାଇଥିଲି । ଆଠବର୍ଷ ଧରି ଚେନ୍ନାଇରେ କାମ କରୁଥିଲି । ବିଗତ ୬ ମାସ ହେବ ମୋର ଏମିତି ଅବସ୍ଥା..." ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ନରଣପୁର ଗ୍ରାମର ସ୍ୱର୍ଗତ ଦୟାନିଧି ଦାସ ଓ ଜାନକୀ ଦାସଙ୍କ ପୁଅ ଜୟନ୍ତ ଦାସଙ୍କ ଏହା ଥିଲା କୋହଭରା କଣ୍ଠରେ ହୃଦୟର ବେଦନା । ରାଜ୍ୟ ବାହାରେ ଘରୋଇ କମ୍ପାନୀରେ କାମ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଦୁଇ ହାତ ହରାଇ ଏବେ ଦୁଃଖ ଦରିଆରେ ଭାସୁଛନ୍ତି । ଭାଗ୍ୟର ବିଡମ୍ବନା ସହାୟ ହେବାକୁ ନା ବାପା ଅଛନ୍ତି ନା ଭଉଣୀ କି ଅନ୍ୟ ସମ୍ପର୍କୀୟ । କେବଳ ପାଖରେ ଅଛନ୍ତି ଅସହାୟ ମା' । ପୁଅର ସୁନା ସଂସାର ସ୍ୱପ୍ନ ଦେଖୁଥିବା ମା' ବି ଆଜି ସମୟର ଖେଳ ଆଗରେ ଭାଙ୍ଗିପଡିଛନ୍ତି । ପିଲାଟିର ଦୁଃସ୍ଥିତି ଦେଖି କାନ୍ଦିବା ଛଡା ତାଙ୍କ ପାଖରେ ବି ଆଉ କିଛି ଉପାୟ ନାହିଁ । ତେବେ କେବଳ ସରକାରଙ୍କ ଉପରେ ଭରସା କରିଛନ୍ତି ଅସହାୟ ମା ଏବଂ ପୁଅ । ପିଲାଟିର ଦୁନିଆ ଅନ୍ଧାର ହେବା ପୂର୍ବରୁ ସରକାର କୃତ୍ରିମ ହାତ ଲଗାଇ ଦେଲେ ଜୀବନ ଯୁଦ୍ଧରେ ଲଢେଇ କରିପାରନ୍ତା ଜୟନ୍ତ ବୋଲି କହିଛନ୍ତି ପଡୋଶୀ ଏବଂ ଗ୍ରାମବାସୀ ।
କଣ ଥିଲା ଘଟଣା-
ଦୁନିଆକୁ ଜାଣିବା ଆଗରୁ ବାପା ଚାଲିଗଲେ ଆରପାରିକୁ । ଦେଢ଼ ବର୍ଷ ବୟସର ହୋଇଥିଲା, ବାପା ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିଲେ । ସେହି ଦିନଠାରୁ ମା' ତାଙ୍କୁ ବଢାଇଥିଲେ । ଗୋଟିଏ ପୁଅ ବୋଲି ମା' ଆଖିର ତାରା ହୋଇ ସେ ସବୁଦିନ ଚମକୁଥିଲେ । ଯୁକ୍ତ ଦୁଇ ପାସ କରିବା ପରେ ମା'ର ଦୁଃଖ ହରିବା ପାଇଁ ପୁଅ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରିଥିଲେ । ସେଠାରେ ଭଲ ଦୁଇ ପଇସା ରୋଜଗାର ହେବା ପରେ ମା' ପୁଅ ଭଲରେ ଚଳିବା ଆରମ୍ଭ କରିଥିଲେ । ଏପଟେ ମା' ଗାଁ ଅଙ୍ଗନବାଡିରେ ରୋଷେୟା ଭାବେ କାମ କରି ଯାହା ଦୁଇ ପଇସା ମିଳେ ସେଥିରେ ଘର ଚଳାଉଥିଲା । ସବୁକିଛି ଠିକ ଠାକ ଚାଲିଥିବା ବେଳେ ଏବେ ମା' ପୁଅଙ୍କ ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ଼ ।
ଆଶାର ବାଡ଼ି ଏକ ପ୍ରକାର ଅକ୍ଷମ-
ଯେଉଁ ପୁଅ ରୋଜଗାର କରିବା ପାଇଁ ବାହାରକୁ ଯାଇଥିଲା ଆଜି ସେହିପୁଅ ହରାଇଛି ଦୁଇ ହାତ । ଏବେ ଆଶାର ବାଡ଼ି ଏକ ପ୍ରକାର ହୋଇଯାଇଛି ଅକ୍ଷମ । ବାହୁନି ବାହୁନି କାନ୍ଦୁଛି ମାଆ । କଣ କରିବ, କେଉଁଠିକି ଯିବ ସେ କିଛି ବୁଝି ପାରୁନି । ସରକାରୀ ସ୍ତରରେ ହାତ ଲଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସେ ହାତରେ କଣ ସବୁକିଛି କରି ପାରିବ ତ ପୁଅ ? ସେହି ସନ୍ଦେହରେ ମା' ରହିଥିବା ବେଳେ ଏପଟେ ଡାକ୍ତର କହିଛନ୍ତି ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଦୁଇହାତ ଲାଗି ପାରିବ ଏବଂ ସବୁକିଛି କାମ କରି ପାରିବ ପୁଅ । ଏମିତି ପରିସ୍ଥିତି ଭିତରେ ମା' ପୁଅ ଥିବା ବେଳେ ଲୋଡିଛନ୍ତି ସରକାରୀ ସହାୟତା ।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ନରଣପୁର ଗ୍ରାମର ସ୍ୱର୍ଗତ ଦୟାନିଧି ଦାସ ଓ ଜାନକୀ ଦାସଙ୍କ ପୁଅ ଜୟନ୍ତ ଦାସ । ଜୟନ୍ତ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ହାତଗୋଡ଼ ଜଳି ଯାଇଥିଲା । ସେଠାରେ କିଛିଦିନ ଚିକିତ୍ସିତ ହେବାପରେ ତାଙ୍କୁ ଭୁବନେଶ୍ୱରର ଏମ୍ସକୁ ଅଣାଯାଇଥିଲା । ସେଠାରେ ଜୟନ୍ତଙ୍କ ହାତ ଦୁଇଟି କଟାଯାଇଥିଲା । ଯେଉଁଥିପାଇଁ ଜୟନ୍ତ ମାତ୍ର ୨୬ ବର୍ଷ ବାୟସରେ ଏକ ପ୍ରକାର ଅକ୍ଷମ ଜୀବନ ଯାପନ କରୁଛନ୍ତି ।

ଚେନ୍ନାଇରେ ଘଟିଲା ଅଘଟଣ-
ନିଜର ଏମିତି ଅବସ୍ଥା ଏବଂ ମାର ଦୁଃଖ ସହି ପାରୁ ନାହାନ୍ତି ଜୟନ୍ତ। ମନରେ ଭଗବାନଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଚାଲିଛନ୍ତି ସେ। କାହିଁକି ଏମିତି ହେଲା, କେଉଁ ପାପର ଏ ପରିଣତି ମିଳିଲା ସେନେଇ ଜୟନ୍ତ ପୁରା ଭାଙ୍ଗି ପଡିଛନ୍ତି । ଏବେ ଜୟନ୍ତ ସହାୟତା ଆଶାରେ ରହି କହିଛନ୍ତି, "ରାଜ୍ୟ ବାହର କମ୍ପାନୀରେ ଏକ ରଡ଼କୁ ଧରି ମୁ ତଳକୁ ଖସାଇବା ବେଳେ ସେ ତାରରେ କରେଣ୍ଟ ଲାଗି ଯାଇଥିଲା । ଚେନ୍ନାଇରେ ମୋତେ ଭଲ ଚିକିତ୍ସା ସୁବିଧା ମିଳିଲା ନାହିଁ। ସେଥିପାଇଁ ମୋତେ ଏମ୍ସକୁ ନେଇ ଆସିଥିଲେ। ଯେଉଁ କମ୍ପାନୀରେ ମୁଁ କାମ କରୁଥିଲି ସେଠାରୁ ମୋତେ କିଛି କ୍ଷତିପୂରଣ ମିଳିଲା ନାହିଁ। ଏମ୍ସରେ ମୋର ୬ ମାସ ଧରି ଚିକିତ୍ସା ଚାଲିଥିଲା । ଡାକ୍ତରମାନେ ହାତକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, ହେଲେ ଅଧିକ କ୍ଷତି ହୋଇଥିବାରୁ ଆଉ ହାତକୁ ବଞ୍ଚାଇ ହେଲାନି ଶେଷରେ ହାତ ଦୁଇଟି କାଟିବାକୁ ପଡିଥିଲା । ମୁଁ ଏତିକି ସରକାରଙ୍କୁ କହୁଛି, ମୋତେ କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ। କରେଣ୍ଟ ଗୋଡ଼ ହାତ ମୋର ଜଳି ଯାଇଥିଲା। ହାତ ଦୁଇଟି କଟି ଯାଇଥିବାରୁ ମୁଁ କିଛି କରି ପାରୁନି, ମୋ ମା ମୋର ସବୁ କାମ କରୁଛନ୍ତି ।"

ଜୟନ୍ତଙ୍କ ଏମିତି ପରିସ୍ଥିତି ଭିତରେ ଗାଁ ଲୋକ କିଛି କିଛି ସହଯୋଗ କରିଥିଲେ ମଧ୍ୟ ତାହା ଚିକିତ୍ସା ବେଳେ ସବୁ ଖର୍ଚ୍ଚ ହୋଇଯାଇଛି । ଏବେ ଗାଁ ଲୋକ ସରକାରୀ ସହାୟତା ପାଇଁ ଦାବି କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଅନାଦି ଚରଣ ସେଠୀ କହିଛନ୍ତି, "ପିଲାଟାର ବାପା ନାହିଁ, ଭଉଣୀ ନାହିଁ, ଭାଇ ନାହିଁ କେହି ନାହାନ୍ତି । ମା ବୁଢ଼ୀ ଅଙ୍ଗନବାଡିରେ ରୋଷେଇ କରି ପେଟ ପୋଷୁଛି । ସରକାରଙ୍କୁ ନିବେଦନ କରୁଛୁ ଯେ ସେ ଯେମିତି ନିଜ କାମ ନିଜେ କରି ପାରିବ ସେହିଭଳି ଏକ ହାତ ଲଗାଇଦେଲେ ଆମେ ଭାବୁଛୁ କିଛି ଉପକାର ମିଳି ପାରିଲା । ଯାହା ଡାକ୍ତର କହୁଛନ୍ତି, ଯେଉଁ ହାତ ସରକାର ଲଗାଇ ଦେଉଛନ୍ତି ତାହା କେବଳ ହାତ ଅଛି ବୋଲି ଯାହା ଜାଣିହେବ ନ ହେଲେ ନିଜ କାମ ସେ ନିଜେ କରି ପାରିବ ନି । କିନ୍ତୁ ଯେଉଁ ହାତ ୧୮ ଲକ୍ଷ ଟଙ୍କାରେ ଲାଗିବ ସେଥିରେ ସେ ସବୁକିଛି କାମ ନିଜେ କରି ପାରିବ ବୋଲି ଆମେ ସୂଚନା ପାଇଛୁ । ଯଦି ସେଇ ହାତ ସରକାର ସହଯୋଗରେ ମିଳି ପାରନ୍ତା ତେବେ ଭବିଷ୍ୟତରେ ସେ ନିଜ କାମ ନିଜେ କରି ପାରନ୍ତା ।"
ଜୟନ୍ତଙ୍କ ଏମିତି ଅବସ୍ଥା ଦେଖି କୋହ ସମ୍ଭାଳି ପାରୁନଥିବା ତାଙ୍କର ବଡ଼ ମା କୁନ୍ତଳା ଦାସ କହିଛନ୍ତି," ସେ ଚେନ୍ନାଇ କାମ କରିବାକୁ ଯାଇଥିଲା, ସେଠି କରେଣ୍ଟ ଲାଗି ହାତ ଦୁଇଟା କଟା ହୋଇଗଲା । ସରକାରଙ୍କୁ ଅନୁରୋଧ କରୁଛି ଛୁଆର ହାତ ଦୁଇଟା ଲଗାଇ ଦିଅନ୍ତୁ । ଛୁଆଟାର କେହି ନାହାନ୍ତି, ବାପା ମରି ଯାଇଛନ୍ତି । ହାତ ଦୁଇଟା ଲାଗିଗଲେ ଛୁଆ ତା ନିଜ କାମ ନିଜେ କରି ପାରନ୍ତା । ମା ଆଜି ଆଛି କାଲି ନାହିଁ, ତା ଭବିଷ୍ୟତ ଟିକେ ଦେଖିବା ପାଇଁ ମୁଁ ଅନୁରୋଧ କରୁଛି।"

ଅଙ୍ଗନବାଡିରେ ରୋଷେଇ କରି ପୁଅକୁ ପାଠ ପଢ଼ାଇ ମା ଜାନକୀ ମଣିଷ କରିବାର ଯେଉଁ ଆଶା ବାନ୍ଧିଥିଲେ ଆଜି ସେହି ପୁଅର ହାତ ଲଗାଇବା ପାଇଁ ବାର ଦୁଆରରେ ହାତ ପତାଉଛନ୍ତି । ସେ ରୋଷେଇ କରୁଥିବା ଅଙ୍ଗନବାଡିର କର୍ମୀଙ୍କ କହିବା ଅନୁସାରେ, "ଜାନକୀ ଦାସ ନରଣପୁର ଅଙ୍ଗନବାଡିରେ ୧୮ ବର୍ଷ ହେଲା ସହାୟିକା ଭାବେ କାମ କରୁଛନ୍ତି । ତାର ମାସିକ ଦରମା ପାଞ୍ଚ ହଜାର ଟଙ୍କା । ସେହି ପାଞ୍ଚ ହଜାର ଟଙ୍କାର ମା ପୁଅ ଚଳନ୍ତି । ତାଙ୍କ ପୁଅ ପାଠ ପଢୁଥିଲା, ପଢିବା ପରେ ସେ ବାହାର ରାଜ୍ୟକୁ ଯାଇଥିଲେ, ପୁଣି ଘରକୁ ଆସି ସେ ଚେନ୍ନାଇ ଯାଇଥିଲେ । ସେଠି ସେ କାମ କରୁଥିବା ସମୟରେ କରେଣ୍ଟ ଲାଗି ତାଙ୍କର ହାତ ଦୁଇଟି ପୋଡି ଯାଇଥିଲା । ସେଠାରେ ସେ ମେଡିକାଲରେ ଥିଲେ। ଦୁଇଦିନ ପରେ ଏମାନେ ଯାଇକି ତାଙ୍କୁ ଆମ୍ବୁଲାନ୍ସରେ ଆଣିଲେ, ଆସିକି ପହଁଚିଲା ବେଳକୁ ସାତଦିନ ହୋଇ ଯାଇଥିଲା ଏଠାରେ ଏମ୍ସରେ ଆଡ଼ମିଶନ କଲେ, ଡାକ୍ତର ଦେଖିଲେ ଯେ ତାଙ୍କ ହାତରେ ରକ୍ତ ଚଳାଚଳ ହେଉନାହିଁ । ବାଧ୍ୟ ହୋଇ ହାତ ଦୁଇଟି କାଟି ଦିଆଗଲା । ବର୍ତ୍ତମାନ ସେ ପୁରା ଅକ୍ଷମ । ସ୍ୱାମୀ ନାହାନ୍ତି, ପୁଅର ହାତ ଦୁଇଟି ଚାଲିଗଲା ସେ କେମିତି କଣ ଚଳିବ। ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ସହଯୋଗ କରନ୍ତି ହୁଏତ ତା ହାତ ଦୁଇଟି ଲଗାଯାଇ ପାରନ୍ତା । ତା ମା ବି ତା ପାଖରେ ସବୁଦିନ ରହି ପାରିବନି । କେହି ବି ତାର ଆଗକୁ ପଛକୁ ନାହାନ୍ତି ।"
ଯଦି କେହି ସହାୟତାର ହାତ ବଢାଇବାକୁ ଇଛା ପ୍ରକାଶ କରନ୍ତି, ଜୟନ୍ତଙ୍କୁ ତଳେ ଦିଆଯାଇଥିବା ଆକାଉଣ୍ଟ ତଥ୍ୟରେ ସହାୟତା ରାଶି ପଠାଇ ପାରିବେ ।
ଜୟନ୍ତ କୁମାର ଦାସ
ଆକାଉଣ୍ଟନମ୍ବର:- 33176442819
IFC କୋଡ:- SBIN0006418
ବ୍ୟାଙ୍କ ନାମ:- SBI
ବ୍ରାଞ୍ଚ:- ଫତେପୁର
ଫୋନ ପେ ନମ୍ବର:7605957815
ଏହା ବି ପଢନ୍ତୁ- ମନୋବଳ ଆଗରେ ହାରିଲା ଶାରୀରିକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରୀ
ଇଟିଭି ଭାରତ, ବାଲେଶ୍ୱର

