ଅକ୍ଷମତା ଆଗରେ ହାରିନି ବିଶ୍ବାସ... ସୁଭଦ୍ରା ଯୋଜନା କଲା ସ୍ବାବଲମ୍ବୀ, ପଢନ୍ତୁ ରିନା ଜେନାଙ୍କ ସଂଘର୍ଷର କାହାଣୀ
ମାସିକ ୧୦୦୦ ଟଙ୍କା ଭତ୍ତା ନିଅଣ୍ଟ ହେଉଥିବାରୁ ସାଢ଼େ ୩୦୦୦ ଟଙ୍କା ଭତ୍ତା ଓ ୩୫ କେଜି ଚାଉଳ ପ୍ରଦାନ ପାଇଁ ରୀନାଙ୍କର ସରକାରଙ୍କୁ ଅନୁରୋଧ । ରିପୋର୍ଟ: ଜୀବନ ଜ୍ୟୋତି ନାୟକ

Published : July 3, 2026 at 5:16 PM IST
ବାଲେଶ୍ବର: ଅକ୍ଷମତା ଆଗରେ ମୁଣ୍ଡ ନୁଆଁଇନାହିଁ ତାଙ୍କ ଆତ୍ମବିଶ୍ବାସ । ଆତ୍ମନିର୍ଭରଶୀଳ ହୋଇ ଜୀବନର ଅଭାବ ଓ ଝଡ଼ ଝଞ୍ଜା ଅତିକ୍ରମ କରି ସେ ସ୍ବାବଲମ୍ବୀ ହେବା ଦିଗରେ ଆଗେଇ ଚାଲିଛନ୍ତି । ଶାରୀରିକ ଅକ୍ଷମତା ବାଟ ଓଗାଳୁଛି ସତ ହେଲେ ଘର ପରିବାର ଓ ପଡୋଶୀଙ୍କ ସହାୟତାରେ ନିଜ ଗୋଡ଼ରେ ଠିଆ ହେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବାଲେଶ୍ୱର ଜିଲ୍ଲା ସାହୁପଡା ଗ୍ରାମର ରୀନା ଜେନା । ଏହା ସହିତ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି । ମାସିକ ୧୦୦୦ ଟଙ୍କା ଭତ୍ତା ସ୍ବାସ୍ଥ୍ୟ ଓ ଚଳିବା ପାଇଁ ନିଅଣ୍ଟ ପଡୁଥିବା ବେଳେ ଭତ୍ତା ବାବଦକୁ ସାଢ଼େ ତିନି ହଜାର ଟଙ୍କା ଓ ୩୫ କେଜି ଚାଉଳ ପ୍ରଦାନ କରନ୍ତୁ ବୋଲି ରୀନା ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଦୃଷ୍ଟି ବାଧିତ ହୋଇ ବି ସ୍ବାବଲମ୍ବୀ:
ଅନ୍ୟ ଉପରେ ନିର୍ଭର ନ କରି ନିଜ ଦମ୍ଭରେ କିଛି ରୋଜଗାର କରିବାର ଅଭିପ୍ରାୟରେ ଆଜି ଛୋଟିଆ ଏକ ଛୋଟ ଦୋକାନଟିଏ କରିଛନ୍ତି । ଯାହା ଦୁଇ ପଇସା ମିଳୁଛି ସେଥିରେ ନିଜ ଖର୍ଚ୍ଚ ତୁଲାଇବାକୁ ଚେଷ୍ଠା କରୁଛନ୍ତି । ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାସିକ ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ ହେଉଥିବା ବେଳେ ଔଷଧ ଖର୍ଚ୍ଚ ତୁଲାଇବାରେ ସେ ଅକ୍ଷମ । ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ ହୋଇ ବି ସେ ନିଜ କାମ ନିଜେ କରୁଛନ୍ତି । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ସାହୁପଡା ଗ୍ରାମର ବିଶ୍ୱନାଥ ଜେନା ଓ କବିତା ଜେନାଙ୍କ ତୃତୀୟ କନ୍ୟା ରୀନା ।
ମାତ୍ର ପାଞ୍ଚ ବର୍ଷ ବୟସରୁ ଦୃଷ୍ଟି ଶକ୍ତି ହରାଇଥିଲେ ରିନା । ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ବାଧିତ ହୋଇ ଜୀବନ କାଟୁଥିବା ବେଳେ ପରିବାର ଲୋକେ ତାଙ୍କର ବିବାହ ୨୦୨୧ ମସିହାରେ କରାଇଥିଲେ । ଝିଅ ଜ୍ବାଇଁ ରହିବା ପାଇଁ ମଧ୍ୟ ଏକ ଚାଳ ଛପର ଘର ମଧ୍ୟ ବାପା ତିଆରି କରିଦେଇଥିଲେ । ହେଲେ ବିବାହର କିଛି ବର୍ଷ ପରେ ବିଚ୍ଛେଦ ହୋଇଯାଇଥିଲା । ସେହି ଦିନଠାରୁ ରୀନା କେବଳ ଭତ୍ତା ଟଙ୍କାରେ ଚଳୁଥିବା ବେଳେ ବାପା ତାଙ୍କର ଦିନ ମଜୁରିଆ ଭାବେ ଯାହା ଯେତିକି ପାରନ୍ତି ସେତିକି ଝିଅକୁ ସହାୟତା ଯୋଗାଇ ଦିଅନ୍ତି । ମା ରାନ୍ଧି ବାଢ଼ି ଦେଲେ ରୀନା ଖାଆନ୍ତି ।
ସୁଭଦ୍ରା ଯୋଜନାରୁ ତେଜରାତି ଦୋକାନ:
ଏହାରି ଭିତରେ ରିନାଙ୍କୁ ମିଳିଥିଲା ସୁଭଦ୍ରା ଟଙ୍କା। ଯାହାର ସୁବିନିଯୋଗ କରିବା ପାଇଁ ତାଙ୍କ ପାଖ ପଡୋଶୀ ତାଙ୍କୁ ମତ ଦେଇଥିଲେ । ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାରେ ଏକ ଛୋଟିଆ ଦୋକାନ କଲେ ସାହି ପଡ଼ିଶାର ଲୋକେ ତାଙ୍କ ଠାରୁ କିଣାକିଣି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେଇଥିରୁ ଦୁଇ ପଇସା ରୋଜଗାର କରିହେବ ବୋଲି ମତ ଦେବାପରେ ରୀନା ଉକ୍ତ ଟଙ୍କାରେ ନିଜ ଘର ଭିତରେ ଏକ ଛୋଟିଆ ତେଜରାତି ଦୋକାନ କରିଛନ୍ତି । ସାହି ପଡିଶା ଲୋକଙ୍କର ଯାହା ଆବଶ୍ୟକ ପଡେ ତାହା ସେମାନେ ରିନାଙ୍କ ଠାରୁ କିଣି ନେଇଥାନ୍ତି ।
ନିଜ ଗୋଡ଼ରେ ଠିଆ ହେବାର ପ୍ରୟାସ:
ରିନାଙ୍କୁ ବଜାର ସଉଦାରେ ସାହିର ଲୋକମାନେ ସହଯୋଗ କରିଥାନ୍ତି । ରିନାଙ୍କ ପାଖରୁ ଜିନିଷ କିଣୁଥିବା ଲୋକେ ତାଙ୍କୁ ଉଚିତ ପ୍ରାପ୍ୟ ଦେଇଥାଆନ୍ତି । ଯେଉଁଥିରେ ଦୁଇ ପଇସା ତାଙ୍କର ରୋଜଗାର ହେବା ସହ ସେ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ଅବଶ୍ୟ ଦୋକାନ ବଢ଼ାଇବା ପାଇଁ ରିନାଙ୍କ ପାଖରେ ସମ୍ବଳ ନାହିଁ । ହେଲେ କିଛି ପଇସା ହାତରେ ରହିଲେ ସେ ସବୁ ପ୍ରକାର ଜିନିଷ ରଖି ବ୍ୟବସାୟ କରିବାକୁ ମନସ୍ଥ କରିଛନ୍ତି । ଦୋକାନରେ କେଉଁଠି କେଉଁ ଜିନିଷ ରହିଛି ସେ ସବୁକିଛି ସେ ହାତ ମାରି ଜାଣିନିଅନ୍ତି । ରୀନା କିଛି ଦେଶୀ କୁକୁଡ଼ା ରଖି ମଧ୍ୟ ବିକ୍ରି କରନ୍ତି । ଏପରି ଦୁର୍ଦ୍ଦିନ ମଧ୍ୟରେ ରହିଥିଲେ ସୁଦ୍ଧା ଟଙ୍କା ପାଇଁ ସେ କାହା ନିକଟରେ ହାତ ପାତି ନାହାନ୍ତି ବରଂ ନିଜେ କିପରି ନିଜ ଗୋଡ଼ରେ ଠିଆ ହେବେ ସେନେଇ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି ।
ସ୍ବାବଲମ୍ବୀ ହୋଇଛି ଦୃଷ୍ଟି ବାଧିତ ଝିଅ:
ରିନାଙ୍କ ସଙ୍ଘର୍ଷମୟ ଜୀବନ ବିଷୟରେ ଗାଁ ଲୋକ ସନ୍ତୋଷ ମାହାଲ କହିଛନ୍ତି, "ରୀନା ଜନ୍ମରୁ ଦୃଷ୍ଟି ବାଧିତ । ଏହା ସତ୍ତ୍ବେ ସେ ସବୁ କାମ କରି ପାରୁଛି । ୬ଟି କୁକୁଡ଼ା ରଖିବା ସହ ସୁଭଦ୍ରା ଯୋଜନାରେ କିଛି ପଇସା ପାଇ ସେ ଛୋଟିଆ ଦୋକାନଟିଏ କରିଛି । ତାକୁ ଧନ୍ୟବାଦ ଦେବାକଥା ଯେ, ସେ ନିଜେ ଅନ୍ଧ ହୋଇ ମଧ୍ୟ ବିଭିନ୍ନ ସମୟରେ ଠାବ କରି ସବୁ କାମ କରି ପାରୁଛି । ତାକୁ ଭଗବାନ ସହାୟ ହୁଅନ୍ତୁ । ସ୍ୱାମୀ ତାଙ୍କ ପାଖରେ ନାହାନ୍ତି । ସେମିତି ରୋଜଗାର କିଛି ନାହିଁ, ଖାଲି ଯାହା ୧୦୦୦ ଟଙ୍କା ଭତ୍ତା ମିଳୁଛି । ସେ ଶତ ପ୍ରତିଶତ ଦିବ୍ୟାଙ୍ଗ ।"
ପଡୋଶୀ ସାହାଯ୍ୟ କରନ୍ତି:
ତାଙ୍କ ପଡ଼ୋଶୀ ମିନତୀ ଖଟୁଆ କହିଛନ୍ତି, "ରୀନା ବହୁତ କଷ୍ଟ ସହିଛି । ସେ ଅନ୍ଧ ଛୁଆ, ସେ କିଛି ଦେଖି ପାରେନି କି ଜାଣି ପାରେନି । ଆମ ମାନଙ୍କ ସାହାଯ୍ୟ ସେ ନିଏ, ଯେଉଁଠୁ ଯାହା ପଇସା ପାଏ, ଭତ୍ତା ପାଏ । ସୁଭଦ୍ରା ଯୋଜନାରେ ଟଙ୍କା ମିଳିବା ପରେ ଆମେମାନେ ତାକୁ ଏକ ଦୋକାନ କରିବା ପାଇଁ ପରାମର୍ଶ ଦେଇଥିଲୁ । ସେ ସେହି କଥା ମାନି ଏ ଦୋକାନଟି କରିଛି । ସେ କିଛି ଜାଣି ପାରେନି ଆମେ ତାକୁ ସବୁ ବତାଇ ଦେଉ । ସେ ସବୁ ହାତ ମାରି ଅନୁଭବ କରି କରି ଯାଏ । ଆମେ ତାକୁ ବାଟ କଡ଼ାଇ ନେଉ ।"
୧୦୦୦ ଟଙ୍କା ଭତ୍ତାରେ ଚଳିବା କଷ୍ଟକର:
ଜୀବନରେ ସବୁକିଛି ହରାଇ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ପ୍ରୟାସ କରିଥିବା ରୀନା ଜେନା କହିଛନ୍ତି, "ମୋର କେହି ସାହା ଭରସା ନାହାନ୍ତି । ବାପା ବୁଢ଼ା ହେଲେଣି । ଭାଇମାନେ ତାଙ୍କ ପରିବାର ଧରି ଅଲଗା ରହୁଛନ୍ତି । ମୋ କଥା କିଏ ବୁଝିବ ? ବାପା ମା' ଯେତେଦିନ ଯାଏ ଅଛନ୍ତି, ମୋ କଥା ବୁଝୁଛନ୍ତି । ଖାଇବାକୁ ଗଣ୍ଡେ ରାନ୍ଧି କରି ଦେଉଛନ୍ତି । ଏବେ ମୁଁ ୧୦୦୦ ଟଙ୍କା ଭତ୍ତା ପାଉଛି । ହେଲେ ଏବର ମହଙ୍ଗା ଯୁଗରେ ଏତିକିରେ ଚଳିବା ମୋ ପକ୍ଷେ କଷ୍ଟକର ହୋଇପଡୁଛି ।"
ସରକାରଙ୍କ ସହାୟତାକୁ ଅପେକ୍ଷା:
"ଅନେକ ସମୟରେ ମୋ ସ୍ବାସ୍ଥ୍ୟ ମଧ୍ୟ ଖରାପ ହେଉଛି । ସୁଭଦ୍ରା ଟଙ୍କା ପାଇବା ପରେ ପଡୋଶୀ ମାନେ କହିଲେ ଦୋକାନଟିଏ କରିବାକୁ ପ୍ରୋତ୍ସାହିତ କରିଥିଲେ ଓ ଆବଶ୍ୟକ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦୋକାନରୁ ଯାହା ୫୦/୧୦୦ ଟଙ୍କା ରୋଜଗାର ହେଉଛି ସେଥିରେ ମୁଁ ଚଳୁଛି, " ବୋଲି ଦୃଷ୍ଟି ବାଧିତ ରୀନା କହିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର

