ETV Bharat / state

ଅକ୍ଷମତା ଆଗରେ ହାରିନି ବିଶ୍ବାସ... ସୁଭଦ୍ରା ଯୋଜନା କଲା ସ୍ବାବଲମ୍ବୀ, ପଢନ୍ତୁ ରିନା ଜେନାଙ୍କ ସଂଘର୍ଷର କାହାଣୀ

ମାସିକ ୧୦୦୦ ଟଙ୍କା ଭତ୍ତା ନିଅଣ୍ଟ ହେଉଥିବାରୁ ସାଢ଼େ ୩୦୦୦ ଟଙ୍କା ଭତ୍ତା ଓ ୩୫ କେଜି ଚାଉଳ ପ୍ରଦାନ ପାଇଁ ରୀନାଙ୍କର ସରକାରଙ୍କୁ ଅନୁରୋଧ । ରିପୋର୍ଟ: ଜୀବନ ଜ୍ୟୋତି ନାୟକ

Balasore Visually Impaired Reena Jena Builds New Life with Subhadra Yojana self reliance success story
ଅକ୍ଷମତା ଆଗରେ ହାରିନି ବିଶ୍ବାସ, ସୁଭଦ୍ରା ଯୋଜନା କଲା ସ୍ବାବଲମ୍ବୀ, ପଢନ୍ତୁ ରିନାଙ୍କ ସଂଘର୍ଷର କାହାଣୀ (ETV Bharat GFX Team)
author img

By ETV Bharat Odisha Team

Published : July 3, 2026 at 5:16 PM IST

4 Min Read
Choose ETV Bharat

ବାଲେଶ୍ବର: ଅକ୍ଷମତା ଆଗରେ ମୁଣ୍ଡ ନୁଆଁଇନାହିଁ ତାଙ୍କ ଆତ୍ମବିଶ୍ବାସ । ଆତ୍ମନିର୍ଭରଶୀଳ ହୋଇ ଜୀବନର ଅଭାବ ଓ ଝଡ଼ ଝଞ୍ଜା ଅତିକ୍ରମ କରି ସେ ସ୍ବାବଲମ୍ବୀ ହେବା ଦିଗରେ ଆଗେଇ ଚାଲିଛନ୍ତି । ଶାରୀରିକ ଅକ୍ଷମତା ବାଟ ଓଗାଳୁଛି ସତ ହେଲେ ଘର ପରିବାର ଓ ପଡୋଶୀଙ୍କ ସହାୟତାରେ ନିଜ ଗୋଡ଼ରେ ଠିଆ ହେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବାଲେଶ୍ୱର ଜିଲ୍ଲା ସାହୁପଡା ଗ୍ରାମର ରୀନା ଜେନା । ଏହା ସହିତ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି । ମାସିକ ୧୦୦୦ ଟଙ୍କା ଭତ୍ତା ସ୍ବାସ୍ଥ୍ୟ ଓ ଚଳିବା ପାଇଁ ନିଅଣ୍ଟ ପଡୁଥିବା ବେଳେ ଭତ୍ତା ବାବଦକୁ ସାଢ଼େ ତିନି ହଜାର ଟଙ୍କା ଓ ୩୫ କେଜି ଚାଉଳ ପ୍ରଦାନ କରନ୍ତୁ ବୋଲି ରୀନା ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଅକ୍ଷମତା ଆଗରେ ହାରିନି ବିଶ୍ବାସ, ସୁଭଦ୍ରା ଯୋଜନା କଲା ସ୍ବାବଲମ୍ବୀ, ପଢନ୍ତୁ ରିନାଙ୍କ ସଂଘର୍ଷର କାହାଣୀ (ETV Bharat Odisha)

ଦୃଷ୍ଟି ବାଧିତ ହୋଇ ବି ସ୍ବାବଲମ୍ବୀ:
ଅନ୍ୟ ଉପରେ ନିର୍ଭର ନ କରି ନିଜ ଦମ୍ଭରେ କିଛି ରୋଜଗାର କରିବାର ଅଭିପ୍ରାୟରେ ଆଜି ଛୋଟିଆ ଏକ ଛୋଟ ଦୋକାନଟିଏ କରିଛନ୍ତି । ଯାହା ଦୁଇ ପଇସା ମିଳୁଛି ସେଥିରେ ନିଜ ଖର୍ଚ୍ଚ ତୁଲାଇବାକୁ ଚେଷ୍ଠା କରୁଛନ୍ତି । ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାସିକ ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ ହେଉଥିବା ବେଳେ ଔଷଧ ଖର୍ଚ୍ଚ ତୁଲାଇବାରେ ସେ ଅକ୍ଷମ । ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ ହୋଇ ବି ସେ ନିଜ କାମ ନିଜେ କରୁଛନ୍ତି । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ସାହୁପଡା ଗ୍ରାମର ବିଶ୍ୱନାଥ ଜେନା ଓ କବିତା ଜେନାଙ୍କ ତୃତୀୟ କନ୍ୟା ରୀନା ।

ମାତ୍ର ପାଞ୍ଚ ବର୍ଷ ବୟସରୁ ଦୃଷ୍ଟି ଶକ୍ତି ହରାଇଥିଲେ ରିନା । ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ବାଧିତ ହୋଇ ଜୀବନ କାଟୁଥିବା ବେଳେ ପରିବାର ଲୋକେ ତାଙ୍କର ବିବାହ ୨୦୨୧ ମସିହାରେ କରାଇଥିଲେ । ଝିଅ ଜ୍ବାଇଁ ରହିବା ପାଇଁ ମଧ୍ୟ ଏକ ଚାଳ ଛପର ଘର ମଧ୍ୟ ବାପା ତିଆରି କରିଦେଇଥିଲେ । ହେଲେ ବିବାହର କିଛି ବର୍ଷ ପରେ ବିଚ୍ଛେଦ ହୋଇଯାଇଥିଲା । ସେହି ଦିନଠାରୁ ରୀନା କେବଳ ଭତ୍ତା ଟଙ୍କାରେ ଚଳୁଥିବା ବେଳେ ବାପା ତାଙ୍କର ଦିନ ମଜୁରିଆ ଭାବେ ଯାହା ଯେତିକି ପାରନ୍ତି ସେତିକି ଝିଅକୁ ସହାୟତା ଯୋଗାଇ ଦିଅନ୍ତି । ମା ରାନ୍ଧି ବାଢ଼ି ଦେଲେ ରୀନା ଖାଆନ୍ତି ।

ସୁଭଦ୍ରା ଯୋଜନାରୁ ତେଜରାତି ଦୋକାନ:
ଏହାରି ଭିତରେ ରିନାଙ୍କୁ ମିଳିଥିଲା ସୁଭଦ୍ରା ଟଙ୍କା। ଯାହାର ସୁବିନିଯୋଗ କରିବା ପାଇଁ ତାଙ୍କ ପାଖ ପଡୋଶୀ ତାଙ୍କୁ ମତ ଦେଇଥିଲେ । ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାରେ ଏକ ଛୋଟିଆ ଦୋକାନ କଲେ ସାହି ପଡ଼ିଶାର ଲୋକେ ତାଙ୍କ ଠାରୁ କିଣାକିଣି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେଇଥିରୁ ଦୁଇ ପଇସା ରୋଜଗାର କରିହେବ ବୋଲି ମତ ଦେବାପରେ ରୀନା ଉକ୍ତ ଟଙ୍କାରେ ନିଜ ଘର ଭିତରେ ଏକ ଛୋଟିଆ ତେଜରାତି ଦୋକାନ କରିଛନ୍ତି । ସାହି ପଡିଶା ଲୋକଙ୍କର ଯାହା ଆବଶ୍ୟକ ପଡେ ତାହା ସେମାନେ ରିନାଙ୍କ ଠାରୁ କିଣି ନେଇଥାନ୍ତି ।

ନିଜ ଗୋଡ଼ରେ ଠିଆ ହେବାର ପ୍ରୟାସ:
ରିନାଙ୍କୁ ବଜାର ସଉଦାରେ ସାହିର ଲୋକମାନେ ସହଯୋଗ କରିଥାନ୍ତି । ରିନାଙ୍କ ପାଖରୁ ଜିନିଷ କିଣୁଥିବା ଲୋକେ ତାଙ୍କୁ ଉଚିତ ପ୍ରାପ୍ୟ ଦେଇଥାଆନ୍ତି । ଯେଉଁଥିରେ ଦୁଇ ପଇସା ତାଙ୍କର ରୋଜଗାର ହେବା ସହ ସେ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ଅବଶ୍ୟ ଦୋକାନ ବଢ଼ାଇବା ପାଇଁ ରିନାଙ୍କ ପାଖରେ ସମ୍ବଳ ନାହିଁ । ହେଲେ କିଛି ପଇସା ହାତରେ ରହିଲେ ସେ ସବୁ ପ୍ରକାର ଜିନିଷ ରଖି ବ୍ୟବସାୟ କରିବାକୁ ମନସ୍ଥ କରିଛନ୍ତି । ଦୋକାନରେ କେଉଁଠି କେଉଁ ଜିନିଷ ରହିଛି ସେ ସବୁକିଛି ସେ ହାତ ମାରି ଜାଣିନିଅନ୍ତି । ରୀନା କିଛି ଦେଶୀ କୁକୁଡ଼ା ରଖି ମଧ୍ୟ ବିକ୍ରି କରନ୍ତି । ଏପରି ଦୁର୍ଦ୍ଦିନ ମଧ୍ୟରେ ରହିଥିଲେ ସୁଦ୍ଧା ଟଙ୍କା ପାଇଁ ସେ କାହା ନିକଟରେ ହାତ ପାତି ନାହାନ୍ତି ବରଂ ନିଜେ କିପରି ନିଜ ଗୋଡ଼ରେ ଠିଆ ହେବେ ସେନେଇ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି ।

ସ୍ବାବଲମ୍ବୀ ହୋଇଛି ଦୃଷ୍ଟି ବାଧିତ ଝିଅ:
ରିନାଙ୍କ ସଙ୍ଘର୍ଷମୟ ଜୀବନ ବିଷୟରେ ଗାଁ ଲୋକ ସନ୍ତୋଷ ମାହାଲ କହିଛନ୍ତି, "ରୀନା ଜନ୍ମରୁ ଦୃଷ୍ଟି ବାଧିତ । ଏହା ସତ୍ତ୍ବେ ସେ ସବୁ କାମ କରି ପାରୁଛି । ୬ଟି କୁକୁଡ଼ା ରଖିବା ସହ ସୁଭଦ୍ରା ଯୋଜନାରେ କିଛି ପଇସା ପାଇ ସେ ଛୋଟିଆ ଦୋକାନଟିଏ କରିଛି । ତାକୁ ଧନ୍ୟବାଦ ଦେବାକଥା ଯେ, ସେ ନିଜେ ଅନ୍ଧ ହୋଇ ମଧ୍ୟ ବିଭିନ୍ନ ସମୟରେ ଠାବ କରି ସବୁ କାମ କରି ପାରୁଛି । ତାକୁ ଭଗବାନ ସହାୟ ହୁଅନ୍ତୁ । ସ୍ୱାମୀ ତାଙ୍କ ପାଖରେ ନାହାନ୍ତି । ସେମିତି ରୋଜଗାର କିଛି ନାହିଁ, ଖାଲି ଯାହା ୧୦୦୦ ଟଙ୍କା ଭତ୍ତା ମିଳୁଛି । ସେ ଶତ ପ୍ରତିଶତ ଦିବ୍ୟାଙ୍ଗ ।"

ପଡୋଶୀ ସାହାଯ୍ୟ କରନ୍ତି:
ତାଙ୍କ ପଡ଼ୋଶୀ ମିନତୀ ଖଟୁଆ କହିଛନ୍ତି, "ରୀନା ବହୁତ କଷ୍ଟ ସହିଛି । ସେ ଅନ୍ଧ ଛୁଆ, ସେ କିଛି ଦେଖି ପାରେନି କି ଜାଣି ପାରେନି । ଆମ ମାନଙ୍କ ସାହାଯ୍ୟ ସେ ନିଏ, ଯେଉଁଠୁ ଯାହା ପଇସା ପାଏ, ଭତ୍ତା ପାଏ । ସୁଭଦ୍ରା ଯୋଜନାରେ ଟଙ୍କା ମିଳିବା ପରେ ଆମେମାନେ ତାକୁ ଏକ ଦୋକାନ କରିବା ପାଇଁ ପରାମର୍ଶ ଦେଇଥିଲୁ । ସେ ସେହି କଥା ମାନି ଏ ଦୋକାନଟି କରିଛି । ସେ କିଛି ଜାଣି ପାରେନି ଆମେ ତାକୁ ସବୁ ବତାଇ ଦେଉ । ସେ ସବୁ ହାତ ମାରି ଅନୁଭବ କରି କରି ଯାଏ । ଆମେ ତାକୁ ବାଟ କଡ଼ାଇ ନେଉ ।"

୧୦୦୦ ଟଙ୍କା ଭତ୍ତାରେ ଚଳିବା କଷ୍ଟକର:
ଜୀବନରେ ସବୁକିଛି ହରାଇ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ପ୍ରୟାସ କରିଥିବା ରୀନା ଜେନା କହିଛନ୍ତି, "ମୋର କେହି ସାହା ଭରସା ନାହାନ୍ତି । ବାପା ବୁଢ଼ା ହେଲେଣି । ଭାଇମାନେ ତାଙ୍କ ପରିବାର ଧରି ଅଲଗା ରହୁଛନ୍ତି । ମୋ କଥା କିଏ ବୁଝିବ ? ବାପା ମା' ଯେତେଦିନ ଯାଏ ଅଛନ୍ତି, ମୋ କଥା ବୁଝୁଛନ୍ତି । ଖାଇବାକୁ ଗଣ୍ଡେ ରାନ୍ଧି କରି ଦେଉଛନ୍ତି । ଏବେ ମୁଁ ୧୦୦୦ ଟଙ୍କା ଭତ୍ତା ପାଉଛି । ହେଲେ ଏବର ମହଙ୍ଗା ଯୁଗରେ ଏତିକିରେ ଚଳିବା ମୋ ପକ୍ଷେ କଷ୍ଟକର ହୋଇପଡୁଛି ।"

ସରକାରଙ୍କ ସହାୟତାକୁ ଅପେକ୍ଷା:
"ଅନେକ ସମୟରେ ମୋ ସ୍ବାସ୍ଥ୍ୟ ମଧ୍ୟ ଖରାପ ହେଉଛି । ସୁଭଦ୍ରା ଟଙ୍କା ପାଇବା ପରେ ପଡୋଶୀ ମାନେ କହିଲେ ଦୋକାନଟିଏ କରିବାକୁ ପ୍ରୋତ୍ସାହିତ କରିଥିଲେ ଓ ଆବଶ୍ୟକ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦୋକାନରୁ ଯାହା ୫୦/୧୦୦ ଟଙ୍କା ରୋଜଗାର ହେଉଛି ସେଥିରେ ମୁଁ ଚଳୁଛି, " ବୋଲି ଦୃଷ୍ଟି ବାଧିତ ରୀନା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ବାଲେଶ୍ବର ନରସିଂହସିଲାରେ ପାନୀୟ ଜଳ ସଂକଟ, ଗରାଏ ପାଣି ପାଇଁ ଯିବାକୁ ପଡ଼ୁଛି 2 କିଲୋମିଟର

ମାଲିକଙ୍କୁ ମାରି ଦେଲି ବୋଲି ଭାବି ଅନୁତାପ କରୁଛି ଗାଈ, 10 ଦିନ ହେଲାଣି ଛୁଇଁନି ଦାନା ପାଣି

ଅଟକାଇ ପାରିନି ଅକ୍ଷମତା: ସିଲେଇ ତାଲିମ ଦେଇ 700 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

ଇଟିଭି ଭାରତ, ବାଲେଶ୍ବର