ETV Bharat / state

କୁପନ ଦେଖାଇଲେ ମିଳୁଛି ଖାଦ୍ୟ, ଭୋକିଲାଙ୍କ ପାଇଁ ସଂଗ୍ରାମଙ୍କ ନିଆରା ପ୍ରୟାସ

ମୁହଁ ଦେଖିଲେ ପେଟର ଭୋକ ବୁଝୁଛନ୍ତି ବାଲେଶ୍ବରର ସମାଜସେବୀ ସଂଗ୍ରାମ ପଣ୍ଡା। ଭୋକିଲା ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଖାଦ୍ୟ କୁପନ ବ୍ୟବସ୍ଥା । ଯାହାକୁ ଦେଖାଇଲେ ହୋଟେଲରେ ଖାଦ୍ୟ ମିଳୁଛି ।

SANGRAM PANDA FOOD COUPON SCHEME
ଭୋକିଲା ଲୋକଙ୍କ ପାଇଁ ସଂଗ୍ରାମ ପଣ୍ଡା ଆରମ୍ଭ କରିଛନ୍ତି ଖାଦ୍ୟ କୁପନ ବ୍ୟବସ୍ଥା (ETV BHARAT ODISHA)
author img

By ETV Bharat Odisha Team

Published : January 4, 2026 at 1:59 PM IST

|

Updated : January 4, 2026 at 2:13 PM IST

3 Min Read
Choose ETV Bharat

ରିପୋର୍ଟ: ଜୀବନ ଜ୍ୟୋତି ନାୟକ

ବାଲେଶ୍ବର: ଯେଉଁମାନେ ଦିନ ତମାମ ମୁଠେ ଖାଇବାକୁ ପାଉ ନାହାଁନ୍ତି, ଅସହାୟ ଅବସ୍ଥାରେ ରାସ୍ତାରେ ବୁଲୁଛନ୍ତି ସେମାନଙ୍କ ପାଇଁ ଆରମ୍ଭ ହୋଇଛି ଖାଦ୍ୟ କୁପନ ବ୍ୟବସ୍ଥା। ଯେଉଁ କୁପନକୁ କୌଣସି ହୋଟେଲ କିମ୍ବା ଜଳଖିଆ ଦୋକାନରେ ଦେଖାଇଲେ ଜଣେ ଭୋକିଲା ଖାଦ୍ୟ ଖାଇପାରୁଛି। ଏମିତି କୁପନ ବ୍ୟବସ୍ଥା କରିଛନ୍ତି ବାଲେଶ୍ୱର ସହରର ଯୁବ ସମାଜସେବୀ ସଂଗ୍ରାମ ପଣ୍ଡା। ସହରରେ ଏମିତି ଅନେକ ଲୋକଙ୍କୁ ସଂଗ୍ରାମ ପ୍ରତିଦିନ ଭେଟନ୍ତି ଯେଉଁମାନେ କି ଭୋକିଲା ରୁହନ୍ତି। ସେମାନଙ୍କ ପେଟକୁ ମୁଠାଏ ଦାନା ଦେବାର ପ୍ରୟାସ ଆରମ୍ଭ କରି କୁପନ ବ୍ୟବସ୍ଥା କରିଛନ୍ତି।

କୁପନ ଦେଖାଇଲେ ଭୋକିଲାଙ୍କ ପେଟ ପୁରୁଛି:

ଭୋକିଲା ଲୋକଙ୍କ ପାଇଁ ସଂଗ୍ରାମ ପଣ୍ଡା ଆରମ୍ଭ କରିଛନ୍ତି ଖାଦ୍ୟ କୁପନ ବ୍ୟବସ୍ଥା (ETV BHARAT ODISHA)

ରାସ୍ତାରେ ଯିବାବେଳେ ଯଦି କେହି ଭୋକିଲା ଥିବା ସେ ଅନୁଭବ କରନ୍ତି ସଙ୍ଗେ ସଙ୍ଗେ ଗୋଟିଏ କୁପନ ଦେଇଦିଅନ୍ତି। ଯେଉଁ କୁପନର ମୂଲ୍ୟ ୫୦ ଟଙ୍କା ରହିଛି । ନୂଆବର୍ଷରେ ଏମିତି ଏକ ପ୍ରାୟାସ ସଂଗ୍ରାମ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ଜଣ ଭୋକିଲା ମଣିଷ ଉପକୃତ ହୋଇ ସାରିଲେଣି । ସଂଗ୍ରାମ ଭୋକିଲା ଲୋକଙ୍କୁ ଏକ କୁପନ ଦିଅନ୍ତି । ଯେଉଁଥିରେ ତାଙ୍କ ଫୋନ ନମ୍ବର ଲେଖାହୋଇଥାଏ ଓ କୁପନ ନେଇ ଖାଇବାକୁ ଆସିଥିବା ଲୋକଙ୍କୁ ଖାଇବା ଦେଲେ ଏହି ନମ୍ବରରେ ଯୋଗାଯୋଗ କଲେ ଟଙ୍କା ମିଳିଯିବ ବୋଲି ଉଲ୍ଲେଖ ରହିଛି । ଜଣେ ଭୋକିଲା ମଣିଷ ଏହି କୁପନଟିକୁ ନେଇ କୌଣସିବି ହୋଟେଲ କିମ୍ବା ଜଳଖିଆ ଦେକାନରେ ଦେଖାଇବା ପରେ ସଙ୍ଗେ ସଙ୍ଗେ ଖାଇବା ମିଳିଯାଏ ଓ ସଂଗ୍ରାମକୁ ଯୋଗାଯୋଗ କରିବା ପରେ ଦୋକାନୀକୁ ଟଙ୍କା ମିଳିଯାଏ ।

କାହିଁକି ଏପରି ପ୍ରୟାସ ଆରମ୍ଭ କଲେ ସଂଗ୍ରାମ ?

Balasore sangram Panda launches food coupon scheme for hungry people
କୁପନ ଦେଖାଇଲେ ମିଳୁଛି ଖାଦ୍ୟ, ଭୋକିଲାଙ୍କ ପାଇଁ ସଂଗ୍ରାମଙ୍କ ନିଆରା ପ୍ରୟାସ (ETV BHARAT ODISHA)
ନିଜସ୍ୱ ଖର୍ଚ୍ଚରେ ସଂଗ୍ରାମ ଆରମ୍ଭ କରିଥିବା ଏପରି ପ୍ରୟାସ ବିଷୟରେ କହିଛନ୍ତି," ମୁଁ ଦେଖିଲି ବଜାରରେ ଏମିତି ଲୋକ ଅଛନ୍ତି ଯେଉଁମାନେ କି ଖାଇବାକୁ ପାଉନାହାଁନ୍ତି, କିଛି ଲୋକ ଆସିକି ପଇସା ମାଗୁଛନ୍ତି, ସେ ପଇସା ବି ଅନେକାଂଶରେ ଅପବ୍ୟବହାର ହେଉଛି। କିଏ ଖାଉଛି କିଏ ଖାଉନାହିଁ, ଉପଯୁକ୍ତ ଲୋକ ଖାଦ୍ୟ ପାଇପାରୁନାହାନ୍ତି। ସେଥିପାଇଁ ମୁଁ ଚିନ୍ତା କଲି ଯେ ଏକ କୁପନ ବ୍ୟବସ୍ଥା କରିବି। ସେହିଭଳି ଲୋକ ଆମେ ଚିହ୍ନଟ କରିବୁ ଯେ ବାସ୍ତବରେ ଯିଏ ଭୋକିଲା ଥିବ। ସେମାନଙ୍କୁ କୁପନ ଦେବାପରେ ସେ ନେଇକି ପାଖରେ ଥିବା ହୋଟେଲ କିମ୍ବା ଜଳଖିଆ ଦୋକାନକୁ ଗଲେ, ସେହି କୂପନରେ ମୋ ନମ୍ବର ଦେଇଛି, ଖାଦ୍ୟ ଦୋକାନୀ ସେହି ନମ୍ବରରେ ମୋତେ କଲ କରିବେ, କଲ ପରେ ମୁଁ ତାଙ୍କୁ ଅନଲାଇନ ଜରିଆରେ ୫୦ ଟଙ୍କା ପଠାଇବି। ତା ପରେ ସେ ଲୋକଙ୍କୁ ସେ ଖାଦ୍ୟ ଦେବେ। ଏହାର ଉଦ୍ଦେଶ୍ୟ ଏଇୟା ଯେ ପ୍ରକୃତରେ ଲୋକଟି ଖାଦ୍ୟ ପାଇବ, ଭୋକିଲା ଲୋକଟି ଠିକ ଜାଗାରେ ଖାଦ୍ୟ ପାଇପାରିବ। ମୁଁ ସବୁ ଦୋକାନୀ ମାନଙ୍କୁ ଅନୁରୋଧ କରୁଛି, ଦୟାକରି ଏହି କୁପନ ଆପଣ ଗ୍ରହଣ କରନ୍ତୁ , ମୁଁ ଆପଣଙ୍କୁ ଅନଲାଇନରେ ଟଙ୍କା ପଠାଇବି, ଆପଣ ସେ ଲୋକକୁ ଖାଦ୍ୟ ଦିଅନ୍ତୁ। ମୁଁ ରାସ୍ତାରେ ଗଲାବେଳେ ଦେଖେ କିଏ ପ୍ରକୃତରେ ଭୋକିଲା ଅଛି, ଖାଦ୍ୟ ଖାଇବା ପାଇଁ ତା ପାଖରେ ପଇସା ନାହିଁ, ସେହିଭଳି ଲୋକଙ୍କୁ ମୁଁ ଚିହ୍ନଟ କରି ନିଜେ କୁପନ ବାଣ୍ଟୁଛି। ପ୍ରତିଦିନ ୧୦/୧୫ ଜଣ ଲୋକଙ୍କୁ କୁପନ ଦେବାପାଇଁ ମୁଁ ଲକ୍ଷ୍ୟ ରଖିଛି। ପରେ ସଂଖ୍ୟା ବଢ଼ିପାରେ କିନ୍ତୁ ପ୍ରତିଦିନ ମୁଁ ଏହି କୁପନ ସମସ୍ତଙ୍କୁ ଦେବି।"
Balasore sangram Panda launches food coupon scheme for hungry people
ମୁହଁ ଦେଖିଲେ ପେଟର ଭୋକ ବୁଝୁଛନ୍ତି ବାଲେଶ୍ବରର ସମାଜସେବୀ ସଂଗ୍ରାମ ପଣ୍ଡା (ETV BHARAT ODISHA)

ଖାଦ୍ୟ କୁପନ ପାଇ ହୋଟେଲ ଯାଇ ଖାଦ୍ୟ ଖାଇଥିବା ଜଣେ ବୃଦ୍ଧ କହିଛନ୍ତି, " ଦିନକୁ ଦୁଇ ଓଳି ମୁଠାଏ ଦାନା ପେଟକୁ ଯିବା ଭାରି କଷ୍ଟ। ରାସ୍ତାରେ ଯିଏ ଟଙ୍କାଏ ଦେଲା ସେହି ପଇସାରେ ପେଟ ପୁରିବା ସମ୍ଭବ ନୁହଁ। ଯଦି ଏମିତି କିଏ ଜଣେ କାଗଜ ଖଣ୍ଡେ ଧରେଇ ହୋଟେଲରୁ ଖାଇବା ଦେଉଛି ତେବେ ତାଙ୍କର ଏ କାମ ସତରେ ବହୁତ ସୁନ୍ଦର। ଆଜି ମୋତେ ବି ସେ କୁପନ ଦେଇଛନ୍ତି, ମୁଁ ଏ ହୋଟେଲରେ ଦେଖାଇବା ପରେ ହୋଟେଲରୁ ମୋତେ ଭାତ ଓ ମାଛ ତରକାରୀ ଦେଇଛନ୍ତି। ଯେଉଁ ମଣିଷ ଦିନରେ ଥରେ ଖାଇବା କଷ୍ଟ ଆଜି ମୁଁ ମୋ ଭୋକ ମେଣ୍ଟାଇ ପାରିବି କେବଳ ସେହି ଲୋକ ପାଇଁ ଯିଏ ମୋତେ କୁପନ ଦେଇଛନ୍ତି।"

Balasore sangram Panda launches food coupon scheme for hungry people
କୁପନ ଦେଖାଇଲେ ମିଳୁଛି ଖାଦ୍ୟ, ଭୋକିଲାଙ୍କ ପାଇଁ ସଂଗ୍ରାମଙ୍କ ନିଆରା ପ୍ରୟାସ (ETV BHARAT ODISHA)

ସଂଗ୍ରାମ କୁପନ ଦେବାପରେ ସେ କୁପନ ନେଇ ଭୋକିଲା ମଣିଷ ଯେତେବେଳେ ହୋଟେଲ ଯାଉଛି ସେତେବେଳେ ହୋଟେଲ ପକ୍ଷରୁ ସଂଗ୍ରାମଙ୍କୁ କଲ କରାଯାଉଛି ଏବଂ ସେ ଭୋକିଲା ମଣିଷକୁ ଖାଦ୍ୟ ପ୍ରଦାନ କରାଯାଉଛି। ବାଲେଶ୍ୱର ସହରର ଏକ ହୋଟେଲରେ ଦୁଇଦିନ ହେଲା କୁପନ ନେଇ ଯାଉଥିବା ଲୋକଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ହୋଟେଲ କର୍ମଚାରୀ ଜୟକୃଷ୍ଣ ମିଶ୍ର କହିଛନ୍ତି," ସଂଗ୍ରାମ ପଣ୍ଡାଙ୍କ ପ୍ରଚେଷ୍ଠାରେ ଅନେକ ଗରିବ ଲୋକ ଯେଉଁମାନେ କି ଗଣ୍ଡେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି ସେମାନଙ୍କୁ ଗୋଟେ ଗୋଟେ କୁପନ ଦିଅନ୍ତି । ସେ କହିକି ଯାଇଛନ୍ତି ଯେ କୁପନ ଦେଖିଲେ ଖାଇବା ଦେବା ପାଇଁ। ଦୁଇଦିନ ଭିତରେ ଆମେ ୨୦/୩୦ ଲୋକଙ୍କୁ ଖାଇବାକୁ ଦେଲୁଣି। ଅନଲାଇନ ଜରିଆରେ ଟଙ୍କା ପଠାଉଛନ୍ତି । "

ବୁଲା କୁକୁର ଓ ପ୍ରାଣୀ ସୃଷ୍ଟି କରୁଛନ୍ତି ସମସ୍ୟା; ସଚେତନତା ସହ ପ୍ରାଥମିକ ଚିକିତ୍ସା ପାଇଁ ସିଏସଙ୍କ ନିର୍ଦ୍ଦେଶ

ଇଟିଭି ଭାରତ, ବାଲେଶ୍ବର

Last Updated : January 4, 2026 at 2:13 PM IST