ଜଗନ୍ନାଥ ଦର୍ଶନ ସାରି ଗାଡ଼ିରେ ଫେରୁଥିଲେ 19 ଯାତ୍ରୀ, ବାଲେଶ୍ବରରେ ଟ୍ରକ ସହ ଧକ୍କାରେ 12 ଗୁରୁତର
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 16 ନମ୍ବର ଜାତୀୟ ରାଜପଥ କୁଣ୍ଡପୁର ଛକରେ ଏକ ଟ୍ରକକୁ ଟ୍ରାଭେରା ଗାଡ଼ି ଧକ୍କା ଦେବାରୁ 12 ଗୁରୁତର ଆହତ ହୋଇଛନ୍ତି । ରିପୋର୍ଟ: ଜୀବନ ଜ୍ୟୋତି ନାୟକ

Published : July 8, 2026 at 12:28 PM IST
Balasore Road Accident , ବାଲେଶ୍ୱର: ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରିବା ବେଳେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରାଭେରା ଗାଡି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 16 ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ, 12 ଜଣ ଗୁରୁତର ଆହତଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ରାସ୍ତା କଡ଼ରେ ଟ୍ରକକୁ ପିଟିଲା ଟ୍ରାଭେରା:
ଆଜି (ବୁଧବାର) ଭୋର ପ୍ରାୟ ସାଢ଼େ 4ଟା ସମୟରେ 16 ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ପୁରୀରୁ ଭୋଗରାଇ ନିମାତପୁର ଅଭିମୁଖେ ଆସୁଥିବା OD01Z6804 ନମ୍ବର ବିଶିଷ୍ଟ ଟ୍ରାଭେରା ଗାଡି, ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବସ୍ତା ପୋଲିସ, ଅଗ୍ନିଶମ ବାହିନୀ, ରାଜପଥ କର୍ମଚାରୀ ପହଞ୍ଚି ଗାଡିରେ ଥିବା 19 ଜଣ ଯାତ୍ରୀଙ୍କ ମଧ୍ୟରୁ 12 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।
ସମସ୍ତ ଯାତ୍ରୀଙ୍କୁ ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ୱର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଡ୍ରାଇଭରଙ୍କର ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଯାତ୍ରୀ ମାନେ କହିଛନ୍ତି । ଘଟଣାସ୍ଥଳରୁ ଟ୍ରକ ଫେରାର ହୋଇଥିବା ବେଳେ ଟ୍ରାଭେରା ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।
ଦୁର୍ଘଟଣା ସମ୍ପର୍କରେ ଜଣେ ଯାତ୍ରୀ ରଞ୍ଜନ ରଣା କହିଛନ୍ତି ଯେ , "ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଆମେ ଭୋଗରାଇ ଘରକୁ ଫେରୁଥିଲୁ । ଆମେ ପିଲାମାନଙ୍କୁ ମିଶାଇ ଗାଡ଼ିରେ ମୋଟ 19 ଜଣ ଥିଲୁ । ରାସ୍ତା ପୂରା ଫାଙ୍କା ଥିବା ବେଳେ, ରାସ୍ତାର ଡାହାଣ ପଟରେ ଏକ ଟ୍ରକ ଅଟକି ରହିଥିଲା । ଆମ ଗାଡ଼ି ଡ୍ରାଇଭର ଟ୍ରକ ପଛକୁ ଧକ୍କା ଦେଇଥିଲା । ରାସ୍ତାରେ ନ ଯାଇ ଡ୍ରାଇଭର ଜଣକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଡ୍ରାଇଭର କିଛି ନିଶା ସେବନ କରି ନଥିଲେ ମଧ୍ୟ ଦୁର୍ଘଟଣା ପଛରେ ଡ୍ରାଇଭରର ଭୁଲ ରହିଛି । ଆହତମାନଙ୍କୁ ବାଲେଶ୍ୱର ମେଡିକାଲ ନିଆଯାଇଛି ।"
ଇଟିଭି ଭାରତ, ବାଲେଶ୍ୱର

