ETV Bharat / state

ପର କଲା ପରିବାର, ବୃଦ୍ଧାଶ୍ରମ କଲା ନିଜର; ବାପା ନ ଥିବା ମଣିଷ ନେଉଛନ୍ତି ଦାୟିତ୍ୱ

ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସେବା ପ୍ରତ୍ୟକ୍ଷ ଭଗବାନଙ୍କ ସେବା । ଏହା ହିଁ ମୋ ଜୀବନର ଲକ୍ଷ୍ୟ । ମାନବ ସେବାକୁ ମାଧବ ସେବା ଭାବି ନେଇଛି କହିଲେ ପ୍ରତିଷ୍ଠାତା ।

BALASORE OLD AGE HOME
ପର କଲା ପରିବାର, ବୃଦ୍ଧାଶ୍ରମ କଲା ନିଜର (ETV Bharat GFX)
author img

By ETV Bharat Odisha Team

Published : March 3, 2026 at 4:43 PM IST

4 Min Read
Choose ETV Bharat

ସ୍ୱତନ୍ତ୍ର ରିପୋର୍ଟ- ଜୀବନଜ୍ୟୋତି ନାୟକ

ବାଲେଶ୍ୱର: ବଳ ବୟସ ଥିବା ବେଳେ ପିଲାମାନଙ୍କୁ ଦୁନିଆ ଦାଣ୍ଡରେ ମୁଣ୍ଡ ଟେକି ଚାଲିବା ପାଇଁ ଶତ ଚେଷ୍ଟା କରିଥିବା ବାପା ମା' ପରିଣତ ବୟସରେ ବୃଦ୍ଧାଶ୍ରମରେ ଜୀବନ କଟାଉଥିବା ଦେଖିବାକୁ ମିଳେ । ଯେଉଁ ପିଲାମାନଙ୍କୁ ଲହୁଲୁହ ବୁହାଇ ମଣିଷ କରିଥାନ୍ତି ସେମାନେ ଚାକିରୀ କରିବା ପରେ ବାପା ମାଆଙ୍କୁ ପର କରିଦିଅନ୍ତି। ଶେଷ ଆଶାବାଡ଼ି ବୋଲି ଯେଉଁ ପୁଅକୁ ବାପା ମା ସବଳ କରିଥାନ୍ତି ବୃଦ୍ଧାଵସ୍ଥାରେ ସେହି ପୁଅମାନେ ପୁଣି ବାପା ମାଙ୍କ ବଳ ହେବା ବଦଳରେ ସେମାନଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦେଇଥାନ୍ତି । ଅବଶ୍ୟ ଏହା କେତେକାଂଶରେ ଦେଖିବାକୁ ମିଳେ ମାତ୍ର ବୃଦ୍ଧାବସ୍ଥା ସତରେ କଣ ଅଭିଶାପ ବୋଲି ଆଜି ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀମାନେ ନିଜକୁ ପ୍ରଶ୍ନ ପଚାରୁଛନ୍ତି । କାହାର ପୁଅ ବାହାରେ ଚାକିରୀ କରିଥିବା ବେଳେ ଘରେ ବୁଢା ବାପା ଏକୁଟିଆ ହୋଇଯାଇ ଶେଷରେ ବୃଦ୍ଧାଶ୍ରମ ଆସିଛି ତ କେଉଁଠି ପୁଣି ବାପାଙ୍କ ମୃତ୍ୟୁ ପରେ ମା ଅଲୋଡ଼ା ହୋଇ ବୃଦ୍ଧାଶ୍ରମରେ ଜୀବନ କାଟୁଛି । ଯେଉଁ ବୟସରେ ବାପା ମା ପୁଅ ବୋହୂର ଟିକେ ସାହାରା ଆଉ ନାତି ନାତୁଣୀଙ୍କ ସ୍ନେହ ମମତାରେ ଦିନ କାଟିବା କଥା ଏବେ ସେମାନେ ବୃଦ୍ଧାଶ୍ରମରେ ଏକୁଟିଆ ଦିନ କାଟି ନିରୋଳାରେ ଆଖିରୁ ଲୁହ ଝରାଉଛନ୍ତି। ପୁଅର ଯେଉଁ ହାତ ବୃଦ୍ଧ ବାପା ମାଙ୍କ ପାଇଁ ବଢିବା କଥା ଆଜି ଖଣ୍ଡେ ବାଉଁଶ ବାଡ଼ିର ସାହାରାରେ ବାଟ ଚାଲୁଛନ୍ତି । ଏମିତି ଅସହାୟ ବାପା ମାଙ୍କୁ ସାହାରା ଦେବାପାଇଁ ୨୦୧୧ ମସିହାରେ ନିଜସ୍ୱ ଉଦ୍ୟମରେ ଗଢ଼ା ହୋଇଛି 'ଶିବ ମୁନି ସେବା ସଂଗଠନ ନିରାଶ୍ରୟଶ୍ରମ' ।

ପର କଲା ପରିବାର, ବୃଦ୍ଧାଶ୍ରମ କଲା ନିଜର (ETV Bharat Odisha)

ବୃଦ୍ଧାଶ୍ରମ ଗଢିବା ପଛରେ ଘଟି ଯାଇଥିବା ଅତୀତର କାହାଣୀ-

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ଗୁଡ଼ ଅଞ୍ଚଳରେ ରହିଛି ଏହି ଆଶ୍ରମ । ଏହି ବୃଦ୍ଧାଶ୍ରମ ଗଢିବାରେ ମୁଖ୍ୟ ଭୂମିକା ନେଇଥିଲେ ଯୋଗୀ ସୁଧାକର ମୁନି । ପିଲାବେଳେ ବାପା ମାଆଙ୍କୁ ହରାଇଥିବା ସୁଧାକର ବଡ଼ ହୋଇଥିଲେ ଶିବ ମୁନି ଆଶ୍ରମରେ । ସେଠାରୁ ଯୋଗ ଶିକ୍ଷା କରିବା ସହ ସେ ଓଡିଶା ତଥା ବାହାର ରାଜ୍ୟରେ ଯୋଗ ତାଲିମ ପ୍ରଦାନ କରି ପରିବାର ପ୍ରତିପୋଷଣ କରନ୍ତି । ଏହାରି ଭିତରେ ୨୦୦୯ ମସିହାରେ ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ସେ ଏକ ଆଶ୍ରମ ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ପରେ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୨୦୧୧ ମସିହାରେ ଆଶ୍ରମ ପ୍ରତିଷ୍ଠା ହୋଇଥିଲା ।

ବୃଦ୍ଧାଶ୍ରମରେ ୨୦ଜଣ ଅନ୍ତେବାସୀ-

କାହାକୁ ପୁଅ ବୋହୂ ଘରୁ କାଢି ଦେଇଛନ୍ତି ତ ଆଉ କିଏ ପରିବାରର କେହି ନଥିବାରୁ ଆଶ୍ରମରେ ଆସି ରହୁଛନ୍ତି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ପଶ୍ଚିମବଙ୍ଗରୁ ଆସି ବୟସ୍କ ମହିଳା ଓ ପୁରୁଷମାନେ ଆଶ୍ରମରେ ଶେଷ ଜୀବନ କାଟୁଛନ୍ତି । କିଏ ବିଛଣାରୁ ଉଠି ପାରୁ ନାହିଁ ତ ଆଉ କିଏ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛି । ବୃଦ୍ଧବୃଦ୍ଧା ମାନେ ଘରର କଥା ମନେ ପକାଇ ଦୁଃଖରେ ଭାଙ୍ଗି ପଡୁଛନ୍ତି । ଘର କଥା ପଚାରିଲା ବେଳକୁ ସେମାନଙ୍କ ଆଖିରୁ ଲୁହ ଝରି ଆସୁଛି । ଏଭଳି କ୍ଷେତ୍ରରେ ଆଶ୍ରମର କର୍ମକର୍ତ୍ତା ମାନେ ସେମାନଙ୍କ ଦାୟିତ୍ୱ ନେଇ ବିଭିନ୍ନ ସେବା କରିଆସୁଛନ୍ତି। ଆଜି ଏହି ଆଶ୍ରମ ପାଇଁ କେତେକ ଅନ୍ତେବାସୀଙ୍କର ଜୀବନ ବଞ୍ଚି ଯାଇଛି । ଖାଲି ଏତିକି ନୁହେଁ ଏହି ଆଶ୍ରମରେ ଅସହାୟ ଗାଈଗୋରୁଙ୍କୁ ମଧ୍ୟ ଦାୟିତ୍ୱ ନିଆଯାଉଛି ।

ଜଣେ ଅସହାୟ ବାପା ହେଉଛନ୍ତି ବିଷ୍ଣୁଚରଣ ବେହେରା...!

ପିଲାଙ୍କୁ ରୋଜଗାରିଆ କରିବା ପରେ ଯେତେବେଳେ ସେମାନେ ବାହାର ରାଜ୍ୟରେ ରହିଲେ ସେତେବେଳେ ବାପା ମା ରହିଲେ ଗାଁରେ। ସ୍ତ୍ରୀଙ୍କ ଦେହାନ୍ତ ପରେ ବାପା ଏକୁଟିଆ ରହି ଗଣ୍ଡେ ଖାଇବାକୁ ସଂଘର୍ଷ କରୁଥିବା ବେଳେ ଶେଷରେ ପୁଅମାନେ ଆଣି ତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଇଗଲେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ସରସତିଆ ଅଞ୍ଚଳର ସେମିତି ଜଣେ ଅସହାୟ ବାପା ହେଉଛନ୍ତି ବିଷ୍ଣୁଚରଣ ବେହେରା । ସେ ନିଜର ପ୍ରତିକ୍ରିୟା କହିଲା ବେଳକୁ ତାଙ୍କ ଛାତି ଭିତରେ ଥିବା ଅସହ୍ୟ ଯନ୍ତ୍ରଣା ବାରି ହୋଇ ପଡୁଥିଲା ।

ବିଷ୍ଣୁ କହିଛନ୍ତି, "ପୁଅ ବୋହୂ ରହିଲେ ନି ଘରେ ଆଉ ମୁଁ ଏକୁଟିଆ ଘରେ ରହିକି କଣ କରିବି । ଏଇଠିକୁ ପଳାଇ ଆସିଲି, ମୋତେ ଆଣି ଛାଡ଼ି ଦେଇଗଲେ । ତା ପରେ ଏଇଠି ଖାଇବା ପିଇବା ଏବଂ ଔଷଧ ଦେଉଛନ୍ତି। ମୁଁ ଏଠି ସାତ ଆଠ ମାସ ହେଲା ଆସିଛି। ଏଠି ସମସ୍ତେ ଆମେ ସାଙ୍ଗ ଭଳି ହୋଇ ରହିଛୁ। ଏଠି ସକାଳେ ପ୍ରଥମେ ଯୋଗ କରାଯାଉଛି। ତା ପରେ ଟିଫିନ ଓ ମଧ୍ୟାହ୍ନରେ ଭାତ ତରକାରୀ ଖାଇବାକୁ ଦିଆଯାଉଛି। ଘର କଥା ତ ମନେ ପଡୁଛି ଆଉ ମନେ ପଡିଲେ କଣ ହେବ, ଘରେ ତ ଛୁଆ ପିଲା ନାହାନ୍ତି। କୁନି ନାତୁଣୀ ସବୁ ଅଛନ୍ତି ଥିଲେ କଣ ହେବ ମୁଁ ତ ଯାଇ ପାରୁନି କି ଦେଖା କରି ପାରୁନି ।"

ଝିଅ ବେଙ୍ଗାଲୁରୁରୁ ଆସି ମୋତେ ଛାଡି ଦେଇଗଲା-

ସେହିପରି ଆଉଜଣେ ଅନ୍ତେବାସୀ ରଜନୀ ସେଠି ସ୍ୱାମୀଙ୍କ ଦ୍ଵିତୀୟ ପତ୍ନୀ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ଓ ତାଙ୍କ ଯାଆଙ୍କର ପୁଅ ଅଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଯାଆଙ୍କ ପୁଅ ବୋହୁ ରାଜନୀଙ୍କ ଭଲ ମନ୍ଦ ନ ବୁଝିବାରୁ ତାଙ୍କୁ ଅଲଗା ରହିବାକୁ ପଡିଥିଲା। ବାର୍ଦ୍ଧକ୍ୟ ଗ୍ରାସ କରିଥିବାରୁ ସେ ଅନେକ ସମୟରେ ରୋଗଗ୍ରସ୍ତ ହୋଇଥିଲେ ଏବଂ ନିଜେ ଗଣ୍ଡେ ରାନ୍ଧି ବାଢ଼ି ଖାଇବାରେ ଅସୁବିଧା ଭୋଗିଥିଲେ। ଯେଉଁଥିପାଇଁ ରାଜନୀଙ୍କ ଝିଅ ଜ୍ବାଇଁ ତାଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡି ଦେଇଥିଲେ।

ରଜନୀ ବୃଦ୍ଧାଶ୍ରମର ଏକାକୀ ଜୀବନ ବିଷୟରେ ସୂଚନା ଦେଇ କହିଛନ୍ତି ,"ମୁଁ ଏଠି ତିନିବର୍ଷ ହେଲା ଆସିକି ରହିଲିଣି। ମୋର ଯେମିତି ରୋଗ ବ୍ୟାଧି ହେଲା ମୁ ନିଜେ ଘରେ ରୋଷେଇ କରି ଖାଉଥିଲି, ଯେମିତି ନ ଖାଇ ପିଇ ପାରିଲି ଝିଅକୁ କହିଲି ସେ ମୋତେ ଆଣି ଏଠି ଛାଡି ଦେଇଗଲା। ଝିଅମାନେ ମୋତେ ପଇସା ପଠାନ୍ତି, ଗ୍ୟାସ ଆଣି ଦେଇ ଦିଅନ୍ତି କିନ୍ତୁ ମୁଁ ନିଜେ ରୋଷେଇ କରି ଖାଇ ପାରିଲି ନାହିଁ। ସବୁବେଳେ ଏକୁଟିଆ ରହିଲି, ବଜାର ସଉଦା କରି ପାରିଲିନି କି ରାସନ ଆଣିବାକୁ ଯାଇ ପାରିଲି ନାହିଁ। କିଏ ମୋତେ ଦେଖିବ ମୋ କଥା କିଏ ବୁଝାବୁଝି କରିବ, ଝିଅକୁ କହିବା ପରେ ସେ ବେଙ୍ଗାଲୁରୁରୁ ଆସିକି ମୋତେ ଏଇଠି ଛାଡି ଦେଇଗଲା। ଯାହାହେଉ ଏଇଠି ରହିବା ପାଖରୁ ଭଲରେ ରହିଛି, ମୋର ଯେତିକି ଔଷଧ ଖାଉଛି ମୋତେ ସବୁ ଦିଆଯାଉଛି । ଯେଉଁମାନେ ବିଛଣାରେ ପଡ଼ି ରହିଛନ୍ତି ସେମାନଙ୍କ ଝାଡ଼ା ପରିଶ୍ରା ନିଜେ ବାବା ସଫା କରି ଦେଉଛନ୍ତି।"

ନିରାଶ୍ରୟ ଲୋକଙ୍କୁ ସେବା ଯୋଗାଇବା ପାଇଁ ମନସ୍ଥ କରିଥିଲି-


ଏମିତି ଏକ ବୃଦ୍ଧାଶ୍ରମ ଗଢି ତୋଳିବାରେ ମନ ବଳାଇ ଅସହାୟ ବାପା ମାଆଙ୍କ ସାହାରା ପାଲଟିଥିବା ଯୋଗୀ ସୁଧାକର ମୁନି ନିଜର ପ୍ରତିକ୍ରିୟାରେ କହିଛନ୍ତି, "ଏହି ଆଶ୍ରମ ୨୦୧୧/୧୨ ପାଖରୁ ଆରମ୍ଭ ହେଲାଣି । ତା ପୂର୍ବରୁ ଏହା ପ୍ରତିଷ୍ଠା ପାଇଁ ମୋ ମନ ଭିତରେ ଥିଲା କାରଣ ଛୋଟ ବେଳୁ ମୋ ବାପା ମାଙ୍କ ଦେହାନ୍ତ ହୋଇ ଯାଇଥିଲା। ମୁଁ ତାଙ୍କୁ ସେବା ଦେଇ ପାରିନାହିଁ କିମ୍ବା ସ୍ନେହ ମମତା ପାଇ ପାରିନାହିଁ। ୨୦୦୯ ମସିହାରେ ମୋ ମୁଣ୍ଡକୁ ଜୁଟିଲା ଯେ, ଦିନ ଆସିବ ଅନେକ ଲୋକ ବାପା ମାଆଙ୍କୁ ଅବହେଳା କରିବେ । ସେଥିପାଇଁ ମୁଁ ଯୋଗାଶ୍ରମ କରିବା ସହ କିଛି ନିରାଶ୍ରୟ ଲୋକଙ୍କୁ ସେବା ଯୋଗାଇବା ପାଇଁ ମନସ୍ଥ କରିଥିଲି। ତା ପରେ ମୁଁ ଜମି ଖୋଜିବା ଆରମ୍ଭ କରିଥିଲି। ଏ ଜମି ଆମକୁ ଶରତ ପଣ୍ଡା ଓ ତାଙ୍କର ତିନି ଭାଇ ଦାନରେ ଦେଇଛନ୍ତି। ପ୍ରଥମେ ସୋର ଅଞ୍ଚଳର ଦାମୋଦର ପୁହାଣ ଆଶ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ତା ପରେ ମାଗି ଯାଚିକି ଚଳାଇଛି ଆଶ୍ରମ। ଅନେକ ବଦାନ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ପାଇଁ ଏ ଆଶ୍ରମ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇଛି। ଏଠି ୨୦/୨୨ ଜଣ ବୃଦ୍ଧବୃଦ୍ଧା ରହୁଛନ୍ତି। ସେହି ମାନଙ୍କ ସେବା କରିବା, ୧୫ ଟି ଗୋରୁ ଗାଈଙ୍କ ସେବା କରିବା ଦ୍ୱାରା ମୁଁ ଟିକେ ଶାନ୍ତି ପାଉଛି। ସେମାନଙ୍କର ଝାଡା ପରିଶ୍ରା ସଫା କରିବାରେ ମୋତେ ଟିକେ ଭଲ ଲାଗେ, ଶାନ୍ତି ଲାଗେ। ଏଠି ପ୍ରତ୍ୟକ୍ଷ ଭଗବାନ ମାନଙ୍କର ସେବା ମୁଁ ଦେଉଛି ତାହା ହିଁ ମୋ ଜୀବନର ଶେଷ ଲକ୍ଷ୍ୟ । ମାନବ ସେବା କୁ ମାଧବ ସେବା ଭାବି ନେଇଛି ।"



ଏହା ବି ପଢନ୍ତୁ- ପିଲାବେଳେ ଚାଲିଗଲେ ବାପା, ଯୁବାବସ୍ଥାରେ କଟିଲା ଦୁଇ ହାତ, ଦୁଃଖ ଦରିଆରେ ଭାସୁଛନ୍ତି ମା' ପୁଅ

ଇଟିଭି ଭାରତ, ବାଲେଶ୍ବର